ଇଂଲଣ୍ଡର ୧୫ ଜଣିଆ ପ୍ରାରମ୍ଭିକ ବିଶ୍ବକପ ଦଳ ଘୋଷିତ

ଲଣ୍ଡନ : ଆଗାମୀ ବିଶ୍ବକପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନିମନ୍ତେ ବୁଧବାର ଆୟୋଜକ ଇଂଲଣ୍ଡର ୧୫ ଜଣିଆ ପ୍ରାରମ୍ଭିକ ଦଳ ଘୋଷଣା କରାଯାଇଛି। ଚୂଡାନ୍ତ ବିଶ୍ବକପ ଦଳ ଘୋଷଣା ନିମନ୍ତେ ଆଇସିସି ପକ୍ଷରୁ ଏପ୍ରିଲ ୨୩ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବାବେଳେ ଫାଷ୍ଟ ବୋଲର ଜୋଫ୍ରା ଆର୍ଚରଙ୍କୁ ସାମିଲ କରିବା ନେଇ ଇଂଲଣ୍ଡ ମନୋନୟନ କମିଟି ବର୍ତ୍ତମାନ ଦ୍ବନ୍ଦ୍ବରେ ପଡିଛି। ଜୋଫ୍ରା ୱେଷ୍ଟଇଣ୍ଡିଜର ବାର୍ବାଡସରେ ଜନ୍ମଗ୍ରହଣ କରିଥିବାବେଳେ ସଂପ୍ରତି ବ୍ରିଟିଶ ପାସପୋର୍ଟ ବଳରେ ଇଂଲଣ୍ଡରେ ବସବାସ କରିବା ସହ ଇଂଲଣ୍ଡ ଜାତୀୟ ଦଳକୁ ପ୍ରତିନିଧିତ୍ବ କରୁଛନ୍ତି। ବିଶ୍ବକପ ପୂର୍ବରୁ ଇଂଲଣ୍ଡ ଦଳ ଆୟରଲାଣ୍ଡ ଓ ପାକିସ୍ତାନ ବିପକ୍ଷରେ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଜୋଫ୍ରାଙ୍କୁ ଏହି ଦୁଇଟି ସିରିଜ ପାଇଁ ଇଂଲଣ୍ଡ ଦଳରେ ସାମିଲ କରାଯାଇଛି। ଯଦି ଜୋଫ୍ରାଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହେ, ତେବେ ମେ ୨୩ ସୁଦ୍ଧା ତାଙ୍କୁ ବିଶ୍ବକପ ଦଳରେ ସାମିଲ କରାଯାଇପାରେ ବୋଲି ମନୋନୟନ କମିଟି ସଦସ୍ୟ ଏଡ୍‌ ସ୍ମିଥ୍‌ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ବିଶ୍ବକପରେ ଅଂଶଗ୍ରହଣ କରୁଥିବା ଦଳ ମେ’ ୨୩ ସୁଦ୍ଧା ଖେଳାଳି ତାଲିକାରେ ପରିବର୍ତ୍ତନ କରିପାରିବେ।
ବିଶ୍ବକପ ପାଇଁ ଇଓନ ମୋର୍ଗାନଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ଜନି ବେୟାରଷ୍ଟୋ, ଜାସନ ରୟ, ଆଲେକ୍ସ ହେଲ୍‌ସ, ଜୋ ରୁଟ୍‌, ଇଓନ ମୋର୍ଗାନ, ବେନ୍‌ ଷ୍ଟୋକ୍‌ସ ଓ ଜୋସ୍‌ ବଟ୍‌ଲରଙ୍କୁ ନେଇ ଦଳର ବ୍ୟାଟିଂ ଲାଇନଅପ୍‌ ବେଶ ଶକ୍ତିଶାଳୀ ଅନୁଭୂତ ହେଉଛି। ମୋଇନ ଅଲ୍ଲୀ ଓ ଆଦିଲ ରସିଦ ମୁଖ୍ୟ ସ୍ପିନର ଭୂମିକାରେ ଅବତୀର୍ଣ୍ଣ ହେଉଥିବାବେଳେ ଡେନ୍‌ଲି ଓ ରୁଟ୍‌ଙ୍କୁ କାମଚଳା ସ୍ପିନର ଦାୟିତ୍ବ ଦିଆଯାଇପାରେ। ଦଳରେ ଲିଆମ ପ୍ଲଙ୍କେଟ୍‌, ମାର୍କ ଉଡ୍‌, କ୍ରିସ ୱକ୍‌ସ, ଡେଭିଡ ୱିଲି, ଟମ୍‌ କ୍ୟୁରାନ୍‌ ଓ ବେନ୍‌ ଷ୍ଟୋକ୍‌ସଙ୍କ ଭଳି ପ୍ରତିଭାବାନ ଫାଷ୍ଟ ବୋଲର ରହିଛନ୍ତି। ଜୋଫ୍ରା ଆର୍ଚରଙ୍କୁ ସାମିଲ କରାଗଲେ ଏହି ବିଭାଗ ଆହୁରି ଶକ୍ତିଶାଳୀ ହେବ ବୋଲି ଅନୁମାନ କରାଯାଉଛି।
ଘୋଷିତ ଦଳ: (ବିଶ୍ବକପ)-ଇଓନ ମୋର୍ଗାନ (ଅଧିନାୟକ), ମୋଇନ ଅଲ୍ଲୀ, ଜନି ବେୟାରଷ୍ଟୋ, ଜୋସ୍‌ ବଟ୍‌ଲର, ଟମ୍‌ କ୍ୟୁରାନ, ଜୋ ଡେନ୍‌ଲି, ଆଲେକ୍ସ ହେଲ୍‌ସ, ଲିଆମ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ୍‌, ଜାସନ ରୟ, ବେନ୍‌ ଷ୍ଟୋକ୍‌ସ, ଡେଭିଡ ୱିଲି, କ୍ରିସ ୱକ୍‌ସ ଓ ମାର୍କ ଉଡ୍‌। ପାକିସ୍ତାନ ବିପକ୍ଷ ଦିନିକିଆ ଦଳ: ଇଓନ ମୋର୍ଗାନ (ଅଧିନାୟକ), ମୋଇନ ଅଲ୍ଲୀ, ଜୋଫ୍ରା ଆର୍ଚର, ଜନି ବେୟାରଷ୍ଟୋ, ଜୋସ୍‌ ବଟ୍‌ଲର, ଟମ୍‌ କ୍ୟୁରାନ , ଜୋ ଡେନ୍‌ଲି, କ୍ରିସ ଜୋର୍ଡାନ, ଆଲେକ୍ସ ହେଲ୍‌ସ, ଲିଆମ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ୍‌, ଜାସନ ରୟ, ବେନ୍‌ ଷ୍ଟୋକ୍‌ସ, ଡେଭିଡ ୱିଲି, କ୍ରିସ ୱକ୍‌ସ ଓ ମାର୍କ ଉଡ୍‌। ଆୟରଲାଣ୍ଡ ବିପକ୍ଷ ଦିନିକିଆ/ପାକିସ୍ତାନ ବିପକ୍ଷ ଟ୍ବେଣ୍ଟି୨୦ ଦଳ: ଇଓନ ମୋର୍ଗାନ (ଅଧିନାୟକ), ଜୋଫ୍ରା ଆର୍ଚର, ସାମ ବିଲିଙ୍ଗ୍‌ସ, ଟମ୍‌ କ୍ୟୁରାନ, ଜୋ ଡେନ୍‌ଲି, କ୍ରିସ ଜୋର୍ଡାନ, ଆଲେକ୍ସ ହେଲ୍‌ସ, ଲିଆମ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ୍‌, ଜାସନ ରୟ, ଜେମ୍‌ସ ଭିନ୍‌ସି, ଡେଭିଡ ୱିଲି ଓ ମାର୍କ ଉଡ୍‌।

Comments are closed.