୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ; ରାଜ୍ୟରେ ଦାଖଲ ହେଲା ୪୬୮ ନାମାଙ୍କନ ପତ୍ର

ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନିମନ୍ତେ ଗୁରୁବାର ସନ୍ଧ୍ୟାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି । ଏହି
ପର୍ଯ୍ୟାୟରେ ଏପ୍ରିଲ ୨୩ ତାରିଖ ଦିନ ୧୨ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ୧୧୫ଟି ଆସନରେ ମତଦାନ ହେବ। ତୃତୀୟ ପର୍ଯ୍ୟାୟରେ ଗୁଜରାଟ, ଗୋଆ, କେରଳ, ଦାଦ୍ରା ଓ ନଗରହାବେଳି ଏବଂ ଡାମନ୍‍ ଓ ଡିଉର ସମସ୍ତ ସଂସଦୀୟ  କ୍ଷେତ୍ରରେ ମତଦାନ ହେବ। ଏଥିସହିତ ମହାରାଷ୍ଟ୍ର ଓ କର୍ଣ୍ଣାଟକର ୧୪ଟି ଲେଖାଏଁ ଆସନ, ଉତ୍ତରପ୍ରଦେଶର ୧୦ଟି, ଛତିଶଗଡ଼ର ୭ଟି , ଓଡ଼ିଶାର ୬ଟି , ବିହାର ଏବଂ ପଶ୍ଚିମବଙ୍ଗର ୫ଟି ଲେଖାଏଁ ଆସନ, ଆସାମର ୪ଟି ଆସନ ଏବଂ ଜାମ୍ମୁ ଓ କାଶ୍ମୀରର ଗୋଟିଏ ଲୋକସଭା ଆସନରେ ମଧ୍ୟ ମତଦାନ ହେବ।
ଅନ୍ୟ ପକ୍ଷରେ କଂଗ୍ରେସ ଗୁରୁବାର ମଧ୍ୟପ୍ରଦେଶରେ ଆଉ ୧୨ ଜଣ ପ୍ରାର୍ଥୀଙ୍କର ନାମ ତାଲିକା ପ୍ରକାଶ କରିଛି। ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କର ପୁଅ ନକୁଳନାଥ ଛିନ୍ଦୱାଡ଼ାରୁ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ ପୂର୍ବତନ ରାଜ୍ୟ କଂଗ୍ରେସ ଶାଖା ସଭାପତି ଅରୁଣ ଯାଦବ ଖଣ୍ଡୱାରୁ ଓ ରାଜ୍ୟସଭା ସାଂସଦ ବିବେକ୍‍ ତନଖା ଜବଲପୁରରୁ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। କମଳନାଥ ଛିନ୍ଦୱାଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଉପନିର୍ବାଚନରେ ପାର୍ଟିର ପ୍ରାର୍ଥୀ ହେବା ନେଇ କଂଗ୍ରେସ ଘୋଷଣା କରିଛି।
କମଳନାଥ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଲୋକସଭା ସାଂସଦ ଥିବାରୁ ଉପ ନିର୍ବାଚନର ଆବଶ୍ୟକତା ପଡ଼ିଛି।


କଂଗ୍ରେସ ସଭାପତି ରାହୁଲ ଗାନ୍ଧି କେରଳର ୱାୟାନାଡ୍‍ ସଂସଦୀୟ ନିର୍ବାଚନ କ୍ଷେତ୍ରରୁ  ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ କଲପେଟାଠାରେ ପ୍ରାର୍ଥୀପତ୍ର ଦାଖଲ କରିବାପରେ ଶ୍ରୀ ଗାନ୍ଧୀ  ୱାୟାନାଡ଼ରେ ଏକ ରୋଡ୍‍ ଶୋ’ କରିଥିଲେ।
ଗୁଜରାଟରେ ଗୁରୁବାର ଅନେକ ପ୍ରାର୍ଥୀ ସେମାନଙ୍କର ମନୋନୟନପତ୍ର ଦାଖଲ କରିଛନ୍ତି। ରାଜ୍ୟର ସମସ୍ତ ୨୬ଟି ଯାକ ଲୋକସଭା ଆସନରେ ଆସନ୍ତା ୨୩ ତାରିଖରେ ମତଦାନ ହେବ। ଆସାମରେ ତୃତୀୟ ପର୍ଯ୍ୟାୟରେ ମତଦାନ ହେଉଥିବା ୪ଟି ଆସନ ପାଇଁ ୩୮ଟି ମନୋନୟନପତ୍ର ଦାଖଲ ହୋଇଛି। ବିହାରରେ ୫ଟି ଆସନ ପାଇଁ ୫୭ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ ହୋଇଥିବା ବେଳେ ଗୋଆରେ ଦୁଇଟି ଆସନ ପାଇଁ ୧୫ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି। ଇତିମଧ୍ୟରେ ନିଶାଦ ପାର୍ଟି ନେତା ତଥା ଗୋରଖପୁର ଏମ୍‍.ପି. ପ୍ରବୀଣ ନିଶାଦ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ଦଳ ଉତ୍ତରପ୍ରଦେଶରେ ବିଜେପିକୁ ସମର୍ଥନ କରିବ। ନିଶାଦ ପାର୍ଟି ଏସପି-ବିଏସପି-ଆରଏଲଡି ମେଣ୍ଟରୁ ଓହରି ଆସି ବିଜେପିରେ ଯୋଗ ଦେଇଛି।

ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ହେବ। ତେବେ ୬ଟି ଲୋକସଭା ଆସନ ପାଇଁ ମୋଟ ୬୯ ଜଣ ଏବଂ ୪୨ଟି ବିଧାନସଭା ଆସନ ପାଇଁ ୩୯୯ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସମ୍ବଲପୁର ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ   କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ଛେଣ୍ଡିପଦା ଏବଂ ଆଠମଲ୍ଲିକ ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। ସେହିପରି କେନ୍ଦୁଝର ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ ଏବଂ  କରଞ୍ଜିଆ ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ସେହିଦିନ ମଧ୍ୟ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଓ ଏହା ଅଧୀନରେ ଥିବା  ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏହି ଦିନ ଭୋଟ ଗ୍ରହଣ କରାଯିବ। ଅନ୍ୟ ପକ୍ଷରେ କଟକ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ  ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର ଓ ଖଣ୍ଡପଡ଼ା ଆସନରେ ମଧ୍ୟ ଏପ୍ରିଲ ୨୩ରେ ଭୋଟ ଗ୍ରହଣ କରାଯିବ। ସେହିପରି ପୁରୀ ସଂସଦୀୟ କ୍ଷେତ୍ର ଏବଂ  ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ଼ ବିଧାନସଭା ଆସନରେ ମଧ୍ୟ ସେହିଦିନ ମତଦାନ ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସଭା ଆସନ ଏବଂ  ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ ଓ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏପ୍ରିଲ ୨୩ରେ ମତଦାନ ହେବ।

ଶୁକ୍ରବାର ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ୍‍ କରାଯିବ ଓ  ଆସନ୍ତା ୮ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି।

 

Comments are closed.