ସେନିଗାଲ-ଜାପାନ ମୁକାବିଲା ୨-୨ ଅମୀମାଂସିତ

0

ଏକାତେରିନ୍‍ବର୍ଗ : ଚଳିତ ବିଶ୍ୱକପ୍‍ରେ ରବିବାର ସେନିଗାଲ୍‍ ଓ ଜାପାନ ମଧ୍ୟରେ ଏକ ଗ୍ରୁପ୍‍ ‘ଏଚ୍‍’ର ମ୍ୟାଚ୍‍ ୨-୨ ଗୋଲ୍‍ରେ ଅମୀମାଂସିତ ରହିଛି। ଫଳରେ ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି। ମ୍ୟାଚ୍‍ରେ ଆଫ୍ରିକୀୟ ଦେଶ ସେନିଗାଲ୍‍ ୨ ଥର ଗୋଲ୍‍ଦେଇ ଆଗୁଆ ହୋଇଥିଲେ ହେଁ ଉଭୟ ଥର ଜାପାନ ଗୋଲ୍‍ ସୁଝାଇ ଦେଇଥିଲା। ଉଭୟ ଦଳ ପ୍ରଥମ ମ୍ୟାଚ୍‍ ଜିତିଥିବା ବେଳେ ଏହି ମ୍ୟାଚ୍‍ରୁ ୧ ପଏଣ୍ଟ ଲେଖାଏଁ ପାଇ ୪ ପଏଣ୍ଟ ଲେଖାଏଁ ସହ ପ୍ରିକ୍ୱାର୍ଟରଫାଇନାଲ ଖେଳିବା ଦୌଡ଼ରେ ରହିଛନ୍ତି।
ପ୍ରଥମ ମ୍ୟାଚ୍‍ରେ ବିଜୟୀ ହୋଇଥିବା ଜାପାନ ଓ ସେନିଗାଲ୍‍ ମଧ୍ୟରେ ଏହି ମୁକାବିଲା ବେଶ୍‍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୩ୟ ମିନିଟରେ ସେନିଗାଲ୍‍କୁ ଏକ କର୍ଣ୍ଣର ମିଳିଥିଲେ ହେଁ କୌଣସି ଖେଳାଳି ବଲ୍‍ ପାଖରେ ପହଞ୍ଚି ପାରିନଥିଲେ। ୫ମ ମିନିଟରେ ସେନିଗାଲ୍‍ର ୨ୟ କର୍ଣ୍ଣରରୁ ବଲ୍‍ କ୍ଲିଅର ହୋଇଥିଲେ ହେଁ ୟୁସୁଫ୍‍ ସାବାଲି ଦୂରରୁ ମାରିଥିବା ସଟ୍‍ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ୧୧ତମ ମିନିଟରେ ସେନିଗାଲ୍‍ ଗୋଲ୍‍ଦେଇ ଆଗୁଆ ହୋଇ ଯାଇଥିଲା। ମୌସା ୱାଗ୍ୟୁଙ୍କ କର୍ଣ୍ଣର କିକ୍‍କୁ ଜାପାନର ଜେନ୍‍କି ହାରାଗୁଚି କ୍ଲିଅର କରିବା ପ୍ରୟାସରେ ଏକ ଦୁର୍ବଳ ହେଡର କରିଥିଲେ। ବଲ୍‍ ପହଞ୍ଚିଥିଲା ୟୁସୁଫ୍‍ ସାବାଲିଙ୍କ ପାଖରେ। ତାଙ୍କ ସଟ୍‍କୁ ଜାପାନ ଗୋଲ୍‍ରକ୍ଷକ ଏଇଜି କାୱାସିମା ରୋକିଥିଲେ ହେଁ ବଲ୍‍ ସେନିଗାଲ୍‍ର ସାଦିଓ ମାନେଙ୍କ ଗୋଡ଼ରେ ବାଜି ଗୋଲ୍‍ପୋଷ୍ଟ ମଧ୍ୟକୁ ଚାଲି ଯାଇଥିଲା। ମାନେଙ୍କ ଏହି ଗୋଲ୍‍ ପରେ ସେନିଗାଲ ଅଧିକ ଉତ୍ସାହିତ ହୋଇ ଖେଳିଥିଲା। ୨୧ ମିନିଟରେ ଜାପାନକୁ ପ୍ରଥମ କର୍ଣ୍ଣର ମିଳିଥିଲେ ହେଁ ଏହା ବେକାର ହୋଇଥିଲା। ୩୪ ମିନିଟରେ ଜାପାନ ଏକ ଦର୍ଶନୀୟ ଗୋଲ୍‍ଦେଇ ସ୍କୋର୍‍କୁ ୧-୧ କରିଥିଲା। ଜାପାନର ୟୁଟୋ ନାଗାଟୋମୋଙ୍କଠାରୁ ବଲ୍‍ ପାଇ ସାଥୀ ଖେଳାଳି ତାକାସି ଇନୁଇ ୧୫ ଗଜ ଦୂରରୁ ଏକ ଦର୍ଶନୀୟ ସଟ୍‍ମାରି ଏହି ଗୋଲ୍‍ଟି ଦେଇଥିଲେ। ୩୯ ମିନିଟରେ ଜାପାନ ଗୋଲ୍‍ରକ୍ଷକ କାୱାସିମା ଏକ ନିଶ୍ଚିତ ଗୋଲ୍‍ ବଞ୍ଚାଇ ଦେଇଥିଲେ। ୧୮ ଗଜ ଦୂରରୁ ସେନିଗାଲ୍‍ର ଏମ୍‍ବାୟେ ନିଆଙ୍ଗ୍‍ଙ୍କ ସଟ୍‍କୁ ଆଗକୁ ଆସି କାୱାସିମା ରୋକି ଦେଇଥିଲେ। ପ୍ରଥମାର୍ଦ୍ଧର ଖେଳ ୧-୧ ଗୋଲ୍‍ରେ ଶେଷହେବା ପରେ ଦ୍ୱିତୀୟାର୍ଦ୍ଧରେ ଜାପାନ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ତେବେ ସେନିଗାଲ୍‍ର ରକ୍ଷାପନ୍ଥୀ ଲଢ଼ୁଆ ପ୍ରଦର୍ଶନ କରିଥିଲା। ୬୦ ମିନିଟରେ ଜାପାନର ୟୁୟା ଓସାକୋଙ୍କୁ କେବଳ ବଲ୍‍କୁ ଖାଲି ଗୋଲ୍‍ପୋଷ୍ଟ ମଧ୍ୟକୁ ପଠାଇବାର ଥିଲେ ହେଁ ସେ ବିଫଳ ହୋଇଥିଲେ। ୩ ମିନିଟ ପରେ ଓସାକୋ ଆଉ ଏକ ସୁଯୋଗ ହାତଛଡ଼ା କରିଥିଲେ। ୬୪ ମିନିଟରେ ସେନିଗାଲ୍‍ ଗୋଲ୍‍ରକ୍ଷକ ପରାସ୍ତ ହୋଇଥିଲେ ହେଁ ଜାପାନର ତାକାସି ଇନୁଇଙ୍କ ସଟ୍‍ ଗୋଲ୍‍ପୋଷ୍ଟରେ ବାଜି ବାହାରି ଯାଇଥିଲା। ୭୧ ମିନିଟରେ ସେନିଗାଲ୍‍ର ୧୯ ବର୍ଷ ବୟସ୍କ ମୌସା ୱାଗ୍ୟୁ ୨ୟ ଗୋଲ୍‍ ଦେଇଥିଲେ। କୋଣରୁ କିକ୍‍ମାରି ୱାଗ୍ୟୁ ବଲ୍‍କୁ ନେଟ୍‍ ମଧ୍ୟକୁ ପଠାଇ ଦେଇଥିଲେ। ତେବେ ୭୮ ମିନିଟରେ ଜାପାନ ଗୋଲ୍‍ଦେଇ ମ୍ୟାଚ୍‍ରେ ୨ୟ ଥର ପାଇଁ ସ୍କୋର୍‍କୁ ସମାନ ସ୍ତରକୁ ଆଣିଥିଲା। ଇନୁଇଙ୍କ ପାସ୍‍ରୁ ତାରକା ଖେଳାଳି କେଇସୁକେ ହୋଣ୍ଡା ଦର୍ଶନୀୟ ଗୋଲ୍‍ ଦେଇଥିଲେ। ପରେ ଉଭୟ ଦଳ ଆକ୍ରମଣ ଓ ପ୍ରତ୍ୟାକ୍ରମଣ ଜାରି ରଖିଥିଲେ।

Leave A Reply