ବିୟୋଗ ପଥେ ଆୟୋଗ

0

ଓଡ଼ିଶା ମାନବାଧିକାର ଆୟୋଗ ଏହାର ପ୍ରତିଷ୍ଠା ଦିନରୁ ଯେଉଁ ଢଙ୍ଗରେ ଚାଲିଛି ଏବଂ ଏବେ ଏହା ଯେଉଁ ସ୍ଥିତିରେ ପହଞ୍ଚିଛି ତାହା ଦେଖିଲେ ଏକ ସାମ୍ବିଧାନିକ ସଂସ୍ଥା ଯେ ଅଚଳ ତଥା ବିୟୋଗପଥର ଯାତ୍ରୀ ସେ ଆଶଙ୍କା ମନକୁ ଘାରୁଛି। ଗତ ଛ’ବର୍ଷ ଧରି ଏହାର କେହି ମୁଖିଆ ନ’ରହିବା ଏବଂ ଏହା କାମଚଳା ବ୍ୟବସ୍ଥାରେ ଢୋକେ ପିଇ ଦଣ୍ଡେ ଜିଇବା ଭଳି ଚାଲିବା ଆମ ସାମ୍ବିଧାନିକ ପ୍ରତିବଦ୍ଧତାକୁ ନେଇ ଅବଶ୍ୟ ପ୍ରଶ୍ନ ଉଠାଉଛି। ଏବେ ଏହାର କାମଚଳା ମୁଖ୍ୟ ଅବସର ନେବାପରେ ଏହି ସଂସ୍ଥାରେ କେହି ଅଧ୍ୟକ୍ଷ କିମ୍ବା ସଦସ୍ୟ ନାହାନ୍ତି। ଏଭଳି ଅବସ୍ଥାରେ ଏହାର କର୍ମଚାରୀ, ଭିତ୍ତିଭୂମି ଓ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବାର କୌଣସି ଯଥାର୍ଥତା ନାହିଁ; ଏଇଥିପାଇଁ ଯେ ଏସବୁ ଅଗ୍ରେ ଧାବତି, ଧାବତି ଭଳି ବୁଝି ହୋଇଯାଉଛି।
ସୂଚନା ଅଧିକାର ପ୍ରାପ୍ତି ଏବେ ସମ୍ବିଧାନିକ ହୋଇଛି। ହେଲେ ଏହି ଅଧିକାର ସାବ୍ୟସ୍ତ କରିବ କିଏ? ଏଥିପାଇଁ ଉଦ୍ଦିଷ୍ଟ ସଂସ୍ଥା ଯଦି ଏଭଳି ଅବସ୍ଥାରେ ଗତି କରିବ, ଧରିନେବାକୁ ହେବ ଯେ ସରକାର ଏଥିପାଇଁ ଆଗ୍ରହୀ ନୁହନ୍ତି। ମାନବାଧିକାର ସୁରକ୍ଷା ଆଧୁନିକ ଗଣତନ୍ତ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଏଥିପାଇଁ କେବଳ ଅନୁଷ୍ଠାନ ନିର୍ମାଣ ନୁହେଁ, ଏହାର ସୁଚାରୁ ପରିଚାଳନା ଓ ସଫଳ କାର୍ଯ୍ୟକାରିତା ପାଇଁ ଆବଶ୍ୟକ ବ୍ୟବସ୍ଥା ସୁରକ୍ଷିତ କରିବାକୁ ​‌େ‌ହବ। କେଉଁଥିପାଇଁ ଓଡ଼ିଶା ସରକାର ଏ କ୍ଷେତ୍ରରେ ବିଫଳ ହେଉଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ବ୍ୟାପାର। ତାହାର ଅର୍ଥ ନୁହେଁ ଏକ ସାମ୍ବିଧାନିକ ସଂସ୍ଥାକୁ ଅବହେଳା କରି ଏହାକୁ ଅକାମୀ କରିଦିଆଯିବ। ଆଶା କରିବା ଯଥାଶୀଘ୍ର ସମ୍ଭବ, ସରକାର ଆବଶ୍ୟକ ପଦକ୍ଷେପ ନେଇ ଏହି ଆୟୋଗକୁ ସ୍ବାଧୀନଭାବେ କାମ କରିବାପାଇଁ ସବୁ ସୁବିଧା ସୁଯୋଗର ବନ୍ଦୋବସ୍ତ କରିବେ।

Leave A Reply