ଅରୁଣ ଜେଟଲୀଙ୍କ ଶେଷ ତିନି ଦିନ……

ନୂଆଦିଲ୍ଲୀ: ଅଗଷ୍ଟ ମାସ ୯ରେ ସକାଳ ପ୍ରାୟ ୧୦ଟାରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗ୍ରେଟର କୈଳାଶ ସ୍ଥିତ ନିଜ ବାସଭବନରେ ଜଳଖିଆ କରୁଥିଲେ । ସେହି ସମୟରେ ହଠାତ୍ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ । ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ଏମ୍ସ ନିଆଯାଇଥିଲା। ଏମ୍ସର ୧୨ ଜଣିଆ ଡାକ୍ତରୀ ଦଳ ତାଙ୍କ ଚିକିତ୍ସାରେ ଲାଗି ଯାଇଥିଲେ । ଅଗଷ୍ଟ ୨୧ରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅହୁରି ବିଗିଡି ଯାଇଥିଲା।

ତାଙ୍କ ଜୀବନର ଶେଷ ତିନି ଦିନ ବିଷୟରେ ଶନିବାର ଏମ୍ସର ବରିଷ୍ଠ ଡାକ୍ତର ବିସ୍ତୃତ ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ, ପ୍ରଥମରୁ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା । କେତେବେଳେ ତାଙ୍କ ଶରୀରରେ ଔଷଧର ଉତ୍ତମ ପ୍ରଭାବ ଦେଖିବାକୁ ମିଳୁଥିଲା ତ ଆଉ କେତେବେଳେ ଶ୍ବାସକ୍ରିୟାରେ ଅସୁବିଧା ଅନୁଭବ କରୁଥିଲେ । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆଣିବା ପାଇଁ ଆମେ ସମସ୍ତ ଚେଷ୍ଟା କରିଥିଲୁ । ଔଷଧର ମାତ୍ରାକୁ ବଢାଇ ଦିଆଯାଇଥିଲା, ଶ୍ବାସକ୍ରିୟା ପାଇଁ ଭେଣ୍ଟିଲେଟର ଉପଯୋଗ କରାଯାଇଥିଲା ଏବଂ ଫୁସ୍‌ଫୁସ୍‌ ସଂକ୍ରମଣ ମଧ୍ୟ ଦୂର କରାଯାଇଥିଲା। କିନ୍ତୁ ଶୁକ୍ରବାର ସକାଳେ ତାଙ୍କ ପେଟରେ ସଂକ୍ରମଣ ହୋଇଥିବା ଜଣାପଡିଥିଲା।

ଡାକ୍ତରଙ୍କ କହିବା ଅନୁଯାୟୀ, ତାଙ୍କ ଅବସ୍ଥାରେ ଏକ ବଡ ପରିବର୍ତ୍ତନ ହେବା ଜଣାପଡିବା ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲୁ । ପ୍ରାୟ ୮ ଘଣ୍ଟା ପରେ ଶୁକ୍ରବାର ସନ୍ଧ୍ୟାରେ ଜଣାପଡିଥିଲା ଯେ, ଶରୀରର ଅନ୍ୟାନ୍ୟ ଅଙ୍ଗକୁ ସଂକ୍ରମଣ ବ୍ୟାପି ଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ଅଧିକ  ବିଗିଡିବାରେ ଲାଗିଥିଲା। ଆଇସିୟୁରେ ପ୍ରାୟ ୨୫ ଜଣିଆ ଡାକ୍ତରୀ ଦଳ ସାରା ରାତି ଉପସ୍ଥିତ ରହି ତାଙ୍କ ଚିକତ୍ସାରେ ଲାଗିଥିଲେ । ଆମେ ଜାଣି ସାରିଥିଲୁ ଯେ ତାଙ୍କୁ ବଞ୍ଚାଇବା ସମ୍ଭବ ନୁହେଁ, ତଥାପି ଆମେ ପ୍ରଚେଷ୍ଟା ଜାରି ରଖିଥିଲୁ ।

ଶନିବାର ସକାଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଦେଖିବାକୁ ମିଳିଥିଲା, ତାହା ଦେଖି ଆମେମାନେ ବହୁତ ଖୁସୀ ହୋଇଥିଲୁ । କିନ୍ତୁ କିଛି ସମୟ ପରେ ପ୍ରାୟ ୯ଟା ବେଳକୁ ଅକସ୍ମିକ ଭାବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଥିଲା। କୌଣସି ଔଷଧ ତାଙ୍କ ଶରୀରରେ କାମ କରୁନଥିଲା। ତାଙ୍କ ଶରୀର ପ୍ରତିକ୍ରିୟା ଦେବା ମଧ୍ୟ ବନ୍ଦ କରି ଦେଇଥିଲା। ଧୀରେଧୀରେ ଶରୀରର ପ୍ରତିଟି ଅଙ୍ଗ ନୀରବି ଯାଇଥିଲା । ଶେଷରେ ୧୨ଟା ୭ମିନିଟରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

Comments are closed.