ଦୁଶମନ ଥେ, ଅବ ଦୋସ୍ତ ହୈ…କାଲି ରାଜ୍ୟପାଳଙ୍କୁ ଭେଟିବେ ବିଜେପି-ଶିବସେନା ମେଣ୍ଟ

- ଶରଦ କହିଲେ, ଆମେ ନାହୁଁ ଦୋୖଡରେ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସରକାର ଗଠନ କରିବା ପାଇଁ ଆଉ ମାତ୍ର ଦୁଇ ଦିନ ସମୟ ବାକିଥିବା ବେଳେ ବର୍ତ୍ତମାନ ସରକାର ଗଠନ କରିବା ପାଇଁ ଜୋରସୋରରେ ଉଦ୍ୟମ ଚାଲିଛି। ମୁମ୍ବାଇରେ ବରିଷ୍ଠ ନେତାମାନଙ୍କର ଏକ ବୈଠକ ବସି ଉଭୟ ବିଜେପି ଏବଂ ଶିବସେନା ସେମାନଙ୍କ ମଧ୍ୟରେ ଥିବା ମତଭେଦ ଦୂର କରିଛନ୍ତି ଏବଂ ଆସନ୍ତାକାଲି ମେଣ୍ଟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ ବୋଲି ଜଣାପଡିଛି।

ତେବେ ଶିବସେନା ନେତା ସଂଜୟ ରାଉତ ଏନ୍‍.ସି.ପି. ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ବୈଠକ ପରେ ସଂଜୟ ସାମ୍ବାଦିକମାନଙ୍କୁ କହିଛନ୍ତି, ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ସେମାନେ ଆଲୋଚନା କରିଛନ୍ତି। ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନ୍‍.ସି.ପି. ମୁଖ୍ୟ ଶରଦ ପାୱାର କହିଛନ୍ତି, ରାଜ୍ୟରେ ସରକାର ଗଠନ କରିବ ନାହିଁ ବୋଲି ତାଙ୍କ ପାର୍ଟିର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ବିଜେପି ନେତା ତଥା ପରିବେଶ ମନ୍ତ୍ରୀ ସୁଧୀର ମୁଙ୍ଗନ୍ତିୱାର କହିଛନ୍ତି, ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ୍‍ ରାଜ୍ୟପାଳ ଭଗତସିଂହ କୋସିଆରୀଙ୍କୁ ଆସନ୍ତାକାଲି ସାକ୍ଷାତ କରିବେ। ମୁମ୍ବାଇରେ ବିଜେପି କୋର୍‍ କମିଟି ନେତାମାନଙ୍କ ବୈଠକ ପରେ ମୁଙ୍ଗନ୍ତିୱାର ସାମ୍ବାଦିକମାନଙ୍କୁ କହିଛନ୍ତି, ବିଜେପି-ଶିବସେନା ମେଣ୍ଟ ସରକାର ଖୁବ୍‍ ଶୀଘ୍ର ରାଜ୍ୟରେ ଗଠନ ହେବା ଦିଗରେ ସବୁ ପ୍ରକାର ଉଦ୍ୟମ କରାଯାଉଛି। ସେ କହିଛନ୍ତି, ଏହି ଦୁଇ ଦଳକୁ ସରକାର ଗଠନ ପାଇଁ ଜନସମର୍ଥନ ମିଳିଛି ଏବଂ ମହାରାଷ୍ଟ୍ର ଲୋକମାନଙ୍କୁ ନିରାଶ ହେବାକୁ ଦିଆଯିବ ନାହିଁ। ତେଣୁ ଏ ଦିଗରେ ବିଜେପି ନିଶ୍ଚିତ ପଦକ୍ଷେପ ନେବ। ଶିବସେନା ସଭାପତି ଉଦ୍ଧବ ଠାକରେ ଆସନ୍ତାକାଲି ପାର୍ଟିର ନିର୍ବାଚିତ ବିଧାୟକମାନଙ୍କର ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ ରାଜ୍ୟରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ସଂକ୍ରାନ୍ତରେ ଆଲୋଚନା କରାଯିବ।

Comments are closed.