ଚଳଚଞ୍ଚଳ ହେଲାଣି ନିର୍ବାଚନ ପ୍ରସ୍ତୁତି – ନେତାଠୁଁ କର୍ମୀ ସମସ୍ତେ ବ୍ୟସ୍ତ

0

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୫ ଚଳିତ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ହୋଇଥିବା ଦୃଷ୍ଟିରୁ ସମଗ୍ର ଦେଶରେ ରାଜନୈତିକ କାର୍ଯ୍ୟକଳାପ ଚଳଚଞ୍ଚଳ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦେଶର ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୧ଟି ଆସନରେ ଏପ୍ରିଲ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍‍ ଗ୍ରହଣ କରାଯିବ। ଏ ନେଇ ରାଜନୈତିକ ଦଳ ଗୁଡିକ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଉଛି। ଭାରତୀୟ ଜନତା ପାର୍ଟି ଶନିବାର ଆଉ କେତେକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ପକ୍ଷରୁ ଏ ପର୍ଯ୍ୟନ୍ତ ୨୮୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିହାରରେ ବିଜେପି ଏବଂ ଏହାର ସହଯୋଗୀ ଦଳ ଜେଡିୟୁ ଏବଂ ଏଲଜେପି ମୋଟ୍‍ ୪୦ଟି ଆସନ ମଧ୍ୟରୁ ୩୯ଟିରେ ପ୍ରାର୍ଥୀ ଘୋଷଣା କରିଛନ୍ତି। ବିଜେପି ପକ୍ଷରୁ ୭ ଜଣ ଲୋକସଭା ସଦସ୍ୟଙ୍କୁ ଏଥର ଟିକେଟ୍‍ ଦିଆଯାଇ ନାହିଁ। ସେମାନଙ୍କ ମଧ୍ୟରେ ଅଛନ୍ତି ଅଭିନେତା ଶତ୍ରୁଘ୍ନ ସିହ୍ନା ଏବଂ ହୁକୁମ୍‍ଦେବ ନାରାୟଣ ଯାଦବ। ବିଜେପି ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ପାଟନା ସାହେବରୁ ଶତ୍ରୁଘ୍ନ ସିହ୍ନାଙ୍କ ସ୍ଥାନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେହିଭଳି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ନୱାଡ଼ା ପରିବର୍ତ୍ତେ ଦେବୁସରାଇରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂ ପୂର୍ବଚମ୍ପାରନ୍‍ ଏବଂ ରାମକୃପାଳ ଯାଦବ ପାଟଳିପୁତ୍ରରୁ ନିର୍ବାଚନ ଲଢ଼ିବେ। ଲୋକଜନଶକ୍ତି ପାର୍ଟି ମୁଖ୍ୟ ରାମ ବିଳାସ ପାଶ୍ୱାନ ଏଥର ହାଜିପୁର ଆସନରୁ ପ୍ରତିଦ୍ୱନ୍ଦିତା କରିବେ ନାହିଁ। ତାଙ୍କ ଭାଇ ଏବଂ ଦଳର ରାଜ୍ୟଶାଖା ମୁଖ୍ୟ ପଶୁପତି କୁମାର ପାରସ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଲଜେପି ଭାଗରେ ପଡ଼ିଥିବା ଖଗଡ଼ିଆ ଆସନରୁ ଏଯାଏଁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ।

ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି ବିଜେପିର ଲୋକସଭା ସଦସ୍ୟ ଥିବା ଅନୁରାଗ ଠାକୁର ହିମାଚଳପ୍ରଦେଶର ହମିରପୁର, ସୁରେଶ କାଶ୍ୟପ ସିମଳା ଏବଂ କିଷନ କପୁର କାଙ୍ଗ୍‍ରା ଆସନରୁ ପ୍ରତିଦ୍ୱନ୍ଦିତା କରିବେ। ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସାନ୍ତା କୁମାରଙ୍କୁ ଏଥର ଟିକେଟ୍‍ ଦିଆଯାଇ ନାହିଁ। ଦଳ ପକ୍ଷରୁ ତେଲଙ୍ଗାନାର ୬, ଉତ୍ତପ୍ରଦେଶର ୩ ଏବଂ କେରଳ ଓ ପଶ୍ଚିମବଙ୍ଗର ଗୋଟିଏ ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସେହିଭଳି କଂଗ୍ରେସ ପକ୍ଷରୁ ମଧ୍ୟ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏହାଫଳରେ ଦଳର ମୋଟ୍‍ ଘୋଷିତ ପ୍ରାର୍ଥୀଙ୍କ ସଂଖ୍ୟା ୨୧୮ରେ ପହଞ୍ଚିଛି। ଦଳ ପକ୍ଷରୁ ଅଶୋକ ଚହାଣଙ୍କୁ ମହାରାଷ୍ଟ୍ରର ନାନଦେଦ୍‍, ଦିଗ୍‍ବିଜୟ ସିଂଙ୍କୁ ଭୋପାଳ, ମଲ୍ଲିକାର୍ଜ୍ଜୁନ ଖଡ୍‍ଗେଙ୍କୁ କର୍ଣ୍ଣାଟକର ଗୁଲ୍‍ବର୍ଗା ଆସନରୁ ପ୍ରାର୍ଥୀ କରାଯାଇଛି। ଦଳ ପକ୍ଷରୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହରିଶ ରାୱତ ନୈନିତାଲ ଏବଂ ବରିଷ୍ଠ ବିଜେପି ନେତା ବି.ସି. ଖଣ୍ଡୁରୀଙ୍କ ପୁଅ ମନୀଷ ଖଣ୍ଡୁରୀ ଘଡୱାଲରୁ ପ୍ରତିଦ୍ୱନ୍ଦିତା କରିବେ। ମନୀଷ ନିକଟରେ କଂଗ୍ରେସରେ ଯୋଗ ଦେଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଜେଡିଏସ୍‍ର ବରିଷ୍ଠ ନେତା ଏଚ୍‍.ଡି. ଦେବେଗୌଡ଼ା କର୍ଣ୍ଣାଟକର ତୁମାପୁର ଆସନରୁ ଏବଂ ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହେବୁବା ମୁଫ୍‍ତି ଅନନ୍ତପୁର ସଂସଦୀୟ ଆସନରୁ ନିର୍ବାଚନ ଲଢ଼ିବେ। ୫୪୩ ଆସନ ବିଶିଷ୍ଟ ଲୋକସଭା ପାଇଁ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହା ଆସନ୍ତା ମେ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଭୋଟ୍‍ ଗଣତି ମେ ୨୩ ତାରିଖରେ କରାଯିବ।

Leave A Reply