ଚାଷୀଙ୍କୁ ମିଳିବ ୪୦କୋଟିର ଇନ୍‌ପୁଟ୍‌ ସବ୍‌ସିଡି

0

ଭୁବନେଶ୍ୱର : ଏପ୍ରିଲ ୨୮ ଏବଂ ୩୦ତାରିଖ ସହିତ ଅନ୍ୟାନ୍ୟ ଦିନରେ ରାଜ୍ୟର ୬ଟି ଜିଲାରେ ହୋଇଥିବା ଅଦିନିଆ ଝଡ଼ବର୍ଷାର କ୍ଷୟକ୍ଷତି ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି। ବରଗଡ଼ ଜିଲାରେ ସର୍ବାଧିକ ୨୬,୮୯୯ହେକ୍ଟର ଚାଷ ଜମି କ୍ଷୟକ୍ଷତି ହୋଇଥିବାବେଳେ ଯାଜପୁର ଜିଲାରେ କେବଳ ଗୋଟିଏ ବାସଗୃହ ଆଂଶିକ ଭାବେ ଭାଙ୍ଗିଥିବା ଜଣାଯାଇଛି। ଏହି କ୍ଷୟକ୍ଷତି ବାବଦକୁ ଚାଷୀଙ୍କୁ ଇନ୍‍ପୁଟ୍‍ ରିଆତି ବାବଦରେ ପ୍ରାୟ ୪୦କୋଟି ଟଙ୍କା ବଣ୍ଟନ କରାଯିବ। ବଜ୍ରପାତ ଓ ଝଡ଼ବର୍ଷାରେ ୫୧ଜଣଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱର, ବରଗଡ଼, ମୟୂରଭଞ୍ଜ ଓ ସୁବର୍ଣ୍ଣପୁରରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜିଲାପାଳମାନଙ୍କ ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି। ସୋମବାର ସଚ୍ଚିବାଳୟରେ ମନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତି ଯେ ବରଗଡ଼ ଜିଲାରେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ୫ଟି ଘର ଭାଙ୍ଗିଥିବାବେଳେ ୨୬୮୯୯ହେକ୍ଟର ଚାଷ ଜମି କ୍ଷୟକ୍ଷତି ବାବଦକୁ ୩୬କୋଟି ଟଙ୍କାର ସହାୟତା ଚାଷୀଙ୍କୁ ପ୍ରଦାନ କରାଯିବ। ସେହିପରି ସୁବର୍ଣ୍ଣପୁରରେ ୯୨୩ହେକ୍ଟର ଚାଷ ଜମି କ୍ଷୟକ୍ଷତି ବାବଦକୁ ୩.୩୫କୋଟି ଟଙ୍କାର ଇନ୍‍ପୁଟ ରିଆତି ଚାଷୀଙ୍କୁ ଦିଆଯିବାକୁ ରହିଥିବାବେଳେ ଭଙ୍ଗା ଓ ଅନ୍ୟାନ୍ୟ ସହାୟତା ପାଇଁ ୧୭.୯୫ଲକ୍ଷ ଟଙ୍କା, ମାଲକାନଗିରିରେ ୩ତାରିଖରେ ଝଡ଼ବର୍ଷାରେ ୨୫ଘର ଭାଙ୍ଗିି ଯାଇଥିବାବେଳେ ୫୭୯ଟି କ୍ଷତିଗ୍ରସ୍ତ ହୋଇଛି। ଏହାସହିତ ୪ଜଣ ଲୋକ ଗୁରୁତର ହୋଇଥିବାବେଳେ ୫ଟି ଗୃହପାଳିତ ପଶୁ ମୃତ୍ୟୁବରଣ କରିଛନ୍ତି। ସେହିପରି ମୟୂରଭଞ୍ଜରେ ବିଭିନ୍ନ ଦିଗରେ ହୋଇଥିବା ଝଡ଼ବର୍ଷାରେ ୧୫ଟି ଘର ଭାଙ୍ଗିରୁଜି ଯାଇଥିବାବେଳେ ଏବାବଦକୁ ୫.୩୧ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଢେଙ୍କାନାଳରେ ୨ଟି ବାସଗୃହ ଭାଙ୍ଗିଥିବା ଜିଲାପାଳଙ୍କ ପକ୍ଷରୁ ଦର୍ଶାଯାଇଛି। ଏନେଇ ଚୂଡାନ୍ତ ରିପୋର୍ଟ ଆସି ନଥିଲେ ହେଁ ବଜ୍ରପାତରେ ଇତିମଧ୍ୟରେ ବିଭିନ୍ନ ଜିଲାରେ ପ୍ରାୟ ୫୧ଜଣଙ୍କ ମୃତ୍ୟୁ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି ଜଣାଇଛନ୍ତି।

Leave A Reply