ନିର୍ଦେଶ ପାଳିତ ହେଉ

0

ଗୋସୁରକ୍ଷା ନାମରେ ଗତବର୍ଷଠାରୁ ଦେଶରେ ହେଉଥିବା ହତ୍ୟାକାଣ୍ଡ ନେଇ ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତାପ୍ରକଟ କରିବା ସହ ସଂସଦକୁ ଏ ନେଇ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ନିର୍ଦେଶ ଦେବା ସ୍ବାଗତଯୋଗ୍ୟ। ନ୍ୟାୟାଳୟ ସ୍ପଷ୍ଟଭାବେ କହିଛନ୍ତି ଯେ ସଂଗଠିତ ଗୋଷ୍ଠୀର ହିଂସାକାଣ୍ଡକୁ କୌଣସି ମତେ ସହ୍ୟ କରାଯିବ ନାହିଁ ଏବଂ ଏକାଠି ମିଶି ଆଇନକୁ ହାତକୁ ନେବାକୁ ଚେଷ୍ଟା କରୁଥିବା ଲୋକଙ୍କ ପାଇଁ ଏଭଳି ଆଇନ ତିଆରି ହେବା ଆବଶ୍ୟକ, ଯାହା ସେମାନଙ୍କ ମନରେ ଭୟ ସୃଷ୍ଟି କରିପାରିବ। ପ୍ରଧାନ ବିଚାରପତି ଦୀପକ ମିଶ୍ର, ନ୍ୟାୟମୂର୍ତ୍ତି ଏ ଏମ୍ ଖାନୱିଲକର ଓ ଡି ୱାଇ ଚନ୍ଦ୍ରଚୁଡ଼ଙ୍କ ତିନିଜଣିଆ ପୀଠ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଭବିଷ୍ୟତରେ ଏଭଳି ଗୋଟିଏ ବି ଘଟନା ଯେମିତି ନ ଘଟିବ, ସେଥିପାଇଁ ସମସ୍ତ ପ୍ରକାର ପ୍ରତିରୋଧକ, ଶାସ୍ତିମୂଳକ ଓ ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି। ଗତ ମାସରେ ନ୍ୟାୟାଳୟ କହିଥିଲେ ଯେ ଯେକୌଣସି ବିଷୟରେ ହେଉ, ସଂଗଠିତ ଗୋଷ୍ଠୀ ବା ଦଳ ଯଦି କାହାକୁ ହତ୍ୟା କରୁଛନ୍ତି ତାହା ଏକ ବଡ଼ ଅପରାଧ ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା ରାଜ୍ୟ ସରକାରମାନଙ୍କ ଦାୟିତ୍ବ। ନ୍ୟାୟାଳୟ ଏହି ଚେତାବନୀ ଦେବା ମୂଳରେ ରହିଛି ତିନିଟି ରାଜ୍ୟ ସରକାରଙ୍କ ଅବହେଳା। ପ୍ରକୃତରେ ଗତବର୍ଷ ସେପ୍ଟେମ୍ବର ୬ରେ ନ୍ୟାୟାଳୟ ଦେଇଥିବା ଏ ସମ୍ପର୍କିତ ନିର୍ଦେଶକୁ ରାଜସ୍ଥାନ, ହରିୟାଣା ଓ ଉତ୍ତର ପ୍ରଦେଶ ସରକାର ଆଦୌ ପାଳନ କରିନଥିବା ଏବଂ ଅବମାନନା କରିଥିବା ନେଇ ମହାତ୍ମା ଗାନ୍ଧୀଙ୍କ ପ୍ରପୌତ୍ର ତୁଷାର ଗାନ୍ଧୀ ଅଦାଲତରେ ଅବମାନନା ଅର୍ଜି ଦାଖଲ କରିଥିଲେ।
ଉଲ୍ଲେଖନୀୟ, ୨୦୧୪ ମସିହା ପରଠାରୁ ଦେଶର ବିଭିନ୍ନ ଅଞ୍ଚଳରେ, ବିଶେଷ କରି ବିଜେପି ଶାସିତ ରାଜ୍ୟଗୁଡ଼ିକରେ ତଥାକଥିତ ଗୋସୁରକ୍ଷାକାରୀଙ୍କ ଦ୍ବାରା ଗୋହତ୍ୟା ସନ୍ଦେହରେ ମାଡ଼ ମାରିବା ଏବଂ ହତ୍ୟା କରିବା ଭଳି ବହୁ ଘଟନା ଘଟିଆସିଛି। ଏଥିରେ ସଂଖ୍ୟାଲଘୁ ଓ ଦଳିତମାନେ ହିଁ ମୁଖ୍ୟତଃ ନିଶାଣ ହେଉଛନ୍ତି। ଦୁଃଖର କଥା ଯେ ଏହି ଧାରା ଏ ପର୍ଯ୍ୟନ୍ତ ମଧ୍ୟ ବନ୍ଦ ହୋଇନାହିଁ। ଗତ ମାସରେ ଝାଡ଼ଖଣ୍ଡରେ ବାଛୁରୀ ଚୋରି ଅଭିଯୋଗରେ ଦୁଇଜଣ ମୁସଲମାନ ବ୍ୟକ୍ତିଙ୍କୁ ଏହି ତଥାକଥିତ ଗୋସୁରକ୍ଷାକାରୀମାନେ ହତ୍ୟା କରିଥିଲେ। ସେହିପରି ଉତ୍ତରପ୍ରଦେଶର ହାପୁଡ଼ରେ ଗତ ମାସରେ ହିଁ ହିତାହିତଜ୍ଞାନଶୂନ୍ୟ ଲୋକେ ଗୋହତ୍ୟା କରିଥିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଇଥିଲେ। ଦୁଇ ମାସ ତଳେ, ମେ ମାସରେ ମଧ୍ୟପ୍ରଦେଶର ସତ୍‌ନା ଜିଲାରେ ଗୋମାଂସ ରଖିଥିବା ଅଭିଯୋଗରେ ଚାରିଜଣ ବ୍ୟକ୍ତି ମିଳିତ ଭାବେ ଦୁଇଜଣଙ୍କୁ ହତ୍ୟା କରିଥିଲେ।
କେବଳ ଗୋହତ୍ୟା ବା ଗୋମାଂସ ରଖିଥିବା ଅଭିଯୋଗରେ ନୁହେଁ, ଗତ କେଇମାସ ଭିତରେ ପିଲାଚୋର ସନ୍ଦେହରେ ଦେଶର ବିଭିନ୍ନ ରାଜ୍ୟରେ ୧୩ଟି ପିଟିପିଟି ହତ୍ୟା କରିବା ଘଟନା ଘଟିଛି, ଯେଉଁଥିରେ ୨୭ ଜଣ ନିରପରାଧ ବ୍ୟକ୍ତିଙ୍କ ଜୀବନ ଯାଇଛି। ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ପ୍ରସାରିତ ଗୁଜବକୁ ଅନ୍ଧଭାବେ କିଛି ଲୋକ ବିଶ୍ବାସ କରି ଅଚିହ୍ନା ଲୋକଙ୍କୁ ହତ୍ୟା କରିବାକୁ ପଛେଇନାହାନ୍ତି। ଏହା ଏକ ବିପଜ୍ଜନକ ଧାରା। ଯେ କୌଣସି ସଭ୍ୟ ଦେଶ ପାଇଁ ଏପରି ଘଟନା ଲଜ୍ଜାଜନକ। ସରକାର ହ୍ବାଟ୍ସଆପ୍ ଭଳି ସାମାଜିକ ଗଣମାଧ୍ୟମକୁ ଏଥିପାଇଁ ତାଗିଦ୍ କରିଥିଲେ ହେଁ ତାହା ଯଥେଷ୍ଟ ନୁହେଁ। ଚିନ୍ତାର ବିଷୟ ହେଉଛି, ଏଭଳି ନୃଶଂସ ହତ୍ୟା କରୁଥିବା ଲୋକଙ୍କୁ ଆମ ବ୍ୟବସ୍ଥା ଦଣ୍ଡିତ କରିବାରେ ମଧ୍ୟ ବିଫଳ ହେଉଛି। ନ୍ୟାୟାଳୟ ଯଥାର୍ଥରେ ଏହାକୁ ହୃଦୟଙ୍ଗମ କରି ଏଥିପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ ଲାଗି ଯେଉଁ ନିର୍ଦେଶ ଦେଇଛନ୍ତି, ସରକାର ଅବିଳମ୍ବେ ସେ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ।

Leave A Reply