ସାଧୁ ସଂସର୍ଗର ସୁଫଳ

0

ଚୈତନ୍ୟଙ୍କର ଦୁଇ ପରମ ଭକ୍ତ ଥିଲେ ନିତାଇ ଓ ହରି ଦାସ। ଦୁହେଁ ଏକନିଷ୍ଠ ଭାବରେ ଭଗବତ୍‌ ନାମ କୀର୍ତ୍ତନ କରି ଭକ୍ତିରସର ପ୍ରଚାରପ୍ରସାର କରୁଥିଲେ।
ଜଗାଇ-ମାଧାଇ ନାମକ ଦୁଇଜଣ ଅତି ଦୁଷ୍ଟ ସ୍ବଭାବର ବ୍ୟକ୍ତି ଥିଲେ। ଦିନେ ଦୁହେଁ ରାସ୍ତାରେ ଯାଉଥିବା ସମୟରେ ନିତାଇ ଓ ହରିଦାସଙ୍କର ଭେଟ ହୋଇଗଲା। ନିତାଇଙ୍କ ସହ ଚୈତନ୍ୟଙ୍କ ଅନ୍ୟ ଶିଷ୍ୟବୃନ୍ଦ ମଧ୍ୟ ପ୍ରଭୁନାମ କୀର୍ତ୍ତନ କରିକରି ଯାଉଥାନ୍ତି। ଦୁଇ ଅଭ୍ୟାସଗତ ଦୁଷ୍ଟ ଏହା ଦେଖିଲାମାତ୍ରେ ନାମ କୀର୍ତ୍ତନ ବନ୍ଦ କରିବାକୁ କହିଥିଲେ। ସାଥିରେ ଥିବା ଶିଷ୍ୟମାନେ ଭୟରେ ଛାନିଆ ​‌େ​‌ହାଇ କୀର୍ତ୍ତନ ବନ୍ଦ କରିଦେଇଥିଲେ। ହେଲେ ହରିଦାସ ଓ ନିତାଇ ଦୁହେଁ ଭକ୍ତି ରସରେ ମଜ୍ଜି ଯାଇଥିବାରୁ ସେମାନଙ୍କ ଧମକକୁ ଖାତିର ନକରି ଉଚ୍ଚ ସ୍ବରରେ କୀର୍ତ୍ତନ କରିବାକୁ ଲାଗିଥିଲେ। ବାରମ୍ବାର ବନ୍ଦ କରିବାକୁ ଧମକ ଦେଇଥିଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ଜଗାଇ ମାଧାଇଙ୍କ କ୍ରୋଧ ଚରମସୀମାକୁ ଚାଲିଗଲା। ଦୁହେଁ ହାତରେ ଧରିଥିବା ଯଷ୍ଟି ସାହାଯ୍ୟରେ ଉଭୟଙ୍କୁ ପିଟିବାକୁ ଲାଗିଥିଲେ।
ସାଥିରେ ଥିବା ଶିଷ୍ୟମାନେ ଏଭଳି ଘଟଣା ଦେଖି ଦୌଡ଼ିଦୌଡ଼ିଯାଇ ଶ୍ରୀ ଚୈତନ୍ୟଙ୍କୁ ସେମାନଙ୍କ ଅତ୍ୟାଚାର ସମ୍ପର୍କରେ କହିଥିଲେ। ଏହା ଶୁଣିବାପରେ ଶ୍ରୀଚୈତନ୍ୟ ଅଳ୍ପ ହସି କହିଥିଲେ- ଚାଲ, ତୁମ ସହିତ ସେମାନଙ୍କ ପାଖକୁ ଯିବା।
ଚୈତନ୍ୟ ମହାପ୍ରଭୁ ସେହି ସ୍ଥାନରେ ପହଞ୍ଚିଲାବେଳକୁ ଦୁହେଁ ନିତାଇ ଓ ହରିଦାସଙ୍କୁ ପିଟିପିଟି ଲହୁଲୁହାଣ କରି ଦେଇଥାନ୍ତି। ସେମାନଙ୍କ ଶରୀରର ଏକାଧିକ ସ୍ଥାନରୁ ରକ୍ତ ଝରୁଥାଏ।
ଶ୍ରୀଚୈତନ୍ୟ ଜଗାଇ ମାଧାଇଙ୍କୁ ପାଖକୁ ଡାକିଥିଲେ। ଦୁହେଁ ଗର୍ବୋଦ୍ଧତ ଭାବରେ ଚୈତନ୍ୟଙ୍କ ନିକଟକୁ ଆସିଥିଲେ। ଶିଷ୍ୟମାନଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରି ଶ୍ରୀଚୈତନ୍ୟ ଦୁହିଁଙ୍କୁ ଆଲିଙ୍ଗନ କରିଥିଲେ। ଅବିଶ୍ବସନୀୟ ଘଟଣା ଘଟିଲା। ମହାପୁରୁଷଙ୍କ ପରଶରେ ଦୁହିଁଙ୍କୁ ହୃଦୟ ଆକସ୍ମିକ ଭାବରେ ବଦଳି ଯାଇଥିଲା । ଅନ୍ତରରୁ ସକଳ ଦୁଷ୍ପ୍ରବୃତ୍ତି ଦୂର ହୋଇଯାଇଥିଲା। ପ୍ରଥମ କରି ଦୁହେଁ ଅନୁଭବ କରିଥିଲେ ସାତ୍ତ୍ବିକତାର ପରଶ। ଏକ ଅନନ୍ୟ ଆନନ୍ଦରେ ଉଦ୍‌ବେଳିତ ହୋଇ ଦୁହେଁ ଶ୍ରୀଚୈତନ୍ୟଙ୍କ ପାଦତଳେ ପଡ଼ିଯାଇ ନିଜର କୁକୃତ୍ୟ ନିମନ୍ତେ କ୍ଷମା ମାଗିଥିଲେ । ଶ୍ରୀଚୈତନ୍ୟ ଉଦାର ହୃଦୟରେ ସେମାନଙ୍କୁ କ୍ଷମା କରିଦେଇଥିଲେ। ଏହାପରଠାରୁ ଦୁହେଁ ଶ୍ରୀଚୈତନ୍ୟଙ୍କ ଭକ୍ତ ମଣ୍ଡଳୀରେ ସାମିଲ ହୋଇଯାଇଥିଲେ।

Leave A Reply