କୃଷକଙ୍କ ଆୟ ବୃଦ୍ଧି ଚିନ୍ତା;ଜୈବ ଇନ୍ଧନ ନୀତିକୁ ସବୁଜ ସଙ୍କେତ

0

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜୈବ ଇନ୍ଧନ ନୀତିକୁ ସବୁଜ ସଙ୍କେତ ଦେଇଛନ୍ତି। ୪ବର୍ଷରେ କୃଷକଙ୍କ ରୋଜଗାରକୁ ଦ୍ୱିଗୁଣ କରିବା ଉଦ୍ଦେଶ୍ୟରେ ମୋଦି ସରକାର ଜୈବ ଇନ୍ଧନ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନୀତି ସଫଳ ହେଲେ କେବଳ କୃଷକଙ୍କ ଆୟ କାହିଁକି ଦେଶର ଅର୍ଥନୀତିରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି ଅର୍ଥନୈତିଜ୍ଞ ମତ ରଖିଛନ୍ତି। ଆମ ଦେଶରେ ଏକାଧିକ ଫସଲ ରେକର୍ଡ଼ ମାତ୍ରାରେ ଉତ୍ପାଦିତ ହେଉଥିଲେ ମଧ୍ୟ ଦୁର୍ବଳ ବଜାର ବ୍ୟବସ୍ଥା ହେତୁ ଚାଷୀଙ୍କୁ ଅହେତୁକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ଦେଶରେ ବଳକା ଫସଲକୁ ଜୈବ ଇନ୍ଧନ ପାଇଁ ବ୍ୟବହାର କରାଯିବ। ବୁଧବାର ଏହାକୁ କେନ୍ଦ୍ର କ୍ୟାବିନେଟ ସବୁଜ ସଙ୍କେତ ଦେଇଛନ୍ତି। ଚଳିତ ବର୍ଷ ଆଖୁ ଚାଷ ରେକର୍ଡ଼ ମାତ୍ରାରେ ହୋଇଛି। ଆଖୁ କେବଳ ଚିନି ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିବାବେଳେ ଏଥିରୁ ଇଥାନଲ୍‌ ନାମକ ଏକ ରସାୟନିକ ପଦାର୍ଥ ମଧ୍ୟ ମିଳିଥାଏ। ଆମ ଦେଶରେ ପେଟ୍ରୋଲରେ ୧୦ପ୍ରତିଶତ ଇଥାନଲ୍‌ ମିଶେଇବାର ଆଇନତଃ ମାନ୍ୟତା ମିଳିଛି। ଏହାକୁ ବୃଦ୍ଧି କରି ୨୦ପ୍ରତିଶତ କରିବାର ଯୋଜନା ରହିଛି। ଅଶୋଧିତ ତୈଳରେ ଭାରତ ପରି ଦେଶ ୫.୬୫ଲକ୍ଷ କୋଟି ଟଙ୍କା ଖର୍ଚ କରୁଥିବାବେଳେ ପ୍ରତି ଦିନ ଦେଶରେ ୨୪୪କୋଟି ଟଙ୍କା ମୂଲ୍ୟର ଫସଲ ନଷ୍ଟ କରାଯାଉଛି। ଏଭଳି ପରିସ୍ଥିତିରେ ନଷ୍ଟ ହେଉଥିବା ଫସଲକୁ ଦେଶର ଇନ୍ଧନ ପ୍ରସ୍ତୁତିରେ ବ୍ୟବହାର ଦିଗରେ ବିନିଯୋଗ କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଆଶା କରାଯାଉଛି।
ସରକାରୀ ରିପୋର୍ଟରେ ଜୈବ ଇନ୍ଧନକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ୧) ସାଧାରଣ ଜୈବ ଇନ୍ଧନ ୨) ଏଡ଼ଭାନ୍ସ ଜୈବ ଇନ୍ଧନ ୩) ଜୈବ ସିଏନଜି ପରି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି।
ନୀତିରେ ଆଖୁ ରସ, ଚିନି କଳରୁ ନିର୍ଗତ ବର୍ଜ୍ୟ ପଦାର୍ଥ, ସଢି ଯାଇଥିବା ଗହମ, ଭାଙ୍ଗି ଯାଇଥିବା ଚାଉଳ, ପଚି ଯାଇଥିବା ଆଳୁ ପ୍ରମୁଖ ଫସଲରୁ ଇଥାନଲ୍‌ ନିର୍ମାଣକୁ ପ୍ରୋତ୍ସାହନ ଦିଆଯିବ। ଏହା ଦ୍ୱାରା ୪୦୦୦କୋଟି ବିଦେଶୀ ମୁଦ୍ରା ସଞ୍ଚିତ ହେବ। କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ୨୦୧୭-୧୮ରେ ଦେଶରେ ୧୫୦କୋଟି ଲିଟର ଇଥାନଲ୍‌ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛନ୍ତି।
ଆକଳନ ଅନୁଯାୟୀ ୧୦୦କେଏଲପିଡି ଜୈବ ଇନ୍ଧନ ବିଶୋଧନାଗାର ନିର୍ମାଣ ନିମନ୍ତେ ୮୦୦କୋଟି ପୁଞ୍ଜିର ଆବଶ୍ୟକତା ପଡ଼ିଥାଏ। ବର୍ତ୍ତମାନର ତେଲ କମ୍ପାନୀଗୁଡ଼ିକ ୧୦୦୦୦କୋଟି ଟଙ୍କା ବିନିମୟରେ ୧୨ ୨ଜି ବିଶୋଧନାଗାର ସ୍ଥାପନ କରୁଛନ୍ତି। ଏହି ସବୁ ବିଶୋଧନାଗାର ଗ୍ରାମାଞ୍ଚଳରେ ନିର୍ମାଣ କରାଯିବ। ଏହା ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ରୋଜଗାର ବୃଦ୍ଧି ହେବ। ୧୦୦କେଏଲପିଡି ବିଶୋଧନାଗାରରେ ୧୨୦୦କର୍ମଚାରୀଙ୍କ ଆବଶ୍ୟକତା ରହିଛି। ଗ୍ରାମାଞ୍ଚଳରେ ଏଭଳି ବିଶୋଧନାଗାର ନିର୍ମାଣ ଦ୍ୱାରା କୃଷକ ସିଧାସଳଖ ପଚା ସଢା ବିହନ ଏହି ବିଶୋଧନାଗାରରେ ବିକ୍ରି କରି ପାରିବ। କୃଷକଙ୍କଠାରୁ ଫସଲ ଶଗମାଛ ମୂଲ୍ୟରେ କିଣୁଥିବା ବେପାରୀ ବାଧ୍ୟ ହୋଇ ଉଚିତ ମୂଲ୍ୟରେ ଫସଲ କିଣିବେ। ନଚେତ କୃଷକ ଉତ୍ପାଦିତ ସାମଗ୍ରୀକୁ ବିଶୋଧନାଗାରରେ ବିକ୍ରି କରିବାର ସୁଯୋଗ ରହିବ। ଇଥାନଲ୍‌କୁ ସେତେବେଳେ ପ୍ରୋତ୍ସାହନ ମିଳିବ ଯେତେବେଳେ ତୈଳ କମ୍ପାନୀଙ୍କୁ ସରକାର ନିୟନ୍ତ୍ରଣ ମଧ୍ୟରେ ରଖିବେ।
ଅପରପକ୍ଷରେ ଏହାର ଭିନ୍ନ ଦିଗ ମଧ୍ୟ ରହିଛି। ସମଗ୍ର ବିଶ୍ୱରେ ଜୈବ ଇନ୍ଧନକୁ ବିରୋଧ କରାଯାଉଛି। ସମଗ୍ର ବିଶ୍ୱର ୩୦କୋଟି ଲୋକ ଆଜି ମଧ୍ୟ ଅନାହାରରେ ଜୀବନ ଅତିବାହିତ କରୁଛନ୍ତି ଏଭଳି କ୍ଷେତ୍ରରେ ଜୈବ ଇନ୍ଧନ ଏକ ଅପରାଧ ବୋଲି ବିଶ୍ୱରେ ଦାବି କରାଯାଉଛି। ଅଥଚ ବିଶ୍ୱରେ ଆଜି ମଧ୍ୟ ଫସଲକୁ ମାଦକ ଦ୍ରବ୍ୟ ନିର୍ମାଣ ନିମନ୍ତେ ବ୍ୟବହାର କରୁଛନ୍ତି ସମଗ୍ର ବିଶ୍ୱ। ଫସଲରୁ ୪୦ଟଙ୍କା ଖର୍ଚ୍ଚ କରି ଉତ୍ପାଦିତ ଆଲକୋହଲ ବଜାରରେ ୪୦୦ଟଙ୍କାରେ ବିକ୍ରି ହେଉଛି। ଏଭଳି କ୍ଷେତ୍ରରେ ସରକାର ଜୈବ ଇନ୍ଧନ ପ୍ରକ୍ରିୟା ଉପରେ ନଜର ରଖିବାର ସମୟ ଆସିଛି। କାରଣ ୨୦୧୯ ନିର୍ବାଚନ ସମୟ ପାଖେଇ ଆସୁଛି। ଚଳିତ ବର୍ଷ ଚାଉଳ, ଡାଲି, ଚଣା, ଆଳୁ ପିଆଜ ଫସଲରେ କୃଷକଙ୍କୁ ବ୍ୟାପକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି। କୃଷକ ଏମଏସପିର ୪୦ପ୍ରତିଶତ କମ ମୂଲ୍ୟରେ ଚଣା ଓ ଡାଲି ବିକ୍ରି କରିଛନ୍ତି। ଆଳୁ ଓ ବିଲାତି ବାଇଗଣ ତ’ ଶେଷରେ ରାସ୍ତାରେ ଫିଙ୍ଗିବା ପରି ପରିସ୍ଥିତି ଦେଖା ଦେଇଥିଲା। ସରକାରୀ ଏମଏସପିରେ ଫସଲ ବିକ୍ରି ହେଲେ ଜଣେ କୃଷକର ଆୟ ମାସକୁ ୬୪୨୬ଟଙ୍କା ହେଉଛି। ଅଥଚ ଫୁଡ୍‌ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ ଅନୁଯାୟୀ ଦେଶରେ ୪୦ ପ୍ରତିଶତ ଫସଲ ନଷ୍ଟ ହେଉଥିବା ରେକର୍ଡ଼ କରାଯାଇଛି।

Leave A Reply