ଭରା ନଈରେ ମୃତଦେହ ବୋହିଲେ ଆତ୍ମୀୟ

0

ଫୁଲବାଣୀ : ଜୀବନ ଥିବା ବେଳେ ରୋଗ ଓ ଡାକ୍ତର ଅଭାବକୁ ନେଇ ଲଢେଇ କଲେ। ଶେଷରେ ମୃତ୍ୟୁ ପରେ ମଧ୍ୟ ନିସ୍ତାର ମିଳିଲାନି। ଶବବୁହା ଗାଡିଟିଏ ନମିଳିବାରୁ ପରିବାର ଲୋକେ ମୃତଦେହକୁ ଭରାନଦୀରେ ବୋହିନେବା ଭଳି ଘଟଣା କନ୍ଧମାଳ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଶୁକ୍ରବାର ଏଭଳି ଏକ ବିଷମ ପରିସ୍ଥିତି ଦେଖାଦେଇଥିଲା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତର ବୁରାଙ୍ଗିଆ ଗାଁ ଲୋକଙ୍କ କ୍ଷେତ୍ରରେ।
ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବହୁ କଷ୍ଟରେ ଦୁର୍ଗମ ବୁରାଙ୍ଗିଆରୁ ଭାର କରି ମା’ ରେବତୀଙ୍କୁ କ.ନୂଆଗାଁ ମେଡିକାଲରେ ଆଜି ଭର୍ତ୍ତିକରିଥିଲେ ପୁଅ ଏବଂ ଆତ୍ମୀୟସ୍ୱଜନ; ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଭଳି ଦୁଃଖ ସମୟରେ ପ୍ରବଳ ବର୍ଷା ସହ ଅପହଞ୍ଚ ଗାଁକୁ ମୃତଦେହ କିପରି ନେବେ ସେହି ଚିନ୍ତାରେ ପରିବାର ଲୋକେ ସଭିଙ୍କୁ କାକୁତିମିନତି ହୋଇଥିଲେ। କ.ନୂଆଗାଁ ମେଡିକାଲରୁ ଅଟୋ ଭଡ଼ା କରି କିଛି ବାଟ ଯାଏଁ ମୃତଦେହକୁ ନେବା ପରେ ସେଠାରୁ ମୃତଦେହକୁ ଧରି ପରିବାର ଲୋକେ ଚାରି କିଲୋମିଟର ବାଟ ଚାଲି ଖଡଗ ନଦୀ କୂଳରେ କଷ୍ଟେମଷ୍ଟେ ପହଞ୍ଚିଥିଲେ। ସେଠାରୁ ଆତ୍ମୀୟସ୍ୱଜନ ବନ୍ୟାକୁ ଖାତିର ନକରି ପ୍ରବଳ ବର୍ଷାରେ ଫୁଲିଥିବା ମଣିଷ ଉଚ୍ଚ ବନ୍ୟା ଜଳରେ ମୃତଦେହକୁ କୋକେଇରେ ବୋହି କରି ବହୁ କଷ୍ଟରେ ପହଞ୍ଚିଥିଲେ ଗାଁରେ। ଏମିତି ଆମର ଭାଗ୍ୟ ଓ ଭବିଷ୍ୟତ ବୋଲି କହିଛନ୍ତି ଗାଁ ଲୋକେ। ମୃତ୍ୟୁ ପରେ ମଧ୍ୟ ପ୍ରତି ମୁହୂର୍ତ୍ତରେ ଆମକୁ ସଂଗ୍ରାମ କରିବାକୁ ପଡୁଛି ବୋଲି କ୍ଷୋଭର ସହିତ କହିଛନ୍ତି ଗ୍ରାମବାସୀ ଓ ରେବତୀଙ୍କ ସମ୍ପର୍କୀୟ।

Leave A Reply