‘ଫଣି’ କ୍ଷତି ଅନୁଧ୍ୟାନ କଲେ ବିଶ୍ବବ୍ୟାଙ୍କ ପ୍ରତିନିଧି

ପୁରୀ: ‘ଫଣି’ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି ବିଶ୍ବବ୍ୟାଙ୍କ ପ୍ରତିନିଧି। କ୍ଷୟକ୍ଷତି ସମ୍ପର୍କରେ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ସ୍ବତନ୍ତ୍ର ସର୍କିଟ ହାଉସରେ ଆଲୋଚନା କରିଛନ୍ତି। ୧୧ଟି ବିଭାଗ ପକ୍ଷରୁ ସେମାନଙ୍କୁ ଆକଳନ ରିପୋର୍ଟ ପ୍ରଦାନ କରାଯାଇଛି। ଜିଲାପାଳ ବଲୱନ୍ତ ସିଂହ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବିଶ୍ବବ୍ୟାଙ୍କ, ୟୁନେସ୍କୋ, ୟୁଏନଡିପି, ୟୁନିସେଫ୍‌, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୫୦ଜଣ ଅଫିସର ସେଥିରେ ଉପସ୍ଥିତ ଥିଲେ। ଗତ ୩ତାରିଖ ସାମୁଦ୍ରିକ ବାତ୍ୟା ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଜୁଳି, ପାନୀୟଜଳ, ସ୍ବାସ୍ଥ୍ୟ, କୃଷି, ପଶୁସମ୍ପଦ, ପରିବହନ, ପରିମଳ, ଶିକ୍ଷା, ଯୋଗାଯୋଗ କ୍ଷୟକ୍ଷତି ସମ୍ପର୍କରେ କମିଟିକୁ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଚାଲିଥିବା ରିଲିଫ, ଥଇଥାନ ଏବଂ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଜିଲାପାଳ ଶ୍ରୀ ସିଂହ କମିଟିକୁ ଅବଗତ କରାଇଛନ୍ତି। ଅଧିକାଂଶ ଶିକ୍ଷାନୁଷ୍ଠାନ ଭାଙ୍ଗିରୁଜି ଯାଇଥିବାରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନରେ ଯେପରି ବାଧା ସୃଷ୍ଟି ନହୁଏ ସେଥିପ୍ରତି ପଦକ୍ଷେପ ଗ୍ରହଣ ଉପରେ ସେ ଗୁରୁତ୍ବ ଦେଇଛନ୍ତି। ପର୍ଯ୍ୟଟନ ଭିତ୍ତିଭୂମିର ପୁନରୁଦ୍ଧାର, ବିକଳ୍ପ କୃଷି, ଦିନମଜୁରିଆ ଶ୍ରମିକଙ୍କ ସାମାଜିକ ନିରାପତ୍ତା ଏବଂ ବ୍ୟାପକ ବୃକ୍ଷରୋପଣ ବିଷୟରେ ଆଲୋଚନା କରାଯାଇଛି।
ପ୍ରତ୍ୟେକ ବିଭାଗ ଅଧିକାରୀଙ୍କଠାରୁ ବିଶ୍ବବ୍ୟାଙ୍କ ପ୍ରତିନିଧି ତଥ୍ୟ ସଂଗ୍ରହ କରିଛନ୍ତି। ଜିଲାର ପ୍ରାୟ ୧୯ଲକ୍ଷ ୯୮ହଜାର ଲୋକ ‘ଫଣି’ରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ବିଜୁଳି, ଶିକ୍ଷା ଓ ପର୍ଯ୍ୟଟନ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜିଲାପାଳ କହିଛନ୍ତି। ବାତ୍ୟାପୂର୍ବ ସ୍ଥାନାନ୍ତର ଏବଂ ପରବର୍ତ୍ତୀ ରିଲିଫ ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଛି। ଜିଲାର ସବୁ ବାତ୍ୟା ବିପନ୍ନଙ୍କୁ ରିଲିଫ ଦିଆଯିବ ବୋଲି ଶ୍ରୀ ସିଂହ କହିଛନ୍ତି। ଘରଭଙ୍ଗା କ୍ଷୟକ୍ଷତି ଆକଳନ ୭୦% ଶେଷ ହୋଇଥିବା ସେ କହିଛନ୍ତି। ୟୁଏନଡିପି ପକ୍ଷରୁ ପି.ଆର ମିଶ୍ର ଓ ଫିଲିପ ମ୍ୟାଥ୍ୟୁ, ୟୁନିସେଫ୍‌ର ସୌମେନ ରାୟ ଓ ପ୍ରଜ୍ଞା ଚୌଧୁରୀ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଡଃ ଋତୁ ସିଂହ ଚୌହାନ ଏବଂ ଡଃ ଅବନିନ୍ଦ୍ରନାଥ ସାହୁ, ୟୁନେସ୍କୋର ମିର୍ତ୍ତିଲ୍‌ କାଫେ, ଏଡିବି ତରଫରୁ ଆଲୋକ ଭରଦ୍ବାଜ ଓ ଇନ୍ଦ୍ରାଣି ଘୋଷ, ପଶ୍ଚିମବଙ୍ଗର ଅନିନ୍ଦ୍ୟା ସରକାର, ଆଇଏଲଓ ପକ୍ଷରୁ ରୁଚିତ୍ରା ଚନ୍ଦ୍ର ପ୍ରମୁଖ ୫୦ଜଣ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ। ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଜିଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ନୃସିଂହ ଚରଣ ସ୍ବାଇଁ, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ, ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ, ଉପକୃଷି ନିର୍ଦେଶକ ଏସ. ଚନ୍ଦ୍ରଶେଖର ରାଓ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି, ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍‌ଗାତା, ସେସୁ ନିର୍ବାହୀଯନ୍ତ୍ରୀ ଶିବପ୍ରସାଦ ସ୍ବାଇଁ, ଜନସ୍ବାସ୍ଥ୍ୟ ନିର୍ବାହୀଯନ୍ତ୍ରୀ ଶରତ କୁମାର ମିଶ୍ର, ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ମହାନ୍ତି, ପୂର୍ତ୍ତ ନିର୍ବାହୀଯନ୍ତ୍ରୀ ପ୍ରିୟବ୍ରତ ସାମନ୍ତରା, ସ୍ବେରେଜବୋର୍ଡ ପ୍ରକଳ୍ପ ଯନ୍ତ୍ରୀ ପି.କେ ଦେ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢୀ, ଜିଲା କଲ୍ୟାଣ ଅଧିକାରୀ ଚନ୍ଦ୍ରକାନ୍ତ ମାଝି ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ବିଶ୍ବବ୍ୟାଙ୍କ ପ୍ରତିନିଧି ଜିଲାର ବିଭିନ୍ନ ଅଞ୍ଚଳକୁ ଯାଇ କ୍ଷତିଗ୍ରସ୍ତ ଚାଷଜମି, ପରିବା ଫସଲ, ପାନବରଜ, କୁକୁଡାଫାର୍ମ, ମାଛଚାଷ ଏବଂ ବାଲୁଖଣ୍ଡ ଅଭୟାରଣ୍ୟ ପରିଦର୍ଶନ କରିଛନ୍ତି।

Comments are closed.