୧୮ ନୁହେଁ; ୧୯ରେ ସାଧାରଣ ନିର୍ବାଚନ

0

ଭୁବନେଶ୍ବର : ଆଗୁଆ ନିର୍ବାଚନକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସାଧାରଣ ନିର୍ବାଚନ ୨୦୧୯ ଏପ୍ରିଲ କିମ୍ବା ମେ ମାସ ବେଳକୁ ଅର୍ଥାତ ଧାର୍ଯ୍ୟ ସମୟରେ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଦେଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି। ଆଗୁଆ ନିର୍ବାଚନ ସମ୍ପର୍କରେ ସେ ସିଧାସଳଖ କୌଣସି ସୂଚନା ଦେଇନଥିଲେ ମଧ୍ୟ ଭାରତର ନିର୍ବାଚନ କମିଶନଙ୍କ ନିର୍ଦେଶ ଆଧାରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିବା ସେ କହିଛନ୍ତି। ଆସନ୍ତା ଜାନୁଆରୀ ୪ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ନିର୍ବାଚନ ହେବ ବୋଲି ସୂଚନା ମିଳିଛି। ଫଳରେ ଆଗୁଆ ନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚା ଫିକା ପଡ଼ିଛି।
ଆସନ୍ତା ସାଧାରଣ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନାଦେଇ ସେ କହିଛନ୍ତି, ୨୦୧୮ ଫେବୃଆରୀରେ ଭୋଟର ତାଲିକା ଚୂଡ଼ାନ୍ତ ହୋଇଥିଲା। ଏହି ତାଲିକା ଅନୁଯାୟୀ ରାଜ୍ୟରେ ୩,୧୨,୫୭, ୮୦୩ ଜଣ ଭୋଟର ଥିଲେ। ସେମାନଙ୍କ ମଧ୍ୟରେ ୧,୬୧,୧୬, ୭୫୪ ଜଣ ପୁରୁଷ, ୧,୫୧,୩୮,୮୯୮ଜଣ ମହିଳା ଓ ୨୧୫୧ ଜଣ ତୃତୀୟ ଲିଙ୍ଗର ଭୋଟର ରହିଛନ୍ତି। ଭୋଟର ତାଲିକାର ସଘନ ସଂଶୋଧନ ନିମନ୍ତେ ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ମତଦାତା, ଭିନ୍ନକ୍ଷମ ତଥା ବାଦ ପଡ଼ିଥିବା ଓ ଯୋଗ୍ୟ ବ୍ୟକ୍ତିମାନଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ପଦକ୍ଷେପ ନିଆଯାଉଛି। ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ଚିଠା ତାଲିକା ପ୍ରକାଶିତ ହେବ। ସେପ୍ଟମ୍ବର ୧ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଉପରେ ଆବେଦନ ପାଇଁ ସମୟ ରଖାଯାଇଛି। ନଭେମ୍ବର ୩୦ ପୂର୍ବରୁ ଏଗୁଡ଼ିକର ଫଇସଲା ହେବ। ୨୦୧୯ ଜାନୁଆରୀ ୧ ତାରିଖରେ ଚୂଡ଼ାନ୍ତ ଭୋଟର ତାଲକା ପ୍ରକାଶ ପାଇବ।
ମତଦାନ କେନ୍ଦ୍ର ସଂଖ୍ୟା ୩୫,୮୯୬ ଥିବା ବେଳେ ମତଦାନ କେନ୍ଦ୍ର ସମୀକରଣ ମାଧ୍ୟମରେ ଆଉ ଅଧିକ ୨୦୦୦ ନୂଆ ମତଦାନ କେନ୍ଦ୍ର କରାଯିବା ଯୋଜନା ଥିବା ସେ କହିଛନ୍ତି। ଗ୍ରାମାଞ୍ଚଳରେ ଗୋଟିଏ ବୁଥରେ ୧୨୦୦ ଏବଂ ସହରାଞ୍ଚଳରେ ୧୪୦୦ ଭୋଟର ଭୋଟ ଦେବା ବ୍ୟବସ୍ଥା ରହିବ। ଏହି ସମୟ ମଧ୍ୟରେ ଶତପ୍ରତିଶତ ବୁଥ ଯାଞ୍ଚ କରାଯିବ। ୨୦୧୯ ଜାନୁଆରୀ ୧ ତାରିଖ ବେଳକୁ ଯେଉଁମାନଙ୍କୁ ୧୮ ବର୍ଷ ବୟସ ହେଉଥିବ ସେମାନେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଉପ ଜିଲାପାଳଙ୍କ ନିକଟରେ ଆବେଦନ କରିପାରିବେ। ଯୁବ ଭୋଟର ଓ ତାଲିକାରୁ ବାଦ ପଡ଼ିଥିବା ଅନ୍ୟମାନଙ୍କୁ ସାମିଲ କରିବାକୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ୨୦୧୯ ଜାନୁୟାରୀ ୧ ତାରିଖରେ ୧୮ ବର୍ଷ ପୂରଣ କରୁଥିବା ଯୁବ ଭୋଟର ଏବଂ ଯେଉଁମାନଙ୍କ ନାମ ତାଲିକାରେ ନାହିଁ ସେମାନେ ଅନଲାଇନରେ ‘ନେସନାଲ ଭୋଟର ସର୍ଭିସ ପୋର୍ଟାଲ’କୁ ଯାଇ ଆବେଦନ କରିବା ବ୍ୟବସ୍ଥା ହୋଇଛି। ଏହାର କପି ଡାଉନଲୋଡ କରି ଉପ ଜିଲାପାଳଙ୍କ ନିକଟରେ ଦାଖଲ କରିବେ। କଲେଜ ଛାତ୍ରଛାତ୍ରୀଙ୍କୁ ଏହି ସୁଯୋଗ ପ୍ରଦାନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ କଲେଜ ଅଧ୍ୟକ୍ଷମାନଙ୍କୁ ପତ୍ର ଦେବେ ବୋଲି ସେ କହିଛନ୍ତି। ଉପ ଜିଲାପାଳମାନେ କ୍ୟାମ୍ପ ମାଧ୍ୟମରେ ଆବେଦନକାରୀଙ୍କ ଦରଖାସ୍ତ କପି ଗ୍ରହଣ କରିବା ନେଇ ପଦକ୍ଷେପ ନିଆଯାଉଛି। ସେହିପରି ଏବର୍ଷ ‘ସୁଗମ ମତଦାନ’ ବ୍ୟବସ୍ଥାରେ ଭିନ୍ନକ୍ଷମଙ୍କୁ ତାଲିକାଭୁକ୍ତ କରିବାକୁ କୁହାଯାଇଛି। ଜିଲାପାଳଙ୍କୁ ଭିନ୍ନକ୍ଷମଙ୍କ ତାଲିକା ପ୍ରଦାନ କରାଯାଇଛି। ସେମାନେ ଯାଞ୍ଚ କରି ଯୋଗ୍ୟ ବ୍ୟକ୍ତିଙ୍କୁ ତାଲିକାଭୁକ୍ତ କରିବେ। ଭୋଟ ଗ୍ରହଣ କେନ୍ଦ୍ରରେ ଭିନ୍ନକ୍ଷମଙ୍କ ପାଇଁ ରାମ୍ପ, ହୁଇଲ ଚେୟାର ବ୍ୟବସ୍ଥା ରହିବ। ସହାୟତା ପାଇଁ ଭୋଟର ହୋଇନଥିବା ୧୮ ବର୍ଷରୁ କମ ବୟସର ଏନଏସଏସ,ସ୍କାଉଟ ଓ ଗାଇଡସ ଏବଂ ସ୍ବେଚ୍ଛାସେବୀ ରହିବେ। ସେମାନଙ୍କୁ ମତଦାନ ପାଇଁ ଅଗ୍ରାଧିକାର ପ୍ରଦାନ ନେଇ ପଦକ୍ଷେପ ନେବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରାଯିବ।
ପ୍ରଥମଥର ପାଇଁ ସାଧାରଣ ନିର୍ବାଚନରେ ଭିଭିପାଟ ମେସିନର ବ୍ୟବହାର କରାଯିବ। ଭାରତର ନିର୍ବାଚନ କମିଶନ ଓଡ଼ିଶାକୁ ୯୬ ହଜାର ଭିଭିପାଟ ଏବଂ ୯୦ ହଜାର ଇଭିଏମ ଯୋଗାଇ ଦେବାକୁ ହାଇଦ୍ରାବାଦସ୍ଥିତ ଇସିଆଇଏଲକୁ ନିର୍ଦେଶ ଦେଇଛନ୍ତି। ଭୋଟ ଦେବା ପରେ ଭୋଟରମାନେ ଏଥିରେ ୭ ସେକେଣ୍ଡ ପାଇଁ ଯେଉଁ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ତାଙ୍କ ନାମ, ପ୍ରାର୍ଥୀଙ୍କ କ୍ରମିକ ସଂଖ୍ୟା ଓ ଚିହ୍ନ ଦେଖିପାରିବେ। ଏହି ଚିରକୁଟି ଭିଭିପାଟ ବାକ୍ସ ଭିତରେ ରହିବ। ଭିଭିପାଟର ବହୁଳ ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନିଆଯିବ। ଆସାମ, ଚତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରୁ ଓଡ଼ିଶାକୁ ଏମ-୨ ଇଭିଏମ ଆସିବ। ଇଭିଏମ ଆଣିବାକୁ କେତେଜଣ ଅଧିକାରୀ ପଶ୍ଚମବଙ୍ଗ ଓ ଉତ୍ତରପ୍ରଦେଶ ଯାଇଥିବା ସେ ସୂଚନା ଦେଇଛନ୍ତି। ଅଗଷ୍ଟ ୧୫ ତାରିଖ ମଧ୍ୟରେ ଇଭିଏମ ଏବଂ ଭିଭିପାଟ ମେସିନ ପହଞ୍ଚିବ।
ଇଭିଏମ ଏବଂ ଭିଭିପାଟ ରଖିବା ପାଇଁ ସବୁ ଉପଖଣ୍ଡରେ ଗୋଦାମ ଘର ନିର୍ମାଣ ନେଇ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ୧୨୪ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ସେପ୍ଟେମ୍ବର ସୁଦ୍ଧା ସେଗୁଡ଼ିକ ସମ୍ପୂର୍ଣ୍ଣ ହେବ। ଇଭିଏମ ଓ ଭିଭିପାଟ ଜିଲାରେ ପହଞ୍ଚିବାପରେ ବିଧିବଦ୍ଧ ଭାବେ ଯାଞ୍ଚ କରାଯିବ। ଜିଲା ପଦାଧିକାରୀ, ରାଜନୈତିକ ଦଳ ପ୍ରତିନିଧିଙ୍କ ଉପସ୍ଥିତିରେ ଇଞ୍ଜିନିୟରମାନେ ଏହାର ଯାଞ୍ଚ କରିବେ। ଏଥିରେ ପରୀକ୍ଷାମୂଳକ ଭାବେ ଭୋଟ ଗ୍ରହଣ କରାଯାଇ କାର୍ଯ୍ୟଦକ୍ଷତା ଓ ପାରଦର୍ଶିତା ଉପରେ ଆଶ୍ବସ୍ତ କରାଯିବ।
ଏହାବ୍ୟତୀତ ନିର୍ବାଚନ କାର୍ଯ୍ୟର ପରିଚାଳନା ନିମନ୍ତେ ସରକାର ଦୁଇଜଣ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ, ଦୁଇଜଣ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ, ଜଣେ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି। ପରବର୍ତ୍ତୀ ସମୟରେ କାର୍ଯ୍ୟଭାର ଦୃଷ୍ଟିରୁ ଆବଶ୍ୟକ ପଡ଼ିଲେ ଅଧିକ ଅଫିସରଙ୍କୁ ନିଯୋଜିତ କରିବା ପାଇଁ କୁହାଯିବ ବୋଲି ସେ କହିଛନ୍ତି।

Leave A Reply