ବାସ୍ତୁଶାସ୍ତ୍ର କେତେ ବାସ୍ତବ?

ଗଙ୍ଗାଧର ସାହୁ

ଜ୍ୟୋତିଷ ଶାସ୍ତ୍ର ଭଳି ବାସ୍ତୁଶାସ୍ତ୍ର ଆଉ ଏକ ବିଦ୍ୟା ଯାହାକୁ ବିଜ୍ଞାନ ସ୍ୱୀକାର କରେ ନାହିଁ, କିନ୍ତୁ ସମାଜରେ ଏହି ଦୁଇ ଶାସ୍ତ୍ର ନିଜର କାୟା ବିସ୍ତାର କରି ଚାଲିଛନ୍ତି । ଖବର କାଗଜ, ଟି.ଭି ଚ୍ୟାନେଲରେ ଏ ଦୁଇ ଶାସ୍ତ୍ରର ଆଲୋଚନା, ପ୍ରଚାର ଓ ବିଜ୍ଞାପନ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି।
ଜଣେ ଗରିବ ଲୋକର ଇନ୍ଦିରାଆବାସ ବା ବିଜୁ କୁଡ଼ିଆ ବାସ୍ତୁଶାସ୍ତ୍ର ଆଧାରିତ ନୁହେଁ। ସମାଜରେ ତଥାକଥିତ ପ୍ରତିଷ୍ଠିତ ଧନିକ ଗୋଷ୍ଠୀ, ଶିଳ୍ପପତି, ରାଜନେତା, ଅଭିନେତା, କ୍ରୀଡାବିତ୍‌, ମନ୍ତ୍ରୀ, ସାଂସଦ, ବିଧାନସଭା ସଦସ୍ୟ ଓ ଉଚ୍ଚପଦସ୍ଥ ଅଧିକାରୀଗଣ ଅର୍ଥ ଓ କ୍ଷମତା ହରାଇବା ଭୟ ବା ପାଇବା ଇଚ୍ଛାରେ ବାସ୍ତୁଶାସ୍ତ୍ରୀଙ୍କ ଆଶ୍ରିତ ହୋଇ ଅନେକ ବାର ଘରର ନକ୍ସା ବଦଳାନ୍ତି। ବେସରକାରୀ ସ୍ତରରେ ଆପତ୍ତି ନ ଥିଲେ ମଧ୍ୟ ସରକାରୀ କାର୍ଯାଳୟରେ ବାସ୍ତୁଶାସ୍ତ୍ର ନାଁରେ ବ୍ୟୟବରାଦ ଆର୍ଥିକ ନିୟମ ଭଙ୍ଗ ଓ ଅଡ଼ିଟ୍‌ ବିରୋଧୀ।
ତେବେ ଏ ବାସ୍ତୁ ଶାସ୍ତ୍ର ଅଟେ କ’ଣ ? ହିନ୍ଦୁ ଧର୍ମରେ ବାସଗୃହ / ମନ୍ଦିର ନିର୍ମାଣ ପୂର୍ବରୁ କର୍ତ୍ତାଙ୍କ ଧନ, ଜନ, ସ୍ୱାସ୍ଥ୍ୟ, ଶାନ୍ତି, ସମୃଦ୍ଧି ପାଇଁ ପଞ୍ଝଭୂ୍‌ତ (ଆକାଶ,ଜଳ,ପବନ,ଅଗ୍ନି,ପୃଥିବୀ)କୁ ସନ୍ତୁଳିତ କରି ଯେଉଁ ବିଦ୍ୟା ପ୍ରୟୋଗ କରାଯାଏ ତାକୁ ବାସ୍ତୁବିଦ୍ୟା କହନ୍ତି। “ଶିଳ୍ପ ପ୍ରକାଶ,” “ପ୍ରସାଦ ମଣ୍ଡନ”, “ଈଶାଣଶିବଗୁରୁଦେବ”, “ବରାହସଂହିତା” ଭଳି କିଛି ପୁସ୍ତକ ଅଛି ଯାହା ଘର ଓ ମନ୍ଦିର ନିର୍ମାଣ ନିମନ୍ତେ ନିୟମ ଲିପିବଦ୍ଧ କରିଛି। ଏହି ବିଦ୍ୟାର ମୂଳ ଆଧାର ହେଲା ପ୍ରତ୍ୟେକ ପ୍ଲଟର ଗୋଟିଏ ଆତ୍ମା ଅଛି। ପ୍ରତ୍ୟେକ ପ୍ଲଟ୍‌କୁ ବିନ୍ୟାସ କରି ବର୍ଗାକାର କ୍ଷେତ୍ରରେ ଚିନ୍ତା କରାଯାଇ କେଉଁ ଦିଗରେ କେଉଁ କକ୍ଷ ରହିବ, କେଉଁ ଦେବଦେବୀଙ୍କୁ କିପରି ସନ୍ତୁଷ୍ଟ କରାଯିବ, ଆଲୋକ ଓ ବାୟୁ କିପରି ପ୍ରାପ୍ତ ହେବ ତାହା ନିର୍ଣ୍ଣୟ କରାଯାଏ।
ଯଦି ବାସ୍ତୁଶାସ୍ତ୍ର ଗୃହକର୍ତ୍ତାଙ୍କର ସୁଖସମୃଦ୍ଧି ପାଇଁ ଉଦ୍ଦିଷ୍ଟ ତେବେ ଭୁଲ୍‌ ରହିଲା କେଉଁଠି? ଡାକ୍ତର ଚିକିତ୍ସାବିଜ୍ଞାନ ପାଠ ପଢି ରୋଗର ନିଦାନ କରେ, କିନ୍ତୁ ଠକ ବଇଦ ଚିକିତ୍ସା ନାଁରେ ମୃତ୍ୟୁକୁ ଡାକିଆଣେ। ତେଣୁ ବାସ୍ତୁଶାସ୍ତ୍ରକୁ ସୁଖଶାନ୍ତି ପାଇଁ ବିଜ୍ଞାନ ଆଧାରିତ ସ୍ଥପତି ବିଦ୍ୟା(ଆର୍କିଟେକ୍‌ଚର) କହିବା ଅର୍ଥ ବିଜ୍ଞାନ ନାଁରେ କୁସଂସ୍କାର ପ୍ରଚାର କରିବା। ଅତଏବ ବାସ୍ତୁଶାସ୍ତ୍ରର ବାସ୍ତବତା କ’ଣ ଆସନ୍ତୁ ଆଲୋଚନା କରିବା।
ବାସ୍ତୁଶାସ୍ତ୍ରୀଙ୍କ ଉକ୍ତି ଓ ଯୁକ୍ତି ଯେ ଏହା ଏକ ସ୍ଥପତି ବିଜ୍ଞାନ ବା ଆର୍କିଟେକଚର୍‌, କିନ୍ତୁ ବାସ୍ତୁଶାସ୍ତ୍ର ବିଶ୍ୱାସ ଓ ଧର୍ମ ଆଧାରିତ। ବିଜ୍ଞାନ ଆଧାରିତ ନୁହେଁ। ଏହି ବିଦ୍ୟା କୌଣସି ପ୍ରାମାଣିକତତ୍ତ୍ବ ଉପରେ ଉପରେ ପର୍ଯ୍ୟବସିତ ନହୋଇ ଗୋଟିଏ ଧର୍ମର(ହିନ୍ଦୁଧର୍ମର)ଅନୁଗାମୀ ଲୋକଙ୍କ ମଧ୍ୟରେ ସୀମିତ, କିନ୍ତୁ ବିଜ୍ଞାନ ସର୍ବବିଦିତ। ଆର୍କିଟେକ୍‌ଚର ଆଣ୍ଡ ସିଭିଲ୍‌ ଇଂଜିନିୟରିଂ ବିଜ୍ଞାନ ଆଧାରିତ ପାଠ୍ୟକ୍ରମ ହୋଇଥିଲାବେଳେ ବାସ୍ତୁଶାସ୍ତ୍ର ଭୟ ଓ ଧର୍ମ ଆଧାରିତ ନିର୍ମାଣ ଶାସ୍ତ୍ର।
ବାସ୍ତୁଶାସ୍ତ୍ରୀଙ୍କ ଉକ୍ତି ଓ ଯୁକ୍ତି ଯେ ବାସ୍ତୁଶାସ୍ତ୍ର ଆଧାରିତ ଘରେ ବାସ କରୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟ, ସୁଖ, ଶାନ୍ତି ଓ ସମୃଦ୍ଧି ମିଳେ, କିନ୍ତୁ ଏହା ଏକ କଳ୍ପନା ଓ ବିଶ୍ୱାସ ମାତ୍ର। ଏହା ସତ୍ୟ ହୋଇଥିଲେ ସରକାର ସମସ୍ତ ଇନ୍ଦିରା ଆବାସ ଓ ବିଜୁ କୁଡ଼ିଆ ଯୋଜନା ହିତାଧିକାରୀଙ୍କ ଘରଗୁଡ଼ିକ ବାସ୍ତୁଶାସ୍ତ୍ର ଅନୁମୋଦିତ କରାଇ ନିର୍ମାଣ କରି ଦିଅନ୍ତେ ଓ ରାଜ୍ୟ ବା ଦେଶରେ ବି.ପି.ଏଲ୍‌. ଜନସଂଖ୍ୟା ରହନ୍ତା ନାହିଁ କିମ୍ବା ଡାକ୍ତରଖାନାର ଆବଶ୍ୟକତା ମଧ୍ୟ ପଡ଼ନ୍ତା ନାହିଁ। ବାସ୍ତୁଶାସ୍ତ୍ର ଆଧାରିତ ଘରେ ରହିଲେ ପାଠ ନପଢ଼ି ଚାକିରି, କ୍ଲାସ୍‌ ନକରି ପାସ୍‌, ଶ୍ରମ ନକରି ସମୃଦ୍ଧି, କିଛି ନଖାଇ ସ୍ୱାସ୍ଥ୍ୟ- ମିଳିଯା’ନ୍ତା। କିନ୍ତୁ ଏସବୁ ସମ୍ଭବ କି? ବାସ୍ତୁଶାସ୍ତ୍ରୀଙ୍କ କଥା ମାନି ରୋଗର ଚିକିତ୍ସା ନକରି ଘରର ଗାଧୁଆଘର, ରୋଷେଇ ଘର, ପାହାଚ, ଚଉରା, ଡ୍ରଇଁରୁମ୍‌, ଠାକୁରଘର ଏପଟସେପଟ କଲେ ରୋଗ ଛାଡ଼ିକି ପଳାଏ ନାହିଁ, ବରଂ ମୃତ୍ୟୁକୁ ନିକଟତର କରାଏ। ଭାରତ ବର୍ଷରେ ଅନେକ ଲୋକ ମଧୁମେହ, ରକ୍ତଚାପ, କ୍ୟାନ୍ସର୍‌, ଜଣ୍ଡିସ୍‌, କୁଷ୍ଠ ଓ ଅନେକ ପିଲା ପୁଷ୍ଟିହୀନତାରେ ଆକ୍ରାନ୍ତ। ଏସବୁର ନିରାକରଣ ବାସ୍ତ୍‌ୁଶାସ୍ତ୍ର ଦେବ ନା ଚିକିତ୍ସା ବିଜ୍ଞାନ ଦେବ? ବାସ୍ତୁଶାସ୍ତ୍ର ଆଉ ଏକ ମାନସିକ ରୋଗ ଯାହା ଆରୋଗ୍ୟ ନୁହେଁ।
ସେହିପରି ପ୍ରେମ, ବୁଝାମଣା, ବିଶ୍ୱାସ, ପରସ୍ପର ପ୍ରତି ଆବେଗ ନରଖି ବାସ୍ତୁଶାସ୍ତ୍ରୀଙ୍କ ଉପଦେଶ ମାନି ଘରର ନକ୍ସା ବଦାଳାଇଲେ ଘୃଣା ପ୍ରେମରେ, ସନ୍ଦେହ ଭରସାରେ, ଅବିଶ୍ୱାସ ବିଶ୍ୱାସରେ, ନିନ୍ଦା ପ୍ରଶଂସାରେ ରୂପାନ୍ତରିତ ହୁଏନାହିଁ। ବରଂ ପରିସ୍ଥିତି ହାତଛଡା ହୁଏ ଏବଂ ବିଚ୍ଛେଦ ପରେ ଶ୍ରେୟ ଯାଏ ବାସ୍ତୁଶାସ୍ତ୍ରୀଙ୍କୁ ଯେ ଘରର ନକସ୍‌ା ଠିକ୍‌ ନଥିବାରୁ ଏଭଳି ଘଟଣା ଘଟିଗଲା।
୫୦୦ ବର୍ଷ ପୂର୍ବେ ବିଜ୍ଞାନ ଓ ଚିକିତ୍ସା ବିଜ୍ଞାନର ଅଗ୍ରଗତି ହୋଇନଥିଲା, ସିଭିଲ୍‌ ଇଂଜିନିୟରିଂ ଓ କଂପ୍ୟୁଟର ଗଣନା ଆସି ନଥିଲା, ଲୋକଙ୍କର ଏକ ଅଦୃଶ୍ୟ ଶକ୍ତିକୁ ଭୟ ଥିଲା, ଲୋକମାନେ ଗୃହ ନିର୍ମାଣ ସମୟରେ ବାସ୍ତୁଶାସ୍ତ୍ରୀଙ୍କ ଉପଦେଶକୁ ଧର୍ମ ଓ ବିଜ୍ଞାନ ଆଧାରିତ ବୋଲି ମାନୁଥିଲେ, କିନ୍ତୁ ବର୍ତ୍ତମାନ ଯୁଗରେ ଯେଉଁଠି ଦୁବାଇରେ ସମୁଦ୍ର ମଧ୍ୟରେ ଖଜୁରୀ ଗଛର ପତ୍ର ଭଳି ସହର (Palm City), ମାଲେସିଆର ଟୁୱିନ୍‌ ଟାୱାର ନୁର୍ୟ୍ୟକର ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ବା ଭାରତ ବର୍ଷର ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଆଧୁନିକ ନିର୍ମାଣ ବିଜ୍ଞାନର ଚମତ୍କାରିତା ଦୃଶ୍ୟମାନ ହେଉଛି ତାହା ବାସ୍ତୁଶାସ୍ତ୍ରର କଳ୍ପନା ବାହାରେ।
ଭୌଗୋଳିକ ଅବସ୍ଥିତି ଓ ଜଳବାୟୁ ଆଧାରରେ ବିଶ୍ବର ବିଭିନ୍ନ ଅଞ୍ଚଳରେ ଗୃହ ନିର୍ମାଣଶୈଳୀ ଭିନ୍ନ। ଏହା ବାସ୍ତୁଶାସ୍ତ୍ର ଉପରେ ନିର୍ଭର କରେନାହିଁ। ବାସ୍ତୁଶାସ୍ତ୍ରୀମାନେ କୌଣସି ପ୍ଲଟ୍‌କୁ ଘର ପାଇଁ ଉପଯୁକ୍ତ ବା ଅନୁପଯୁକ୍ତ କହନ୍ତି ସେହି ପ୍ଲଟର ପଜିଟିଭ୍‌ ଓ ନେଗେଟିଭ୍‌ ଏନର୍ଜି କେତେ ଓ ଗ୍ରାଭିଟେସନାଲ େଫାର୍ସ, ମ୍ୟାଗ୍ନେଟିକ ଫିଲ୍ଡ୍‌, ମାପକରି କହିପାରିବେ କି?
ବିଂଶ ଶତାଦ୍ଦୀରେ ମଣିଷ ମଙ୍ଗଳ ଗ୍ରହରେ ଓ ପୃଥିବୀ ତଳେ ଘର କରିବାକୁ ଚିନ୍ତା କରୁଛି। ଘର ଛାତରେ ବଗିଚା ଓ ପନିପରିବା ଚାଷ ହେଉଛି। ଖଟ,ଟେବୁଲ, ଚେୟାର େଫାଲ୍ଡିଙ୍ଗ ହୋଇ କାନ୍ଥରେ ସେଟ୍‌ ହୋଇପାରୁଛି। ଏହି ପରି​‌ପ୍ରେକ୍ଷୀରେ ବାସ୍ତୁଶାସ୍ତ୍ରର ବୈଜ୍ଞାନିକ ପୃଷ୍ଠଭୂମି କଣ ଟିକିଏ ଚିନ୍ତା କରନ୍ତୁ, ତର୍ଜମା କରନ୍ତୁ, ବିଶ୍ଲେଷଣ କରନ୍ତୁ, ଭୟ ପରିହାର କରି ଜ୍ଞାନର ଉପଯୋଗ କରନ୍ତୁ ଓ ଦେଖନ୍ତୁ ବାସ୍ତୁଶାସ୍ତ୍ର କେତେ ବାସ୍ତବ ବା ଅବାସ୍ତବ।
ଅତିରିକ୍ତ ଶାସନ ସଚିବ,
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
sahoojigds@gmail.com

Comments are closed.