ବିପର୍ଯ୍ୟସ୍ତ ଆର୍ଥିକ ସ୍ଥିତି

ସରକାରଙ୍କ ନିଦ ଭାଙ୍ଗିବ କେବେ?

ଦେଶର ଆର୍ଥିକ ସ୍ଥିତି ଘେନି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମତାମତକୁ ହେୟ, ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି କହି ଯଦି ସରକାର ଏଡ଼ାଇ ଦେବାକୁ ଚାହୁଁଥାନ୍ତି, ତେବେ ବୁଝିନେବାକୁ ହେବ ଯେ ଏହା ଏକ ଆତ୍ମଘାତୀ ପଦକ୍ଷେପ। ମନମୋହନ ଜଣେ ଅର୍ଥନୀତି ବିଶାରଦ,ପୂର୍ବତନ ଅର୍ଥମନ୍ତ୍ରୀ ଓ ପ୍ରାକ୍ତନ ପ୍ରଧାନମନ୍ତ୍ରୀ। ସେ ୧୦ ବର୍ଷ ଦେଶର ନେତୃତ୍ବ ନେଇଛନ୍ତି ଏବଂ ଏକ ଜଟିଳ ସମୟରେ ଭାରତର ଅର୍ଥନୀତିକୁ ସମ୍ଭାଳି ତାହାର ଅଭିବୃଦ୍ଧିରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। ଇତିହାସ କମ୍‌ କଥା କହୁଥିବା, ପ୍ରଚାରବିମୁଖ ମନମୋହନଙ୍କ ସଫଳତାର ସାକ୍ଷୀ। କମ୍‌ କଥା କହି, ପ୍ରଚାରସର୍ବସ୍ବ ନ’ହୋଇ ଅନେକ କଥା ଦେଶପାଇଁ ଜଣେ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ଯେ କରିପାରିବେ, ମନମୋହନ ତାହା ପ୍ରମାଣିତ କରିଛନ୍ତି।
ଏବେ ଭାରତର ଅର୍ଥନୀତି ଭଲ ଅବସ୍ଥାରେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସକଳ ଆସ୍ଫାଳନ ଓ ପ୍ରଚାର ସତ୍ତ୍ବେ ଦେଶର ଅର୍ଥନୈତିକ ବିକାଶ ହାର ୧୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ସେଇଭଳି ବେକାରୀ ହାର ୪୫ବର୍ଷର ସର୍ବନିମ୍ନ ସ୍ତର ଛୁଇଁଛି। ବ୍ୟାଙ୍କଗୁଡ଼ିକର ଅନାଦାୟ ଋଣ (ଏନପିଏ) ରେକର୍ଡ଼ ସ୍ତରରେ ପହଞ୍ଚିଥିବାବେଳେ ବିଦ୍ୟୁତ୍ ଚାହିଦା ମଧ୍ୟ ସର୍ବନିମ୍ନ ସ୍ତରକୁ ଖସିଛି। ଏହାର ଅର୍ଥ ଉଦ୍ୟୋଗ ଜଗତର ସ୍ଥିତି ଭଲ ନୁହେଁ। ଏସବୁ କଥା ମନମୋହନ ଯାହା କହିଛନ୍ତି ତାହା ମନଗଢ଼ା ନୁହେଁ। ବିଭିନ୍ନ ସଂସ୍ଥା ଓ ସଂଗଠନର ସର୍ଭେ ମଧ୍ୟ ସମାନ କଥା କହୁଛି। ତେଣୁ ସେ ତାଙ୍କ ମନର କଥା କହିବାବେଳେ ଦେଶର ଦୁଃସ୍ଥିତି ବିଷୟ ଉଲ୍ଲେଖକରି ସରକାରଙ୍କୁ କେବଳ ଚେତାଇ ଦେଇଛନ୍ତି।
ସରକାରଙ୍କ ଉପରେ ଭରସା ନ’ରହିଲେ ଏବଂ ଏକ ଭୟ ତଥା ଆଶଙ୍କାର ବାତାବରଣ ସୃଷ୍ଟି ହେଲେ ବିକାଶଧାରା ମନ୍ଥର ହୋଇଥାଏ। ସରକାରୀ ସଂସ୍ଥାଙ୍କ ପ୍ରତି ଲୋକଙ୍କ ବିଶ୍ବାସ ହ୍ରାସ ପାଇ‌େ‌ଲ ଏହି ପ୍ରକ୍ରିୟା ତ୍ବରାନ୍ବିତ ହୋଇଥାଏ। ଏବେ ଲୋକଙ୍କର ବ୍ୟାଙ୍କ ଉପରେ ବିଶ୍ବାସ ହ୍ରାସ ପାଉଛି। ରାତାରାତି ବ୍ୟାଙ୍କ ବନ୍ଦ ଅଥବା ଦେବାଳିଆ ହେଉଥିବାରୁ ଲକ୍ଷଲକ୍ଷ ଜମାକାରୀ ନିଜ କଷ୍ଟାର୍ଜିତ ଅର୍ଥ ଉଠାଇ ପାରୁନାହାନ୍ତି। ଟଙ୍କା ବୁଡ଼ିଯିବା ଭୟରେ ବ୍ୟାଙ୍କ ସମୂହ ମଧ୍ୟ ମୋଟା ଅଙ୍କର ଋଣ ଦେବାକୁ କୁଣ୍ଠାବୋଧ କରୁଛନ୍ତି। ନିଯୁକ୍ତିର ଅଭାବ ଓ ବ୍ୟାପକ ବେକାରୀ ଯୋଗୁଁ ସବୁବର୍ଗ ମଧ୍ୟରେ ନୈରାଶ୍ୟ ସୃଷ୍ଟି ହୋଇଛି। ଯେ କୌଣସି ଦେଶର ଅର୍ଥ ବ୍ୟବସ୍ଥା ସେଇ ଦେଶର ସାମାଜିକ ସ୍ଥିତିକୁ ଦର୍ଶାଇଥାଏ। ଏହା ବିଗିଡ଼ିଲେ ସାମାଜିକ ସ୍ଥିତି ଖରାପ ହୁଏ। ବିଶ୍ବ ମାନ୍ଦାବସ୍ଥା ଭାରତର ଦୁର୍ଦିନ ପାଇଁ ନିଶ୍ଚିତ ଗୋଟିଏ କାରଣ। ତେବେ ଏହା ବାହାରେ ଆଉ କିଛି ପ୍ରମୁଖ କାରଣ ରହିଛି ଯାହା ଅର୍ଥନୀତିକୁ ଅଧିକ ବିପର୍ଯ୍ୟସ୍ତ କରୁଛି। ଏ ସମ୍ପର୍କରେ ଡକ୍ଟର ସିଂହ ଲେଖିଥିବା ଏକ ଲେଖାରେ ଦର୍ଶାଇଛନ୍ତି ଯେ ଲୋକଙ୍କର ସରକାରୀ ସଂସ୍ଥା; ବ୍ୟାଙ୍କ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଉପରେ ବିଶ୍ବାସ ଓ ଭରସା କମିଛି। ବ୍ୟାଙ୍କ ଋଣ ମିଳୁନାହିଁ। ଶିଳ୍ପପତି ନୂଆ ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଭୟ କରୁଛନ୍ତି। ଷ୍ଟାର୍ଟଅପ୍‌ ଗୁଡ଼ିକ ଆଗେଇ ପାରୁନାହିଁ। ବଡ଼ ସଂସ୍ଥାର ଅଧିକାରୀମାନେ ସତ କହିବାକୁ ଡରୁଛନ୍ତି। ତାଙ୍କର ଏସବୁ କଥାକୁ ସରକାର ଫାଙ୍କି ଦେଇପାରିବେ ନାହିଁ। ଉଚ୍ଚ ସରକାରୀ ସ୍ତରରେ କେଉଁଠି ଏପରି କିଛି ଚାପ ପଡ଼ୁଛି ଯାହା ଆର୍ଥିକ ଇଞ୍ଜିନ୍‌କୁ ଠିକଣାଭାବେ ଚଳାଇବାରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ମହଙ୍ଗାରେ ଲୋକେ ଘାଣ୍ଟି ହେଉଛନ୍ତି। ପନିପରିବାଠାରୁ ଆରମ୍ଭ କରି ସବୁ ନିତ୍ୟ ବ୍ୟବହୃତ ସାମଗ୍ରୀର ମୂଲ୍ୟ ଏବେ ଆକାଶଛୁଆଁ। ପାଞ୍ଚଶହ ଟଙ୍କା ନେଇ ବଜାରକୁ ଗଲେ ବ୍ୟାଗ୍‌ ପୂରୁନାହିଁ। ସରକାର ବାସ୍ତବତାକୁ ବୁଝିବା ଦରକାର। ବଡ଼ବଡ଼ କଥା କହି ଓ ପ୍ରଚାରସର୍ବସ୍ବ ନ’ହୋଇ ବାସ୍ତବବାଦୀ ପଦକ୍ଷେପ ନିଅନ୍ତୁ ତା’ ନ’ନେଲେ ଦେଶର ଅର୍ଥନୀତି ଓ ସାମାଜିକ ସ୍ଥିତି ଭୁଶୁଡ଼ି ପଡ଼ିବ।
ଦେଶର ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ପରିସ୍ଥିତିର ଗୁରୁତ୍ବ ଉପଲବ୍ଧି କରନ୍ତୁ। ଲୋକଙ୍କ ବାସ୍ତବ ସ୍ଥିତିକୁ ବୁଝନ୍ତୁ। ସମାଲୋଚନାକୁ ରାଜନୈତିକ ନ’କହି ଏହାର ଗୁରୁତ୍ବ ବୁଝି ପ୍ରତିକାର ବ୍ୟବସ୍ଥା କରନ୍ତୁ। ସାଧାରଣ ଲୋକ ବା ମୋଦୀଙ୍କ ଭାଷାରେ ‘ଆମ ଆଦ୍‌ମି’ଙ୍କ ପ୍ରତି ସୁ ନଜର ପଡ଼ୁ। ପରିସ୍ଥିତି ଅଣାୟତ୍ତ ହେବାପୂର୍ବରୁ ସରକାରଙ୍କ ନିଦ ଭାଙ୍ଗୁ।