ଏମ୍‌ସରେ ଭୟାବହ ଅଗ୍ନିକାଣ୍ଡ; ରୋଗୀ ଆତଙ୍କିତ

0

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସରେ ରବିବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସନ୍ଧ୍ୟା ପ୍ରାୟ ୬ଟା ୨୦ରେ ମେଡିକାଲର ଟ୍ରମା ସେଣ୍ଟର ଓଟିରେ ହଠାତ୍‌ ନିଆଁ ଲାଗିଯାଇଥିଲା। କିଛି ସମୟ ମଧ୍ୟରେ ଟ୍ରମା ସେଣ୍ଟର ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯିବା ସହ କର୍ମଚାରୀ ଏବଂ ରୋଗୀ ଭୟଭୀତ ହୋଇପଡ଼ିଥିଲେ। ରୋଗୀମାନେ ଚିତ୍କାର କରିବାରୁ ଏମ୍‌ସ ପରିସରରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ପୁଲିସ ସହିତ ୨୪ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ପ୍ରାୟ ୨ ଘଣ୍ଟା ୨୦ ମିନିଟ ପରେ ରାତି ୮ଟା  ୪୦ରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥି​‌ଲେ। ନିଆଁ ଲାଗିବା ପରେ ଟ୍ରମା ସେଣ୍ଟର ଏବଂ ଏହା ପାଖରେ ଥିବା ଅନ୍ୟାନ୍ୟ ୱାର୍ଡର ପାଖାପାଖି ୫୦ ରୋଗୀଙ୍କୁ ଅମ୍ଳଜାନ ମାସ୍କ ଲଗାଯାଇ ଅନ୍ୟତ୍ର ଏକ କୋଠାକୁ ସ୍ଥାନାନ୍ତର କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ।

ପୁଲିସ ସୂଚନା ମୁତାବକ, ପ୍ରଥମେ ୪ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ନିଆଁର ଭୟାବହତା ବଢ଼ିବାରୁ ଆଖପାଖର ଅନ୍ୟ ଅଗ୍ନିଶମ କେନ୍ଦ୍ରରୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ ଅଧିକାରୀଙ୍କ କହିବା ମୁତାବକ, ଟ୍ରମା ସେଣ୍ଟର ବେସମେଣ୍ଟରେ ନିଆଁ ଲାଗିଥିଲା। ଫଳରେ ଗ୍ରାଉଣ୍ଡ ଫ୍ଲୋର ଏବଂ ପ୍ରଥମ ମହଲାକୁ ଧୂଆଁ ବ୍ୟାପିଯିବାରୁ ରୋଗୀ ଭୟଭୀତ ହୋଇପଡ଼ିଥିଲେ। ଅଗ୍ନିକାଣ୍ଡର କାରଣ ଯାଞ୍ଚ କରିବା ଲାଗି ଏମ୍‌ସ ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ କରାଯାଇଛି।

Leave A Reply