ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟକୁ ନେଇ ଭାବପ୍ରବଣ ହେଲେ ପତ୍ନୀ ସାଏରା ବାନୁ

0

ଗତ କିଛିବର୍ଷ ହେବ ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଛି। ଏ ନେଇ ବହୁବାର ତାଙ୍କୁ ଡ଼ାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଇବାକୁ ପଡ଼ିଛି। ମିଳିଥିବା ଖବର ଅନୁସାରେ ବର୍ତ୍ତମାନ ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ବହୁତ ଉନ୍ନତି ଆସିଥିବା ଜଣାପଡ଼ିଛି।
ପତ୍ନୀ ସାଏରାଙ୍କ ପାଇଁ କିଛିଦିନ ହେବ ଦିଲୀପ ସାହାବ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଗୁରୁବାର ରାତିରେ ସାଏରା ବାନୁ ସ୍ୱାମୀ ଦିଲୀପଙ୍କ ପାଇଁ ଗୋଟିଏ ପରେ ଗୋଟିଏ ୪ ଟି ଭାବଭରା ଟ୍ୱିଟ୍‍ କରିଛନ୍ତି। ସାଏରା ତାଙ୍କ ପ୍ରଥମ ଟ୍ୱିଟ୍‍ରେ ଲେଖିଛନ୍ତି, “ସାହେବ ବର୍ତ୍ତମାନ ଠିକ୍‍ ଅଛନ୍ତି ଓ ସେ ଘରେ ଆରାମ କରୁଛନ୍ତି। ସେ ତାଙ୍କ ପ୍ରଶଂସକମାନଙ୍କ ଠାରୁ ମିଳୁଥିବା ବାର୍ତ୍ତା ଓ ଭଲପାଇବା ପାଇଁ କୃତଜ୍ଞ।”
ସାଏରାଙ୍କ ଦ୍ୱିତିୟ ଟ୍ୱିଟ୍‍, “ଯେମିତିକି ଆପଣ ସମସ୍ତେ ଜାଣିଛନ୍ତି, ମୁଁ ଓ ସାହେବ ଗତ ୫୨ ବର୍ଷ ହେବ ନିଜ ଲକ୍ଷାଧିକ ପ୍ରଶଂସକ ଓ ଶୁଭଚିନ୍ତକମାନଙ୍କୁ ଭେଟି ଆସିଛୁ।” ସାଏରା ତୃତୀୟ ଟ୍ୱିଟ୍‍ରେ ସ୍ୱାମୀଙ୍କୁ ହୀରା ସହ ତୁଳନା କରି ଲେଖିଛନ୍ତି, “୨୮ ଜୁନ୍‍ ଏପରି ଏକ ଦିନ ଥିଲା ଯେଉଁଦିନ ମୁଁ ମୋ କୋହିନୂରଙ୍କ ବିନା ଆସିଫ ଫାରୁକୀଙ୍କ ଝିଅ ନିଦାଙ୍କ ବାହାଘରକୁ ଯାଇଥିଲି। ସେଠାରେ ସାହେବଙ୍କ ବିନା ମୁଁ ଏକୁଟିଆ ଅନୁଭବ କରୁଥିଲି। ହେଲେ ବର-କନ୍ୟା ଓ ଆପଣଙ୍କ ଭଳି ପ୍ରଶଂସକମାନଙ୍କୁ ଭେଟି ବହୁତ ଭଲ ଲାଗିଲା।” ଚତୁର୍ଥ ଟ୍ୱିଟ୍‍, “ଭଗବାନ ଆପଣ ସମସ୍ତଙ୍କ ଉପରେ ତାଙ୍କ କୃପା ବଜାୟ ରଖନ୍ତୁ। ଆପଣ ସମସ୍ତେ ମୋ କୋହିନୂରଙ୍କ ସ୍ୱାସ୍ଥ୍ୟ ଓ ଖୁସି ପାଇଁ ପ୍ରାର୍ଥନା କରିବେ।”
ମିଳିଥିବା ତଥ୍ୟ ଅନୁସାରେ ସାଏରା ଦିଲୀପଙ୍କ ଠାରୁ ୨୨ ବର୍ଷ ସାନ ଓ ସେ ସବୁବେଳେ ଛାଇ ଭଳି ତାଙ୍କ ସାଥିରେ ରହିଥା’ନ୍ତି। ସାଏରା ପିଲାଦିନରୁ ଦିଲୀପ କୁମାରଙ୍କୁ ବିବାହ କରିବାକୁ ଚାହୁଁଥିଲେ। ବଲିଉଡ଼ରେ ପାଦ ଦେବା ପରେ ଦିଲୀପ କୁମାର ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ।

Leave A Reply