ମୂଲ୍ୟବୋଧ ଅବକ୍ଷୟ ଓ ପୈଶାଚିକ ମାନସିକତା ମାନସିକତା

0

ପ୍ରଦୋଷ ପଟ୍ଟନାୟକ

ପିତାମାତା, ଅଭିଭାବକ ଓ ଗୁରୁଜନ ସ୍ଥାନୀୟ ବ୍ୟକ୍ତିଙ୍କୁ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିବା ଯୁଗଯୁଗ ଧରି ସୁ-ମହାନ ଭାରତୀୟ ସଂସ୍କୃତିର ଏକ ପ୍ରଧାନ ବୈଶିଷ୍ଟ୍ୟ ରୂପେ ବିବେଚିତ ହୋଇଆସିଛି। ପୁରାଣ ଓ ଇତିହାସ ପୃଷ୍ଠାରେ ମଧ୍ୟ ଏଭଳି ଶ୍ରଦ୍ଧା ଓ ଭକ୍ତିର ଅସଂଖ୍ୟ ଉଦାହରଣ ରହିଛି। ହିନ୍ଦୁ ଧର୍ମର ଆରାଧ୍ୟ ପ୍ରଭୁ ଶ୍ରୀରାମଚନ୍ଦ୍ର ପିତୃସତ୍ୟ ପାଳନ କରିବା ନିମନ୍ତେ ରାଜସିଂହାସନ ପରିତ୍ୟାଗ କରି ଦୀର୍ଘ ଚଉଦବର୍ଷ ବନବାସ କରିବାର ଦୃଷ୍ଟାନ୍ତ ଥିବାବେଳେ ଶ୍ରବଣ କୁମାର ଦୃଷ୍ଟିହୀନ ପିତାମାତାଙ୍କ ଅଭିଳାଷ ପୂରଣ କରିବାଲାଗି କିପରି ଚରମ ତ୍ୟାଗ, କଷ୍ଟ ସ୍ବୀକାର କରିଥିଲେ, ତାହା ବି ଲିପିବଦ୍ଧ ରହିଛି। ଇତିହାସ ପୁରୁଷ ଛତ୍ରପତି ଶିବାଜି ତାଙ୍କର ମା’ ଜିଜାବାଇଙ୍କୁ ସର୍ବାଧିକ ଶ୍ରଦ୍ଧା ଓ ଭକ୍ତି ପ୍ରଦର୍ଶନ କରୁଥିଲେ ଏବଂ ତାଙ୍କଠାରୁ ପ୍ରେରଣା ଓ ଆଶୀର୍ବାଦ ଲାଭକରି ବିଜୟୀ ବୀର ହୋଇପାରିଥିଲେ।
ତେବେ ଆଜିକାଲି ସମାଜର ସବୁସ୍ତରରେ ମୂଲ୍ୟବୋଧର ଘୋର ଅବକ୍ଷୟ ଘଟି ଚାଲିଥିବାବେଳେ ପିତାମାତା ଓ ଗୁୁରୁଜନ, ସ୍ଥାନୀୟ ବ୍ୟକ୍ତିଙ୍କୁ ଶ୍ରଦ୍ଧା, ଭକ୍ତି ଓ ସମ୍ମାନ ପ୍ରଦର୍ଶନ କରିବାର ପରମ୍ପରାରେ ମଧ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପାଶ୍ଚାତ୍ୟ ସଂସ୍କୃତିର ଅନ୍ଧ ଅନୁସରଣ ଆମକୁ ଏଭଳି ବିପଥଗାମୀ କରି ପକାଇଛି ଯେ, ପ୍ରଣମ୍ୟ ପିତାମାତାଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଇ ସେମାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିବା ଓ ଦୂରର କଥା, ସେମାନଙ୍କ ଛାଇଠାରୁ ମଧ୍ୟ ଦୂରେଇ ରହିବାର କୁତ୍ସିତ ମାନସିକତା ଗ୍ରାସ କରିଛି। ବହୁ ପାଶ୍ଚାତ୍ୟ ଦେଶରେ ପିତାମାତାଙ୍କୁ ଘରୁ କାଢ଼ିଦେଇ କେବଳ ନିଜର ସ୍ତ୍ରୀ ଓ ପିଲାଙ୍କ ସହ ବିଳାସପୂର୍ଣ୍ଣ ଜୀବନ ବିତାଇବା ଏବଂ ଜରା ନିବାସ ଓ ଅନ୍ୟ କୌଣସିଠାରେ ଦୁଃଖଯନ୍ତ୍ରଣା ଭିତରେ ନିଃସଙ୍ଗ ଜୀବନ କାଟୁଥିବା ପିତାମାତାଙ୍କ ମୃତ୍ୟୁଖବର ପାଇବା ପରେ ଶବାଧାର ଉପରେ ଗୋଲାପ ଫୁଲଟିଏ ଦେଇ ଆସିବା ବର୍ତ୍ତମାନ ଏକ ପରମ୍ପରା‌େ‌ର ପରିଣତ ହୋଇସାରିଲାଣି। ଏହି ବିପଜ୍ଜନକ ପରମ୍ପରା ଆମ ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମିତ ହୋଇଥିବାବେଳେ ଓଡ଼ିଶା ବି ସେଥିରୁ ବାଦ୍‌ ପଡ଼ିନାହିଁ ।
ସମ୍ବାଦପତ୍ର ପୃଷ୍ଠାରେ ପ୍ରକାଶିତ ବିଗତ ଦୁଇମାସର ଘଟଣାବଳୀ ଉପରେ ଦୃଷ୍ଟିପାତ କଲେ ବର୍ତ୍ତମାନର ଅବକ୍ଷୟମୁଖୀ ସମାଜର କେତୋଟି କରୁଣ ଓ ଶୋକାବହ ଚିତ୍ର ସାମନାକୁ ଆସୁଛି। ସେଥିମଧ୍ୟରୁ ଜୁନ୍‌ ୧୫ ତାରିଖ ସମ୍ଭବତ ଥିଲା ସବୁଠାରୁ କଳଙ୍କିତ ଦିନ, ଯେଉଁଦିନ ମାତ୍ର ଚାରିଘଣ୍ଟା ବ୍ୟବଧାନରେ ରାଜ୍ୟର ଦୁଇଟି ସ୍ଥାନରେ ପିଶାଚ ପାଲଟିଥିଲା ମଣିଷ, ନିଜ ହାତରେ ଜନ୍ମଦାତା ପିତାମାତାଙ୍କୁ ହତ୍ୟା କରିଥିଲା। ଅନୁଗୋଳ ଜିଲାର କିଶୋରନଗର ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଉଦ୍‌ଭ୍ରାନ୍ତ ଯୁବକ ନିଜର ବୃଦ୍ଧ ପିତାମାତାଙ୍କୁ ହାତୁଡିରେ ପିଟିପିଟି ମାରି ଦେଇ ରାସ୍ତା ଉପରେ ଫିଙ୍ଗି ଦେଇଥିବା ଖବର ଛାତି ଥରାଇ ଦେଇଥିଲା। କ୍ରୋଧାନ୍ବିତ ଆତତାୟୀ ଦୃଷ୍ଟିରେ ପିତାମାତାଙ୍କର ଏକମାତ୍ର ଦୋଷ ଥିଲା ବିନା କାରଣରେ ବୋହୂକୁ ନିସ୍ତୁକ ପିଟି ଚାଲିଥିବା ପୁଅକୁ ସେଥିରୁ କ୍ଷାନ୍ତ ରଖିବା ଲାଗି ଉଦ୍ୟମ କରିବା। ଠିକ୍‌ ସେଇଦିନ ଦେବଗଡ଼ ଜିଲା ଅନ୍ତର୍ଗତ କୁଣ୍ଢେଇପାଳ ଥାନାର ସୁରଙ୍ଗିପାଳ ଗ୍ରାମରେ ସାମାନ୍ୟ ବଚସାରୁ ଜଣେ ମଦ୍ୟପ ପୁଅ ତା’ର ବାପାକୁ ଗୁଳି କରି ହତ୍ୟା କରିଥିଲା। ୨୨ବର୍ଷର ଯୁବକଜଣକ ପ୍ରଚୁର ମଦ ପିଇ ମାତାଲ ଅବସ୍ଥାରେ ଘରକୁ ଫେରିବା ପରେ ଟଙ୍କା ପାଇଁ ବାପାଙ୍କ ସହ କଳି କରିଥିଲା। ଟଙ୍କା ନପାଇବାରୁ ଘରେ ଲୁଚାଇ ରଖିଥିବା ଦେଶୀବନ୍ଧୁକ ବାହାର କରି ୫୫ ବର୍ଷୀୟ ବାପାଙ୍କୁ ଗୁଳି କରି ମାରିଦେଲା। ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ନିକଟ ଅତୀତରେ ଯେଉଁ କରୁଣ ଘଟଣା ଲୋକଲୋଚନକୁ ଆସିଥିଲା, ସମ୍ଭବତଃ ସମସାମୟିକ ଇତିହାସରେ ତାହା ଏକ ଲଜ୍ଜାକର ଅଧ୍ୟାୟ ସୃଷ୍ଟି କରିଛି। ଗୋଟିଏ କିମ୍ବା ଦୁଇଟି ନୁହେଁ, ପାଞ୍ଚପାଞ୍ଚଟି ପୁଅକୁ ଜନ୍ମ ଦେଇଥିବା ପିତାମାତା ସମସ୍ତ ସନ୍ତାନଙ୍କ ଦ୍ବାରା ଅବହେଳିତ ଓ ଉପେକ୍ଷିତ ହେବାପରେ ଜୀବନ ଯନ୍ତ୍ରଣାର ଭାର ସହି ନପାରି ଦଉଡ଼ିଦେଇ ଆତ୍ମହତ୍ୟା କରିଥିଲେ। ନିଜର ପେଟ କାଟି ପୁଅମାନଙ୍କର ଭୋକ ମେଣ୍ଟାଉଥିଲେ, ସେମାନଙ୍କୁ ପାଠ ପଢ଼ାଉଥିଲେ। ପିତାମାତାଙ୍କ ଆଶା ଥିଲା ବାର୍ଦ୍ଧକ୍ୟରେ ସେମାନଙ୍କ ପାଇଁ ସାହାଭରସା ହେବେ, ସେମାନଙ୍କୁ ସୁଖଶାନ୍ତିରେ ରଖିବେ। ମାତ୍ର ଫଳ ​‌େ​‌ହଲା ଠିକ୍‌ ବିପରୀତ। ସୁଖସମ୍ଭୋଗ ଓ ବିଳାସଭିତରେ ସମୟ ବିତାଉଥିବା ପୁଅ, ବୋହୂ ଓ ନାତିନାତୁଣୀମାନେ ବୃଦ୍ଧ-ବୃଦ୍ଧାଙ୍କୁ ଆଦରଯତ୍ନରେ ରଖିବା ତ ଦୂରର କଥା, ସେମାନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ଦେଇ ନ ଥିଲେ। ଏହାର କରୁଣ ପରିଣତି ଥିଲା ପିତାମାତାଙ୍କ ଆତ୍ମହତ୍ୟା। ଏହି ସମସ୍ତ ଘଟଣା ଭାରତୀୟ ସଭ୍ୟତା, ସଂସ୍କୃତି ଓ ମୂଲ୍ୟବୋଧକୁ ଉପହାସ କରୁନାହିଁକି?
ପୈଶାଚିକ ମାନସିକତାର ଏଭଳି ଅସଂଖ୍ୟ ଦୃଷ୍ଟାନ୍ତ ସାମନାକୁ ଆସିବାପରେ ବିଳମ୍ବରେ ହେଲେ ବି ସରକାରଙ୍କ ନିଦ୍ରାଭଙ୍ଗ ହୋଇଛି ଏବଂ ଏହାକୁ ରୋକିବା ସକାଶେ କଠୋର ଆଇନ୍‌ ପ୍ରଣୟନ କରିବାକୁ ଏବେ ବିଚାର ଚାଲିଛି। ମାଆବାପାଙ୍କୁ ନିର୍ଯାତନା ଦେଇ ସମ୍ପତ୍ତି ନିଜ ନାମରେ କରାଇନେବା କ୍ଷେତ୍ରରେ କେନ୍ଦ୍ର ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଭଳି ମାମଲାରେ କେବଳ ଗୋଟିଏ ଅଭିଯୋଗରେ ବାପାମାଆଙ୍କୁ ସମ୍ପତ୍ତି ଫେରାଇବାର ବ୍ୟବସ୍ଥା ରଖିବାକୁ ବିଚାର କରାଯାଉଛି। ପିତାମାତା ଓ ବରିଷ୍ଠ ନାଗରିକଙ୍କ ଦେଖାଶୁଣା ଓ କଲ୍ୟାଣ ନିମନ୍ତେ ୨୦୦୭ ମସିହାରୁ ଆମ ଦେଶରେ ଆଇନ୍‌ ରହିଛି। ମାତ୍ର ବର୍ତ୍ତମାନର ପରିବର୍ତ୍ତିତ ସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଅଧିକ କଠୋର କରିବା ନିମନ୍ତେ ଆବଶ୍ୟକ ସଂଶୋଧନ କରାଯିବ। ତେବେ ଦୁର୍ଭାଗ୍ୟର ବିଷୟ ହେଉଛି ଯେ, ପିତାମାତାଙ୍କୁ ଭଲ ପାଇ ସେମାନଙ୍କ ପ୍ରତି ଦାୟିତ୍ବ ତୁଲାଇବାକୁ ଶେଷରେ ଆଇନଗତ ପନ୍ଥାର ଆଶ୍ରୟ ନେବାକୁ ପଡ଼ିଲା।
ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର, ଭୁବନେଶ୍ବର

Leave A Reply