ତିନିଟି ବିଶ୍ବର କାହାଣୀ

ଧନେଶ୍ବର ସାହୁ

ଅର୍ଥଶାସ୍ତ୍ରୀମାନେ ଆର୍ଥିକ ସଂପନ୍ନତା ମାନଦଣ୍ଡରେ ରାଷ୍ଟ୍ରମାନଙ୍କୁ ତିନିଟି ଶ୍ରେଣୀରେ ବିଭକ୍ତ କରିଥାନ୍ତି, ଯଥା- ପ୍ରଥମ ବିଶ୍ବ, ଦ୍ବିତୀୟ ବିଶ୍ବ ଓ ତୃତୀୟ ବିଶ୍ବ। ଯେଉଁ ଦେଶମାନେ ବିକଶିତ ସେମାନେ ହେଲେ ପ୍ରଥମ ବିଶ୍ବର ରାଷ୍ଟ୍ର। ବିଶେଷକରି ଶିଳ୍ପୋନ୍ନତ, ଗଣତାନ୍ତ୍ରିକ ରାଷ୍ଟ୍ରମାନେ ହେଲେ ଏହି ଶ୍ରେଣୀର। ଯେଉଁ ଦେଶମାନ ଅତୀତରେ କମ୍ୟୁନିଷ୍ଟ ବା ସମାଜବାଦୀ ରାଷ୍ଟ୍ରଥିଲେ ସେମାନେ ହେଲେ ଦ୍ବିତୀୟ ବିଶ୍ବ। ଏହି ଦୁଇ ବିଶ୍ବର ରାଷ୍ଟ୍ରମାନଙ୍କର ଲୋକଙ୍କର ଜୀବନଧାରଣର ଗୁଣାତ୍ମକ ମାନ ବେଶ୍ ବିକଶିତ। ତେବେ ତୃତୀୟ ବିଶ୍ବର ରାଷ୍ଟ୍ରମାନେ ବିକାଶଶୀଳ। ସେହି ରାଷ୍ଟ୍ରମାନଙ୍କରେ ବହୁ ଦାରିଦ୍ର୍ୟ ରହିଛି। ‘ଦାରିଦ୍ର୍ୟ’ର କେତେକ ମାନଦଣ୍ଡ ସମାଜ ବିଜ୍ଞାନୀମାନେ ନିରୂପଣର କରିଛନ୍ତି। ଯେଉଁ ଦେଶମାନଙ୍କରେ ନିରକ୍ଷରତା ରହିଛି ବା ସ୍କୁଲ ସ୍ତରରୁ ପିଲାମାନେ ପାଠ ଛାଡ଼ିଥାଆନ୍ତି, ଦେଶରେ ଭିକ୍ଷାବୃତ୍ତି ବା ଅପପୁଷ୍ଟି ପରି ସମସ୍ୟା ରହିଛି, ଅନେକ ପିଲା ବାଳଶ୍ରମିକ ହୋଇ ଜୀବନ ବଞ୍ଚୁଛନ୍ତି, ସବୁ ଲୋକମାନେ ସ୍ବାସ୍ଥ୍ୟସେବା ପାଇପାରୁ ନାହାନ୍ତି, ଦେଶର ପରିମଳ, ବ୍ୟବସ୍ଥା ଉନ୍ନତ ହୋଇନାହିଁ, କେତେକ ଲୋକ ଅସ୍ବାସ୍ଥ୍ୟକର ପରିବେଶ ବା ବସ୍ତିମାନଙ୍କରେ ଜୀବନ ବଞ୍ଚୁଛନ୍ତି, ଭିତ୍ତିଭୂମିର ଯଥେଷ୍ଟ ବିକାଶ ହୋଇପାରି ନାହିଁ ସେ ସବୁକୁ ତୃତୀୟ ବିଶ୍ବ କୁହାଯାଉଛି। ବିଶେ​‌ଷ କରି ଏସିଆ ଓ ଆଫ୍ରିକା ମହାଦେଶର ଅ​‌ନେକ ରାଷ୍ଟ୍ର ତୃତୀୟ ବିଶ୍ବ ଶ୍ରେଣୀରେ ରହିଛନ୍ତି।
ବିକାଶ ଯଦିବା ଭୌତିକ ପ୍ରଗତି ସହ ସଂଶ୍ଳିଷ୍ଟ, ବିକାଶର ବୃହତ୍ତର ପରିଭାଷା ଭିତରେ ମାନସିକ, ବୌଦ୍ଧିକ, ନୈତିକ ଓ ସାଂସ୍କୃତିକ ଉନ୍ନତି ମଧ୍ୟ ସଂପୃକ୍ତ ହେବା ଦେଖାଯାଏ। ଯେଉଁ ଦେଶର ସାମାଜିକ ଜୀବନଧାରାରେ କୌଣସି ଭେଦଭାବ ନାହିଁ, ସବୁ ନାଗରିକ ମାନବିକ ମର୍ଯ୍ୟାଦାର ସହ ଜୀବନ ନିର୍ବାହ କରନ୍ତି ଏବଂ ଚିନ୍ତାକରିବା, ମତବ୍ୟକ୍ତ, ଧାର୍ମିକ ବିଶ୍ବାସ ବା ଅବିଶ୍ବାସ, ବିବାହ ଇତ୍ୟାଦି କ୍ଷେତ୍ରରେ ପୂର୍ଣ୍ଣ ସ୍ବାଧୀନତା ପାଆନ୍ତି ଓ ଏକ ଦୁର୍ନୀତିମୁକ୍ତ ପ୍ରଶାସନ ପାଇଛନ୍ତି ସେଠାରେ ଜୀବନର ଗୁଣାତ୍ମକ ମାନ ଉନ୍ନତ ବୋଲି ଗ୍ରହଣ କରାଯାଏ। ଜାତିସଂଘ ବିଭିନ୍ନ ଦେଶର ପ୍ରବୀଣ ସମାଜବିଜ୍ଞାନୀ, ବୁଦ୍ଧିଜୀବୀମାନଙ୍କ ଜରିଆରେ ମାନବିକ ବିକାଶ ସୂଚକାଙ୍କ ଉପରୋକ୍ତ (ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସ)ନିରୂପଣ କରୁଛି। ଜାତିସଂଘ ଦ୍ବାରା କରାଯାଉଥିବା ଏହି ଆକଳନରେ ନରୱେ, ସ୍ବିଜରଲାଣ୍ଡ, ଡେନମାର୍କ, ଅଷ୍ଟ୍ରେଲିଆ, କାନାଡ଼ା ଇତ୍ୟାଦି ରାଷ୍ଟ୍ରମାନେ ମାନବିକ ବିକାଶ ସୂଚକାଙ୍କ କ୍ଷେତ୍ରରେ ବହୁ ଆଗରେ ରହିଛନ୍ତି ଯଦିବା ଏହି ଦେଶସମୂହ ସବୁଠାରୁ ଧନୀ ରାଷ୍ଟ୍ର ନୁହନ୍ତି। ଏସିଆ ଓ ଆଫ୍ରିକାର ଅନେକ ରାଷ୍ଟ୍ରର ଗୁଣାତ୍ମକ ମାନ ନିମ୍ନସ୍ତରରେ ରହିଛି। ଏହି ପରିପ୍ରେକ୍ଷୀରେ ଏହା ମଧ୍ୟ ଏକ ଉପଲବଧି ଯେ ଗୋଟିଏ ଦେଶର ସଭ୍ୟତା, ସଂସ୍କୃତି ପ୍ରାଚୀନ ହେବା ଓ ଜନସମୂହର ଗୁଣାତ୍ମକ ଜୀବନ ଉନ୍ନତ ହେବା ଦୁଇଟି ପୃଥକ, ପ୍ରଶ୍ନ। ​‌େ​ଗାଟିଏ ଦେଶର ସଭ୍ୟତା, ସଂସ୍କୃତି ପ୍ରାଚୀନ ହୋଇପାରେ, କିନ୍ତୁ ଆଧୁନିକ ମାନଦଣ୍ଡରେ ସେଠାରେ ଜୀବନଧାରଣର ଗୁଣାତ୍ମକ ମୂଲ୍ୟ ନ୍ୟୂନସ୍ତରରେ ରହିପାରେ। ଅପରପକ୍ଷରେ ଏକ ଦେଶର ସଭ୍ୟତା, ସଂସ୍କୃତି ଅର୍ବାଚୀନ ହୋଇପାରେ, ଅଥଚ ସେଠାରେ ଜୀବନଧାରଣର ଗୁଣାତ୍ମକ ମାନ ବେଶ ଉନ୍ନତ ରହିବା ଏକ ଐତିହାସିକ ଉପଲବ୍ଧି।
ସାଂପ୍ରତିକ ବିଚାରବୋଧରେ ଆର୍ଥିକ ଦାରିଦ୍ର୍ୟ ଅନେକାଂଶରେ ପରିସ୍ଥିତିଗତ ଓ ମଣିଷକୃତ। ଯେଉଁଠି ପ୍ରକୃତି ଅତ୍ୟନ୍ତ ପ୍ରତିକୂଳ ଓ ପ୍ରାକୃତିକ ସଂପଦ କ୍ଷେତ୍ରରେ ଅଭାବ ରହିଛି ସେଠାରେ ମଧ୍ୟ ଆଧୁନିକ ଜ୍ଞାନ ଓ ପ୍ରଯୁକ୍ତି ସାହାଯ୍ୟରେ ମନୁଷ୍ୟ ରାଷ୍ଟ୍ରକୁ ବେଶ୍‌ ଉନ୍ନତ କରିପାରେ। ଅଥଚ ଏକ ଅନୁକୂଳ ପରିବେଶରେ ରହି ମଧ୍ୟ ନାନା କାରଣରୁ ଏକ ଜନସମୂହ ଦାରିଦ୍ର୍ୟ ଭିତରେ ଜୀବନ ନିର୍ବାହ କରିପାରନ୍ତି। ଏହାମଧ୍ୟ ଇତିହାସର ଏକ ଉପଲବ୍ଧ ଯେ ତିନି ଚାରି ଶତାବ୍ଦୀ ତଳେ ଯେଉଁ କେତେକ ଦେଶ ତୁଳନାତ୍ମକ ଭାବେ ଉନ୍ନତ ଥିଲେ ସେମାନେ କେତେକ କାରଣରୁ ଦ୍ରୁତଗତିରେ ତୃତୀୟ ବିଶ୍ବରେ ପରିଣତ ହେଲେ, ଅଥଚ ତୁଳନାତ୍ମକମାନେ ଅର୍ବାଚୀନ ଓ ଅନୁନ୍ନତ ଥିବା ରାଷ୍ଟ୍ରମାନେ ଉନ୍ନତିର ଶିଡ଼ିରେ ଆଗକୁ ଯାଇ ପ୍ରଥମ ବିଶ୍ବରେ ରୂପାନ୍ତରିତ ହେଲେ।
ପୁନଶ୍ଚ ଯେଉଁ ରାଷ୍ଟ୍ରମାନେ ବିକାଶଶୀଳ ବା ତୃତୀୟ ବିଶ୍ବରେ ଅନ୍ତର୍ଭୁକ୍ତ ସେଠାରେ ବିକାଶଜନିତ ବୈଷମ୍ୟ ଏକ ଗମ୍ଭୀର ପ୍ରଶ୍ନ। ରାଷ୍ଟ୍ରରେ ଯାହା କିଛି ବିକାଶ ହେଉଛି ତାହାର ସୁଫଳ ସମାଜର ସବୁ ବ୍ୟକ୍ତିଙ୍କ ପାଖକୁ ସମାନ ଭାବରେ ପ୍ରସାରିତ ହୋଇପାରୁନାହିଁ। ଏହା ଏକ ବିଡ଼ମ୍ବନାର ବିଷୟ ଯେ ତୃତୀୟ ବିଶ୍ବ ରାଷ୍ଟ୍ରମାନଙ୍କରେ କିଛି ମୁଷ୍ଟିମେୟ ବ୍ୟକ୍ତି ଐଶ୍ବର୍ଯ୍ୟଶାଳୀ ହେବାରେ ଲାଗିଛନ୍ତି ଓ ଦାରିଦ୍ର୍ୟ ଭିତରେ ରହିଥିବା ଲୋକମାନଙ୍କର ଜୀବନଧାରଣରମାନ ନିମ୍ନଗାମୀ ହେବାରେ ଲାଗିଛି। ଗଣତାନ୍ତ୍ରିକ ଚେତନାର ବିକାଶ ପର୍ଯ୍ୟନ୍ତ ସକଳ ବୈଷମ୍ୟ, ବିଭେଦ ଓ ଭେଦଭାବ ଯେ ଏକ ଈଶ୍ବରୀୟ ବିଧାନ- ଏହି ପ୍ରକାରର ଏକ ଦର୍ଶନ ଚତୁର ଲୋକମାନେ ସୃଷ୍ଟି କରିଛନ୍ତି। ସମସ୍ତ ଭେଦଭାବକୁ ଧାର୍ମିକ ସ୍ବୀକୃତି ଦିଆଯାଇ ଏହା ପୂର୍ବନିର୍ଦିଷ୍ଟ, ପ୍ରାରବ୍ଧର ପରିଣାମ ବୋଲି ବିଚାର ବ୍ୟକ୍ତ ହୋଇଛି। ଧର୍ମ ଓ ସାଂପ୍ରଦାୟିକତା ଯେ ଶୋଷକ ଶ୍ରେଣୀର ସଫଳ ଓ ସହଜ ଅସ୍ତ୍ର ହୋଇଛି ଏହା ଏକ ଐତିହାସିକ ଉପଲବ୍ଧି। ଶାନ୍ତି,ମୈତ୍ରୀ, ପ୍ରେମ, କରୁଣା ଇତ୍ୟାଦି ମାନବିକ ତତ୍ତ୍ବର ପ୍ରବକ୍ତାମାନଙ୍କୁ ସାଂପ୍ରଦାୟିକ ଶକ୍ତିମାନେ କ୍ଷମତା ପାଇଁ ବିଭିନ୍ନ ସଭ୍ୟତାରେ ହତ୍ୟା କରିଛନ୍ତି। ସକ୍ରେଟିସଙ୍କଠାରୁ ଗାନ୍ଧୀଙ୍କ ପର୍ଯ୍ୟନ୍ତ କେତେ ମନୀଷୀ ସାଂପ୍ରଦାୟିକ ଶକ୍ତିମାନଙ୍କ ଦ୍ବାରା ଇତିହାସରେ ପରାଭବ ପାଇଛନ୍ତି।
ପରିତାପର ବିଷୟ ସାଂପ୍ରତିକ ସ୍ଥିତିରେ ତୃତୀୟ ବିଶ୍ବର ଦରିଦ୍ର ଦେଶମାନେ ନିଜନିଜ ଦେଶରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ପରସ୍ପର ସହ ସହଯୋଗ କରିବା ପରିବର୍ତ୍ତେ ପରସ୍ପରର ଶତ୍ରୁ ହେଉଛନ୍ତି। ଧର୍ମ, ଜାତୀୟତା ଇତ୍ୟାଦିକୁ ଆଧାରକରି ଜନଗଣଙ୍କ ଭିତରେ ତିକ୍ତତା ସୃଷ୍ଟି କରିବା ତୃତୀୟ ବିଶ୍ବର ରାଜନୈତିକ ଶକ୍ତିଙ୍କର ଆଦର୍ଶ ପାଲଟୁଛି। ତୃତୀୟ ବିଶ୍ବର ଦରିଦ୍ର ଦେଶଗୁଡ଼ିକ ପରସ୍ପର ଭିତରେ ସମନ୍ବୟ ରକ୍ଷାକରି ଯଦି ଅର୍ଥନୈତିକ ସମୃଦ୍ଧିର ଯୋଜନା କରନ୍ତେ ଓ ମାନବିକ ମୂଲ୍ୟବୋଧକୁ ପ୍ରାଧାନ୍ୟ ଦିଅନ୍ତେ ସମ୍ଭବତଃ ଆମ ସଂସାରରୁ ସକଳ ମନ୍ଦ ସ୍ଥିତିକୁ ଦୂର କରାଯାଇପାରନ୍ତା। ପ୍ରତ୍ୟେକ ରାଷ୍ଟ୍ର ସାମରିକ ଶକ୍ତି କ୍ଷେତ୍ରରେ ଯେଉଁ ପ୍ରଚୁର ଅର୍ଥ, ପ୍ରାକୃତିକ ସାଧନମାନଙ୍କୁ ବ୍ୟୟ କରୁଛନ୍ତି ତାହାକୁ ଯଦି ମାନବବିକାଶ କ୍ଷେତ୍ରରେ ବିନିଯୋଗ କରାଯାଇ ପାରନ୍ତା, ତେବେ ସାରା ବିଶ୍ବରୁ ଦାରିଦ୍ର୍ୟ ଦୂର ହୋଇପାରନ୍ତା।
ଏ-୧୨,ଭାଗୀରଥି ବିହାର, ଢ଼େଙ୍କାନାଳ