ଗମ୍ଭୀର ରାଜନୈତିକ ପରିସ୍ଥିତିରେ ହୋଇଥିଲା ୧୯୬୭ ଲୋକସଭା ନିର୍ବାଚନ

0

ସମାଜ ପୋର୍ଟାଲ ଡେସ୍କ: ୧୯୬୭ ଲୋକସଭା ନିର୍ବାଚନ ସମୟରେ ଦେଶର ରାଜନୈତିକ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିଲା ଯେତେବେଳେ ଭାରତ ପାକିସ୍ତାନ ଓ ଚୀନ ସହ ଯୁଦ୍ଧ ପରିସ୍ଥିତିର ସାମ୍ନା କରୁଥିଲା ଓ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସ୍ଥାନ ଦଖଲ କରିବାକୁ ଥିବା ଲାଲ ବହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା କିନ୍ତୁ ରାଜନୀତିରେ ସେତେବେଳର ନୂଆ ମୁହଁ ଇନ୍ଦିରା ଗାନ୍ଧୀଙ୍କ ଆବିର୍ଭାବ ଲୋକମାନଙ୍କ ମଧ୍ୟରେ ନୂଆ ସମ୍ଭାବନା ସୃଷ୍ଟି କରିଥିଲା। ଏସବୁ ଘଟଣା ଭିତରେ ୫୨୦ଟି ଲୋକସଭା ଆସନରୁ କଂଗ୍ରେସ ୨୮୩ଟି ଆସନ ଦଖଲ କରି ସର୍ବବୃହତ ପାର୍ଟିର ମାନ୍ୟତା ହାସଲ କରିଥିଲା ଯଦିଓ କଂଗ୍ରେସ ଅଧିକ ସିଟ ହାସଲ କରିବା ଆଶା କରାଯାଉଥଲା। ୧୯୬୭ ନିର୍ବାଚନରେ ଅଟଳ ବିହାରୀ ବାଜପାୟୀ, ରାମ ମନୋହର ଲୋହିଆ, ଜଗଜୀବନ ରାମ, ଜର୍ଜ ଫର୍ଣ୍ଣ।ଡ଼ିସ ଓ ଶ୍ରୀପଦ ଅମୃତ ଡ଼ାଙ୍ଗେଙ୍କ ଭଳି ନେତା ବିଜୟ ଲାଭ କରିଥିଲେ।

ଯଦି ସିଟ ସଂଖ୍ୟ ହିସାବକୁ ନିଆଯାଏ, ୫୨୦ଟି ଲୋକସଭା ଆସନ ମଧ୍ୟରୁ ୪୦୬ଟି ସାଧାରଣ ବର୍ଗଙ୍କ ପାଇଁ ଥିବା ବେଳେ ୭୭ଟି ଅନୁସୂଚିତ ଜାତି ଓ ୩୭ଟି ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିଲା। ପାଖାପାଖି ୨୫ କୋଟି ୨ ଲକ୍ଷ ଭୋଟରଙ୍କ ମଧ୍ୟରୁ ୬୧.୦୪ ପ୍ରତିଶତ ଭୋଟର ମତଦାନ ପ୍ରକ୍ରିୟାରେ ଭାଗ ନେଇଥିଲେ ଏବଂ ସେମାନେ ୨୩୬୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଥିଲେ। ପ୍ରତି ସିଟରେ ୪ରୁ୫ ଜଣ ପ୍ରତିଦ୍ବନ୍ଦୀ ଥିବା ବେଳେ ଉତ୍ତରପ୍ରଦେଶର ଗୋଟିଏ ସିଟରେ ସର୍ବାଧିକ ୧୪ ଜଣ ପ୍ରତିଦ୍ବନ୍ଦୀ ଥିଲେ।

ସେତେବେଳେ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, ଜନସଂଘ, ପ୍ରଜା ସୋସାଲିଷ୍ଟ ପାର୍ଟି, ସଂଯୁକ୍ତ ସୋସାଲିଷ୍ଟ ପାର୍ଟି ଓ ସ୍ୱତନ୍ତ୍ର ପାର୍ଟିକୁ ଜାତୀୟ ସ୍ତରର ମାନ୍ୟତା ମିଳିଥିବା ବେଳେ ଅକାଳୀ ଦଳ (ମାଷ୍ଟର ତାରା ସିଂହ, ଅକାଳୀ ଦଳ (ସନ୍ତ ଫତେହ ସିଂହ), ଅଲ ପାର୍ଟି ହିଲ ଲିଡ଼ର୍ସ କନଫରେନ୍ସ, ବଙ୍ଗଳା କଂଗ୍ରେସ, ଡେମୋକ୍ରାଟିକ ନେସନାଲ କନଫରେନ୍ସ, ଫରୱାର୍ଡ ବ୍ଲକ, କେରଳ କଂଗ୍ରେସ, ମୁସଲିମ ଲିଗ, ନାଗାଲାଣ୍ଡ ନେସନାଲିଷ୍ଟ ଅର୍ଗାନାଇଜେସନ, ପିଜାଣ୍ଟ ଆଣ୍ଡ ୱାର୍କର ପାର୍ଟି ଓ ୟୁନାଇଟେଡ଼ ଗୋନସ ପାର୍ଟିକୁ ରାଜ୍ୟ ସ୍ତରୀୟ ଦଳ ମାନ୍ୟତା ମିଳିଥିଲା। ଜନ କଂଗ୍ରେସ, ଜନ କ୍ରାନ୍ତି ଦଳ, ଜାମ୍ମୁ କାଶ୍ମୀର ନେସନାଲ କନଫରେନ୍ସ ଓ ପିଉପୁଲସ ଫ୍ରଣ୍ଟ ଏଥିରେ ସାମିଲ ଥିଲେ।

୧୯୬୭ ଲୋକସଭା ନିର୍ବାଚନରେ ସେତେବେଳେ କଂଗ୍ରେସ ୫୧୬ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୧୦୯ଟି, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ୬୯ଟି, ଜନସଂଘ ୨୪୯ଟି, ପ୍ରଜା ସୋସାଲିଷ୍ଟ ପାର୍ଟି ୧୦୯ଟି, ସଂଯୁକ୍ତ ସୋସାଲିଷ୍ଟ ପାର୍ଟି ୧୨୨ଟି ଓ ସ୍ୱତନ୍ତ୍ର ପାର୍ଟି ୧୭୮ଟି ଆସନରେ ପ୍ରାର୍ଥୀ ଦେଇଥିଲେ ଏବଂ ମୋଟ ୧୩୪୨ଜନ ପ୍ରାର୍ଥୀଙ୍କ ମଧ୍ୟରୁ ୪୪୦ଜଣ ନିର୍ବାଚନ ଜିତିଥିଲେ। ରାଜ୍ୟ ସ୍ତରୀୟ ଦଳଗୁଡିକ ୧୪୮, ପଞ୍ଜିକୃତ ଦଳଗୁଡିକ ପକ୍ଷରୁ ୧୩ ଏବଂ ୮୬୬ଜଣ ନିର୍ଦଳୀୟ ପ୍ରାର୍ଥୀ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ।

କେଉଁ ପାର୍ଟିରୁ କେତେ ଜଣ ଜିତିଥିଲେ?
କଂଗ୍ରେସ – ୨୮୩
ସ୍ୱତନ୍ତ୍ର ପାର୍ଟି – ୪୪
ଜନସଂଘ – ୩୫
ଭାରତୀୟ କମ୍ୟୁନିଷ୍ଟ ପାର୍ଟି – ୨୩
ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି – ୧୯
ସଂଯୁକ୍ତ ସୋସାଲିଷ୍ଟ ପାର୍ଟି – ୨୩
ପ୍ରଜା ସୋସାଲିଷ୍ଟ ପାର୍ଟି – ୧୩
ନିର୍ଦଳୀୟ – ୩୫

କେଉଁ ରାଜ୍ୟରେ କେଉଁ ଦଳ ପାଇଥିଲା ସର୍ବାଧିକ ସିଟ ଓ ଓଡ଼ିଶାରେ କେତେ?
କଂଗ୍ରେସ – ୪୭ (ଉତ୍ତରପ୍ରଦେଶ) – (ଓଡିଶା ୦୬)
ସ୍ୱତନ୍ତ୍ର ପାର୍ଟି – ୧୨ (ଗୁଜୁରାଟ) – (ଓଡିଶା ୦୮)
ଭାରତୀୟ କମ୍ୟୁନିଷ୍ଟ ପାର୍ଟି – ୦୫ (ବିହାର ଓ ଉତ୍ତରପ୍ରଦେଶ)
ଅକାଳୀ ଦଳ (ସନ୍ତ ଫତେହ ସିଂହ) – ୦୩ (ପଞ୍ଜାବ)
ଜନସଂଘ – ୧୨ (ଉତ୍ତରପ୍ରଦେଶ)
ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି – ୦୯ (କେରଳ)
ଦ୍ରାବିଡ଼ ମୁନେତ୍ର କଡ଼ଗମ – ୨୫ (ମାଡ୍ରାସ – ଏବେ ଚେନ୍ନାଇ)
ସଂଯୁକ୍ତ ସୋସାଲିଷ୍ଟ ପାର୍ଟି – ୦୮ (ଉତ୍ତରପ୍ରଦେଶ) – (ଓଡିଶା ୦୧)
ପ୍ରଜା ସୋସାଲିଷ୍ଟ ପାର୍ଟି – ୦୪ (ଓଡିଶା)
ନିର୍ଦଳୀୟ – ୦୮ (ଉତ୍ତରପ୍ରଦେଶ)

୧୯୬୭ ଲୋକସଭା ନିର୍ବାଚନରେ କଂଗ୍ରେସ ପାର୍ଟିର ଇନ୍ଦିରା ଗାନ୍ଧୀ ଉତ୍ତରପ୍ରଦେଶର ରାଏବରେଲୀ ଆସନରୁ ପ୍ରଥମଥର ନିର୍ବାଚନ ଜିତିଥିଲେ। ସେ ନିର୍ଦଳୀୟ ପ୍ରାର୍ଥୀ ବି. ସି. ସେଠଙ୍କୁ ୯୧୭୦୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।

କିଏ ପାଇଥିଲେ କେତେ ଭୋଟ?
ଇନ୍ଦିରା ଗାନ୍ଧୀ – ୧୪୩୬୦୨
ଅଟଳ ବିହାରୀ ବାଜପାୟୀ – ୧୪୨୪୪୬
ଜଗଜୀବନ ରାମ – ୧୪୯୩୫୫
ଜର୍ଜ ଫର୍ଣ୍ଣ।ଡ଼ିସ – ୧୪୭୮୪୧

କିଛିଦିନ ପୂର୍ବରୁ ପୁଣି ସୃଷ୍ଟି ହୋଇଥିଲା ଯୁଦ୍ଧ ପରିସ୍ଥିତି, ମୁହାଁମୁହିଁ ହୋଇଥିଲେ ଭାରତ – ପାକିସ୍ତାନ କିନ୍ତୁ ଏବେ ପରିସ୍ଥିତି ଭିନ୍ନ। ଯଦିଓ ଏବେ ୧୯୬୭ ଭଳି ପରିସ୍ଥିତି ନାହିଁ କିନ୍ତୁ ୨୦୧୯ ଲୋକସଭା ନିର୍ବାଚନ ପୂର୍ବର ପରିସ୍ଥିତି ଭୋଟରମାନଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ଯାହାର ଉତ୍ତର ହୁଏତ ନୂଆ ସରକାରଙ୍କ ଠାରୁ ଦେଶ ନିଶ୍ଚୟ ଆଶା କରିବ।

Leave A Reply