ପାଣି ଅଭାବରୁ ଫସଲ ମଲା ; ବିଷ ଖାଇଲେ ଚାଷୀ

0

ଧମା : ସମ୍ବଲପୁର ଜିଲା ମାନେଶ୍ୱର ବ୍ଳକ ହୁମା ପଞ୍ଚାୟତରେ ଫସଲ ନଷ୍ଟ ଯୋଗୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଉଛନ୍ତି କରଞ୍ଜୁଲା ଗ୍ରାମ ସହରାପଡ଼ାର ଭାଗ ଚାଷୀ ଦେବାର୍ଚ୍ଚନ ନାଗ(୪୫)। କେନାଲ ପାଣି ନ ପାଇ ଫସଲ ମରିଯିବାରୁ ଦେବାର୍ଚ୍ଚନ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛି ତାଙ୍କ ପରିବାର। ଏହା ହେଉଛି ଏହି ପଞ୍ଚାୟତରେ ଚଳିତ ମାସର ଦ୍ୱିତୀୟ ଚାଷୀ ଆତ୍ମହତ୍ୟା ଘଟଣା। ଗତ ଅକ୍ଟୋବରରେ ଏହି ପଞ୍ଚାୟତ ଅନ୍ତର୍ଗତ ପାଞ୍ଚଫୁଟ ଗ୍ରାମର ଗୌତମ ସେଠ ଆତ୍ମହତ୍ୟା କରିଥିଲେ। ଦେବାର୍ଚ୍ଚନଙ୍କ ଭଳି ସେ ମଧ୍ୟ କୃଷିଜନିତ କାରଣରୁ ଆତ୍ମହତ୍ୟା କରିଥିବା ସେତେବେଳେ ଅଭିଯୋଗ ହୋଇଥିଲା। ପରିବାର ସୂତ୍ର ଅନୁସାରେ ଦେବାର୍ଚ୍ଚନ ନିଜ ପୈତୃକ ୧ ଏକର ୨୫ ଡେସିମିଲ ଜମି ଓ ପ୍ରାୟ ୯ ଏକର ଜମି ଭାଗ ସୂତ୍ରରେ ଆଣି ଚାଷ କରିଥିଲେ। କିନ୍ତୁ କେନାଲ ପାଣି ନ ମାଡ଼ିବାରୁ ପ୍ରାୟ ୧୦ ଏକର ଜମିରେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା। କଷ୍ଟୋପାର୍ଜିତ ଫସଲ ନଷ୍ଟ ହେବାରୁ ଦେବାର୍ଚ୍ଚନ ମାନସିକ ଦୁଃଶ୍ଚିନ୍ତାରେ ଥିଲେ। ସେ ଗତ ସୋମବାର କ୍ଷେତକୁ ଯାଇ ସେଠାରେ ବିଷ ଖାଇ ଦେଇଥିଲେ। କ୍ଷେତରୁ ଘରକୁ ଫେରି ସଂଜ୍ଞାହୀନ ହୋଇ ପଡ଼ିଥିଲେ। ତାଙ୍କୁ ଧମା ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କ ଅବସ୍ଥାରେ ଉନ୍ନତି ନ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଗତ ରାତିରେ ଦେବାର୍ଚ୍ଚନ ଆଖି ବୁଜିଛନ୍ତି। ଦେବାର୍ଚ୍ଚନଙ୍କ ଭାଇ ଚୈତନ୍ୟ, କୀର୍ତ୍ତନ ଓ ମଧୁସୂଦନ ପୈତୃକ ଜମି ସହିତ ଆହୁରି କିଛି ଜମି କର ସୂତ୍ରରେ ନେଇ ମୋଟ୍‍ ୩୦ଏକର ଜମିରେ ଭାଗ ଚାଷ କରୁଥିଲେ। ଏହି ପରିବାର ବ୍ୟାଙ୍କରୁ ଋଣ ନେଇ ନ ଥିଲେ ମଧ୍ୟ ଧାରଉଧାର କରିଥିଲେ। ଶାସନ କେନାଲ ହୁମା ଟେଲରୁ ତଳ ମୁଣ୍ଡକୁ ପାଣି ନ ମାଡ଼ିବାରୁ ଫସଲ ମରି ଯାଉଥିବା ନେଇ ଚାଷୀମାନେ ବହୁ ପୂର୍ବରୁ ଅଭିଯୋଗ କରି ଆସୁଥିଲେ। ଏହାର ପ୍ରତିକାର ବ୍ୟବସ୍ଥା ସ୍ୱରୂପ କୃଷି ବିଭାଗ ପମ୍ପ ଓ ପାଇପ ଲଗାଇ ନଦୀରୁ ପାଣି ଟାଣି କେନାଲରେ ପକାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କୃଷି ବିଭାଗର ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇ ନଥିଲା। ପାଣି ନ ପାଇ ଅଧିକାଂଶ ଫସଲ ମରି ଯାଇଛି।

Leave A Reply