କଟକରେ ନକଲି ସିମେଣ୍ଟ ପୁଟି କାରଖାନା

0

କଟକ/ଜଗତପୁର : ଜଗତପୁର ନୂତନ ଶିଳ୍ପାଞ୍ଚଳସ୍ଥିତ ଫେଜ୍‌-୧ରେ ଦୀର୍ଘଦିନ ଧରି ଚାଲିଥିବା ଏକ ନକଲି ହ୍ୱାଇଟ୍‍ ସିମେଣ୍ଟ ଓ ପୁଟି ତିଆରି କାରଖାନା ସହିତ ଗୋଦାମ ଘରକୁ ଗୁରୁବାର ଅପରାହ୍ଣରେ ଜଗତପୁର ପୁଲିସ ଠାବ କରିଛି। ଉକ୍ତ ଘର ଓ ଖାରଖାନାରୁ ବିପୁଳ ପରିମାଣର ବିଭିନ୍ନ ନାମୀଦାମୀ କମ୍ପାନୀର ହ୍ୱାଇଟ୍‍ ସିମେଣ୍ଟ, ପୁଟି ଏବଂ ବିପୁଳ ସାମଗ୍ରୀ ଓ ଯନ୍ତ୍ରପାତିକୁ ପୁଲିସ ଜବତ କରିଛି। ଏହି ଘଟଣାରେ କାରଖାନାର ମାଲିକ ତଥା ସାଲେପୁର ଥାନା ଅନ୍ତର୍ଗତ ରାଘବପୁର ଅଞ୍ଚଳର ସଦାଶିବ ବେହେରାଙ୍କୁ ପୁଲିସ ଗିରଫ କରିଛି। ଅଧିକ ତଥ୍ୟ ହାସଲ କରିବା ପାଇଁ ପୁଲିସ ତାଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି। ମିଳିଥିବା ସୂଚନା ମୁତାବକ ମୁମ୍ବଇସ୍ଥିତ ଆଦିତ୍ୟ ବିର୍ଲା ଗ୍ରୁପ କମ୍ପାନୀର ହ୍ୱାଇଟ ସିମେଣ୍ଟ ଓ ପୁଟିର ବ୍ୟାପକ ନକଲି କାରବାର ଯୋଗୁଁ ବଜାରରେ ଏହାର ପ୍ରଭାବ ପଡୁଛି। ବହୁ ଗ୍ରାହକ ସାମଗ୍ରୀ ଖରାପ ଥିବା ଦର୍ଶାଇ ଫେରାଇବା ସହିତ ଦ୍ୱିଗୁଣ ଅର୍ଥ ଦାବି କରୁଛନ୍ତି। ଏହାଦ୍ୱାରା କମ୍ପାନୀର ନାମ ଦିନକୁ ଦିନ ବଜାରରେ ଖରାପ ହୋଇଚାଲିଥିବା ନେଇ କେତେକ ଡିଲର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। କମ୍ପାନୀ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଗୁରୁତର ଗ୍ରହଣ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। କମ୍ପାନୀର ଅସଲ ହ୍ୱାଇଟ୍‍ ସିମେଣ୍ଟ ଓ ପୁଟି ପରିବର୍ତ୍ତେ ନକଲି ସାମଗ୍ରୀ ଗ୍ରାହକଙ୍କ ନିକଟରେ ପହଞ୍ଚୁଥିବା ଜାଣିବାକୁ ପାଇଥିଲେ। ଏକ ନକଲି କମ୍ପାନୀ ଜଗତପୁର ଶିଳ୍ପାଞ୍ଚଳର ଓଡ଼ିଶା ଶିଳ୍ପ ସଂଘ ନିକଟରେ ଚାଲିଥିବା ଜଣାପଡିଯାଇଥିଲା। ଏହାକୁ ଭିତ୍ତିକରି କମ୍ପାନୀର ଟର୍କ ଡିଟେକ୍ଟିଭ୍‍ ଡାଇରେକ୍ଟର ପ୍ରଭାକର ଭୋସଲେ ପୁଲିସ କମିସନରଙ୍କ ନିକଟରେ ଅଭିଯୋଗ କରିଥିଲେ। ଉକ୍ତ ନକଲି କାରଖାନା ଉପରେ ଚଢ଼ଉ କରିବା ପାଇଁ କଟକ ଡିସିପି ଅଖିଳେଶ୍ୱର ସିଂହକୁ ନିର୍ଦେଶ ଦେଇଥିଲେ। ତଦ୍‍ନୁଯାୟୀ ଜୋନ୍‍ ଏସିପି ତ୍ରିନାଥ ମିଶ୍ର, ଜଗତପୁର ଥାନା ଇନ୍ସପେକ୍ଟର ବିରଞ୍ଚି ପତି ଓ ଅନ୍ୟ ଅଫିସରମାନେ ଆଜି ଅପରାହ୍ଣ ୩ଟାରେ ଜଗତପୁର ନୂତନ ଶିଳ୍ପାଞ୍ଚଳ ଫେଜ୍‍-୧ସ୍ଥିତ କାରଖାନା ଓ ୩ଟି ଗୋଦାମ ଘର ଉପରେ ଚଢଉ କରିଥିଲେ। ଚଢଉ ସମୟରେ ସେଠାରୁ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ଯଥା-ବିର୍ଲା ସିମେଣ୍ଟ, ବିର୍ଲା ୱାଲ କେୟାର, ସାଲିମାର, ସୁପର ସ୍ମାର୍ଟ, ମାରୁତି ଗୋଲ୍ଡ, ସାଲିମାର ଜେନ୍‍, ଜେ.କେ ସିପିଏସ, ସୁପର ଜେନ୍‍, ଟାଟା ସିମେଣ୍ଟ, ଜେ.କେ ତାଜ୍‍ ଏବଂ ଓସିଏଫ ଭଳି ନକଲି ହ୍ୱାଇଟ୍‍ ସିମେଣ୍ଟ ଓ ପୁଟି ଜବତ କରିଥିଲେ। ଏହିସବୁ ସାମଗ୍ରୀ ତିଆରି କରିବାରେ ବ୍ୟବହୃତ ହେଉଥିବା ମିକଶ୍ଚର ମେସିନ, ଓଜନ କଣ୍ଟା ଓ ବିଭିନ୍ନ ନାମୀଦାମୀ କମ୍ପାନୀର ଲୋଗୋ ଥିବା ଜରି ବସ୍ତା ଜବତ କରାଯାଇଥିଲା। ଘଟଣାସ୍ଥଳରୁ ସଦାଶିବ ଧରାପଡିବା ପରେ ଏହି କାରବାର ପଛରେ ରହିଥିବା ଅନେକ ଗୁମର କଥାକୁ ପୁଲିସ ତାଙ୍କଠାରୁ ଓଗାଳିବାରେ ସମର୍ଥ ହୋଇଥିଲା। ମାର୍ବଲ ଓ ଅନ୍ୟ କେତେକ ପଥରର ଗୁଣ୍ଡ ଓ ଖରାପ ସିମେଣ୍ଟକୁ ମିଶ୍ରିତ କରି ନକଲି ପୁଟି ତିଆରି କରାଯିବା ପରେ ମାର୍କେଟକୁ ବିକ୍ରି ପାଇଁ ପଠାଯାଇଥାଏ। ବଜାରରେ ଅସଲି ସିମେଣ୍ଟ ପୁଟି ବସ୍ତା ପ୍ରତି ଦାମ ୮୯୦ଟଙ୍କା ଥିବାବେଳେ ନକଲି ସମେଣ୍ଟ ପୁଟି ପାଇଁ ମାତ୍ର ଦୁଇଶହ ଟଙ୍କା ଖର୍ଚ୍ଚ କରାଯାଇ ଅସଲି ଦାମ୍‍ରେ ତାହାକୁ ବିକ୍ରି କରାଯାଇଥାଏ। ଜଗତପୁର ଅଞ୍ଚଳରେ ଆଉ କେତେକ ସ୍ଥାନରେ ଏଭଳି ନକଲି କାରବାର ଚାଲିଥିବା ଏବଂ ଏହାକୁ ବଜାରରେ ବିକ୍ରି କରିବା ପାଇଁ ସେମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଲୋକ ଓ ଡିଲରଙ୍କ ସମ୍ପର୍କରେ ଅନେକ ତଥ୍ୟ ପଦାକୁ ଆସିଛି। ଏହାକୁ ଭିତ୍ତିକରି ଚଢ଼ଉକୁ ଜୋର୍‍ଦାର କରାଯାଇଛି। ନକଲି କାରବାରରେ ସଂପୃକ୍ତ ବ୍ୟକ୍ତିମାନେ ଧରାପଡିବା ପରେ ବହୁ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ଏସିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଜଗତପୁର ଅଞ୍ଚଳରେ ଏଭଳି ନକଲି କାରଖାନା ବର୍ଷବର୍ଷ ଧରି ଚାଲୁରହିଥିଲେ ମଧ୍ୟ ଏ ନେଇ ସାମାନ୍ୟତମ ସୁରାକ୍‍ ନ ପାଇବା ଘଟଣା ପୁଲିସର ଭାବମୂର୍ତ୍ତିକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply