ରାଜ(ଅ)ନୀତି

ରାଜନୀତି ଶ୍ରେଷ୍ଠ ନୀତି ନୁହେଁ, ବରଂ ଶ୍ରେଷ୍ଠ ଅନୀତି। ଏଠାରେ ଅନ୍ତିମ ଲକ୍ଷ୍ୟ ବିଜୟ ଓ କ୍ଷମତା ହାସଲ। ତେଣୁ ସେଇ ଲକ୍ଷ୍ୟ ହାସଲ ପାଇଁ ପ୍ରମୁଖ ରାଜନୈତିକ ଦଳମାନେ ବିଜୟ ସମ୍ଭାବନାଥିବା ପ୍ରାର୍ଥୀଙ୍କୁ ଗୋଟାନ୍ତି। ପରସ୍ପର ପରସ୍ପରର ଯୋଗ୍ୟ ଓ ସମ୍ବଳବାନ ପ୍ରାର୍ଥୀଙ୍କୁ ନିଜ ଆଡ଼କୁ ଟାଣନ୍ତି। ଏଥର ଓଡ଼ିଶା ନିର୍ବାଚନରେ ଏ ପ୍ରକାର କାର୍ଯ୍ୟ ଟିକିଏ ଅଧିକ ହେଉଛି ଏବଂ ପରଘର ତିଅଣରେ ଅତିଥି ସତ୍କାର କଥା ନୁହେଁ; ବରଂ ଅନ୍ୟର ଅସ୍ତ୍ରକୁ କୌଶଳରେ କରାୟତ୍ତ କରି ଯୁଦ୍ଧ ଜିତିବାର ଲକ୍ଷ୍ୟରେ ସମସ୍ତେ ଅଛନ୍ତି। ସବୁଦଳ ଏହି କାର୍ଯ୍ୟରେ ଲିପ୍ତଥିବାବେଳେ ପରସ୍ପରକୁ ଦୋଷ ଦେବା ହାସ୍ୟାସ୍ପଦ। ସବୁଠୁ ମଜାଦାର ହେଲା ଏବେ କିଏ କେଉଁ ଦଳରେ ଅଛି ଓ କେତେକାଳ ରହିବ ତାହା ମଧ୍ୟ ଅକଳନୀୟ। ତେବେ ପ୍ରାର୍ଥୀ ଘୋଷଣା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି ଓ ମନୋନୟନ ପତ୍ର ଦାଖଲ ତଥା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ କିଏ କେଉଁ ଦଳର ପ୍ରାର୍ଥୀ ତାହା ସ୍ପଷ୍ଟ ହେବ। ନେତା ହୁଡ଼ିଲେ ପାଞ୍ଚବର୍ଷ ନ୍ୟାୟରେ ଅଧିକାଂଶ ଆଶାୟୀ ଏବେ ବିଜୟ ସମ୍ଭାବନା ଦେଖି ନିଜ ରଣନୀତି ନିର୍ଦ୍ଧାରଣ କରିବାରେ ବ୍ୟସ୍ତ ଏବଂ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଯୋଗ୍ୟପ୍ରାର୍ଥୀ ଅଣ୍ଡାଳୁଥିବା ଦଳମାନେ ଅନ୍ୟର ପରିତ୍ୟକ୍ତ ବା ଅସନ୍ତୁଷ୍ଟଙ୍କୁ ଆଦରି ନେବା ଅପ୍ରତ୍ୟାଶିତ ନୁହେଁ; ବରଂ ଏହା ରାଜନୀତିର ଏକ ବାସ୍ତବତା ହୋଇଛି।
ଏବେ ପ୍ରଶ୍ନ ପ୍ରାର୍ଥୀ ଭୋଟରଙ୍କର କେତେ ବିଶ୍ବାସଭାଜନ ହେଉଛନ୍ତି। ଯେତେବେଳେ ଗୋଟିଏ ଦଳର ପ୍ରଭାବ ଓ ପ୍ରତିଷ୍ଠାଥାଏ ସେ ଦଳ ପ୍ରତି ଅଧିକ ନେତା ଆକୃଷ୍ଟ ହୁଅନ୍ତି। ଯେତେବେଳେ ବିକଳ୍ପ ମିଳେ ସେତେବେଳେ କେବଳ ଭୋଟର ନୁହନ୍ତି, ନେତାଏ ମଧ୍ୟ ନୂଆ ସମୀକରଣରେ ବିକଳ୍ପ ସମ୍ଭାବନା ଦେଖନ୍ତି। ସବୁଠୁ ବଡ଼କଥା ହେଲା ଭୋଟରଙ୍କ ପରିପକ୍ବତା। ସେମାନେ ନେତାଙ୍କ ଭଳି ଏତେ ଚଞ୍ଚଳ ଓ ଅସ୍ଥିର ନୁହନ୍ତି। ଏହି ଭୋଟରଙ୍କ ମଧ୍ୟରୁ ଅଧିକାଂଶ ନିରବ ରହନ୍ତି ଏବଂ ବୁଝିବିଚାରି ନିଜର ମତାଧିକାର ସାବ୍ୟସ୍ତ କରିଥାନ୍ତି। ସେମାନେ ଏଥର କି ପ୍ରକାର ଜନାଦେଶ ଦେଉଛନ୍ତି ତାହା ଫଳଫଳ କହିବ।

Comments are closed.