ବଡ଼ସାହି – ନିଶ୍ଚିନ୍ତରେ ନାହାନ୍ତି ଆଶାୟୀ ବା ସମର୍ଥକ

0

ବଡ଼ସାହି: ରାଜ୍ୟର ୩୨ନଂ ବିଧାନସଭା ନିର୍ବାଚନ ମଣ୍ଡଳୀ ବଡ଼ସାହି(ସଂ) ଆସନରେ ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଅପ୍ରେଲ ୨୯ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ୨୦୦୮ ମସିହାରେ ବିଧାନସଭା ପୁର୍ନଗଠନ ସମୟରେ ଅନୁସୂଚିତ ଜାତି ପାଇଁ ଏହା ସଂରକ୍ଷିତ ଥିବା ବେଳେ ୨-୨ଟି ନିର୍ବାଚନରେ ଶାସକ ବିଜେଡ଼ିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ନିକଟତମ ପ୍ରତୀଦ୍ୱନ୍ଦୀ ଭାବେ କଂଗ୍ରେସ ପ୍ରାର୍ଥୀ ରହି ଆସୁଥିବା ବେଳେ ବିଜେପିର ପ୍ରାର୍ଥୀ ୩ୟ ସ୍ଥାନରେ ରହିଆସୁଛନ୍ତି। ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଏହି ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ ୨୦୦୯ରେ କଂଗ୍ରେସର ଶ୍ରୀକାନ୍ତ ଜେନା ସର୍ବଧିକ ଭୋଟ ପାଇ କେନ୍ଦ୍ରମନ୍ତ୍ରୀ ହୋଇଥିବା ବେଳେ ୨୦୧୪ରେ ବିଜେଡ଼ିର ଇଂ ରବୀନ୍ଦ୍ର ଜେନା ସର୍ବାଧିକ ଭୋଟ ପାଇ ସାଂସଦ ରହି ଆସିଛନ୍ତି।

ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ବଡ଼ସାହି ବ୍ଲକର ୨୧ଟି ଓ ବେତନଟୀ ବ୍ଲକର ୨୪ଟି ପଞ୍ଚାୟତ ମୋଟ ୪୫ଟି ପଞ୍ଚାୟତ ରହିଥିବା ବେଳେ ନୂତନ ଭୋଟର ତାଲିକା ଅନୁଯାୟୀ ମୋଟ ୧ଲକ୍ଷ ୮୭ହଜାର ୫୧୨ଜଣ ଭୋଟର ରହିଛନ୍ତି। ଆସନ୍ତା ଅପ୍ରେଲ ୨ତାରିଖରୁ ଏହି ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇ ୯ତାରିଖରେ ଶେଷ ହେବ। ପ୍ରମୁଖ ବିଜେଡ଼ି, କଂଗ୍ରେସ ଓ ବିଜେପି ଦଳରୁ ଏକାଧିକ ଆଶାୟୀ ଥିଲେ ହେଁ କେହି ଜଣେ ହେଲେ ଟିକଟ ପାଇବା ନେଇ ନିଶ୍ଚିନ୍ତରେ ନହାନ୍ତି। ଏପରିକି ଏହି ୩ଦଳର ନେତୃବୃନ୍ଦ ଓ ସମର୍ଥକ ମଧ୍ୟ ଦଳର ଟିକଟ କିଏ ପାଇବ ଆଶା ଆଶଙ୍କାରେ ରହିଥିବା ଦେଖିବାକୁ ମିଳିଛି।

ଅଶାୟୀଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ବର୍ତ୍ତମାନର ବିଧାୟକ ଗଣେଶ୍ୱର ପାତ୍ର। ସେ ୨୦୦୯ରେ କଂଗ୍ରେସ ଦଳରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ୩୨ହଜାର ୮୮୩ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ। ୨୦୧୪ରେ ଶେଷ ମୁହୂର୍ତ୍ତରେ ବିଜେଡ଼ିରେ ଯୋଗଦେଇ ଟିକେଟ ନେବା ସହିତ ୫୨ହଜାର ୬୯୪ଖଣ୍ଡ ଭୋଟ ପାଇଥିଲେ। ଦୀର୍ଘଦିନ ଧରି ଯୁବ ନେତୃତ୍ୱ ଭାବେ ସେ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଉନ୍ନୟନମୂଳକ କାର୍ଯ୍ୟ କରି ସେ ଜିଲାର ଅନ୍ୟ ବିଧାୟକଙ୍କୁ ପଛରେ ପକାଇଥିଲେ ହେଁ ଦଳୀୟ କନ୍ଦଳ ପାଇଁ ସେ ପୁଣି ଟିକଟ ପାଇବା ସନ୍ଦେହ ଘେରରେ ରହିଛି। ଗଣେଶ୍ୱରଙ୍କ ପଛରେ ଅଛନ୍ତି ୨୦୧୪ରେ ୩୬ହଜାର ୮୬୦ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିବା ଯାମିନୀକାନ୍ତ ନାଏକ। ବିଜେପି ଦଳର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ ତ୍ରୁଟି ପାଇଁ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହୋଇ ରାଜ୍ୟରେ ଚର୍ଚ୍ଚାରେ ଥିଲେ ସେ। ପରବର୍ତ୍ତୀ ସମୟରେ ବିଜେଡ଼ିରେ ଯୋଗଦେଇ ୨୦୧୪ ମସିହାରେ ଦଳୀୟ ଟିକଟରୁ ବଞ୍ଚିତ ରହିବାରୁ ଶେଷ ମୁହୂର୍ତ୍ତରେ କଂଗ୍ରେସ ଦଳର ପ୍ରାର୍ଥୀ ହୋଇ କଡ଼ା ଟକ୍କର ଦେଇଥିଲେ ବିଧାୟକ ଗଶେଶ୍ୱରଙ୍କୁ। ପରନ୍ତୁ ନିର୍ବାଚନର ବର୍ଷକ ପରେ କଂଗ୍ରେସରୁ ମୋହ ତୁଟାଇ ପୁଣି ଫେରିଥିଲେ ବିଜେପିକୁ। ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ସେ ଜିଲା ପ୍ରଭାରୀ ଭାବେ ରହିଛନ୍ତି। ୩ପ୍ରମୁଖ ଦଳରେ କାର୍ଯ୍ୟ କରି ଯାମିନୀ ନିଜର ସ୍ୱତନ୍ତ୍ର ଭୋଟ ବ୍ୟାଙ୍କ ପ୍ରସ୍ତୁତ କରିପାରିଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ ସେ ନିଜେ ବା ତାଙ୍କ ସମର୍ଥକ ଦଳୀୟ ଟିକଟ ପାଇବାରେ ନିଶ୍ଚିନ୍ତରେ ନାହାନ୍ତି।

ନିର୍ବାଚନ ମଣ୍ଡଳୀର ୩ୟ ଆଶାୟୀଙ୍କ ମଧ୍ୟରେ ରହିଛନ୍ତି ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର କୋଷାଧ୍ୟକ୍ଷ ଇଂ ବୃନ୍ଦାବନ ଦାସ। ବୃନ୍ଦାବନ ୨୦୧୪ରେ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ୩୩ହଜାର ୯୬୨ଖଣ୍ଡ ଭୋଟ ପାଇଥିଲେ। ୫ବର୍ଷ ଧରି ଦଳରେ କାର୍ଯ୍ୟ କରି ସେ ନିଜର ସ୍ୱତନ୍ତ୍ର ଭୋଟବ୍ୟାଙ୍କ ମଧ୍ୟ ସୃଷ୍ଟି କରିଛନ୍ତି। ତତ୍‍ ସହିତ ପଞ୍ଚାୟତ ନିର୍ବାଚନରେ ବିଜେପି ୫ଟି ଜିଲାପରିଷଦ ଜୋନରୁ ମୋଟ ୬୯ ହଜାର ୩୭୬ଖଣ୍ଡ ଭୋଟ ପାଇ ସବୁ ଆସନରେ ବିଜୟୀ ହେବାର ଶ୍ରେୟ ବିଜେପିର ରହିଛି। ଜଣେ ନିଷ୍କଳଙ୍କ ପ୍ରାର୍ଥୀ ଭାବେ ନିଜର ପରିଚୟ ରଖିଥିବା ବୃନ୍ଦାବନଙ୍କୁ ବିଜେଡ଼ି ପକ୍ଷରୁ ଶେଷ ମୁହୂର୍ତ୍ତରେ ଦଳକୁ ନେଇ ୨୦୧୪ର ପୁନୁରାବୃତ୍ତି ଧାରାରେ ପ୍ରାର୍ଥୀ କରାଯିବା ଚର୍ଚ୍ଚା ସାରା ଜିଲାରେ ଆଲୋଚ୍ୟ ବିଷୟ ସାଜିଛି। ଶେଷ ପର୍ଯ୍ୟାୟରେ ନିର୍ବାଚନ ଥିବାରୁ ଅପ୍ରେଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସମସ୍ତ ଦଳରେ ଏହି ବ୍ୟବସ୍ଥା ଲାଗି ରହିବ ଅନୁମାନ କରାଯାଉଛି।

Leave A Reply