ଫିଫା ବିଶ୍ୱକପ୍‍ -୨୦୧୮

0

ଋଷିଆ : ଚଳିତବର୍ଷର ବିଶ୍ୱକପ୍‍ ଫିଫା ବିଶ୍ୱକପ୍‍ ଇତିହାସରେ ୨୧ତମ ସଂସ୍କରଣ ହେବ। ବିଶ୍ୱର ଦୁଇ କ୍ଷୁଦ୍ର ଦେଶ ପାନାମା ଓ ଆଇସ୍‍ଲାଣ୍ଡ ପ୍ରଥମଥର ପାଇଁ ବିଶ୍ୱକପ୍‍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏକମାତ୍ର ଦେଶ ଭାବେ ବ୍ରାଜିଲ ଅଦ୍ୟାବଧି ସର୍ବାଧିକ ବିଶ୍ୱକପ୍‍ ଖେଳିଛି ଏବଂ ଏହା ସର୍ବାଧିକ ୫ ଥର ବିଶ୍ୱ ଚମ୍ପିଆନ୍‍ ହୋଇଛି। ଅଦ୍ୟାବଧି ମାତ୍ର ଗୋଟିଏ ଦେଶ କ୍ରମାଗତ ୨ ଥର ବିଶ୍ୱକପ୍‍ ଜିତିଛି। ୧୯୫୮ ଓ ୧୯୬୨ରେ ବ୍ରାଜିଲ ଚମ୍ପିଆନ୍‍ ହୋଇଥିବା ବେଳେ ଏହି କୃତିତ୍ୱ ଦୋହରାଇବା ପାଇଁ ଏଥର ଜର୍ମାନୀ ଆଶା ରଖିଛି। ଜର୍ମାନୀ ଦଳର ବିଶେଷତ୍ୱ ଏହା ଯେ କ୍ରମାଗତ ୩ଟି ବିଶ୍ୱକପ୍‍ରେ ଏହା ସର୍ବାଧିକ ଗୋଲ୍‍ ସ୍କୋର୍‍ କରିଛି। ୨୦୦୬ରେ ଏହା ୧୪ଟି, ୨୦୧୦ରେ ୧୬ଟି ଏବଂ ୨୦୧୪ରେ ଜର୍ମାନୀ ୧୮ଟି ଗୋଲ୍‍ଦେବାରେ ସମର୍ଥ ହୋଇଥିଲା। ଚଳିତଥର ଖେଳୁଥିବା ଖେଳାଳିଙ୍କ ମଧ୍ୟରୁ ଜର୍ମାନୀର ଥମାସ୍‍ ମ୍ୟୁଲର ସର୍ବାଧିକ ୧୦ଟି ଗୋଲ୍‍ ଦେଇଥିବା ବେଳେ ଆଉ ୬ଟି ଗୋଲ୍‍ ତାଙ୍କ ପାସ୍‍ରୁ ହୋଇଛି। ଏହି ବିଶ୍ୱକପ୍‍ରେ ଅଷ୍ଟ୍ରେଲିଆର ଟିମ୍‍ କାହିଲ୍‍, ସ୍ପେନ୍‍ର ରାଫେଲ ମାର୍କେଜ୍‍ ଓ ଡେଭିଡ୍‍ ଭିଲ୍ଲା ଏବଂ ପର୍ତ୍ତୁଗାଲ୍‍ର କ୍ରିଷ୍ଟିଆନୋ ରୋନାଲ୍‍ଡୋ ସେମାନଙ୍କର ୪ର୍ଥ ବିଶ୍ୱକପ୍‍ ଖେଳିବାକୁ ଯାଉଛନ୍ତି।
୨୦୦୬ରେ ଜର୍ମାନୀ ବିଶ୍ୱକପ୍‍ ପରେ ୟୁରୋପ୍‍ ମାଟିରେ ଏହା ପ୍ରଥମ ବିଶ୍ୱକପ୍‍ ହେବ। ୩୨ଟି ପ୍ରତିଯୋଗୀ ଦଳଙ୍କ ମଧ୍ୟରୁ ୨୦୧୪ ବିଶ୍ୱକପ୍‍ ଖେଳିଥିବା ୨୦ଟି ଦଳ ଏଥର ରୁଷିଆରେ ବିଶ୍ୱକପ୍‍ ଖେଳିବାକୁ ଯାଉଛନ୍ତି। ରୁଷିଆର ୧୧ଟି ସହରର ୧୨ଟି ଷ୍ଟାଡିୟମ୍‍ରେ ମାସାଧିକ କାଳ ଏହି ବିଶ୍ୱକପ୍‍ରେ ମୋଟ ୬୪ଟି ମ୍ୟାଚ୍‍ ଖେଳାଯିବ। ଏହି ବିଶ୍ୱକପ୍‍ର ବିଜେତା ୨୦୨୧ ଫିଫା କନ୍‍ଫେଡେରେସନ୍‍ କପ୍‍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବ। ଏହି ବିଶ୍ୱକପ୍‍ ଆୟୋଜନ ପାଇଁ ୬ଟି ଦେଶ (ସମସ୍ତେ ୟୁରୋପୀୟ) ଦାବି ଉପସ୍ଥାପନ କରିଥିଲେ। ଇଂଲଣ୍ଡ, ନେଦରଲାଣ୍ଡ୍‍ସ, ବେଲ୍‍ଜିୟମ୍‍, ପର୍ତ୍ତୁଗାଲ ଓ ସ୍ପେନ୍‍କୁ ପଛରେ ପକାଇ ରୁଷିଆ ଏହି ବିଶ୍ୱକପ୍‍ରେ ଆୟୋଜନର ଦାୟିତ୍ୱ ପାଇଛି। ଏହି ବିଶ୍ୱକପ୍‍ର ୩୧ଟି ସ୍ଥାନ ପାଇଁ ଫିଫା ଅନୁବନ୍ଧିତ ୨୦୯ଟି ରାଷ୍ଟ୍ର ଯୋଗ୍ୟତା ପର୍ଯ୍ୟାୟରେ ଭାଗ ନେଇଥିଲେ। ଏହି ବିଶ୍ୱକପ୍‍ର ସୁପରିଚାଳନା ପାଇଁ ମୋଟ ୧୭,୦୪୦ ସ୍ୱେଚ୍ଛାସେବୀ କାମକରିବେ। ଏକମାତ୍ର ପୂର୍ବତନ ଚମ୍ପିଆନ୍‍ ଭାବେ ଇଟାଲୀ ଏହି ବିଶ୍ୱକପ୍‍ ଲାଗି ଯୋଗ୍ୟତା ଅର୍ଜନ କରି ପାରିନାହିଁ। ୧୯୫୮ ପରଠାରୁ ପ୍ରଥମଥର ପାଇଁ ଶକ୍ତିଶାଳୀ ଫୁଟ୍‍ବଲ ଦେଶ ଇଟାଲୀ ବିଶ୍ୱକପ୍‍ ଖେଳିବନାହିଁ। ପୁଣି ୧୯୮୬ ପରଠାରୁ ପ୍ରଥମଥର ଆମେରିକା ଏହି ବିଶ୍ୱକପ୍‍ ଲାଗି ଯୋଗ୍ୟତା ଅର୍ଜନ କରିନାହିଁ। ୨୦୧୮ ବିଶ୍ୱକପ୍‍ ଖେଳିବାରୁ ବଞ୍ଚିତ ହୋଇଥିବା ଅନ୍ୟ ପ୍ରମୁଖ ଫୁଟ୍‍ବଲ ଦେଶ ହେଲେ ଚିଲି, ତୁର୍କୀ, କାମେରୁନ୍‍, ଘାନା, ଆଲ୍‍ଜେରିଆ, ଇକ୍ୱେଡର, ଭେନେଜୁଏଲା ଓ ଆୟରଲାଣ୍ଡ। ଦୀର୍ଘ ୩୬ ବର୍ଷ ପରେ ବିଶ୍ୱକପ୍‍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ପେରୁ। ୨ଟି ବିଶ୍ୱକପ୍‍ ମଧ୍ୟରେ ଏକ ଦେଶର ଏହା ସର୍ବାଧିକ ବ୍ୟବଧାନ। ଉରୁଗୁଏର ପ୍ରଶିକ୍ଷକ ଅସ୍କାର ତାବାରେଜ୍‍ ତାଙ୍କର ୪ର୍ଥ ବିଶ୍ୱକପ୍‍ରେ ଭାଗନେବାକୁ ଯାଉଛନ୍ତି। ଟୁର୍ଣ୍ଣାମେଣ୍ଟର ଅନ୍ୟ ପ୍ରଶିକ୍ଷକମାନଙ୍କ ତୁଳନାରେ ଏହା ସର୍ବାଧିକ। ବର୍ଣ୍ଣବୈଷମ୍ୟ କିମ୍ବା ଅନ୍ୟ କୌଣସି ଅପ୍ରୀତିକର ଘଟଣା ଘଟିଲେ ମ୍ୟାଚ୍‍ ବନ୍ଦ କରିଦେବାର ଅଧିକାର ରେଫେରୀଙ୍କୁ ମିଳିଛି। ଏହି ବିଶ୍ୱକପ୍‍ ପରେ କେବଳ ୨୦୨୨ ବିଶ୍ୱକପ୍‍ରେ ୩୨ଟି ଦଳ ଖେଳିବେ। ୨୦୨୬ ବିଶ୍ୱକପ୍‍ରେ ୪୮ଟି ଦଳ ଖେଳିବେ। ସୋଭିଏତ୍‍ ରୁଷ୍‍ ଯେବେଠାରୁ ରୁଷିଆ ହେଲାଣି; ଏହା ଗ୍ରୁପ୍‍ ପର୍ଯ୍ୟାୟ ଅତିକ୍ରମ କରି ପାରିନାହିଁ। ଏଥର ପ୍ରଥମଥର ପାଇଁ ଅତିରିକ୍ତ ସମୟରେ ଏକ ଦଳ ୪ର୍ଥ ବଦଳ ଖେଳାଳି ଖେଳାଇପାରିବ।

ଫିଫା ବିଶ୍ୱକପ୍‍ର ଖେଳସୂଚୀ

Leave A Reply