ଜାମ୍ମୁ-କାଶ୍ମୀରରେ ପହଞ୍ଚିଲେ ୟୁରୋପୀୟ ସାଂସଦଙ୍କ ପ୍ରତିନିଧିଦଳ, ଗ୍ରାଉଣ୍ଡ ଜିରୋରୁ ଦେଖିବେ ବାସ୍ତବ ସ୍ଥିତି

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଗସ୍ତରେ ଆସିଛନ୍ତି ୟୁରୋପୀୟ ସାଂସଦଙ୍କ ପ୍ରତିନିଧିମଣ୍ଡଳୀ। ପ୍ରତିନିଧିମଣ୍ଡଳୀରେ ୨୮ ସାଂସଦ ଥିବାବେଳେ ସେମାନେ ସମସ୍ତେ ଶ୍ରୀନଗରରେ ପହଞ୍ଚିଛନ୍ତି। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ସ୍ତରରେ ଉଠାଇଥିଲା, ଯାହାକୁ କୌଣସି ରାଷ୍ଟ୍ର ସମର୍ଥନ କରି ନ ଥିଲେ। ଜାମ୍ମୁ-କାଶ୍ମୀର ବାସୀଙ୍କୁ ନେଇ ପାକିସ୍ତାନ ଭାରତ ବିରୋଧୀ ମନ୍ତବ୍ୟ ଦେବା ସହିତ ମିଥ୍ୟା ଅଭିଯୋଗ କରୁଥିବାବେଳେ ଏହି ପ୍ରତିନିଧିମଣ୍ଡଳୀ ଗ୍ରାଉଣ୍ଡ ଜିରୋରୁ ବାସ୍ତବ ସ୍ଥିତି ଆକଳନ କରିବ ବୋଲି ଜଣାପଡ଼ିଛି।

ମଙ୍ଗଳବାର ପ୍ରତିନିଧିମଣ୍ଡଳୀ ଜାମ୍ମୁ-କାଶ୍ମୀର ଗସ୍ତ କରିବା ପୂର୍ବରୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କୁ ନୂଆଦିଲ୍ଲୀରେ ଭେଟିଥିଲେ। ଗସ୍ତ ସମୟରେ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ଏବଂ ସ୍ଥାନୀୟ ପ୍ରତିନିଧିମାନଙ୍କୁ ଭେଟି ଆଲୋଚନା କରିବେ। ପ୍ରତିନିଧିମଣ୍ଡଳୀରେ ଥିବା ୱେଲ୍ସର ୟୁରୋପୀୟ ସାଂସଦ ନାଥାନ ଗିଲ କହିଛନ୍ତି, ବିଦେଶୀ ପ୍ରତିନିଧିମଣ୍ଡଳୀ ଭାବରେ କାଶ୍ମୀର ଗସ୍ତ କରିବା ଆମମାନଙ୍କ ପାଇଁ ଏକ ସୁଯୋଗ। ସେଠାରେ ବାସ୍ତବରେ କ’ଣ ଘଟୁଛି ତାହାକୁ ଦେଖିବାରେ ଆମେ ସମର୍ଥ ହେବୁ।

Comments are closed.