ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ଚିନ୍ତାଜନକ : ପ୍ରସନ୍ନ

ନୂଆଦିଲ୍ଲୀ : ମହାରାଷ୍ଟ୍ର ଭଳି ପ୍ରଗତିଶୀଳ ରାଜ୍ୟରେ ସର୍ବାଧିକ ଚାଷୀ ଆତ୍ମହତ୍ୟା ଘଟଣା ଚିନ୍ତାଜନକ ବୋଲି ରାଜ୍ୟସଭାରେ ବିଜେଡି ନେତା ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ଶୁକ୍ରବାର ଜାତୀୟ କୃଷକ ଆୟୋଗ ଗଠନ ପାଇଁ ରାଜ୍ୟସଭାରେ ଆଗତ ସଂକଳ୍ପ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସାଂସଦ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ମହାରାଷ୍ଟ୍ର ଭଳି ଅର୍ଥନୈତିକ ଦୃଷ୍ଟିରୁ ଆଗୁଆ ରାଜ୍ୟରେ ସର୍ବାଧିକ ଚାଷୀ ଆତ୍ମହତ୍ୟା ଘଟଣା ଦୁର୍ଭାଗ୍ୟଜନକ। ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ। ଚାଷୀଙ୍କୁ ଆର୍ଥିକ ସହାୟତା ଏବଂ ଋଣ ପ୍ରଦାନ ବ୍ୟବସ୍ଥାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କ୍ଷୁଦ୍ର ଓ ମଧ୍ୟମ ଚାଷୀ ଏବେ ମଧ୍ୟ ଋଣ ପାଇଁ ସାହୁକାରଙ୍କ ପାଖକୁ ଯାଉଛନ୍ତି। ଋଣ ସୁଝି ନପାରି ସମଗ୍ର ଦେଶରେ ବାର୍ଷିକ ପ୍ରାୟ ୧୪ହଜାରରୁ ୧୫ ହଜାର ଚାଷୀ ଆତ୍ମହତ୍ୟା କରୁଛନ୍ତି। କେନ୍ଦ୍ର ସରକାର ଚାଷୀଙ୍କୁ ବାର୍ଷିକ ୧୩ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରୁ ଥିଲେ ମଧ୍ୟ କ୍ଷୁଦ୍ର ଓ ମଧ୍ୟମ ଚାଷୀ ଏଭଳି ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ କହିଥିଲେ ଯେ ନିର୍ବାଚନ ପୂର୍ବରୁ ୨୦୦ଟଙ୍କା ବୃଦ୍ଧି କରାଯାଇଥିଲା। ଚଳିତ ବର୍ଷ ଏତେ କମ୍‍ ମାତ୍ର ୬୫ ଟଙ୍କା କାହିଁକି ବୃଦ୍ଧି କରାଗଲା ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ। କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ସ୍ୱାମୀନାଥନ ରିପୋର୍ଟକୁ ସଠିକ ଭାବେ କାର୍ଯ୍ୟକାରୀ କରାଯିବା ନେଇ କେନ୍ଦ୍ର ସରକାରଙ୍କ ଦାବୀକୁ ସମାଲୋଚନା କରି ସାଂସଦ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ଏପରି କରି ଦେଶବାସୀଙ୍କୁ ବିଭ୍ରାନ୍ତି କରନ୍ତୁନାହିଁ।

Comments are closed.