ଟଙ୍କା ପାଇଁ ଝିଅ ପରିବାରକୁ ନିପାତ କରିଥିଲା ବାପା

0

କୁଜଙ୍ଗ : ମହାନଦୀରୁ ୪ଜଣଙ୍କ ଶବ ଉଦ୍ଧାର ହେବା ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ଟଙ୍କା ଲୋଭରେ ବାପା ହିଁ ଝିଅ ସମେତ ତିନି ନାତିନାତୁଣୀଙ୍କୁ ହତ୍ୟା କରିଛି। ହତ୍ୟାକାରୀ ବାପା ଏହା ସ୍ୱୀକାର କରିବା ପରେ ତାକୁ ଜେଲ ପଠାଇ ଦିଆଯାଇଛି। ଏଭଳି ଜଣେ ଖଳନାୟକ ବାପାର କାରନାମା କୁଜଙ୍ଗବାସୀଙ୍କୁ ସ୍ତବ୍ଧ କରିଦେଇଛି।
କୁଜଙ୍ଗ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ସ୍ୱର୍ଗତ ବିଶ୍ୱମ୍ବର ସେଠୀ(ଅନନ୍ତ)ଙ୍କ ପତ୍ନୀ ମାନିନୀ ଓ ୩ ସନ୍ତାନଙ୍କ ଶବ ଗତ ୧୦ ତାରିଖରେ ମହାନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ପୁଲିସ ଶବଗୁଡିକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ମାନସିକ ଭାରସାମ୍ୟ ହରାଇ ପରିବାର ଲୋକେ ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରଚାର ହୋଇଥିଲା। ହେଲେ ଏହା ଯେ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ, ସେ କଥା ପୁଲିସ ବେଶ୍‍ ଭଲଭାବେ ବୁଝି ଯାଇଥିଲା। ଟଙ୍କା ପାଇଁ କେହି ନିକଟ ସମ୍ପର୍କୀୟ ଏଭଳି କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରିଥିଲା। ଘଟଣାରେ ମୃତ ମାନିନୀଙ୍କ ବାପା ଅକ୍ଷୟ ସନ୍ଦେହ ଘେରକୁ ଆସିଥିଲା। ତାଙ୍କ ଝିଅ ଓ ନାତି ନାତୁଣୀଙ୍କୁ
ସମ୍ପତ୍ତି ଲୋଭରେ ହତ୍ୟା କରାଯାଇଛି ବୋଲି ଶବ ଜବତ ଦିନ ସେ ଅଭିଯୋଗ କରିଥିଲା। ହେଲେ ବାପାର କଥାବାର୍ତ୍ତାରେ ତାଳମେଳ ରହୁ ନ ଥିଲା। ଏଣୁ ପୁଲିସ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିଥିଲା। ଦୀର୍ଘ ୬ଦିନ ଧରି ଜେରା ପରେ ଆଜି ସତ ସାମ୍ନାକୁ ଆସିଛି।
ଏ ସଂପର୍କରେ ସାମ୍ବାଦିକଙ୍କୁ ସୂଚନା ଦେଇ ପାରାଦ୍ୱୀପର ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ବିଷ୍ଣୁ ନାରାୟଣ ମିଶ୍ର କହିଛନ୍ତି ଯେ,ଘଟଣାର ମୁଖ୍ୟ ଅଭିଯୁକ୍ତ ମୃତ ମାନିନୀର ବାପା ତଥା ପଡୋଶୀ ଗ୍ରାମ କୋଠିଆ ସାହି ନିବାସୀ ଅକ୍ଷୟ ସେଠୀ। ଜ୍ୱାଇଁ ଅନନ୍ତର ମୃତ୍ୟୁ ପୂର୍ବରୁ ବହୁବାର ଝିଅ ଠାରୁ ସେ ଟଙ୍କା ଜୁଲମ କରି ନେଇଛି। ଏପରିକି ଜ୍ୱାଇଁ ମୃତ୍ୟୁ ପରେ ଇଫ୍‍କୋ କାରଖାନା ପକ୍ଷରୁ ମିଳିଥିବା ୩ ଲକ୍ଷ ଟଙ୍କା ଉପରେ ତା’ର ନଜର ଥିଲା। ମାତ୍ର ଏଥିରୁ ଅନନ୍ତର ଶୁଦ୍ଧିକ୍ରିୟା ପାଇଁ ୫୫ ହଜାର ଟଙ୍କା ଉଠିଥିବା ବେଳେ ପିତା ଅକ୍ଷୟ ପ୍ରତିଦିନ ନିଜର ସାନ ଝିଅ ଇତିଶ୍ରୀର ବିବାହ ସହ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଟଙ୍କା ଉଠାଇବାକୁ ଚାପ ପକାଇ ଆସୁଥିଲା। ଏଥିରେ ଝିଅ ରାଜି ନହେବାରୁ ଏଥିପାଇଁ ଦୁଇଜଣଙ୍କର ବହୁବାର ବଚସା ହୋଇଥଲା। ଘଟଣାରେ ଉତ୍‍କ୍ଷିପ୍ତ ହୋଇ ଗତ ୯ ତାରିଖ ସନ୍ଧ୍ୟାରେ ଖାଇବାକୁ ଦେବା ବାହାନାରେ ଦୁଇ ନାତୁଣୀ ବର୍ଷା(୯), ଦିଶା(୭)ଙ୍କୁ ସାଙ୍ଗରେ ମହାନଦୀ କୂଳକୁ ନେଇ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା। ପ୍ରମାଣ ନଷ୍ଟ କରିବାକୁ ଯାଇ ଦୁଇଜଣଙ୍କ ଶବକୁ ସେଠାରେ ମହାନଦୀକୁ ଫିଙ୍ଗିଦେଇଥିଲା। ଦୁହିଁଙ୍କୁ ହତ୍ୟା କରିବାପରେ ବି ତା’ର ରାଗ ଶାନ୍ତ ହୋଇନଥିଲା। ଅଧଘଣ୍ଟା ପରେ ଝିଅ ଘର ଜଗନ୍ନାଥପୁରରେ ପହଞ୍ଚି ଦୁଇ ନାତୁଣୀକୁ କେଉଁଆଡେ ପାଉନାହିଁ କହି ଅଭିନୟ କରିଥିଲା। ଦୁଇଝିଅଙ୍କ ନିଖୋଜ ଖବର ଶୁଣି ମାନିନୀ ନିଜର ଏକମାତ୍ର ପୁଅ ବାବୁନୀ(୪)କୁ ସାଙ୍ଗରେ ଧରି ନିକଟସ୍ଥ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ନଦୀ ଆଡକୁ ଦେଖାଇଦେଇ ଏଇଆଡେ ଦୁହେଁ ଚାଲିଯାଇଛନ୍ତି ବୋଲି ହତ୍ୟାକାରୀ ବାପା କହିଥିଲା। ଝିଅ ବାପା କଥାରେ ନଦୀ ନିକଟକୁ ଖୋଜିବାକୁ ଯିବାବେଳେ ମାନିନୀକୁ ମୁଣ୍ଡରେ ଆଘାତ ଦେଇ ପରେ ସେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା। ଏତିକିରେ ବି ସେ ଶାନ୍ତ ହୋଇ ନଥିଲା। ଏକ ମାତ୍ର ୪ ବର୍ଷର ନାତିକୁ ମଧ୍ୟ ସେ ଶ୍ୱ୍ୱାସରୁଦ୍ଧ କରି ମାରିଥିଲା। ଏହାପରେ ପ୍ରମାଣ ନଷ୍ଟ ପାଇଁ ସେମାନଙ୍କୁ ପାଣିରେ ଫିଙ୍ଗିଥିବା ପୁଲିସ ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି। ତେବେ ପାଣିରେ ବୁଡି ମୃତ୍ୟୁବରଣ କଲେ କ୍ଷତିପୂରଣ ମିଳେ; ଝିଅ ଓ ତା’ର ପରିବାର ନିପାତ ହୋଇଗଲେ ବ୍ୟାଙ୍କ୍‍ରେ ଥିବା ଟଙ୍କା ସେ ପାଇବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ଭାବେ ଅକ୍ଷୟ ଏହିଭଳି ଜଘନ୍ୟ କାମ କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି।
ଅନ୍ୟପକ୍ଷରେ ଘଟଣାସ୍ଥଳରୁ ମଦ ବୋତଲ ସହ ଅନ୍ୟ କିଛି ସାମଗ୍ରୀ ଜବତ ହେବା ଘଟଣାରେ ଅନ୍ୟ କେହି ମାମଲାରେ ସଂପୃକ୍ତ ଥିବା ସୂଚାଉଛି। ତେବେ ଅଭିଯୁକ୍ତ ଅକ୍ଷୟ ସେ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲେ ହେଁ ତାହାର ସହଯୋଗୀଙ୍କ ବିଷୟରେ ଏଯାବତ୍‍ ମୁହଁ ଖୋଲି ନଥିବା ପୁଲିସ ତଦନ୍ତରୁ ଜଣାପଡିଛି। ଏଥିରେ ତା’ର ପରିବାର ସଦସ୍ୟ ଓ ସମ୍ପର୍କୀୟ ତାକୁ ସହଯୋଗ କରିଥିବା ନେଇ ପୁଲିସ ଅଧିକ ତଥ୍ୟ ଯୋଗାଡରେ ଲାଗି ପଡିଛି। ଦରକାର ପଡିଲେ ତାକୁ ରିମାଣ୍ଡରେ ନେବ ବୋଲି ପୁଲିସ କହିଛି। ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ପୂର୍ବରୁ କୈଳାସ ସେଠୀ ନାମକ ଜଣେ ବ୍ୟକ୍ତି ଉପରେ ଏସିଡ ଫିଙ୍ଗିଥିଲା। ଅକ୍ଷୟର ପ୍ରଥମ ପତ୍ନୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ମଧ୍ୟ ପୁଲିସକୁ ବହୁ ସୁରାକ ଯୋଗାଇଥିଲା। ଅକ୍ଷୟ ଯେ ଜଣେ ଅପରାଧୀ ତାହା ପୁଲିସ ବୁଝି ଯାଇଥିଲା।
କୁଜଙ୍ଗ ଥାନାରେ ଅଟକ ଥିବା ଅକ୍ଷୟକୁ ପୁଲିସ ଆଜି ସ୍ଥାନୀୟ ଜେଏମ୍‍ଏଫ୍‍ସିଙ୍କ କୋର୍ଟରେ ହାଜର କରିଥିଲା। ସେଠାରେ ତା’ର ଏହି ଜଘନ୍ୟ କାମ ପାଇଁ କେହି ଜାମିନ ଆବେଦନ କରିନଥିଲେ। ଫଳରେ ତା’କୁ ସମାଗୋଳ ଉପକାରଗାରକୁ ପଠାଇ ଦିଆଯାଇଛି।
ମୃତ୍ୟୁ ପୂର୍ବର ବାର୍ତ୍ତାଳାପ ତଦନ୍ତରେ ସହାୟକ ହେଲା

ଇଫ୍‍କୋରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସ୍ୱାମୀ ଅନନ୍ତଙ୍କ ଅକାଳ ବିୟୋଗ ପରେ ବାପା ମୋତେ ଆଶ୍ୱାସନା ଦେବେ ବୋଲି ଭାବିଥିଲି; ହେଲେ ଟଙ୍କା ପାଇଁ ବାପାଙ୍କ ଚାପ ସ୍ୱାମୀଙ୍କ ମୃତ୍ୟୁ ଠାରୁ ବେଶି ବାଧୁଛି ବୋଲି ମାନିନୀ ଜଣେ ପଡୋଶୀଙ୍କ ନିକଟରେ କହିଥିଲେ। ଏହିକଥା ମାନିନୀଙ୍କ ମୃତ୍ୟୁ ପରେ ପ୍ରଘଟ ହୋଇଥିଲା; ଯାହା ହତ୍ୟାକାରୀ ବାପାର ଅସଲ ଚେହେରାକୁ ସାମ୍ନାକୁ ଆଣିଥିଲା ଓ ପୁଲିସକୁ ତଦନ୍ତରେ ସହାୟକ ହୋଇଥିଲା।

Leave A Reply