ଚଳିତ ବର୍ଷ ଶେଷ ସୁଦ୍ଧା ସାଧାରଣ ନିର୍ବାଚନ !

0

ବିରୋଧୀ ଦଳଙ୍କୁ ମାତ୍‍ ଦେବା ପାଇଁ ବିଜେପିର ଯୋଜନା

ନୂଆଦିଳ୍ଲୀ : କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ୩ଟି ରାଜ୍ୟର ବିଧାନସଭା ନିର୍ବାଚନ ସହିତ ସାଧାରଣ ନିର୍ବାଚନ କରାଇବାର ସମ୍ଭାବନା ରହିଛି। ତେବେ ଯେଉଁ କାରଣରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସାଧାରଣ ନିର୍ବାଚନ କରିବା ନେଇ ଅନୁମାନ କରାଯାଉଥିଲା, ତାହା ବଦଳିବାରେ ଲାଗିଛି ଏବଂ ଏହାକୁ ନେଇ ଅସାମଞ୍ଜସ୍ୟ ଲାଗି ରହିଛି।
ବିହାର ବିଧାନସଭା ନିର୍ବାଚନ ସମୟରେ କୁହାଯାଉଥିଲା କି ସରକାର ଏପରି କରିବେ କିନ୍ତୁ ସେଠାରେ ହାରିବା ପରେ ସେହି ସମ୍ଭାବନା ଉପରେ ପୂର୍ଣ୍ଣଛେଦ ପଡିଲା। ଏହାପରେ ବିଜେପି ପୂର୍ବୋତ୍ତର ସମେତ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଜିତିଲା ଏବଂ ଯେଭଳି ଭାବେ ହେଉ ସେଠାରେ ସରକାର ଗଠନ କଲା।
ଏଥିରେ ସବୁଠାରୁ ମହତ୍ୱପୂର୍ଣ୍ଣ ଥିଲା ବିଗତ ବର୍ଷର ଉତ୍ତର ପ୍ରଦେଶ ନିର୍ବାଚନ, ଯେଉଁଥିରେ ଦଳ ଅପ୍ରତ୍ୟାଶିତ ବିଜୟ ହାସଲ କରିଥିଲା। ବିଜେପିର କଂଗ୍ରେସ ମୁକ୍ତ ଭାରତର ସ୍ୱପ୍ନ ଯେଭଳି ପୂରଣ ହୋଇଗଲା। ଦେଶର ୨୨ଟି ରାଜ୍ୟରେ ବିଜେପି ଏବେ ନିଜର ସରକାର ଗଠନ କରିଛି ଅବା ମେଣ୍ଟ ସରକାର ଗଠନ କରି କ୍ଷମତାରେ ରହିଛି।

ଆଇନ କମିଶନ ଅଧ୍ୟକ୍ଷ ବି.ଏସ ଚୌହାନଙ୍କ ଏବଂ ମୁଖ୍ୟ ନିର୍ବାଚନ କମିଶନ ଓ.ପି ରାୱତ

କିନ୍ତୁ ଯେତେ ଅଧିକ ବିଜେପି ସାମ୍ରାଜ୍ୟ ପରିବ୍ୟାପ୍ତ ହୋଇଛି ସେତିକି ଅଧିକ ସମସ୍ୟା ବଢି ଯାଇଛି। ଏବେ କେନ୍ଦ୍ର ସହିତ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସରକାର ବିରୋଧୀ ମନୋଭାବ ବୃଦ୍ଧି ପାଇବାରେ ଲାଗିଛି। ସମୟ ବୃଦ୍ଧି ପାଇବା ସହିତ ବିଭିନ୍ନ ରାଜ୍ୟରେ ସରକାରଙ୍କ ପ୍ରତି ସାଧାରଣ ଜନତାଙ୍କ ମନରେ ଉଦାସିନତା ବଢିବାର ଆଶା କରାଯାଉଛି। ସମ୍ଭବତଃ ଏହି କାରଣରୁ ସରକାର ସମୟ ପୂର୍ବରୁ ସାଧାରଣ ନିର୍ବାଚନ କରିବାକୁ ଚାହୁଁଛନ୍ତି ଏବଂ ଏହାର ସଙ୍କେତ ମିଳିବାରେ ଲାଗିଛି।
ଏହି ସବୁ ଘଟଣାକ୍ରମ ଉପରେ ଏକ ସଂକ୍ଷିପ୍ତ ଦୃଷ୍ଟିପାତ :

କର୍ଣ୍ଣାଟକରେ ମେ’ ୧୭ ତାରିଖରେ ବି. ଏସ ୟେଦୁରପ୍ପା ଯେତେବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଥିଲେ, ସେହି ସମୟରେ ଦିଲ୍ଲୀର ଶ୍ୟାମା ପ୍ରସାଦ ମୁଖାର୍ଜୀ ସିଭିକ ସେଣ୍ଟରର କେଦାର ନାଥ ସାହାଣୀ ଅଡିଟୋରିୟରେ ବିଜେପିର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଓବିସି ଏବଂ ସଂଖ୍ୟାଲଘୁ ସମେତ ମୋଟ ଆଠଟି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ରାଷ୍ଟ୍ରୀୟ ବୈଠକ ଚାଲୁଥିଲା।
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏହାକୁ ଉଦଘାଟନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକକୁ ସମ୍ବୋଧନ କରିଥିଲେ। ସେ ଦଳୀୟ କର୍ମକର୍ତ୍ତାଙ୍କୁ କହିଥିଲେ କି ଦେଶର ୨୨ କୋଟି ପରିବାରଙ୍କ ପାଖକୁ ଯାଆନ୍ତୁ ଯେଉଁମାନେ ବିଗତ ୪ ବର୍ଷ ମଧ୍ୟରେ ଜନ-ଧନ ଯୋଜନା, ସୌଭାଗ୍ୟ, ଉଜ୍ଜ୍ୱଳା, ଏବଂ ମୁଦ୍ରା ଯୋଜନାରୁ ଲାଭ ପାଇଛନ୍ତି।
ବିଜେପି ମହାସଚିବ ଭୂପେନ୍ଦ୍ର ଯାଦବ ଦଳର ଅଧ୍ୟକ୍ଷ ଅମିତ ଶାହାଙ୍କ ସୂତ୍ରକୁ ଉଦ୍ଧାର କରି କହିଥିଲେ ସରକାର ନିଜର ବିଭିନ୍ନ ଯୋଜନା ଗୁଡିକ ମାଧ୍ୟମରେ ୨୨ କୋଟି ପରିବାରଙ୍କ ଜୀବନରେ ପରିବର୍ତ୍ତନ ଆଣି ପାରିଛନ୍ତି। ଆଗାମୀ ଏକ ବର୍ଷ ମଧ୍ୟରେ ଦଳର ଏହି ସବୁ ସେଲ୍‍ ସେହି ସବୁ ପରିବାର ପାଖରେ ପହଞ୍ଚି ସରକାରଙ୍କ ଯୋଜନାର ସୁଫଳ ବିଷୟରେ କହିବେ। ସେହିପରି ସଂଖ୍ୟାଲଘୁ ସେଲ ମୁସଲମାନ ପରିବାର ସହିତ ଯୋଗାଯୋଗ କରି ତିନି ତଲାକ ବିଷୟରେ ସରକାର ଉଠାଇଥିବା ପଦକ୍ଷେପ ବିଷୟରେ ବୁଝାଇବେ। ଦଳର ବିଭିନ୍ନ ମୋର୍ଚ୍ଚା ଓ ସେଲ୍‍ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଲୋକଙ୍କୁ ବୁଝାଇବେ ବୋଲି ଶ୍ରୀ ଯାଦବ କହିଥିଲେ।
କିନ୍ତୁ ମେ’ ୧୯ ତାରିଖରେ ସଂଧ୍ୟା ୪ଟାରେ ଯେତେବେଳେ ୟେଦୁରପ୍ପା ସଂକ୍ଷିପ୍ତ ଭାଷଣ ଶେଷ କରିବା ପୂର୍ବରୁ ନିଜର ଇସ୍ତଫା ଘୋଷଣା କରିଦେଲେ, ସେତେବେଳେ ଏହା ସ୍ପଷ୍ଟ ହୋଇଗଲା ଯେ ବିଜେପି ନିଜ ସମସ୍ତ ପ୍ରୟାସ ପରେ ମଧ୍ୟ ଆଠ ବିଧାୟକଙ୍କୁ ନିଜ ସପକ୍ଷରେ ଆଣିବାରେ ସଫଳ ହୋଇପାରିଲା ନାହିଁ।
ତେବେ ଏହି ରାଜନୈତିକ ମୈଦାନରେ ବିଜେପି ପରାସ୍ତ ହେବା ପରେ ଦଳ ହୃଦୟଙ୍ଗମ କରିଛି କି ନିଜ ସରକାରୀ ଯୋଜନା ଦ୍ୱାରା ଲୋକଙ୍କୁ କେତେ ଳାଭ ମିଳିଛି ସେ ସଂପର୍କରେ ସେମାନଙ୍କୁ ଯଥା ଶୀଘ୍ର ଅବଗତ କରାଇବା ପାଇଁ ଅଭିଯାନ ଆରମ୍ଭ କରିବ, କାରଣ ଏବେ ପାଖରେ ବହୁତ କମ୍‍ ସମୟ ରହିଯାଇଛି।
ତେବେ ଏହି ସବୁ ଘଟଣା ପୂର୍ବରୁ ମଇ ୧୬ ତାରିଖରେ ନିର୍ବାଚନ କମିଶନ ଏବଂ ଆଇନ କମିଶନର ବୈଠକ ବସିଥିଲା।

ଏବଂ ତାଙ୍କର ସହଯୋଗୀ ସୁନୀଲ ଅରୋରା ଏବଂ ଅଶୋକ ଲବାସା, ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକ ସମୟରେ କରିବା ପାଇଁ ନିଜର ସମର୍ଥନ ପ୍ରକଟ କରିଥିଲେ।
ସୂଚନାଯୋଗ୍ୟ ଯେ ୨୦୧୫ରେ ସରକାର ନିର୍ବାଚନ କମିଶନଙ୍କୁ ଏକ ସଙ୍ଗେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ନେଇ ଥିବା ସମ୍ଭବନା ଉପରେ ବିଚାର କରିବାକୁ କହିଥିଲେ। ତେବେ କମିଶନ କହିଥିଲେ ସମ୍ବିଧାନ ଏବଂ ନିର୍ବାଚନ ଆଇନରେ ସଂଶୋଧନ କରିବାକୁ ପଡିବ। ଏଥିପାଇଁ ବହୁ ସଂଖ୍ୟାରେ ଇଭିଏମ୍‍, ନିର୍ବାଚନ କର୍ମଚାରୀ ଏବଂ ୯୦୦୦ କୋଟି ଟଙ୍କା ଆବଶ୍ୟକ। ମତଦାନ କେନ୍ଦ୍ର ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଇନ କମିଶନଙ୍କ ସହିତ ଆଲୋଚନା କରିବା ନେଇ କହିଥିଲେ।
ଅନ୍ୟପକ୍ଷରେ ନିର୍ବାଚନ କମିଶନ ୨୦୧୭ ମସିହା ଅକ୍ଟୋବର ୪ ତାରିଖରେ କହିଥିଲେ କି, ଡିସେମ୍ବର ୨୦୧୮ରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକା ସମୟରେ କରିବା ପାଇଁ ସକ୍ଷମ ହେବେ। ନିର୍ବାଚନ କମିଶନଙ୍କୁ ଇଭିଏମ୍‍ ପାଇଁ ୩,୪୦୦ କୋଟି ଏବଂ ଭିଭିପିଏଟି ପାଇଁ ୧୨,୦୦୦କୋଟି ଟଙ୍କା ମିଳି ସାରିଛି। ୨୦୧୮ ଡିସେମ୍ବର ସୁଦ୍ଧା ସମସ୍ତ ମେସିନ ମିଳିଯିବ ବୋଲି ଆୟୋଗ କହିଛନ୍ତି।
କିନ୍ତୁ ଏଥିପାଇଁ ସରକାରଙ୍କୁ ପ୍ରସ୍ତୁତ ହେବାକୁ ପଡିବ ଏବଂ ନିର୍ବାଚନ ଆଇନରେ ସଂଶୋଧନ ଆଣିବାକୁ ପଡିବ ବୋଲି ମୁଖ୍ୟ ନିର୍ବଚନ କମିଶନ ଶ୍ରୀ ରାୱତ କହିଛନ୍ତି। ଅର୍ଥାତ ୨୦୧୮ ଶେଷ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ସମସ୍ତ ସଂସାଧନ ଉପଲବ୍ଧ ହୋଇଯିବ।
ତେବେ ଏକ ସମୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ କରିବା ନେଇ ଅନେକ ବିଶେଷଜ୍ଞ ସହମତ ଅଛନ୍ତି। ତେବେ ଚଳିତ ବର୍ଷ ଶେଷରେ ହେବାକୁ ଥିବା ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ ବିଧାନସଭା ନିର୍ବାଚନ ସହିତ ଏକ ସମୟରେ ଲୋକସଭା ନିର୍ବାଚନ ହେବା ସେବାନେ ଚାହାନ୍ତି।
ଅନ୍ୟପକ୍ଷରେ ଚଳିତମାସ ୨୯ ତାରିଖରେ କେରଳରେ ମୌସୁମୀ ପହଞ୍ଚିବାର ସମ୍ଭାବନା ରହିଛି। ତେଣୁ ଭଲ ଖରିଫ୍‍ ଫସଲ ହେବା ନେଇ ଆକଳନ କରାଯାଉଛି। ସେପ୍ଟେମ୍ବର-ଅକ୍ଟୋବର ମାସରେ ପର୍ବପର୍ବାଣୀର ସମୟ। ତେଣୁ ଏହା ପରେ ନିର୍ବାଚନ କରାଇବାର ନେଇ ଯୋଜନା ହୋଇପାରେ।
ପୁଣି ରାଜନୈତିକ ବାତାବରଣକୁ ଲକ୍ଷ୍ୟ କଲେ ଜଣାଯାଏ ବିରୋଧୀ ଦଳ ଏକାଠି ହେବାରେ ଲାଗିଛନ୍ତି। ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବଙ୍କର ସମାଜବାଦୀ ପାର୍ଟି, ମାୟବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ଏକାଠି ହେବାରେ ଲାଗିଛନ୍ତି। ପଶ୍ଚିମ ବଙ୍ଗରେ ତୃଣମୂଳ କଂଗ୍ରେସ, ଓଡ଼ିଶାରେ ବିଜେଡି, ଆନ୍ଧ୍ର ପ୍ରଦେଶରେ ଟିଡିପି, ତେଲଙ୍ଗାନାରେ ଟିଆରଏସ ଆଦି ଏବେଠାରୁ ପ୍ରସ୍ତୁତ ଅଛନ୍ତି।
ମହାରାଷ୍ଟ୍ରରେ ଶରଦ ପାୱାର କଂଗ୍ରେସ କିମ୍ବା ଶିବସେନା ସହିତ ମିଶି ନିର୍ବାଚନ ଳଢିବାର ଯେଜନାରେ ରହିଛି। ସେହିପରି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ୨୦୧୯ରେ ପୁଣି ବିଜେପିକୁ କେନ୍ଦ୍ରରେ କ୍ଷମତାକୁ ଫେରିବା ପାଇଁ ସୁଯୋଗ ଦିଆଯିବ ନାହିଁ।
ଏଭଳି ପରିସ୍ଥିତିରେ ଦେଶର ଅର୍ଥ ବ୍ୟବସ୍ଥା ମଧ୍ୟ ଭଲ ସ୍ଥିତିରେ ନାହିଁ, ରୋଜଗାର ଏବଂ ନିଯୁକ୍ତି ସୁଯୋଗ ମଧ୍ୟ ବାଟବଣା ହୋଇଛି, ଅନେକ ପ୍ରତିଶ୍ରୃତି ପୂରଣ କରିବାରେ ଦଳ ବିଫଳ ହୋଇଛି।
ତେଣୁ ବିରୋଧୀ ଦଳଙ୍କୁ ମାତ୍‍ ଦେଇ ଆଗୁଆ ନିର୍ବାଚନ କରାଇ ଅଧିକରୁ ଅଧିକ ଲାଭ ହାସଲ କରିବା ପାଇଁ ବିଜେପି ଚାହୁଛି। ବୋଧହୁଏ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ସୌଜନ୍ୟ : ଇଣ୍ଡିଆ ଟୁଡେ

Leave A Reply