କାହିଁକି ଭାଙ୍ଗିଲା?

0

ଯାହା ଆଶଙ୍କା କରାଯାଉଥିଲା, ଶେଷରେ ତାହା ଘଟିଲା। ଜାମ୍ମୁ-କାଶ୍ମୀରରେ ଦୀର୍ଘ ୩ ବର୍ଷ ଧରି ଚାଲିଥିବା ପିଡିପି-ବିଜେପି ମେଣ୍ଟ ସରକାରରୁ ଶେଷରେ ବିଜେପି ସମର୍ଥନ ପ୍ରତ୍ୟାହାର କଲା। ଏହି ମେଣ୍ଟକୁ ନେଇ ଆରମ୍ଭରୁ ହିଁ ଚାଲିଥିଲା ଟଣାଓଟରା। ରାଜ୍ୟରେ ଅଲଗାଅଲଗା ନିର୍ବାଚନ ଲଢିଥିଲେ ବି ପରବର୍ତ୍ତୀ ସମୟରେ ଉଭୟ ଏକ ସାଧାରଣ ଏଜେଣ୍ଡାରେ ଶାସନ ଚଳାଇବା ଲାଗି ମେଣ୍ଟ ସରକାର ଗଠନ କରିଥିଲେ। ଘରେ ନ ପଶୁଣୁ ଚାଳ ବାଜିବା ଭଳି କେତେକ ପ୍ରସଙ୍ଗକୁ ନେଇ ପିଡିପି ଓ ବିଜେପି ମଧ୍ୟରେ ରହିଥିଲା ତୀବ୍ର ମତାନ୍ତର। ଉଭୟ ଭିନ୍ନ ଆଭିମୁଖ୍ୟ ରଖୁଥିବା ଦଳ। ରମ୍‍ଜାନ୍‍ରେ ପାକିସ୍ତାନ ସହ ଅସ୍ତ୍ରବିରତି ଓ କାଶ୍ମୀରରେ ସେନା ଅପରେସନ୍ ବନ୍ଦ ଲାଗି ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହେବୁବା ମୁଫ୍‍ତିଙ୍କ ଜିଦ୍‍ ଆଗରେ କେନ୍ଦ୍ରର ବିଜେପି ସରକାର ସିନା ରାଜି ହେଲେ; କିନ୍ତୁ ଏଥିଯୋଗୁଁ ରାଜ୍ୟ ଓ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡିଲା। ଏହାକୁ ନେଇ କେବଳ ସେନା ନୁହେଁ; ବିଜେପି ପକ୍ଷରୁ ମଧ୍ୟ ରାଜନାଥ ଓ ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡିଥିଲା। ଏହି ମାସରେ ପଡୋଶୀ ପାକିସ୍ତାନ ପଟୁ ଏକାଧିକ ଯୁଦ୍ଧବିରତି ଉଲ୍ଲଙ୍ଘନ, ବରିଷ୍ଠ ସାମ୍ବାଦିକ ତଥା ‘ରାଇଜିଂ କାଶ୍ମୀର’ ଖବରକାଗଜର ସଂପାଦକ ଶୁଜାତ ବୁଖାରୀଙ୍କୁ ଶ୍ରୀନଗରର ପ୍ରେସ୍‍ କ୍ଲବ୍‍ଠାରେ ଅଜଣା ବନ୍ଧୁକଧାରୀଙ୍କ ଗୁଳିକରି ହତ୍ୟା, ଦିନକ ପୂର୍ବରୁ ଜଣେ ସେନା ମେଜରଙ୍କୁ ଅପହରଣ ଓ ପରେ ତାଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର ଆଦି ଘଟଣାକ୍ରମ ପିଡିପି ଓ ବିଜେପି ସଂପର୍କରେ ଭରିଥିଲା ଅନ୍ତିମ ତିକ୍ତତା।
କେବଳ ସେତିକି ନୁହେଁ; ଆରମ୍ଭରୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ବିରୋଧରେ ପିଡିପି କେତେକ ଚାପ ପକାଇଥିଲା। ପ୍ରଥମତଃ କାଶ୍ମୀର ବିଚ୍ଛିନ୍ନତାବାଦୀ ଓ ପାକିସ୍ତାନ ସହ ଆଲୋଚନା କରିବାକୁ ପିଡିପି ଚାହୁଁଥିଲା; ମାତ୍ର ବିଚ୍ଛିନ୍ନତାବାଦୀ ଶକ୍ତି ପାକିସ୍ତାନ ଏଜେଣ୍ଡାରେ କାମ କରୁଥିବାରୁ ସେମାନଙ୍କ ସହ ଆଲୋଚନା ନୁହେଁ; ବରଂ କାର୍ଯ୍ୟାନୁଷ୍ଠାନ ଚାହୁଁଥିଲା ବିଜେପି। ଅନେକ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଗିରଫ କରି ଜେଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ବିଶେଷକରି ଭାରତ ମାଟିରେ ପାକିସ୍ତାନ ସୀମାପାର ଆତଙ୍କବାଦ ବନ୍ଦ ନକରିବା ପର୍ଯ୍ୟନ୍ତ ଇସଲାମାବାଦ ସହ ମଧ୍ୟ କୌଣସି ଶାନ୍ତି ଆଲୋଚନା ହେବନି ବୋଲି କେନ୍ଦ୍ର ସ୍ପଷ୍ଟ କରିବା ପିଡିପିକୁ ଅସନ୍ତୁଷ୍ଟ କରିଥିଲା। କେନ୍ଦ୍ରର ମୋଦୀ ସରକାର ଚାହୁଁ ନଥିଲେ ପାକ୍‍ ସହ ବାଜପେୟୀଙ୍କ ଆଲୋଚନା ଯେଭଳି କାର୍ଗିଲ ଯୁଦ୍ଧକୁ ଆମନ୍ତ୍ରଣ କରିଥିଲା ସେଭଳି ହେଉ। ପାଲଟା ପାକିସ୍ତାନରେ ଭାରତ କରିଥିଲା ସୀମାପାର ସର୍ଜିକାଲ ଷ୍ଟ୍ରାଇକ୍‍। ଏହା ପିଡିପିକୁ ପରବର୍ତ୍ତୀ କାଳରେ ଅସନ୍ତୁଷ୍ଟ କରିଥିଲା। ଅବଶ୍ୟ ଆରମ୍ଭରୁ ମୋଦୀ ଶପଥ ଗ୍ରହଣ ଉତ୍ସବ ଲାଗି ତତ୍କାଳୀନ ପାକ୍‍ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଆମନ୍ତ୍ରଣ, ତାଙ୍କ ପରିବାରର ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ଲାଗି ହଠାତ୍‍ ପାକିସ୍ତାନ ମାଟିରେ ବିଦେଶ ଗସ୍ତରୁ ଫେରିବା ସମୟରେ ପହଞ୍ଚିବା ଭଳି କେତେକ ଶାନ୍ତି ଓ ସଦିଚ୍ଛାମୂଳକ ପଦକ୍ଷେପ ନେଇଥିଲେ ଯାହାକୁ ନେଇ ଏବେ ବି କଂଗ୍ରେସ ସମେତ କେତେକ ବିରୋଧୀ ମୋଦୀଙ୍କୁ ସମାଲୋଚନା କରୁଛନ୍ତି।
ଉଭୟଙ୍କ ଭିତରେ ବ୍ୟବଧାନ ସେତେବେଳେ ତୀବ୍ର ହେଲା ଯେବେ ଆତଙ୍କବାଦୀ ବୁରହାନ୍‍ ୱାନୀକୁ ସେନା ଏନ୍‍କାଉଣ୍ଟର କଲା। ପିଡିପି କେବଳ ଏହାକୁ ତୀବ୍ର ବିରୋଧ କରି ନଥିଲା; ବରଂ ଖୋଦ୍‍ ଦଳର ସାଂସଦ ମୁଜାଫର ହୁସେନ୍‍ ବେଗ୍‍ କାହିଁକି ବୁରହାନ୍‍କୁ ଏନ୍‍କାଉଣ୍ଟର କରାଗଲା ବୋଲି ସଂସଦରେ ପ୍ରଶ୍ନ ଉଠାଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। କେବଳ ସେତିକି ନୁହେଁ; ପିଡିପି-ବିଜେପି ଶାସନ ସତ୍ତ୍ବେ ଏକାକୀ ପିଡିପି ବୁରହାନ୍‍ ପରିବାରକୁ କ୍ଷତିପୂରଣ ଦେବା ସେନା କାର୍ଯ୍ୟାନୁଷ୍ଠାନକୁ କ୍ଷତମୁହଁରେ ଲୁଣ ଦେବା ଭଳି ହୋଇଥିଲା; ଯାହା ବିଜେପିର ମାନସିକ ଚାପ ବଢାଇଥିଲା। ସେନା ଉପରକୁ ପଥର ଫିଙ୍ଗୁଥିବା ଉଚ୍ଛୃଙ୍ଖଳ ଯୁବକ ଓ ଗୋଷ୍ଠୀ ବିରୋଧରେ ହୋଇଥିବା ୧୧୦୦ ମୋକଦ୍ଦମାକୁ ମେହେବୁବା ଉଠାଇ ଦେବା ସହଯୋଗୀ ବିଜେପିକୁ ଶକ୍ତ ଆଘାତ ଦେଇଥିଲା। ଏଥିରେ ସେନା ମନୋବଳ ମଧ୍ୟ ଭାଙ୍ଗି ଯାଇଥିଲା। ଜାମ୍ମୁ-କାଶ୍ମୀରରେ ବାହାର ରାଜ୍ୟର କେହି ଜମି-ଘରବାଡ଼ି କିଣିପାରିବେନି। ଏପରିକି ରାଜ୍ୟ ସରକାରରେ କେହି ବାହାର ଲୋକ ଚାକିରି ବି କରିପାରିବେନି। ସମ୍ବିଧାନର ଧାରା ୩୫ରେ ଏଭଳି ବ୍ୟବସ୍ଥାକୁ ଉଚ୍ଛେଦ କରିବା ଓ ଏନେଇ ବିଧାନସଭାରେ ଆଇନ ଆଣିବାକୁ ଚାହୁଁଥିଲା ବିଜେପି। ଫଳରେ ବାହାର ରାଜ୍ୟର ଲୋକ ଏଠାରେ ସ୍ଥାୟୀ ବସବାସ କରିିପାରିବେ ଓ ଚାକିରି ମଧ୍ୟ କରିପାରିବେ; ମାତ୍ର ପିଡିପି ଏହାକୁ ତୀବ୍ର ବିରୋଧ କରିବା ମେଣ୍ଟରେ କଣ୍ଟା ଫୁଟାଇଥିଲା।
କଠୁଆ ଗଣବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ସପକ୍ଷରେ ବାହାରିଥିବା ବିଶାଳ ରାଲିରେ ଦୁଇ ବିଜେପି ମନ୍ତ୍ରୀଙ୍କ ଯୋଗଦାନ ଓ ଏନେଇ ପିଡିପିର ତୀବ୍ର ବିରୋଧରେ ଉଭୟଙ୍କୁ ମନ୍ତ୍ରିପରିଷଦରୁ ଇସ୍ତଫା ଦେବାକୁ ପଡିଥିଲା। ଏହାକୁ ନେଇ ମଧ୍ୟ ବିଜେପି ଭିତରେ ଅସନ୍ତୋଷ ବଢିଥିଲା। ଭାଗୁଆଳୀ ଶାସନ ଠିକ୍ ଚାଲିନି ଓ ବିଜେପି ଅସନ୍ତୁଷ୍ଟର ପ୍ରମାଣ ଦୁଇ ଦୁଇ ଜଣ ବିଜେପି ଉପମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା। ଏକାଧିକ ପ୍ରସଙ୍ଗରେ ଉଭୟ ମୁହାଁମୁହିଁ ପରେ ଶେଷରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛି। ଏଠି ରାଷ୍ଟ୍ରପତି ଶାସନ ଲାଗୁହେବ। ଏହା ବିଜେପିକୁ ପରୋକ୍ଷ ଫାଇଦା ଦେଇପାରେ। ବିଜେପି ଶାସିତ ରାଜ୍ୟ ନକ୍ସାରୁ ଗୋଟିଏ କମିଛି; ମାତ୍ର ଏହା ପରୋକ୍ଷରେ ଏହା ଦଳକୁ ଆଶ୍ବସ୍ତ କରିଛି। ଲସ୍କର ଓ ହିଜ୍‍ବୁଲ୍ ଭଳି ଆତଙ୍କବାଦୀ ସଂଗଠନ ବିରୋଧରେ କେନ୍ଦ୍ର ଓ ସେନା କଠୋର କାର୍ଯ୍ୟାନୁଷ୍ଠାନ ଚାହୁଁଛି। ଆତଙ୍କବାଦୀଙ୍କ ମୂଳୋତ୍ପାଟନ ଲାଗି ସେନା ଚଳାଇଥିବା ଅଭିଯାନରେ ପିଡିପିର ଚାପ ଯେଉଁ ପ୍ରତିବନ୍ଧକ ସୃଷ୍ଟି କରିଥିଲା ତାହାର ଅନ୍ତ ଘଟିଛି। ରାଷ୍ଟ୍ରପତି ଶାସନ ସତ୍ତ୍ବେ ଏଠାରେ ଗଣତନ୍ତ୍ର ପ୍ରତିଷ୍ଠା ହେଉ, କିନ୍ତୁ କ୍ଷମତା ଲାଗି ରାଷ୍ଟ୍ରର ସୁରକ୍ଷା ସହ କୌଣସି ସାଲିସ କରା ନଯାଉ।

Leave A Reply