ଆଶାଠୁ ଆଶଙ୍କା ବେଶି

0

ବାସ୍ତରୀତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲାରୁ ଦେଇଥିବା କବିତାଯୁକ୍ତ ବୟାଅଶୀ ମିନିଟ୍‌ର ଉଦ୍‌ବୋଧନ କେତେକାଂଶରେ ନିର୍ବାଚନଭିତ୍ତିକ ହୋଇଥିଲେ ହେଁ ସେପରି ନିରୁତ୍ସାହଜନକ ନଥିଲା ବୋଲି କୁହାଯାଇପା​‌େ​‌ର। ଅଧିକନ୍ତୁ ତାହା ଶୁଭୁଥିଲା ସକାରାତ୍ମକ ଓ ଆଶାଜନକ। ଏନଡିଏ ସରକାରଙ୍କ ଶାସନ କାଳର ଉପଲବ୍ଧି ବର୍ଣ୍ଣନା କରିବାବେଳେ ଭାରତବାସୀଙ୍କୁ ଆହୁରି ସୁନ୍ଦର ସ୍ବପ୍ନ ଦେଖାଇବାକୁ ବି ଭୁଲିନଥିଲେ ପ୍ରଧାନମନ୍ତ୍ରୀ। ଦେଶ ଆର୍ଥିକ କ୍ଷେତ୍ରରେ ଉନ୍ନତି କରୁଥିବା କଥା କେବଳ ଚର୍ବିତ ଚର୍ବଣ। ଅବଶ୍ୟ ମହାକାଶ, ବିଜ୍ଞାନ, ପ୍ରଯୁକ୍ତି ଭଳି କ୍ଷେତ୍ରରେ ଦେଶ ପୂର୍ବାପେକ୍ଷା ଅଧିକ ବିକାଶଲାଭ କରିଛି। ଅନୁମାନ ମୁତାବକ ଶ୍ରୀ ମୋଦୀ ‘ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ ବା ‘ଆୟୁଷ୍ମାନ ଭାରତ’ ଯୋଜନା ସମ୍ବନ୍ଧରେ ମଧ୍ୟ ଘୋଷଣା କଲେ, ଯାହା ସେପ୍ଟେମ୍ବର ୨୫ରୁ କାର୍ଯ୍ୟକାରୀ ହେବ। ଦେଶର ଦଶ କୋଟି ପରିବାରକୁ ବର୍ଷକୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ସ୍ବାସ୍ଥ୍ୟବୀମା ପ୍ରଦାନ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ବାସ୍ତବ ରୂପାୟନ କିପରି ହେଉଛି, ତାହା ଦେଖିବା କଥା। ଏଭଳି ମଞ୍ଚରେ ଯେଉଁ ମହଦାକାଙ୍‌କ୍ଷୀ ଘୋଷଣାମାନ କରାଯାଏ, ତାହା ତତ୍କାଳ ଶୁଣିବାକୁ ଖୁବ୍ ଭଲ ଲାଗେ ସିନା; ପରେ ଶୀତଳଭଣ୍ଡାରରେ ହିଁ ପଡ଼ି ରହିବା ସାର ହୁଏ। ଯଦିବା କାର୍ଯ୍ୟକାରୀ ହୁଏ, ତାହା ଆଶାନୁରୂପ ହୋଇପାରେନା। ଶ୍ରୀ ମୋଦୀ ତାଙ୍କର ପ୍ରଥମ ସ୍ବାଧୀନତା ଦିବସ ବକ୍ତୃତାରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଘୋଷଣା କରିଥିଲେ, ଯାହା ଅଧିକାଂଶ ଭାରତୀୟଙ୍କୁ ବେଶ୍ ଆକର୍ଷଣୀୟ ମନେହୋଇଥିଲା; କିନ୍ତୁ ଏହା ବର୍ତ୍ତମାନ ସୁଦ୍ଧା ମଧ୍ୟ ଅଧାଅଧୁରା ପଡ଼ିରହିଛି ଓ ଏ ନେଇ ବର୍ତ୍ତମାନ କେହି କାର୍ଯ୍ୟରେ କରିଦେଖାଇବାକୁ ଚେଷ୍ଟିତ ଥିବା ଜଣାପଡ଼ୁନାହିଁ। ଅବଶ୍ୟ ସ୍ବଚ୍ଛତା ନାମରେ ଦେଶବାସୀ ଟିକସ ଗଣିବାକୁ ବାଧ୍ୟ ହେଉଛନ୍ତି! ତେଣୁ ଡାକ୍ତରଖାନାରେ ଭିତ୍ତିଭୂମି ଓ ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀର ଘୋର ଅଭାବ ଥିବା ଏକ ଦେଶରେ କିଭଳି ଏହି ସ୍ବାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ ହେବ, ତାହା ସନ୍ଦେହ ସୃଷ୍ଟି କରିବା ସ୍ବାଭାବିକ।
ମୋଦୀ କହିଥିଲେ ଯେ ପୂର୍ବରୁ ଶୋଇରହିଥିବା ହାତୀ ଭାରତ ଏବେ ଦୌଡୁଛି। ଏହା ଶୁଣିବାକୁ ଖୁବ୍ ଆହ୍ଲାଦକର ଲାଗୁଥିଲେ ହେଁ ବାସ୍ତବତା ଅଲଗା। କେବଳ ଆର୍ଥିକ ପରିସଂଖ୍ୟାନରେ ବିକାଶ ପ୍ରକୃତ ବିକାଶ ନୁହେଁ। ଦେଶରେ ଗତ ଚାରିବର୍ଷ ଭିତରେ ଚାଷୀ ଆତ୍ମହତ୍ୟା, ଧନୀ-ଗରିବ ଅସମାନତା, ଜାତି-ସଂପ୍ରଦାୟକୁ ନେଇ ହିଂସା ଆଦି ପୂର୍ବାପେକ୍ଷା ବୃଦ୍ଧି ପାଇଛି। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ ମୋଦି ଏକ ନୂତନ ଯୋଜନା ପ୍ରଣୟନ କରିବେ ବୋଲି କହି ଚାଷୀଙ୍କୁ ପୁଣିଥରେ ନୂଆ ସ୍ବପ୍ନ ଦେଖାଇଛନ୍ତି। ଏହାକୁ ଚାଷୀକୁଳ ନିର୍ବାଚନ ଭେଳିକି ଭାବିବା କିଛି ବିଚିତ୍ର ନୁହେଁ; କାରଣ ମୋଦୀ ସରକାର ତାଙ୍କ ଶାସନକାଳରେ କୃଷି ଓ କୃଷକକୁ ଯେଉଁ ଅବହେଳା କରିଛନ୍ତି, ତାହା ସେମାନେ ଅଙ୍ଗେ ନିଭାଇ ଚାଲିଛନ୍ତି। ସୁନ୍ଦର ଭାଷଣ ଓ ପ୍ରତିଶ୍ରୁତିରେ ଦେଶ ଆଗକୁ ଯାଏନା। ନିଜକୁ ବିଶ୍ବସନୀୟ କରିବାକୁ ହେଲେ ମୋଦୀ ସରକାରଙ୍କୁ କେବଳ ପରିସଂଖ୍ୟାନର ଖେଳ ନଦେଖାଇ କିଛି ଠୋସ୍ କାର୍ଯ୍ୟ କରିଦେଖାଇବାକୁ ପଡ଼ିବ।

Leave A Reply