ଦୁଇଟି କାର ଓ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ; ୨ ମୃତ ୫ ଆହତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ଠାରୁ ଅଳ୍ପ ଦୂରରେ ଥିବା ହରିୟାଣାର ଫରୀଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଫରୀଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ସଭିଁଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ଦୁର୍ଘଟଣାଟି ଗୁରୁବାର ସନ୍ଧ୍ୟାରେ ଫରୀଦାବାଦର ସେକ୍ଟର ୬୫ ନିକଟରେ ବାଇପାସ ରାସ୍ତାରେ ହୋଇଛି। ଦୁର୍ଘଟଣା ଘଟାଇଥିବା କାରଟି ଗତକାଲି ସନ୍ଧ୍ୟା ସମୟରେ ଦିଲ୍ଲୀଠାରୁ ପଲବଲ ଆଡ଼କୁ ଯାଉଥିଲା। କାର ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ପ୍ରଥମେ ଡ଼ିଭାଇଡ଼ରରେ ଧକ୍କା ଦେଇଥିଲେ। ଏହା ପଲବଲ ଆଡ଼ୁ ଆସୁଥିବା ଏକ ବାଇକଟିକୁ ଧକ୍କା ଦେଇ ପୁଣି ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଗୋଟିଏ ବାଇକ ଓ ଦୁଇଟି କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୁଲିସ ସେଠାରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଉକ୍ତ ସଡ଼କରେ ଥିବା ଗର୍ତ୍ତ କାରଣରୁ ସେଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି।

Comments are closed.