ଗାଁରେ ପଶୁଛି ସମୁଦ୍ର ପାଣି

0

ପୁରୀ: ଗ୍ରାମବାସୀଙ୍କୁ ସୁରକ୍ଷା ଦେଇପାରୁନି ରିଙ୍ଗବନ୍ଧ। ଏବେ ବି ଭାସିଯିବାର ଚିନ୍ତା ଘାରିଛି ୧୫ଟି ଗାଁର ବାସିନ୍ଦାଙ୍କୁ। ଲଘୁଚାପ ବର୍ଷା ହେଲେ ସେମାନେ ସାରାରାତି ଅନିଦ୍ରା। କେତେବେଳେ ଯେ ସମୁଦ୍ର ଜୁଆର ଏବଂ ଉଦ୍‍ବୃତ ଚିଲିକା ଜଳ ଗାଁକୁ ପଶିଆସିବାର ଭୟ। ପାଞ୍ଚବର୍ଷ ଧରି ଚାଲିଥିବା ରିଙ୍ଗବନ୍ଧ (ସୁରକ୍ଷା ପ୍ରାଚୀର) କାମ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ମାଟି ପକାଇ ଯାହା କାମ ହେଉଛି, ସମୁଦ୍ର ଜୁଆର ସବୁ ଧୋଇ ନେଉଛି। ଏମିତି ଅଭାବନୀୟ ପରିସ୍ଥିତିକୁ ସାମ୍ନା କରୁଛନ୍ତି ସିପକୁଦା, ବନମାଳିପୁର, ଗବକୁଣ୍ଡ, ମିରିଜାପୁର, ରାୟପୁର, ସାନପାଟଣା, ଅରଖକୁଦା, ଗୁପ୍ତପୁର, ଗଙ୍ଗାଧରପୁର, ଆଳୁପାଟଣା ଗ୍ରାମବାସୀ।
୨୦୧୪ରେ ରାଜ୍ୟ ସରକାର ଏହିସବୁ ଉପକୂଳୀୟ ଗ୍ରାମକୁ ସୁରକ୍ଷା ଦେବାପାଇଁ ୨୬ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏଥିରେ ରିଙ୍ଗବନ୍ଧ କରାଯାଇ ପଥର ଛାଉଣି କରିବାକୁ ଜଳସମ୍ପଦ ବିଭାଗକୁ ସରକାର ନିର୍ଦେଶ ଦେଇଥିଲେ; କିନ୍ତୁ ନିମ୍ନମାନର କାମ ଯୋଗୁଁ ବନ୍ଧ ଦୁର୍ବଳ ହେବା ସହ ସ୍ଥାନେ ସ୍ଥାନେ ଘାଇ ସୃଷ୍ଟିହୋଇ ଗାଁଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରୁଛି। ପ୍ରାକୃତିକ ବିପର୍ଯ୍ୟୟର ସୂଚନା, ଲଘୁଚାପଜନିତ ଲଗାଣ ବର୍ଷା ସୂଚନା ମିଳିଲେ ଉପକୂଳୀୟ ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକ ଆତଙ୍କିତ ହୋଇ ପଡ଼ୁଛନ୍ତି। ୨୭ କିମି ଉପକୂଳୀୟ ରିଙ୍ଗ୍‍ବନ୍ଧ ନିର୍ମାଣ କାର୍ଯ୍ୟ କରିବାକୁ ଜଳସମ୍ପଦ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ରିଙ୍ଗ୍‍ବନ୍ଧ କାର୍ଯ୍ୟ ଜଳସେଚନ ବିଭାଗ ଦ୍ୱାରା ଚାଲିଛି। ରିଙ୍ଗବନ୍ଧରେ କିଛି ଅଂଶ ପଥର ପ୍ୟାକିଂ ହୋଇଥିବାବେଳେ ଅଧିକାଂଶ ମୁକୁଳା ପଡ଼ିଛି। ଦୁର୍ବଳ ମାଟିବନ୍ଧ ଯୋଗୁଁ ଚିଲିକାରେ ଗୋଟାକୁ ଗୋଟା ନୂଆମୁହାଁଣ ଖୋଲିବାରେ ଲାଗିଛି। ଚିଲିକାରେ ଖୋଲିଥିବା ନୂଆମୁହାଁଣ ବ୍ୟତୀତ ଯଜ୍ଞଦଣ୍ଡା, ବିଲେଇମାରି ମୁହାଁଣ, କିଆନାଶି, ହରଚଣ୍ଡୀ ମୁହାଁଣ ଆଦି ଉପକୂଳକୁ ଖାଇବାରେ ଲାଗିଛି। ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ଜୁଆର ଫୁଲି ଗାଁକୁ ସମୁଦ୍ର ପାଣି ପଶି ଧନ ଜୀବନ କ୍ଷୟକ୍ଷତି କରୁଛି। ଅପରପକ୍ଷରେ ଗ୍ରାମଗୁଡ଼ିକରୁ ବର୍ଷା ଜଳ ନିଷ୍କାସନ କରିବା ପାଇଁ ଏକ ଖଲାସୀ ନାଳ ରହିଛି। ହେଲେ ଜଳସେଚନ ବିଭାଗ ସେହି ସବୁ ଖଲାସୀ ନାଳରେ କବାଟ ନ ପକାଇବାରୁ ସାମାନ୍ୟ ବର୍ଷା ପବନ ହେଲେ ସମୁଦ୍ର ଓ ଚିଲିକାର ଜୁଆର ପାଣି ଧସେଇ ପଶୁଛି। କାଠ ମାଫିଆମାନେ ସମୁଦ୍ର ଓ ମୁହାଣ ନିକଟରୁ ଅବାଧ ଗଛକାଟି ନେବା ଦ୍ୱାରା ବାଲିବନ୍ଧର ସୁରକ୍ଷା ପ୍ରାଚୀର ନଷ୍ଟ ହୋଇଯିବାରୁ ଉପକୂଳ ଅଞ୍ଚଳରେ ଗଢି ଉଠିଥିବା ଜନବସତି ପ୍ରତି ବିପଦ ସୃଷ୍ଟି ହେଉଛି।
ସେହିପରି ପୂନର୍ବାର ରିଙ୍ଗବନ୍ଧ ପୁନର୍ରୁଦ୍ଧାର ପାଇଁ ୩କୋଟି ୬୬ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଠିକାଦାର କାମ ଆରମ୍ଭ କରିଥିଲେ ମଧ୍ୟ ତାହା ଶେଷ ହୋଇନାହିଁ। ବାରମ୍ବାର ରିଙ୍ଗବନ୍ଧ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର କରାଯାଇଥିଲେ ମଧ୍ୟ ତାହା ସଠିକ କାମ କରାଯାଉ ନ ଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ନିମ୍ନମାନର କାମ ଯୋଗୁ ବାରମ୍ବାର ଏପରି ହେଉଥିବା ଜଣାପଡିଛି। କାର୍ଯ୍ୟ କରୁଥିବା ଠିକାଦାର କାର୍ଯ୍ୟକୁ ବିଭାଗୀୟ ଅଧିକାରୀ ତଦାରଖ କରୁ ନ ଥିବାରୁ ଏପରି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ଚିଲିକା କୂଳରେ ହେଉଥିବା ଗାର୍ଡୱାଲକୁ ଠିକାଦାର ସେହିଠାରୁ ବାଲି ନେଇ କାର୍ଯ୍ୟ କରୁଛି। ଲୁଣି ବାଲିରେ କାମ ଚାଲିଛି। ଚିଲିକା ଉପକୂଳରେ ଚାଲିଥିବା ରିଙ୍ଗ୍‍ବନ୍ଧ କାମକୁ ଭିଜିଲାନ୍ସ ଦ୍ୱାରା ତଦନ୍ତ କରାଯିବାକୁ ଉପକୂଳୀୟ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଜଳସେଚନ ବିଭାଗ ଯନ୍ତ୍ରୀ ଅପୂର୍ବ କୁମାର ପାତ୍ରଙ୍କୁ ପଚାରିବାରେ ସେ କହିଲେ ରିଙ୍ଗବନ୍ଧ କାର୍ଯ୍ୟ ଚାଲିଛି। ବାରମ୍ବାର ଚିଲିକାରେ ନୂଆମୁହାଁଣ ଖୋଲିବା ଦ୍ୱାରା ସୁରକ୍ଷା ପ୍ରାଚୀର ଧୋଇ ହୋଇଯାଉଛି। ଗାର୍ଡୱାଲ ଓ ରିଙ୍ଗ୍‍ବନ୍ଧ (ସୁରକ୍ଷା ପ୍ରାଚୀର)ରେ ପଥର ପ୍ୟାକିଂ କରାଯାଉଛି। ଖୁବ୍‍ଶୀଘ୍ର କାମ ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି।

Leave A Reply