ବାତ୍ୟାର ୧୩ଦିନ ପରେ ମଧ୍ୟ ଗ୍ରାମକୁ ଆସିଲାନି ବିଦ୍ୟୁତ; ଅନ୍ଧାରରେ ୨ଟି ପଞ୍ଚାୟତର ୭ଗାଁ

ଆରଡି : ସାମୁଦ୍ରିକ ଝଡ ଫନି ପ୍ରଭାବରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବାତ୍ୟାର ୧୩ଦିନ ପରେ ମଧ୍ୟ ଏପର୍ଯ୍ୟନ୍ତ ୨ଟି ପଞ୍ଚାୟତର ୭ଟି ଗ୍ରାମ ଅନ୍ଧାରରେ ରହିଛି। ବିଦ୍ୟୁତ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ତ୍ୱରାନିତ୍ୱ କରାଯାଉନଥିବାରୁ ଏବେବି ନାନ୍ଦପୁର ଓ ମାଧପୁର ୨ଟି ପଞ୍ଚାୟତର ପାଲଟପୁର, ମଧୁପୁର, କଣ୍ଡିଆସାହି, ମାଧପୁର, ଭୂଇଁସାହି, ଠାକୁରସାହି ଆଦି ୭ଟି ଗାଁ ଅନ୍ଧାରରେ ରହିଛି। ଏ ବାବଦରେ ଗାଁ ଲୋକ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରୁଥିଲେ ମଧ୍ୟ ଆଜିକାଲି କହି ବିଭାଗ ଦିନ ଗଡାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗ୍ରୀଷ୍ମ ପ୍ରଭାବରେ ଅସହ୍ୟ ଗରମ ସାଙ୍ଗକୁ ଗୁଳିଗୁଳି ଲାଗି ରହିଥିବାରୁ ଜନଜୀବନ ଅସହ୍ୟ ହୋଇପଡୁଛି। ତାହାଠାରୁ ବଳି ଯାଇଛି ଜଳକଷ୍ଟ। ବିଦ୍ୟୁତ ସରବରାହ ନଥିବାରୁ ମଧୁର ଜଳପ୍ରକଳ୍ପ ଗୁଡିକ ଅକାମୀ ହୋଇ ପଡିଥିବାରୁ ଗାଁରେ ଥିବା ନଳକୂପ ନିକଟରେ ସକାଳୁ ସଞ୍ଜ ଯାଏ ଲୋକଙ୍କ ଭିଡ଼ ଲାଗି ରହୁଛି । ଏପରିକି ବିଜୁଳି ଆଲୁଅ ନଥିବାରୁ ସଞ୍ଜ ନଇଁଲେ ଗାଁରେ ତାଟି କବାଟ ପଡିଯିବା ସହ ଅନ୍ଧାର ରାତିକୁ ନେଇ ଭୟଭିତ ହୋଇ ପଡୁଛନ୍ତି ଗ୍ରାମାବସୀ। ଫଳରେ ଶୂନଶାନ ହୋଇଯାଉଛି ଗାଁ ଦାଣ୍ଡ। ସବୁଠାରୁ ବଡ଼କଥା ହେଲା ଏହି ନଈକୂଳିଆ ଅଞ୍ଚଳରେ ବିଷଧର ସରିସୃପଙ୍କ ସହ ବହୁ ଜୀବଜନ୍ତୁ ବସବାସ କରୁଥିବାରୁ ଅନ୍ଧାର ରାତି ଲୋକମାନଙ୍କ ଭୟକୁ ଦୁଇଗୁଣିତ କରିଦେଇଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ତୁରନ୍ତ ବିଦ୍ୟୁତ ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।

Comments are closed.