ଫ୍ରାନସ ଫିଫା ବିଶ୍ବକପ୍ ଚମ୍ପିଆନ

0

ମସ୍କୋ : ଫ୍ରାନ୍‍ସ ଚଳିତ ଫିଫା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ରବିବାର ସ୍ଥାନୀୟ ଲୁଝ୍‍ନିକି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଫ୍ରାନ୍‍ସ ୪-୨ ଗୋଲରେ କ୍ରୋଏସିଆକୁ ପରାସ୍ତ କରିଛି। ଫେଭରିଟ୍‍ ମାନ୍ୟତା ପାଇଥିବା ଫ୍ରାନ୍‍ସ ୧୯୯୮ ପରେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ଜିତିବାରେ ସଫଳ ହୋଇଛି। ଅପରପକ୍ଷରେ ପ୍ରଥମ ଥର ବିଶ୍ୱକପ ଫାଇନାଲକୁ ଉନ୍ନୀତ ହୋଇଥିବା କ୍ରୋଏସିଆ ଏହି ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରିଥିଲା ସତ, ତେବେ ଗୋଲ ଦେବାର ଏକାଧିକ ସୁଯୋଗକୁ କାର୍ଯ୍ୟକାରୀ କରିବାରେ ବିଫଳତା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପୁରସ୍କାର ବାବଦରେ ଚମ୍ପିଆନ ଫ୍ରାନ୍‍ସକୁ ୩୮ ନିୟୁତ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୨୬୦ କୋଟି ଟଙ୍କା) ପ୍ରଦାନ କରାଯାଇଥିବାବେଳେ କ୍ରୋଏସିଆକୁ ୨୮ ନିୟୁତ ଡଲାର (୧୯୧ କୋଟି) ମିଳିଛି।

ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ କ୍ରୋଏସିଆ ଅଧିନାୟକ ଲୁକା ମୋଡ୍ରିକ୍‌ଙ୍କୁ ଗୋଲଡେନ୍‌ ବଲ୍‌ ମିଳିଛି। ସେହିପରି ସର୍ବାଧିକ ୬ଟି ଗୋଲ୍‌ ଦେଇଥିବା ଇଂଲଣ୍ଡ ଅଧିନାୟକ ହ୍ୟାରି କେନ୍‌ଙ୍କୁ ଗୋଳଡେନ୍‌ ବୁଟ୍‌, ଶ୍ରେଷ୍ଠ ଗୋଲ୍ ରକ୍ଷକ ଭାବେ ବେଲଜିୟମ୍‌ର ଥିବଟ୍‌ କୋର୍ଟିୟସ୍‌ଙ୍କୁ ଗୋଲ୍‌ଡେନ୍‌ ଗ୍ଲୋଭ୍‌ସ ଦିଆଯାଇଛି। ସ୍ପେନକୁ ଶ୍ରେଷ୍ଠ ଦଳଗତ ପୁରସ୍କାର ଓ ଫ୍ରାନ୍ସର ଏମ୍‌ବାପେଙ୍କୁ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ପୁରସ୍କୃତ କରାଯାଇଛି।
କୋଡିଏ ବର୍ଷ ପରେ କ୍ରୋଏସିଆ ଓ ଫ୍ରାନ୍‍ସ ପୁଣି ଥରେ ବିଶ୍ୱକପରେ ମୁହାଁମୁହିଁ ହୋଇଛନ୍ତି। କ୍ରୋଏସିଆ ୧୯୯୮ ବିଶ୍ୱକପ ସେମିଫାଇନାଲରେ ଫ୍ରାନ୍‍ସ ନିକଟରୁ ହାରିଯାଇଥିଲା। ଏହି ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ କ୍ରୋଏସିଆ ପଡିଆକୁ ଓହ୍ଲାଇଥିବାବେଳେ ଫ୍ରାନ୍‍ସ ମଧ୍ୟ ଦ୍ୱିତୀୟ ଥର ଚମ୍ପିଆନ ହେବା ଆଶାକୁ ସଫଳ କରିବା ପାଇଁ ସଙ୍କଳ୍ପବଦ୍ଧ ଥିଲା। ପ୍ରାୟ ଅଶି ହଜାର ଦର୍ଶକଙ୍କ ଉପସ୍ଥିତିରେ ଉଭୟ ଦଳକୁ ପ୍ରାରମ୍ଭରୁ ଉତ୍ସାହିତ ମୁଦ୍ରାରେ ଦେଖିବାକୁ ମିଳିଥିଲା। ପ୍ରଥମାର୍ଦ୍ଧର ଦୁଇ ମିନିଟରେ ଫ୍ରାନ୍‍ସ ଖେଳାଳି ଉମ୍‍ଟିଟିଙ୍କୁ ଫାଉଲ ମାରିବା ଫଳରେ ରେଫେରି କ୍ରୋଏସିଆର ଲୁକା ମୋଡ୍ରିକଙ୍କୁ ଚେତାବନୀ ଦେଇଥିଲେ। ଅଷ୍ଟମ ମିନିଟରେ କ୍ରୋଏସିଆକୁ ପ୍ରଥମ କର୍ଣ୍ଣର କିକ୍‍ ମିଳିଥିଲା। ତେବେ ଅଲିଭର ଜିରୋଡ୍‍ ହେଡ୍‍ କରି ବଲ ବାହାରକୁ ପଠାଇ ଦେଇଥିଲେ। ୧୧ ମିନିଟରେ ଫ୍ରାନ୍‍ସ ପେନାଲଟି ଏରିଆରେ ଇଭାନ ରାକିଟିକ୍‍ଙ୍କଠାରୁ କ୍ରସ୍‍ ପାସ୍‍ ପାଇଥିଲେ ସୁଦ୍ଧା ପେରିସିକ୍‍ ଏହାକୁ ଗୋଲରେ ପରିବର୍ତ୍ତନ କରିବାରେ ବିଫଳ ହେବାଫଳରେ କ୍ରୋଏସିଆର ଏହି ସୁଯୋଗ ହାତଛଡା ହୋଇଥିଲା। ୧୮ ମିନିଟରେ କ୍ରୋଏସିଆ ଖେଳାଳିଙ୍କ ଏକ ଆତ୍ମଘାତୀ ଗୋଲ ଯୋଗୁଁ ଫ୍ରାନ୍‍ସ ୧-୦ ଗୋଲରେ ଆଗୁଆ ରହିଥିଲା। କ୍ରୋଏସିଆ ପେନାଲଟି ଏରିଆ ବାହାରେ ଫ୍ରାନ୍‍ସକୁ ଫ୍ରିକିକ୍‍ ମିଳିଥିଲା। ଆଣ୍ଟୋନିଓ ଗ୍ରିଜ୍‍ମ୍ୟାନଙ୍କ ଏହି ସଟ୍‍କୁ କ୍ରୋଏସିଆ ଖେଳାଳି ମାରିଓ ମାଣ୍ଡ୍‍ଜୁସିଚ୍‍ ହେଡ୍‍ କରି ବାହାର କରିବାକୁ ଉଦ୍ୟତ ହେଉଥିବାବେଳେ ବଲଟି ଦୁର୍ଭାଗ୍ୟବଶତଃ ନିଜ ଗୋଲପୋଷ୍ଟରେ ପ୍ରବେଶ କରିଥିଲା। ଗୋଟିଏ ଗୋଲ ବରଣ କରିବା ପରେ କ୍ରୋଏସିଆ ଖେଳାଳି ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ। ୨୧ ମିନିଟରେ ମୋଡ୍ରିକ୍‍ଙ୍କ ଫ୍ରିକିକ୍‍କୁ ଭେଡା ହେଡ୍‍ କରିବାରେ ବିଫଳ ହୋଇଥିଲେ। ୨୭ ମିନିଟରେ ପେରିସିକ୍‍ଙ୍କୁ ଫାଉଲ ମାରିବା ଫଳରେ ରେଫେରି ଫ୍ରାନ୍‍ସ ଖେଳାଳି କାଣ୍ଟେଙ୍କୁ ହଳଦିଆ କାର୍ଡ ପ୍ରଦର୍ଶନ କରିଥିଲେ। ୨୮ ମିନିଟରେ କ୍ରୋଏସିଆ ଗୋଲ ପରିଶୋଧ କରିଥିଲା। ମୋଡ୍ରିକ୍‍ଙ୍କ ଲମ୍ବା ପାସ୍‍ ଫ୍ରାନ୍‍ସ ଗୋଲପୋଷ୍ଟ ସମ୍ମୁ୍‍ଖରେ ମାଣ୍ଡ୍‍ଜୁସିଚ୍‍ଙ୍କ ନିକଟରେ ପହଞ୍ଚିଥିଲା। ତାଙ୍କଠାରୁ ପାସ୍‍ ପାଇ ଭେଡା ବଲ୍‍କୁ ପେରିସିକ୍‍ଙ୍କୁ ବଢାଇଥିଲେ। ପେରିସିକ୍‍ କୌଣସି ତ୍ରୁଟି ନ ଦର୍ଶାଇ ଏହାକୁ ଫ୍ରାନ୍‍ସ ଗୋଲପୋଷ୍ଟକୁ ପଠାଇ ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ତେବେ କ୍ରୋଏସିଆ ଦଳର ଏହି ଖୁସି ବେଶି ସମୟ ତିଷ୍ଠିନଥିଲା। ୩୩ ମିନିଟରେ ଫ୍ରାନ୍‍ସକୁ କର୍ଣ୍ଣର ମିଳିଥିଲା। ଗ୍ରିଜ୍‍ମ୍ୟାନ କର୍ଣ୍ଣର କିକ୍‍ ମାରିଥିବାବେଳେ ବଲ ପେରିସିକ୍‍ଙ୍କ ହାତରେ ବାଜିଥିଲା। ଏହା ରେଫେରିଙ୍କ ନଜରକୁ ଆସିନଥିବାବେଳେ ଫ୍ରାନ୍‍ସ ଖେଳାଳି ଭିଡିଓ ରିପ୍ଲେ ପାଇଁ ଆବେଦନ କରିଥିଲେ। ଭିଡିଓ ଫୁଟେଜକୁ ଅନୁଧ୍ୟାନ କରିବାପରେ ଫ୍ରାନ୍‍ସକୁ ପେନାଲଟି ମିଳିଥିଲା। ଗ୍ରିଜ୍‍ମ୍ୟାନ ଏହାକୁ ନିର୍ଭୁଲ ଭାବେ କ୍ରୋଏସିଆ ଗୋଲପୋଷ୍ଟକୁ ପଠାଇ ଫ୍ରାନ୍‍ସକୁ ୨-୧ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧର ଅନ୍ତିମ ଲଗ୍ନରେ କ୍ରୋଏସିଆକୁ କ୍ରମାଗତ ଦୁଇଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ଏହା ବେକାର ଯାଇଥିଲା। ଫଳରେ ମଧ୍ୟାନ୍ତର ସୁଦ୍ଧା ସ୍କୋରଲାଇନ ଫ୍ରାନ୍‍ସ ସପକ୍ଷରେ ୨-୧ ରହିଥିଲା।
ଦ୍ୱିତୀୟାର୍ଦ୍ଧରେ ଖେଳର ଗତି ସମ୍ପୂର୍ଣ୍ଣଭାବେ ଫ୍ରାନ୍‍ସ ନିୟନ୍ତ୍ରଣକୁ ଯାଇଥିଲା। ୪୮ ଓ ୫୦ ମିନିଟରେ କ୍ରୋଏସିଆକୁ ଦୁଇଟି ସୁଯୋଗ ମିଳିଥିଲେ ସୁଦ୍ଧା ଫ୍ରାନ୍‍ସ ଗୋଲରକ୍ଷକ ହ୍ୟୁଗୋ ଲୋରିସଙ୍କ ତତ୍ପରତା ଯୋଗୁଁ ସେଗୁଡିକ କାର୍ଯ୍ୟକାରୀ ହୋଇପାରିନଥିଲା। କ୍ରୋଏସିଆ ରକ୍ଷଣଭାଗ ଖେଳାଳିଙ୍କ ଦୁର୍ବଳତାର ସୁଯୋଗ ନେଇ ୫୯ ମିନିଟରେ ଫ୍ରାନ୍‍ସ ଆଉ ଏକ ଗୋଲ ଦେବାରେ ସଫଳ ହୋଇଥିଲା। କ୍ରୋଏସିଆ ପେନାଲଟି ଏରିଆ ବାହାରେ କିଲିଆନ୍‍ ଏମ୍‍ବାପେଙ୍କଠାରୁ ପାସ୍‍ ପାଇ ପଲ୍‍ ପୋଗ୍‍ବା ଏହି ଗୋଲ ସ୍କୋର କରି ଦଳକୁ ୩-୧ରେ ଆଗୁଆ କରିଥିଲେ। ୬୫ ମିନିଟରେ ଏମ୍‍ବାପେ ଚମତ୍କାର ଭଙ୍ଗିରେ ଗୋଲ ଦେବାରୁ ଫ୍ରାନ୍‍ସ ୪-୧ରେ ଆଗୁଆ ରହିଥିଲା। ଏହି ସ୍କୋରଲାଇନ କ୍ରୋଏସିଆକୁ ସମ୍ପୂର୍ଣ୍ଣଭାବେ ହତୋତ୍ସାହିତ କରିଥିଲା। ୬୯ ମିନିଟରେ ଫ୍ରାନ୍‍ସ ଗୋଲରକ୍ଷକଙ୍କ ତ୍ରୁଟି ଯୋଗୁଁ ଦଳ ଆଉ ଏକ ଗୋଲ ବରଣ କରିଥିଲା। ନିଜ ରକ୍ଷଣଭାଗ ଖେଳାଳିଙ୍କ ସଟ୍‍କୁ ଲୋରିସ ବେପରୁଆ ଢଙ୍ଗରେ କ୍ଲିୟର କରିବାକୁ ଉଦ୍ୟମ କରୁଥିବାବେଳେ ବଲଟି ଆକସ୍ମିକଭାବେ ମାଣ୍ଡ୍‍ଜୁସିଚ୍‍ଙ୍କ ଗୋଡରେ ବାଜି ଗୋଲପୋଷ୍ଟକୁ ପ୍ରବେଶ କରିଥିଲା। ଫଳରେ ଫ୍ରାନ୍‍ସର ଗୋଲ ବ୍ୟବଧାନ ୪-୨କୁ ହ୍ରାସ ପାଇଥିଲା। ୭୮ ମିନିଟରେ ରାକିଟିକ୍‍ ୩୦ ଗଜ ଦୂରରୁ ସଟ୍‍ ମାରିଥିଲେ ସୁଦ୍ଧା ଏହା ଅଳ୍ପକେ ଫ୍ରାନ୍‍ସ ଗୋଲପୋଷ୍ଟ ବାହାରକୁ ଚାଲିଯାଇଥିଲା। ମ୍ୟାଚର ଅନ୍ତିମ ଲଗ୍ନରେ କ୍ରୋଏସିଆ ଗୋଲ ପରିଶୋଧ କରିବାକୁ ଏକାଧିକ ଉଦ୍ୟମ କରିଥିଲେ ସୁଦ୍ଧା ଫ୍ରାନ୍‍ସର ରକ୍ଷଣଭାଗକୁ ଭେଦ କରିବାରେ ସକ୍ଷମ ହୋଇନଥିଲା।

Leave A Reply