ଗଣତନ୍ତ୍ରର ପରୀକ୍ଷା

ବିଜୟ କୁମାର ପଟ୍ଟନାୟକ

ବର୍ତ୍ତମାନ ସ୍କୁଲ କଲେଜର ପରୀକ୍ଷା ଋତୁ ଚାଲିଛି, କେଉଁଠି ସରିଗଲାଣି ତ କେଉଁଠି ହେବାକୁ ଅଛି। ପରୀକ୍ଷାର ଉଦ୍ଦେଶ୍ୟ ହେଉଛି ଛାତ୍ରଟି କେତେଦୂର ଶିକ୍ଷାର ମୂଳତତ୍ତ୍ବ ବୁଝିଛି ତାହାର ଅନୁଧ୍ୟାନ ଓ ଆକଳନ କରିବା। ବିଷୟବସ୍ତୁର ମୂଳତତ୍ତ୍ବ ବୁଝିଲେ ହିଁ ଛାତ୍ରଟି ତାକୁ କାର୍ଯ୍ୟକ୍ଷେତ୍ରରେ ବ୍ୟବହାର କରିପାରିବ। ସେଥିପାଇଁ ପରୀକ୍ଷା ପ୍ରସ୍ତୁତି ସମୟରେ ଛାତ୍ରଟି ସମସ୍ତ ବିଷୟବସ୍ତୁ ଉପରେ ସମ୍ୟକ ଜ୍ଞାନ ଆହରଣ କରିବା ବାଞ୍ଛନୀୟ, କିନ୍ତୁ ଯଦି ତାହାର ପ୍ରସ୍ତୁତି କେବଳ ପରୀକ୍ଷା କୈନ୍ଦ୍ରିକ ହୋଇଯାଏ, ତେବେ ସେ କେବଳ ସମ୍ଭାବ୍ୟ ପ୍ରଶ୍ନାବଳୀ ପାଇଁ ପ୍ରସ୍ତୁତ ହୁଏ। କପି କରିବାକୁ ମଧ୍ୟ ପଛାଏ ନାହିଁ। କାରଣ ତାହାର ଏକମାତ୍ର ଉଦ୍ଦେଶ୍ୟ ହେଲା ପରୀକ୍ଷାରେ ଭଲ ନମ୍ବର ରଖିବା, ଜ୍ଞାନ ଆହରଣ କରିବା ନୁହେଁ ବା ଭଲ ମଣିଷ ହେବା ନୁହେଁ।
ଉପରିସ୍ଥ ଏହି ଉଦାହରଣ ଗଣତନ୍ତ୍ର ପାଇଁ ମଧ୍ୟ ପ୍ରଯୁଜ୍ୟ। ଗଣତନ୍ତ୍ରର ପରୀକ୍ଷା ହେଉଛି ନିର୍ବାଚନ। ଯଦି ଗଣତନ୍ତ୍ରର ଏକମାତ୍ର ଉଦ୍ଦେଶ୍ୟ ହେଉଛି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା, ଅର୍ଥାତ୍‌ ନିର୍ବାଚନରେ ଜିତିବା, ତେବେ ସରକାରର ସମସ୍ତ ପ୍ରସ୍ତୁୁତି ଏବଂ କାର୍ଯ୍ୟକ୍ରମ କେବଳ ନିର୍ବାଚନକୈନ୍ଦ୍ରିକ ହୋଇଯାଏ। ସରକାର ତାହାର ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହୋଇଯାଏ। ତେବେ ଗଣତନ୍ତ୍ରର ମୂଳ ଲକ୍ଷ୍ୟ କ’ଣ? ଗଣତନ୍ତ୍ର ହେଉଛି ଏକ ମୂଲ୍ୟବୋଧଭିତ୍ତିକ ବ୍ୟବସ୍ଥା ଯେଉଁଥିରେ କି ସାଧାରଣ ନାଗରିକ ମଧ୍ୟ ତାହାର ମତକୁ ଶୀର୍ଷତମ ସ୍ଥାନ ପର୍ଯ୍ୟନ୍ତ ପହଞ୍ଚାଇ ପାରିବ। ଏହି ମତ କେବଳ ତାହାର ଦୈନନ୍ଦିନ ଆବଶ୍ୟକତା, ଯଥା- ରୋଟି, କପଡ଼ା, ମକାନରେ ସୀମିତ ନୁହେଁ। ପୃଥିବୀରେ ଏଭଳି ଅନେକ ରାଷ୍ଟ୍ର ଅଛନ୍ତି ଯେଉଁମାନେ କି ନାଗରିକମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ରୋଟି, କପଡ଼ା ଓ ମକାନ ଦେଇଥାନ୍ତି। କିନ୍ତୁ ସେମାନେ ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ବାସ କରନ୍ତି ନାହିଁ। ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ଚୀନ। ଏକଚ୍ଛତ୍ରବାଦରେ ନାଗରିକମାନଙ୍କୁ ସେମାନଙ୍କର ମୌଳିକ ଆବଶ୍ୟକତା ଦେଇ ଦିଆଯାଏ ସତ, କିନ୍ତୁ ସେମାନଙ୍କର ବୌଦ୍ଧିକ ଆବଶ୍ୟକତା ପ୍ରତି ଆଖି ବୁଜି ଦିଆଯାଏ। ଏକଚ୍ଛତ୍ରବାଦୀ ଶାସକ ବିଶ୍ବାସ କରେ ଯେ ଯଦି ନାଗରିକର କଣ୍ଠ ଖାଦ୍ୟରେ ପୂର୍ଣ୍ଣ କରିଦିଆଗଲା ସେ ସ୍ବର ଉତ୍ତୋଳନ କରିବାର ଆବଶ୍ୟକତା କ’ଣ?
ସେ ଦୃଷ୍ଟିକୋଣରୁ ଦେଖିଲେ ଗଣତନ୍ତ୍ର ଏକ ‘ପାରଙ୍ଗମ’ ବ୍ୟବସ୍ଥା ହୋଇ ନପାରେ, କିନ୍ତୁ ଗଣତନ୍ତ୍ରରେ ଥାଏ ସାଧାରଣ ମଣିଷର ସ୍ବର। ସେହି ସ୍ବରର ବିବିଧତା ଓ ତିକ୍ତତା ହିଁ ସ୍ବେଚ୍ଛାଚାରିତାକୁ ନିୟନ୍ତ୍ରଣ କରେ। ଗଣତନ୍ତ୍ରରେ କେହି ଅଖଣ୍ଡ କ୍ଷମତାର ଅଧିକାରୀ ନୁହନ୍ତି। କାରଣ ଉକ୍ତ ବ୍ୟବସ୍ଥାରେ ସମସ୍ତେ ଉତ୍ତରଦାୟୀ। ଏହି ଉତ୍ତରଦାୟିତ୍ବର ପରୀକ୍ଷା ହେଉଛି ନିର୍ବାଚନ।
ବର୍ତ୍ତମାନ ପ୍ରଶ୍ନଉଠେ ସରକାରର ଉତ୍ତର ଦାୟିତ୍ବଟି କ’ଣ ? ନିର୍ବାଚନ ସମୟରେ କେତେକ ବ୍ୟକ୍ତି ପ୍ରଶ୍ନ କରନ୍ତି ଏ ସରକାର ମୋ ପାଇଁ କ’ଣ କରିଛି? ଏ ପ୍ରଶ୍ନଟି ନିିର୍ବାଚନ ସମୟରେ ଏକ ସ୍ବାଭାବିକ ପ୍ରଶ୍ନ, କିନ୍ତୁ ଏ ପ୍ରଶ୍ନ କରିବା ପୂର୍ବରୁ ଭୋଟଦାତାମାନେ ପ୍ରଶ୍ନ କରିବା ଉଚିତ୍‌, ‘ ଏ ସରକାର ବିଗତ ପାଞ୍ଚବର୍ଷରେ ସୁଶାସନ ଦେଇଛି କି?’ କାରଣ ସମାଜ ପାଇଁ ଆବଶ୍ୟକତା ହେଉଛି ସୁଶାସନ, ପ୍ରଲୋଭନ ନୁହେଁ। ବର୍ତ୍ତମାନ ଆଲୋଚନା କରିବା ସୁଶାସନର ସଂଜ୍ଞା କ’ଣ?
ସୁଶାସନର ଅର୍ଥ ହେଲା ସମାଜକୁ ସୁଚାରୁ ରୂପେ ଚଳାଇବା। ଯଦି ସରକାରୀ କଳ ଦୁର୍ନୀତିଗ୍ରସ୍ତ ହୋଇଯାଏ ତେବେ ସରକାର ସୁଶାସନ ଦେବାରେ ଅକ୍ଷମ ହୁଏ। ଯଦି ସରକାରଙ୍କର ପ୍ରତିଟି ଅନୁଷ୍ଠାନରେ ବିନା ଲାଞ୍ଚରେ କାର୍ଯ୍ୟ ହାସଲ ହୁଏ ନାହିଁ ତାହା ହେଲେ ସେ ସରକାରର ଦୁର୍ନୀତି ଲୋକଲୋଚନକୁ ଆସିଯାଏ। କେତେକ ବିଶାରଦ ଯୁକ୍ତି କରନ୍ତି ଯେ ଦୁର୍ନୀତି ସମଗ୍ର ବିଶ୍ବରେ ଅଛି ଏବଂ ତାକୁ ମୂଳୋତ୍ପାଟନ କରିବା ସମ୍ଭବପର ନୁହେଁ। ବିକଶିତ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଅନ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପାର୍ଥକ୍ୟ ଏତିକି ଯେ ପ୍ରଥମଟିରେ ସାଧାରଣ ବ୍ୟକ୍ତି ତାହାର ଦୈନନ୍ଦିନ ଜୀବନରେ ଦୁର୍ନୀତି ଯୋଗୁ ହନ୍ତସନ୍ତ ହୁଏନାହିଁ। ଯଦି ଜଣେ ବ୍ୟକ୍ତି ଗୋଟିଏ ଇନ୍ଦିରା ଆବାସ ଘର ପାଇବା ପାଇଁ ତାକୁ ଲାଞ୍ଚ ଦେବାକୁ ପଡ଼େ, ଯଦି ଜଣେ ବ୍ୟକ୍ତିର ଏଫଆଇଆର ଦରଜ କରିବା ପାଇଁ ତାକୁ ଥାନାରେ ପଇସା ଦେବାକୁ ପଡ଼େ, ଯଦି ଜଣେ ବ୍ୟକ୍ତିକୁ ତା’ର ଜାତି ପ୍ରମାଣପତ୍ର ପାଇବା ପାଇଁ ଉତ୍କୋଚ ଦେବାକୁ ପଡ଼େ ତେବେ କହିବାକୁ ହେବ ଯେ ସରକାର ତାହାର ମୌଳିକ ଦାୟିତ୍ବ ତୁଲାଇବାକୁ ଅକ୍ଷମ।
ଦୁଃଖର ସହିତ ସ୍ବୀକାର କରିବାକୁ ହେବ ଯେ ସ୍ବାଧୀନତା ପରେ ବିଗତ ସତୁରି ବର୍ଷରେ ସବୁ କ୍ଷେତ୍ରରେ ନୈତିକ ଅଧୋପତନ ହୋଇଚାଲିଛି। ଲାଞ୍ଚ ନଦେଲେ କାର୍ଯ୍ୟ ହେବନାହିଁ ଏଭଳି ଏକ ଧାରଣା ଜନସାଧାରଣଙ୍କ ଦ୍ବାରା ଗୃହୀତ ହୋଇଗଲାଣି, କିନ୍ତୁୁ ସରକାର ତାହାର ଦାୟିତ୍ବ ପ୍ରତି ଆଖି ବୁଜିଦେଇ ପାରିବ ନାହିଁ। ଦୁର୍ନୀତି ମାତ୍ରାଧିକ ହୋଇଯାଏ ଯେତେବେଳେ ଉପରିସ୍ଥ କର୍ମଚାରୀମା‌େନ ଅଧସ୍ତନ କର୍ମଚାରୀଙ୍କ ଉପରେ ନିୟନ୍ତ୍ରଣ ହରାନ୍ତି, ଯେତେବେଳେ କ୍ଷମତାର ଶୀର୍ଷରେ ଥିବା ବ୍ୟକ୍ତିମାନେ ନିଜେ ଦୁର୍ନୀତିରେ ଲିପ୍ତ ହୋଇଯାଆନ୍ତି, ଦୁର୍ନୀତିକୁ ପ୍ରତିହତ କରିବା ବଦଳରେ ପ୍ରୋତ୍ସାହନ ଦିଅନ୍ତି।
ସୁଶାସନର ଅନ୍ୟ ଏକ ଉପାଦାନ ହେଉଛି ସରକାର ଦ୍ବାର ସର୍ବଦା ସାଧାରଣ ବ୍ୟକ୍ତି ପାଇଁ ଉନ୍ମୁକ୍ତ ରହିବା ଦରକାର। ଏହାଦ୍ବାରା ବିଭିନ୍ନ ସ୍ତରରେ ହେଉଥିବା ତ୍ରୁଟିବିଚ୍ୟୁତି ସରକାରଙ୍କର ଦୃଷ୍ଟିଗୋଚର ହୁଏ ଏବଂ ତଦନୁସାରେ ସୁଧାର ଆଣିବା ସହଜ ହୁଏ। ଯଦି ଉକ୍ତ ଦ୍ବାର ରୁଦ୍ଧ ହୋଇଯାଏ ତେବେ ସରକାର ସତ୍ୟଠାରୁ ଦୂରେଇ ଯାଆନ୍ତି। ମଧ୍ୟସ୍ଥି ଓ ଚାଟୁକାର ମାନଙ୍କର ପ୍ରାଧାନ୍ୟ ବଢ଼େ। ସାଧାରଣ ବ୍ୟକ୍ତିର ସ୍ବର ଶୁଣାଯାଏ ନାହିଁ। କେତେକ ପ୍ରଶାସକ ମନେ କରନ୍ତି ଯେ ‘ସାପ୍ତାହିକ ଅଭିଯୋଗ ଶୁଣାଣି’ ଏଥିପାଇଁ ଯଥେଷ୍ଟ। ମନେ ରଖିବାକୁ ହେବ ଯେ ସରକାରୀ କଳର ତ୍ରୁଟି ଜଣାଇବାକୁ ଜଣେ ସାଧାରଣ ନାଗରିକ ‘ଅଭିଯୋଗ ପ୍ରକୋଷ୍ଠ’ ବା ‘ଅଭିଯୋଗ ପୁସ୍ତିକା’କୁ ବ୍ୟବହାର କରି ନପାରେ। ସେଥିପାଇଁ ତା ନିକଟରେ ସମୟ ବା ଅର୍ଥ ନ ଥାଇପାରେ। ଜନସାଧାରଣଙ୍କର ଅଭିଯୋଗ ବ​ା ଅସନ୍ତୋଷ ଜାଣିବାପାଇଁ ଉପରିସ୍ଥ କର୍ମଚାରୀମାନେ ଅଧସ୍ତନ କର୍ମଚାରୀଙ୍କର ଅଫିସକୁ ଯିବା ଉଚିତ। ସେଠାରେ ଯେଉଁ ଜନସାଧାରଣ ନିଜନିଜ କାମରେ ଆସିଥାଆନ୍ତି, ସେମାନେ ଅନେକାଂଶରେ ଅଫିସ୍‌ଟିର ପ୍ରକୃତ ଛବିକୁ ପ୍ରତିଫଳିତ କରୁଥାଆନ୍ତି। ସୁଶାସନ ପାଇଁ ଉପରିସ୍ଥ କର୍ମଚାରୀମାନେ ପୁରପଲ୍ଲୀରେ ସମୟ କଟାଇବା ଉଚିତ। ଲୋକଙ୍କର ଦୃଷ୍ଟି​‌େଗ‌ାଚର ହେବା ଉଚିତ୍‌।
ସୁଶାସନର ଅନ୍ୟତମ ସଂଜ୍ଞା ହେଲା ସୁନିୟନ୍ତ୍ରଣ। ଆଇନ୍‌ ଉଲ୍ଲଙ୍ଘନକାରୀ ବ୍ୟକ୍ତିଙ୍କର ବିଶୃଙ୍ଖଳତାକୁ ଦମନ କରିବା ସରକାରଙ୍କର ପ୍ରଧାନ କାର୍ଯ୍ୟ। ସେଥିପାଇଁ ପୁଲିସକୁ ନିରପେକ୍ଷ ତଥା କଠୋର ହେବାକୁ ପଡ଼ିବ। ଅବଶ୍ୟ କେତେକ ସ୍ଥଳରେ ମାତ୍ରାଧିକ କାର୍ଯ୍ୟ ତଥା ହାଜତ ମୃତ୍ୟୁ ଭଳି ନିନ୍ଦନୀୟ ଘଟଣା ଦୃଷ୍ଟିକୁ ଆସେ ଯାହାକି ସର୍ବଥା ବର୍ଜନୀୟ, କିନ୍ତୁ ଯଦି ପୁଲିସ୍‌ ନିଷ୍କ୍ରିୟ ବା ଦୁର୍ବଳ ହୋଇଯାଏ ତେବେ ଜନସାଧାରଣ ସୁରକ୍ଷିତ ମନେ କରନ୍ତି ନାହିଁ। ତେଣୁ ପୁଲିସକୁ ଏକ ସକ୍ରିୟ, ଶୃଙ୍ଖଳିତ ତଥା ଉତ୍ସାହିତ ବାହିନୀ ରୂପେ ଗଢ଼ି ତୋଳିବା ସରକାରଙ୍କର ମୌଳିକ କର୍ତ୍ତବ୍ୟ ହେବା ଉଚିତ। ଅନାବଶ୍ୟକ ତଥା ଆଡ଼ମ୍ବରପୂର୍ଣ୍ଣ ଖର୍ଚ୍ଚ ନିୟନ୍ତ୍ରଣ କରି ଜନସାଧାରଣଙ୍କର, ବିଶେଷ କରି ମହିଳାମାନଙ୍କର ସୁରକ୍ଷା ପାଇଁ ସେଇ ଅର୍ଥ ବ୍ୟୟ କରିବା ସୁଶାସନର ପରିଚାୟକ।
କେବଳ ପୁଲିସ ନୁହେଁ, ଜନସାଧାରଣଙ୍କର ସାମୂହିକ ହିତ ଦୃଷ୍ଟିରୁ ସରକାରଙ୍କୁ ଅନେକ ନିୟନ୍ତ୍ରଣମୂଳକ କାର୍ଯ୍ୟ କରିବାକୁ ପଡ଼େ। ଖାଦ୍ୟର ମାନ ପରୀକ୍ଷା ପାଇଁ ଖାଦ୍ୟ ନିରୀକ୍ଷକଙ୍କର ଆବଶ୍ୟକତା ଅଛି। ଔଷଧର ମାନ ପରୀକ୍ଷାପାଇଁ ଔଷଧ ନିରୀକ୍ଷକଙ୍କର ଆବଶ୍ୟକତା ଅଛି। କର୍ମସ୍ଥଳୀର ସୁରକ୍ଷା ପାଇଁ ଫ୍ୟାକ୍ଟ୍ରି ଇନ୍ସପେକ୍ଟରମାନଙ୍କର ଆବଶ୍ୟକତା ଅଛି। ସରକାରୀ ଜମି ତଥା ଜନସାଧାରଣଙ୍କର ଜମିର ସୁରକ୍ଷା ପାଇଁ ରାଜସ୍ବ ନିରୀକ୍ଷକମାନଙ୍କର ଆବଶ୍ୟକତା ଅଛି। ଯଦି ଏହି ନିରୀକ୍ଷକମାନେ ସେମାନଙ୍କର କାର୍ଯ୍ୟ ସୁଚାରୁ ରୂପେ ନିର୍ବାହ ନ କରନ୍ତି ତେବେ ଜନସାଧାରଣଙ୍କର ସ୍ବାସ୍ଥ୍ୟ ବିପନ୍ନ ହେବାର ସମ୍ଭାବନା ରହିଛି। ସେମାନଙ୍କର ସୁରକ୍ଷା ପ୍ରତି ବିପଦ ରହିଛି। ଶିକ୍ଷାର ମାନ ନିମ୍ନଗାମୀ ହେବାର ସମ୍ଭାବନା ରହିଛି। ରାସ୍ତାଘାଟ, କୋଠାବାଡ଼ି, ଯନ୍ତ୍ରପାତି-ପ୍ରତ୍ୟେକ ବସ୍ତୁର ମାନ ନିର୍ଦ୍ଧାରଣ ପାଇଁ ଆଇନଗତ ବ୍ୟବସ୍ଥା ରହିଛି। ପରୀକ୍ଷାଗାର ରହିଛି। ନିରୀକ୍ଷକ ନିଯୁକ୍ତି ହୋଇଛନ୍ତି। ଯଦି ଏ ସମସ୍ତ ବ୍ୟବସ୍ଥା ସଠିକ ଭାବରେ କାର୍ଯ୍ୟ ନକରେ ତେବେ ରାଜ୍ୟରେ ବା ଦେଶରେ ସୁଶାସନ ନାହିଁ ବୋଲି ଧରିବାକୁ ହେବ।
ଅନେକ ସମୟରେ ରାଜନୈତିକ ଦଳ ଓ ସରକାରମାନେ ବିକାଶ ପଛରେ ଧାଇଁଧାଇଁ ସୁଶାସନକୁ ଉପେକ୍ଷା କରିଥାଆନ୍ତି। ସେମାନେ ମନେ କରନ୍ତି ଯେ ଜନସାଧାରଣ କେବଳ ବିକାଶ ଚାହାନ୍ତି। ଏହା ସତ୍ୟ ଯେ ବିକାଶ ଓ ବିକାଶମୂଳକ ଯୋଜନା ସମସ୍ତଙ୍କର ଦୃଷ୍ଟିଗୋଚର ହୁଏ, କିନ୍ତୁ ସୁଶାସନ ଏକ ଅଦୃଶ୍ୟ ଚୁମ୍ବକୀୟ ଶକ୍ତି। ପ୍ରଥମଟି ସୁଖ ଦେଇପାରେ, କିନ୍ତୁ ଦ୍ବିତୀୟଟି ଦିଏ ଶାନ୍ତି ଓ ଆଶ୍ବସ୍ତି। ତେବେ କ’ଣ ସୁଶାସନ ଦେବା ଗୋଟିଏ ସରକାରଙ୍କର ଏକମାତ୍ର କର୍ତ୍ତବ୍ୟ? ବିକାଶ କ’ଣ ଆବଶ୍ୟକ ନୁହେଁ?

Comments are closed.