ଏଣିକି ସବୁଠି ଏକାଠି ନିର୍ବାଚନ!

0

ନୂଆଦିଲ୍ଲୀ: ଲୋକସଭା ଓ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରିବା ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ମୋଦି ସରକାରଙ୍କ ଏ ସଂକ୍ରାନ୍ତ ପ୍ରସ୍ତାବକୁ ବିଧି ଆୟୋଗଙ୍କ ଏକ କମିଟି ସବୁଜ ସଙ୍କେତ ଦେବା ସହିତ ଚିଠା ପ୍ରସ୍ତୁତି କରିଛି। ସେହିପରି ନିତି ଆୟୋଗ ମଧ୍ୟ ଏ ଦିଗରେ ଅନୁକୂଳ ମତ ଦେଇଛି। ଯଦି ବିଧି ଆୟୋଗର ଚିଠା ପ୍ରସ୍ତାବ ଚୂଡ଼ାନ୍ତ ରୂପ ନିଏ ଏବଂ ନିତି ଆୟୋଗଙ୍କ ମତ ଗୃହୀତ ହୁଏ ତେବେ ୨୦୧୯ରେ ଲୋକସଭା ସହିତ ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଏକ ସାଙ୍ଗରେ ଅନୁଷ୍ଠିତ ହେବ। ବାକି ୧୨ଟି ରାଜ୍ୟର ବିଧାନସଭା ଓ ଲୋକସଭା ନିର୍ବାଚନ ୨୦୨୪ କିମ୍ବା ୨୦୨୧ ମଧ୍ୟଭାଗରେ ଅନୁଷ୍ଠିତ ହେବ।
ପୂର୍ବରୁ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ତାମିଲନାଡ଼ୁ ପରି କେତେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସାଧାରଣ ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ତେଣୁ ଅନ୍ୟ ରାଜ୍ୟଗୁଡ଼ିକରେ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଏକାସାଙ୍ଗରେ ଦୁଇଟି ନିର୍ବାଚନ ଅନୁଷ୍ଠିତ ହେଲେ ରାଜକୋଷର ବ୍ୟୟ ଭାର ଅନେକାଂଶରେ ହ୍ରାସ ପାଇବ। ଆର୍ଥିକ ଦୃଷ୍ଟିରୁ ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁହାଇବ।

ବିଧି ଆୟୋଗ କମିଟି ଚିଠା ପ୍ରସ୍ତାବ

ବିଧି ଆୟୋଗ କମିଟି ପ୍ରସ୍ତୁତ କରିଥିବା ଚିଠା ପ୍ରସ୍ତାବ ଅନୁଯାୟୀ ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳକୁ ଦୁଇଟି ବର୍ଗରେ ବିଭକ୍ତ କରାଯିବ। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଅରୁଣାଚଳ ପ୍ରଦେଶ, ବିହାର, ଛତିଶଗଡ଼, ହରିଆଣା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ସିକ୍କିମ୍‍, ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳ, ଆସାମ, ଜମ୍ମୁ-କଶ୍ମୀର, ଦିଲ୍ଲୀ, ପଣ୍ଡିଚେରୀ, ଝାଡ଼ଖଣ୍ଡକୁ ପ୍ରଥମ ବର୍ଗରେ ରଖାଯାଇଛି। ମିଜୋରାମ, ନାଗାଲ୍ୟାଣ୍ଡ, ମଣିପୁର, ମେଘାଳୟ, କର୍ଣ୍ଣାଟକ, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, ପଞ୍ଜାବ, ତ୍ରିପୁରା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶକୁ ଦ୍ୱିତୀୟ ବର୍ଗରେ ରଖାଯାଇଛି। ପ୍ରଥମ ବର୍ଗର ବିଧାନସଭା ଓ ଲୋକସଭା ନିର୍ବାଚନ ୨୦୧୯ରେ ଏବଂ ଦ୍ୱିତୀୟ ବର୍ଗର ବିଧାନସଭା ଓ ଲୋକସଭା ନିର୍ବାଚନ ୨୦୨୪ରେ ଅନୁଷ୍ଠିତ ହେବ। ପ୍ରଥମ ବର୍ଗରେ ଥିବା କିଛି ରାଜ୍ୟରେ ଆଗୁଆ ନିର୍ବାଚନ ହେବ ଏବଂ ଦ୍ୱିତୀୟ ବର୍ଗରେ ଥିବା କିଛି ରାଜ୍ୟର ବିଧାନସଭା କାର୍ଯ୍ୟକାଳ ବୃଦ୍ଧି ପାଇବ। ଆଗୁଆ ନିର୍ବାଚନ ପାଇଁ କିଛି ସମସ୍ୟା ନାହିଁ। ଯେଉଁ ରାଜ୍ୟଗୁଡ଼ିକରେ ବିଧାନସଭା କାର୍ଯ୍ୟକାଳ ଅବଧି ବଢ଼ିବ ସେହି ସବୁ ରାଜ୍ୟ ପାଇଁ ସମ୍ବିଧାନ ଓ ଜନପ୍ରତିନିଧି ଆଇନ(୧୯୫୧)ରେ ସଂଶୋଧନ ଆଣିବାକୁ ପଡ଼ିବ। ଯଦି ସଂଶୋଧନ ସମ୍ଭବ ନ ହୁଏ କିମ୍ବା ପ୍ରକ୍ରିୟା ବିଳମ୍ବିତ ହୁଏ ତେବେ ୨୦୧୯ ସାଧାରଣ ନିର୍ବାଚନ ସରିବାର ୩୦ ମାସ ପରେ ଅର୍ଥାତ୍‍ ୨୦୨୧ ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ଦ୍ୱିତୀୟ ପର୍ଯ୍ୟାୟ ରାଜ୍ୟଗୁଡ଼ିକରେ ଏକସଙ୍ଗରେ ସାଧାରଣ ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

ନିତି ଆୟୋଗଙ୍କ ମତ

ନିତି ଆୟୋଗଙ୍କ ମତାନୁଯାୟୀ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାର କାର୍ଯ୍ୟକାଳକୁ ବ୍ରିଟିଶ ପାର୍ଲାମେଣ୍ଟ ଢାଞ୍ଚାରେ ୫ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ କରାଯିବ। ମଝିରେ ଲୋକସଭା ଭାଙ୍ଗିବ ନାହିଁ କି ନିର୍ବାଚନ ଅନୁଷ୍ଠିତ ହେବ ନାହିଁ। ଅତ୍ୟାବଶ୍ୟକ ପରିସ୍ଥିତିରେ ଗଠନମୂଳକ ଅନାସ୍ଥା ପ୍ରସ୍ତାବ ଜରିଆରେ କେବଳ ସରକାର ପରିବର୍ତ୍ତନ କରାଯାଇପାରିବ। ନିତି ଆୟୋଗ ପ୍ରଥମ ବର୍ଗରେ ୧୭ଟି ଓ ଦ୍ୱିତୀୟ ବର୍ଗରେ ୧୪ଟି ରାଜ୍ୟକୁ ସାମିଲ୍‍ କରିବାକୁ ପ୍ରସ୍ତାବ ଦେଇଛି।
ସ୍ୱାଗତଯୋଗ୍ୟ:
ଏଭଳି ସଂସ୍କାରଧର୍ମୀ ନିର୍ବାଚନ ପ୍ରକ୍ରିୟାକୁ ରାଜନୀତି ଓ ଅର୍ଥନୀତି ବିଶ୍ଲେଷକ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର ସ୍ୱାଗତ କରିଛନ୍ତି। ସେହିପରି ନିଷ୍ପତ୍ତି କାର୍ଯ୍ୟକାରୀ ପୂର୍ବରୁ ଦେଶବ୍ୟାପୀ ବିତର୍କର ସୁଯୋଗ ସୃଷ୍ଟି କରାଯିବା ଉପରେ ଓଡ଼ିଶା ଇଲେକସନ୍‍ ୱାଚ୍‍ର ଆବାହକ ରଞ୍ଜନ ମହାନ୍ତି ଗୁରୁତ୍ୱାରୋପ କରିଛନ୍ତି। ଏ ସଂକ୍ରାନ୍ତରେ ନିର୍ବାଚନ ଆୟୋଗଙ୍କ ଉପଦେଷ୍ଟା କମିଟି ସଦସ୍ୟ ଡ ଭଗବାନ ପ୍ରକାଶ କହିଛନ୍ତି, ପୂର୍ବରୁ ମଧ୍ୟ ଭାରତରେ ଏକା ସଙ୍ଗରେ ସାଧାରଣ ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଉଦାହରଣ ରହିଛି। ଏହାଦ୍ୱାରା ଅଯଥା ସମୟ ଓ ଅର୍ଥ ଅପଚୟକୁ ରୋକାଯାଇପାରିବ। କିନ୍ତୁ ଏହି ପ୍ରକ୍ରିୟା ସମୟ ସାପେକ୍ଷ। ଚିଠା ବିଲ୍‍ ସଂସଦରେ ବହୁମତରେ ପାରିତ ହେବା ପରେ ଯାଇ ନୂଆ ପ୍ର୍ରକ୍ରିୟା କାର୍ଯ୍ୟକାରୀ କରାଯାଇପାରିବ।

Leave A Reply