କେନ୍‍ଙ୍କ ହ୍ୟାଟ୍ରିକ୍‍ ; ଇଂଲଣ୍ଡ ପ୍ରିକ୍ୱାର୍ଟରରେ

0

ନିଝ୍‍ନି ନବ୍‍ଗରୋଡ୍‍ : ଚଳିତ ବିଶ୍ୱକପ୍‍ରେ ହ୍ୟାଟ୍ରିକ୍‍ ସହ ୫ମ ଗୋଲ୍‍ ଦେଇଛନ୍ତି ଇଂଲଣ୍ଡର ଅଧିନାୟକ ହ୍ୟାରି କେନ୍‍। ପୁଣି ଚଳିତ ବିଶ୍ୱକପ୍‍ରେ କ୍ରମାଗତ ୨ୟ ଦିନରେ ଏକ ମ୍ୟାଚ୍‍ରେ ୭ଟି ଗୋଲ୍‍ ଦେଖିବାକୁ ମିଳିଛି। କେନ୍‍ଙ୍କ ଏହି ହ୍ୟାଟ୍ରିକ୍‍ ବଳରେ ରବିବାର ଗ୍ରୁପ୍‍ ‘ଜି’ର ମ୍ୟାଚ୍‍ରେ ପାନାମାକୁ ୬-୧ ଗୋଲ୍‍ରେ ପରାସ୍ତକରି ଇଂଲଣ୍ଡ ପ୍ରିକ୍ୱାର୍ଟରଫାଇନାଲ ଖେଳିବା ନିଶ୍ଚିତ କରିଛି। କେନ୍‍ଙ୍କ ୩ଟି ଗୋଲ୍‍ ସହ ଜନ୍‍ ଷ୍ଟୋନ୍‍ସ ୨ଟି ଓ ଜେସି ଲିନ୍‍ଗାର୍ଡ ଗୋଟିଏ ଗୋଲ୍‍ ଦେଇଥିଲେ। ପାନାମା ଅଧିନାୟକ ଫିଲିପ୍‍ ବାଲୟ ଏକମାତ୍ର ଗୋଲ୍‍ ଦେଇଥିଲେ। ପ୍ରଥମ ମ୍ୟାଚ୍‍ରେ ଟ୍ୟୁନିସିଆକୁ ୨-୧ରେ ହରାଇଥିବା ଇଂଲଣ୍ଡ ଏହି ବିଜୟ ସହ ଅନ୍ତିମ ୧୬ଟି ଦଳଙ୍କ ମଧ୍ୟରେ ସ୍ଥାନପାଇଛି। ପାନାମା ସହ ଟ୍ୟୁନିସିଆ ଚଳିତ ବିଶ୍ୱକପ୍‍ରୁ ବାଦ୍‍ ପଡ଼ିଛନ୍ତି।
ପ୍ରଥମଥର ବିଶ୍ୱକପ୍‍ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଥିବା ପାନାମା ବିରୋଧରେ ଏହି ମ୍ୟାଚ୍‍ରେ ନିଶ୍ଚିତ ଭାବେ ଇଂଲଣ୍ଡ ଫେଭରିଟ୍‍ ଥିଲା। ‘ଥ୍ରୀ ଲାୟନ୍‍ସ’ ଭାବେ ପରିଚିିତ ଇଂଲଣ୍ଡ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଫୁଟ୍‍ବଲ ଖେଳିଥିଲା। ୮ମ ମିନିଟରେ ଏକ କ୍ରସ୍‍ରୁ ଇଂଲଣ୍ଡ ପ୍ରଥମ ଗୋଲ୍‍ ଦେଇଥିଲା। କ୍ରସ୍‍କୁ ହେଡ୍‍କରି ଇଂଲଣ୍ଡ ମିଡ୍‍ଫିଲ୍‍ଡର ଜନ୍‍ ଷ୍ଟୋନ୍‍ସ ଦଳ ପାଇଁ ପ୍ରଥମ ଗୋଲ୍‍ ଦେଇଥିଲେ। ଷ୍ଟୋନ୍‍ସଙ୍କର ଏହା ପ୍ରଥମ ଆନ୍ତର୍ଜାତିକ ଗୋଲ୍‍ ଥିଲା। ୧୪ ମିିନିଟରେ ହ୍ୟାରି କେନ୍‍ଙ୍କ ପ୍ରୟାସକୁ ପାନାମା ଗୋଲ୍‍ରକ୍ଷକ ପେନିଡୋ ରୋକି ଦେବା ପରେ ୧୬ ମିନିଟରେ ପାନାମା ଏକ ସୁଯୋଗ ହାତଛଡ଼ା କରିଥିଲା। ବାର୍ସେନାସ୍‍ଙ୍କ ସଟ୍‍ ଗୋଲ୍‍ପୋଷ୍ଟର ବାହାରେ ଚାଲି ଯାଇଥିଲା। ୨୨ ମିିନିଟରେ ଇଂଲଣ୍ଡକୁ ଏକ ପେନାଲ୍‍ଟି ମିଳିଥିଲା। ପେନାଲ୍‍ଟି ଏରିଆ ମଧ୍ୟରେ ଇଂଲଣ୍ଡ ମିଡ୍‍ଫିଲ୍‍ଡର ଲୋଫ୍‍ଟସ-ଚିକ୍‍ ସାଥୀ ଖେଳାଳି ଜେସି ଲିନ୍‍ଗାର୍ଡଙ୍କୁ ପାସ ଦେଇଥିଲେ। ଲିନ୍‍ଗାର୍ଡ ବଲ୍‍ ସହ ବୁଲିବା ବେଳକୁ ପାନାମା ଡିଫେଣ୍ଡର ତାଙ୍କୁ ଫାଉଲ୍‍ ମାରି ପକାଇ ଦେଇଥିଲେ। ପେନାଲ୍‍ଟିରୁ ଇଂଲଣ୍ଡ ଅଧିନାୟକ ହ୍ୟାରି କେନ୍‍ ଗୋଲ୍‍ ସ୍କୋର୍‍କରି ଦଳକୁ ୨-୦ରେ ଆଗୁଆ କରିଥିଲେ। ପରେ ଇଂଲଣ୍ଡ ଷ୍ଟ୍ରାଇକର ରହିମ୍‍ ଷ୍ଟର୍ଲିଂ ଓ ହ୍ୟାରୀ ମାଗ୍ୱାରେ ୨ଟି ସୁଯୋଗ ଛାଡ଼ିଥିଲେ। ୩୬ ମିନିଟରେ ଜେସି ଲିନ୍‍ଗାର୍ଡ ଇଂଲଣ୍ଡ ପାଇଁ ୩ୟ ଏବଂ ବ୍ୟକ୍ତିଗତ ୨ୟ ଗୋଲ୍‍ ସ୍କୋର୍‍ କରିଥିଲେ। ଲିନ୍‍ଗାର୍ଡଙ୍କୁ ଏକ ସୁନ୍ଦର ପାସ୍‍ ଦେଇଥିଲେ ରହିମ୍‍ ଷ୍ଟର୍ଲିଂ। ୩୦ ଗଜ ଦୂରରୁ ଏକ ରକେଟ୍‍ମାର୍କା କିକ୍‍ମାରି ଲିନ୍‍ଗାର୍ଡ ଏହି ଗୋଲ୍‍ଟି ସ୍କୋର୍‍ କରିଥିଲେ।
୪୦ ମିନିଟରେ ଇଂଲଣ୍ଡ ୪ର୍ଥ ଗୋଲ୍‍ ସ୍କୋର୍‍ କରିଥିଲା। ଏହି ଗୋଲ୍‍ଟି ଦେଇଥିଲେ ଜନ୍‍ ଷ୍ଟୋନ୍‍ସ; ଯାହା ତାଙ୍କର ୨ୟ ବ୍ୟକ୍ତିଗତ ଗୋଲ୍‍ ଥିଲା। ହ୍ୟାରି କେନ୍‍ଙ୍କ ପାସ୍‍ରୁ ରହିମ୍‍ ଷ୍ଟର୍ଲିଂ ହେଡ୍‍ କରିଥିଲେ ହେଁ ପାନାମା ଗୋଲ୍‍ରକ୍ଷକ ଏହାକୁ ରୋକି ଦେଇଥିଲେ। ତେବେ ରିବାଉଣ୍ଡ୍‍ରୁ ଜନ୍‍ ଷ୍ଟୋନ୍‍ସ ଗୋଲ୍‍ ଦେଇଥିଲେ। ୪୩ ମିନିଟରେ ଇଂଲଣ୍ଡକୁ ମ୍ୟାଚ୍‍ର ୨ୟ ପେନାଲ୍‍ଟି ମିଳିଥିଲା। ପେନାଲ୍‍ଟି ବକ୍ସ ମଧ୍ୟରେ ଜନ୍‍ ଷ୍ଟୋନ୍‍ସ୍‍ଙ୍କୁ ପାନାମା ଡିଫେଣ୍ଡର ଫାଉଲ ମାରିଥିଲେ। ଏହି ପେନାଲ୍‍ଟିରୁ ଅଧିନାୟକ ହ୍ୟାରି କେନ୍‍ ବ୍ୟକ୍ତିଗତ ୨ୟ ତଥା ଦଳ ପାଇଁ ୫ମ ଗୋଲ୍‍ ଦେଇଥିଲେ। ଏହିପରି ମଧ୍ୟାନ୍ତର ସୁଦ୍ଧା ଇଂଲଣ୍ଡ ୫-୦ ଗୋଲ୍‍ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଇଂଲଣ୍ଡ ଆକ୍ରମଣାତ୍ମକ ଫୁଟ୍‍ବଲ ଖେଳିଥିଲା। ୬୨ ମିନିଟରେ ଇଂଲଣ୍ଡ ୬ଷ୍ଠ ଗୋଲ୍‍ ଦେଇଥିଲା। ଲୋଫ୍‍ଟସ୍‍-ଚିକ୍‍ ଦେଇଥିବା ପାସ୍‍ରୁ ହ୍ୟାରି କେନ୍‍ ଏହି ଗୋଲ୍‍ଟି ଦେଇ ହ୍ୟାଟ୍ରିକ୍‍ ପୂରଣ କରିଥିଲେ। ସ୍ପେନ୍‍ ବିପକ୍ଷରେ ପର୍ତ୍ତୁଗାଲ୍‍ର କ୍ରିଷ୍ଟିଆନୋ ରୋନାଲ୍‍ଡୋଙ୍କ ପରେ ଚଳିତ ବିଶ୍ୱକପ୍‍ରେ ଏହା ୨ୟ ହ୍ୟାଟ୍ରିକ୍‍। ପୁଣି ଜିଓଫ୍‍ ହର୍ଷ୍ଟ (୧୯୬୬) ଓ ଗ୍ୟାରୀ ଲିନେକର (୧୯୮୬)ଙ୍କ ପରେ ଇଂଲଣ୍ଡର ୩ୟ ଖେଳାଳି ଭାବେ କେନ୍‍ ହ୍ୟାଟ୍ରିକ୍‍ ଅର୍ଜନ କରିଛନ୍ତି। ପୁଣି ୨ଟି ମ୍ୟାଚ୍‍ରୁ ୫ଟି ଗୋଲ୍‍ଦେଇ କେନ୍‍ ଚଳିତ ବିଶ୍ୱକପ୍‍ରେ ସର୍ବାଧିକ ସ୍କୋରର ହୋଇ ପାରିଛନ୍ତି। ୭୮ ମିନିଟରେ ପାନାମା ଫୁଟ୍‍ବଲ ଇତିହାସରେ ନୂତନ କୀର୍ତ୍ତିମାନ ସୃଷ୍ଟି ହୋଇଥିଲା। ଅଧିନାୟକ ଫିଲିପ୍‍ ବାଲୟ ବିଶ୍ୱକପ୍‍ରେ ପାନାମାର ସର୍ବପ୍ରଥମ ଗୋଲ୍‍ ସ୍କୋରର ହୋଇଥିଲେ।

Leave A Reply