ଶକ୍ତି ସଂରକ୍ଷଣ ସଂକ୍ରାନ୍ତ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା: ଭାଗ ନେଲେ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ

0

ଭୁବନେଶ୍ୱର : ଓଡିଶାରେ ଶକ୍ତି ସଂରକ୍ଷଣକୁ ନେଇ ଆୟୋଜିତ ଏକ ବିଦ୍ୟାଳୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ ରାଜ୍ୟର ୨୨ଟି ଜିଲ୍ଲାରୁ ୬ ଲକ୍ଷରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରୁ ନିର୍ବାଚିତ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱରରେ ଆୟୋଜିତ ଏକ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ ‘କ’ ଏବଂ ‘ଖ’ ବର୍ଗରେ (ଚତୁର୍ଥ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ, ଅଷ୍ଟମ, ନବମ ଶ୍ରେଣୀର) ଭାଗ ନେଇଥିଲେ। ୩ ଜଣ ଛାତ୍ରଙ୍କୁ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଘୋଷଣା କରାଯାଇଥିଲା ଏବଂ ଉଭୟ ବର୍ଗରେ ୧୦ଟି ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ରାଜ୍ୟରେ ଏହି ଅଭିଯାନର ଆୟୋଜନ କରିବାରେ ମୂଳ ସଙ୍ଗଠନ ହେଉଛି ଜାତୀୟ ତାପଜ ବିଦ୍ୟୁତ ନିଗମ – ଏନଟିପିସି।


ରାଜ୍ୟ ଚିତ୍ରକଳା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ ଓଡିଶା ଓପିଇପିଏର ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆ ଓ ଏନଟିପିସି (ପୂର୍ବାଂଚଳ-୨)ର ଆଂଚଳିକ ପରିଚାଳନା ନିର୍ଦ୍ଦେଶକ ଏମ.ପି ସିଂ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏନଟିପିସିର ଜିଏମ (ଓଏସ) ବିବି ତ୍ରିପାଠୀ, ଏନଟିପିସିର ଜିଏମ (ଏଚଆର) ସେବାଷ୍ଟିଆନ ଯୋଶେଫ, ଓପିଇପିଏର ଉପ ନିର୍ଦ୍ଦେଶକ ମାନସ ରଂଜନ ସାମଲ ଏବଂ ଓଡିଶା ଶକ୍ତି ସଂରକ୍ଷଣ ମୁଖ୍ୟ ଯନ୍ତ୍ରୀ ସନ୍ତୋଷ ଦାସ ସାମିଲ ଥିଲେ।
ଜାତୀୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ନୂଆଦିଲ୍ଲୀଠାରେ ୨୦୧୮ ଡିସେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବ ଏବଂ ଏହାର ପୁରସ୍କାର ବିତରଣୀ ଉତ୍ସବ ଡିସେମ୍ବର ୧୪ ତାରିଖରେ ଅନୁଷ୍ଠିତ ହେବ। ଏହି ଦିନକୁ ମଧ୍ୟ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଭାବେ ପାଳନ କରାଯାଇଥାଏ।


ଚତୁର୍ଥରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପୁରସ୍କାର ବିଜୟୀ ଛାତ୍ର
‘କ’ ଶ୍ରେଣୀରେ ପ୍ରଥମ ପୁରସ୍କାର ବିଜୟୀ ହୋଇଥିଲେ କଳିଙ୍ଗନଗର ଡିଏଭି ପବ୍ଲିକ ସ୍କୁଲ, ଭୁବନେଶ୍ୱରର ପାୟୋସିନି ମିଶ୍ର। ତାଙ୍କୁ ପୁରସ୍କାର ସ୍ୱରୂପ ୨୦,୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ପୁରସ୍କାର ପାଇଥିଲେ ଡିପିଏସ କଳିଙ୍ଗ, କଟକର ସୋମେଶ କୁମାର ଶତପଥି। ତାଙ୍କୁ ୧୫,୦୦୦ ଟଙ୍କାର ପୁରସ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ତୃତୀୟ ସ୍ଥାନରେ ରହି ୧୦,୦୦୦ ଟଙ୍କାର ଅର୍ଥରାଶି ପୁରସ୍କାର ପାଇଥିଲେ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ ସ୍କୁଲର ବିଦିଶା ଲେଙ୍କା।
ସପ୍ତମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ କୃତି ପ୍ରତିଯୋଗୀ
‘ଖ’ ଶ୍ରେଣୀରେ ପ୍ରଥମ ସ୍ଥାନରେ ରହି ମଦର୍ସ ପବ୍ଲିକ ସ୍କୁଲ, ଭୁବନେଶ୍ୱରର ଶୈଲିଜା ମିଶ୍ର ୨୦,୦୦୦ ଟଙ୍କାର ଅର୍ଥରାଶି ପୁରସ୍କାର ବିଜୟୀ ହୋଇଥିଲେ। କେମ୍ବ୍ରିଜ ସ୍କୁଲ, କଟକର ଗୌରବ ମହାନ୍ତି ଜିତିଥିଲେ ଦ୍ୱିତୀୟ ପୁରସ୍କାର ଏବଂ ତାଙ୍କୁ ମିଳିଥିଲା ୧୫,୦୦୦ ଟଙ୍କା। ଅରବିନ୍ଦ ସେଂଟର ଅଫ ଇଂଟିଗ୍ରାଲ ଏଜୁକେସନ, ବାଲେଶ୍ୱରର ଶୁଭଶ୍ରୀ ଦାସ ତୃତୀୟ ପୁରସ୍କାର ଜିତି ୧୦,୦୦୦ ଟଙ୍କାର ଅର୍ଥରାଶି ପୁରସ୍କାର ପାଇଥିଲେ। ସମସ୍ତ ପୁରସ୍କାର ବିଜୟୀ ଛାତ୍ରଛାତ୍ରୀ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।
ଉଭୟ ବର୍ଗରେ ୧୦ ଜଣ ଲେଖାଁଏ ଛାତ୍ରଙ୍କୁ ୫,୦୦୦ ଟଙ୍କାର ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା।

Leave A Reply