ମୋ ସ୍ବପ୍ନର ଭାରତ

ସାତକଡ଼ି ହୋତା

ଭାରତ ସ୍ବାଧୀନ ହେଲା ପରେ ଜାତିପାଇଁ ଏକ ସମ୍ବିଧାନ ପ୍ରଣୟନ କରାଗଲା। ଏଥିରେ ଜାତିର ସ୍ବପ୍ନ, ସଂକଳ୍ପ ଓ ଆସ୍ପୃହା ସହିତ ଦେଶବାସୀଙ୍କ ଲକ୍ଷ୍ୟ ପ୍ରତିଫଳିତ ହୋଇଛି, କିନ୍ତୁ ସାମ୍ବିଧାନିକ ସଭା ଗଠିତ ହେବା ପୂର୍ବରୁ ବାପୁ ମୋହନଦାସ କରମଚାନ୍ଦ ଗାନ୍ଧୀ ‘ମୋ ସ୍ବପ୍ନର ଭାରତ’ର ଯେଉଁ ପ୍ରତିଲିପି ପ୍ରସ୍ତୁୁତ କରିଥିଲେ ତାହା ହିଁ ସମ୍ବିଧାନର ପ୍ରଣେତାମାନଙ୍କୁ ଯେ ଉଦ୍‌ବୁଦ୍ଧ କରିଛି, ଏହା ନିଶ୍ଚିତ ଜାଣି ତାଙ୍କ ସ୍ବପ୍ନ ଏଠାରେ ଉଦ୍ଧାର କରୁଛି-
‘ମୁଁ ଏପରି ଏକ ଭାରତର ସ୍ବପ୍ନ ଦେଖୁଛି ଯେଉଁଠାରେ ଜାତି ନିର୍ମାଣ କାର୍ଯ୍ୟରେ ଦରିଦ୍ରତମ ଲୋକମାନେ ମଧ୍ୟ ଫଳପ୍ରଦ ଅଂଶ ଗ୍ରହଣ କରିପାରିବେ। ସେପରି ଦେଶର ସବୁ ଜାତି, ଗୋଷ୍ଠୀର ସାଧାରଣ ଲୋକ ଶାନ୍ତି ଓ ସଂହତିରେ ବସବାସ କରିପାରିବେ। ଏପରି ଏକ ଭାରତରେ ଅସ୍ପୃଶ୍ୟତା ରହିବନାହିଁ। ନିଶା ସେବନ ନଥିବ। ମହିଳାମାନଙ୍କୁ ପୁରୁଷମାନଙ୍କ ପରି ସମାନ ଅଧିକାର ମିଳିବ’।
ଗାନ୍ଧିଜୀଙ୍କ ସ୍ବପ୍ନର ଭାରତ ଗଢ଼ିବା ପାଇଁ ନେତୃବୃନ୍ଦ ଯେ ନିଷ୍ଠାର ସହିତ ସମ୍ବିଧାନ ପ୍ରଣୟନ କରିଥିଲେ, ଏହା ସମ୍ବିଧାନର ମୁଖବନ୍ଧରୁ ହିଁ ପ୍ରତିପାଦନ କରାଯାଇପାରିବ। ଜନ୍ମରୁ ସମସ୍ତ ମଣିଷ ସ୍ବାଧୀନ ଏବଂ ସମାନ ଓ ମର୍ଯ୍ୟାଦାର ଅଧିକାରୀ ବୋଲି ଉଲ୍ଲେଖ ରହିଛି। ଭ୍ରାତୃତ୍ବବୋଧ ବଜାୟ ରଖିବା ବିଷୟ ସମ୍ବିଧାନର ମୁଖବନ୍ଧରେ ଲିପିବଦ୍ଧ କରାଯାଇଛି। ଆହୁରି ମଧ୍ୟ ମୁଖବନ୍ଧରେ ଉଲ୍ଲେଖ କରାଯାଇଛି ଯେ ଆମେ ଭାରତର ଅଧିବାସୀମାନେ ନିଷ୍ପତ୍ତି ନେଉଛୁ ଯେ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ପ୍ରଜାତନ୍ତ୍ର ସ୍ଥାପନ କରିବା ସହିତ ସମସ୍ତ ନାଗରିକଙ୍କୁ ସେମାନଙ୍କ ନୀତିଗତ ଅଧିକାର ପ୍ରଦାନ କରୁଛୁ।
ସମ୍ବିଧାନର ମୁଖବନ୍ଧରେ ଦୁଇଟି ପ୍ରଧାନ ବିଷୟ କୁହାଯାଇଛି। (କ) କେଉଁ ସୂତ୍ରରୁ ସମ୍ବିଧାନ ଏସବୁ ଲକ୍ଷ୍ୟ ସଂଗ୍ରହ କରିଛି, (ଖ) କେଉଁ ଲକ୍ଷ୍ୟ ରଖି ସମ୍ବିଧାନ ଏସବୁ ଲକ୍ଷ୍ୟ ପ୍ରତି ଗୁରୁତ୍ବ ଦେଉଛି। ହିନ୍ଦୁମାନେ ଶ୍ରୀମଦ୍‌ ଭାଗବତ୍‌ ଗୀତା ହାତରେ ଧରି ବ୍ରତ ପାଳନ କରିବା ପାଇଁ ସଂକଳ୍ପ କରନ୍ତି। ନିଜନିଜର ଧର୍ମ ନାମରେ ସଂକଳ୍ପ କରିବାରେ ବାଧା ନାହିଁ। ଧର୍ମୀୟ ବିବିଧତା ସତ୍ତ୍ବେ ଦେଶବାସୀ ଈଶ୍ବରଙ୍କ ନାମସ୍ମରଣ କରି ସଂକଳ୍ପ କରି ପାରିବେ। ଧର୍ମ ଓ ସଂସ୍କୃତିରେ ଥିବା ବିବିଧତା ବିଭାଜନର କାରଣ ହେବା ପରିବର୍ତ୍ତେ ଜନସାଧାରଣଙ୍କୁ ସଂଘବଦ୍ଧ କରିଛି ଏବଂ ବିବିଧତା ସେମାନଙ୍କୁ ଏକତ୍ର କରିବା ସହିତ ଜାତୀୟ ଐକ୍ୟ ଓ ସଂହତିର ସୁରକ୍ଷା ପାଇଁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରିଛି। ଆମର ଜାତୀୟ ପତାକା ଓ ଜାତୀୟ ସଂଗୀତ ଲୋକମାନଙ୍କୁ ପ୍ରେରଣା ଦେଇଛି ଶାନ୍ତି ଓ ସହାବସ୍ଥାନକୁ ଦୃଢ଼ କରିବା ପାଇଁ, କିନ୍ତୁୁ ଦେଶର ସାର୍ବଭୌମତ୍ବର ସୁରକ୍ଷା ସହିତ ବିଭିନ୍ନ ଧର୍ମ, ଜାତିଗୋଷ୍ଠୀର ଲୋକ ଏବଂ ସାଂସ୍କୃତିକ ବିବିଧତାକୁ ସଂଗଠିତ କରି ଜାତିର ଐକ୍ୟ ଓ ସଂହତିକୁ ଦୃଢ଼ କରିଛି। ଏଇ ବିବିଧତା ବିଭାଜନର କାରଣ ହୋଇନାହିଁ, ବରଂ ଲୋକ ସଂଗ୍ରହ ବ୍ୟବସ୍ଥାକୁୁ ପ୍ରେରଣା ଯୋଗାଇ ଆସିଛି।
ସତୁରି ବର୍ଷର ସ୍ବାଧୀନତା ଓ ସାର୍ବଭୌମତ୍ବ ଯେ ବିପଦର ସାମନା କରିନାହିଁ, ଏହା କହିବା ଭୁଲ ହେବ। ଥରେ ଚୀନର ଆକ୍ରମଣକୁ ଦେଶ ପ୍ରତିହତ କରି ନପାରିବା ଦ୍ବାରା ହୁଏତ ସାମୟିକ ଦୁର୍ଦଶା ସୃଷ୍ଟି ହୋଇଥିବ, କିନ୍ତୁ ବିବିଧତା ମଧ୍ୟରେ ଭାରତ ଏବେ ବି ଶକ୍ତିର ଉତ୍ସ ହୋଇ ହୋଇରହିଛି। ଏଇ ବିବିଧତାର ସ୍ଥାୟିତ୍ବ ବଜାୟ ରଖିବା ସକାଶେ ସମ୍ବିଧାନରେ ଧର୍ମନିରପେକ୍ଷତା ଅନ୍ତର୍ଭୁକ୍ତ କରାଯାଇଛି,
ଭାରତ ଏକ ପ୍ରାଚୀନ ଦେଶ। ତିନିହଜାରରୁ ଚାରିହଜାର ବର୍ଷର ସଂସ୍କୃତି, ଧର୍ମ, ଭାଷାକୁ ଆଧାର କରି ଗଢ଼ି ଉଠିଛି ଆମ ସଂସ୍କୃତି। ଈଶ୍ବର ବିଶ୍ବାସକୁ ଶକ୍ତିର ଉତ୍ସ କରି ଆମ ଦେଶର ଶିକ୍ଷାଦୀକ୍ଷା ପରିପୁଷ୍ଟ ହୋଇଛି। ଭାରତ ଏକ ଧର୍ମନିରପେକ୍ଷ ଦେଶ ହେଲେ ମଧ୍ୟ ଧର୍ମ ନାମରେ ମତାନ୍ଧତା ସ୍ଥାନ ପାଇନାହିଁ। ଆମ ଦେଶରେ ଆଦ୍ୟ କାଳରୁ ବିବିଧତା ରହି ଆସିଛି। ଜୈନ ଓ ବୌଦ୍ଧ ଧର୍ମ ସନାତନ ହିନ୍ଦୁଧର୍ମଠାରୁ ପୁରୁଣା ବା ସମସାମୟିକ। ସପ୍ତମ ଶତବ୍ଦୀ ବେଳକୁ ଇସଲାମ୍‌ ଧର୍ମ ଏବଂ ନବମ ଶତାବ୍ଦୀ ବେଳକୁ ଖ୍ରୀଷ୍ଟ ଧର୍ମ ଭାରତରେ ପ୍ରବେଶ କଲା। ସେ ସବୁ ଧର୍ମର ଆଚାର ବିଚାର ଓ ସାଂସ୍କୃତିକ ବିବିଧତା ଜୀବନର ଚଳଣିରେ ପଡ଼ିଯାଇଛି। ପୃଥିବୀରେ ସର୍ବାପେକ୍ଷା ଉନ୍ନତ, ଧନଶାଳୀ ଓ ସମୃଦ୍ଧ ଆମେରିକାର ସଂସ୍କୃତି ପନ୍ଦର ଶହ ଶତାବ୍ଦୀର ମଧ୍ୟଭାଗରୁ ଲୋକମାନଙ୍କୁ ପ୍ରଭାବିତ କରୁଛି। କଲମ୍ବସ୍‌ ଆମେରିକା ଆବିଷ୍କାର କରିବା ପରେ ପୃଥିବୀର ଅନେକ ଦେଶରୁ ଲୋକ ଆସିଲେ ଏବଂ ଆମେରିକା ହେଲା ସେମାନଙ୍କର ମାତୃଭୂମି। ବିବିଧତା ମଧ୍ୟରେ ସଂହତି ଓ ସମନ୍ବୟ ଆମେରିକାର ସଂସ୍କୃତିକୁୁ ପରିପୁଷ୍ଟ କରିଛି। ଆମ ଦେଶରେ ଯେପରି ବିବିଧତା ମଧ୍ୟରେ ଧର୍ମ ଓ ସଂସ୍କୃତି ଏବଂ ଦେଶର ଐକ୍ୟ ଓ ସଂହତି ଦୃଢ଼ ହୋଇଛି ଆମେରିକାରେ ମଧ୍ୟ ସେହିପରି। ଉଭୟ ଦେଶ ବିିଭିନ୍ନ ଧର୍ମର ଉତ୍କର୍ଷ ଓ ସାଂସ୍କୃତିକ ବୈଚିତ୍ର୍ୟକୁ ଗ୍ରହଣ କରି ନେଇଛନ୍ତି।
ଧର୍ମ ନାମରେ ଦେଶ ବିଭାଜନ ହୋଇଛି ସତ, କିନ୍ତୁ ଭାରତରେ ଏକାଧିକ ଧର୍ମ ପ୍ରଚଳିତ ଅଛି। ଈଶ୍ବର ବିଭାଜନର କାରଣ ନୁହନ୍ତି, ଧର୍ମ ଓ ବିଶ୍ବାସ ବିଭାଜନ ସୃଷ୍ଟି କରିଛି। ତେଣୁ ଏ ସମସ୍ୟାର ସମାଧାନ ପାଇଁ ଶ୍ରୀରାମକୃଷ୍ଣ ପରମହଂସଙ୍କ ସିଦ୍ଧାନ୍ତ ଦେଶବାସୀ ଗ୍ରହଣ କରିନେଲେଣି ଯେ ଈଶ୍ବର ଏକ, କିନ୍ତୁ ଧର୍ମ ଅନେକ। ‘ଏକମ୍‌ ସଦ୍‌ବିପ୍ରା ବହୁଧା ବଦନ୍ତି’। ସୌଭାଗ୍ୟର ବିଷୟ ଏଇ ପ୍ରାଚୀନ ସଭ୍ୟତାର ଅଭ୍ୟୁଦୟ ସହିତ ଯେଉଁ ସବୁ ମୂଲ୍ୟବୋଧ ସୃଷ୍ଟି ହୋଇଛି ଏହା ଆମ ସମ୍ବିଧାନର ମୁଖବନ୍ଧରେ ଲିପିବଦ୍ଧ ହୋଇଛି। ଏଇ ମୂଲ୍ୟବୋଧଗୁଡ଼ିକ ଜୀବନଚର୍ଯ୍ୟାର ଅଂଶବିଶେଷ ହେଲେ ମଧ୍ୟ ଏସବୁକୁ ସମସ୍ତଙ୍କର ଧ୍ୟାନ ଧାରଣା ସହିତ ଯଦି ମୂଲ୍ୟବୋଧଗୁଡ଼ିକୁ ଆବାଳ ବୃଦ୍ଧବନିତା ଗ୍ରହଣ କରିନିଅନ୍ତେ ତେବେ ଈଶ୍ବର ଏକ ଏବଂ ଧର୍ମ ଅନେକର ଚଳଣି ଭିତରେ ମୂଲ୍ୟବୋଧ ବିଭାଜନର କାରଣ ହେବା ପରିବର୍ତ୍ତେ ସମତାର କାରଣ ହୁଅନ୍ତା।
ସମ୍ବିଧାନର ମୁଖବନ୍ଧର ସାରମର୍ମ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଦୁର୍ଭାଗ୍ୟର ବିଷୟ ଯେ ଆମ ଶିକ୍ଷା ବ୍ୟବସ୍ଥାରେ ସମାଜ ବିଜ୍ଞାନ, ରାଜନୀତି ବିଜ୍ଞାନ, ଇତିହାସ ଓ ଭୂଗୋଳକୁ ଉତ୍ତମ ସ୍ଥାନ ଦିଆଯାଇନାହିଁ। ମହାତ୍ମାଗାନ୍ଧୀଙ୍କ ‘ସ୍ବପ୍ନର ଭାରତ’ ସମ୍ପର୍କରେ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ରାଜନୀତିଜ୍ଞ, ଆଇନଜ୍ଞ ଓ ପ୍ରଶାସକମାନେ ଅବହିତ ଅଛନ୍ତି କି ନାହିଁ ଏହା ନିଶ୍ଚୟ କରି କହିହେବନାହିଁ। ତାଙ୍କ ସ୍ବପ୍ନର ଭାରତରୁ ଅସ୍ପୃଶ୍ୟତା ଉଠିଯାଇଛି, କିନ୍ତୁ ପ୍ରକୃତରେ ଅସ୍ପୃଶ୍ୟତା ଯେ ଉଠିନାହିଁ ଏହା ମଠ, ମନ୍ଦିର, ସାମାଜିକ କେନ୍ଦ୍ରଗୁଡ଼ିକୁ ଗଲେ ସ୍ପଷ୍ଟ ବାରି ହୋଇଯାଏ। ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବୈଷମ୍ୟ ଦୂର ହୋଇନାହିଁ। ସତୁରି ବର୍ଷ ପରେ ମଧ୍ୟ ଗୁଜରାଟ, କେରଳ, ବିହାର ଛାଡି ଅନ୍ୟତ୍ର ନିଶାସେବନ ଅବାଧରେ ଚାଲିଛି। ମହିଳାମାନେ ମଦପାନ ନିଷିଦ୍ଧ କରିବା ପାଇଁ ଆନ୍ଦୋଳନ ଜାରି ରଖିଥିଲେ ମଧ୍ୟ ସରକାର ଅବକାରୀ ଉପାର୍ଜନ ବଢ଼ୁଥିବାରୁ ନିଶା ସେବନ ପ୍ରୋତ୍ସାହନ ପାଉଛି। ଗାନ୍ଧିଜୀଙ୍କୁ ପିତାର ସମ୍ମାନ ଦେବା ପରେ ବି ଯେ ମହିଳାମାନେ ସାମାଜିକ ନ୍ୟାୟ ପାଉନାହାନ୍ତି, ମଦପାନ ଅବ୍ୟାହତ ରହିଛି ଏବଂ ସାଧାରଣ ଲୋକ ସରକାରଙ୍କ ହିତକର କାର୍ଯ୍ୟର ଆଦର୍ଶ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ଶାସନ ସଂଶ୍ଳିଷ୍ଟ ହୋଇନାହିଁ, ଏହା କ୍ଷୋଭର ବିଷୟ।
ସମ୍ବିଧାନ ଜନସାଧାରଣଙ୍କୁ ଏକାଧିକ ବିଷୟରେ ନ୍ୟାୟ ଓ ଅଧିକାର ପ୍ରଦାନ କରିଛି। ଆମ ଦେଶ​‌େ​‌ର ଆଦିବାସୀ ଓ ଜନଜାତିଙ୍କ ସଂଖ୍ୟା ପ୍ରାୟ କୋଡ଼ିଏ କୋଟିହେବ। ଏମାନେ ବଣଜଙ୍ଗଲରେ ଓ ପାହାଡ଼ ପର୍ବତରେ ଯୁଗଯୁଗ ଧରି ରହି ଆସିଛନ୍ତି। ସରକାର ସାକ୍ଷରଙ୍କ ସଂଖ୍ୟା ୭୩ ପ୍ରତିଶତ କହୁଥିଲାବେଳେ ଆଦିବାସୀମାନଙ୍କ ସାକ୍ଷର ସଂଖ୍ୟା ୫୦ ପ୍ରତିଶତକୁ ଛୁଇଁ ନାହିଁ। ଏମାନେ ସରକାରଙ୍କ ଦ୍ବାରା ଦେଶର ସର୍ବତ୍ର କରାଯାଉଥିବା ହିତକର କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି, କିନ୍ତୁ ଏମାନେ ସଚେତନ ନଥିବାରୁ ହିତକର କାର୍ଯ୍ୟ ସମ୍ପର୍କରେ ସଚେତନ ଓ ସଂଶ୍ଳିଷ୍ଟ ନୁହନ୍ତି। ଏମାନଙ୍କୁ ଯଦି ଶିକ୍ଷିତ ଓ ସଚେତନ କରାନଯାଏ ତେବେ ସାମାଜିକ ସଚେତନତା ଅଭାବରୁ ସମ୍ବିଧାନ ସେମାନଙ୍କୁ ଦେଇଥିବା ଅଧିକାର ସମ୍ପର୍କରେ ସେମାନେ ଜାଣିବାର ଅବକାଶ ଆସିବ ନାହିଁ। ସେହିପରି ରାଜନୀତିକ, ଅର୍ଥନୀତିକ କ୍ଷେତ୍ରରେ ସମାଜ ଓ ଶାସନ ବ୍ୟବସ୍ଥା ସହିତ ସେମାନେ ସଂପୃକ୍ତ ନୁହନ୍ତି। ଜାତୀୟତାବୋଧ ନଥିଲେ ଦେଶପ୍ରେମ ଜାଗ୍ରତ ହେବନାହିଁ। ଦକ୍ଷତା ବୃଦ୍ଧି ପାଇଁ ମନରେ ଅନୁସନ୍ଧିତ୍ସା ସୃଷ୍ଟି ହେବନାହିଁ ବା ଅନ୍ତସ୍ଥଳରେ ପ୍ରେରଣା ଜାତ ହେବନାହିଁ। ଜାତୀୟତାବୋଧ ହିଁ ଦେଶ‌େପ୍ରମ ଶିକ୍ଷା ଦିଏ। ଶ୍ରୀଅରବିନ୍ଦ କହିଛନ୍ତି: ‘ରାଜନୀତିକ ସ୍ବାଧୀନତା ​‌େ‌ଗାଟିଏ ଜାତିର ନାଭିଶ୍ବାସ। ଏହାବିନା ଗୋଟିଏ ଜାତି ବଡ଼ ହୋଇପାରିବ ନାହିଁ। ଗୋଟିଏ ଜାତିର ଉତ୍‌ଥାନ ଏକ ବିରାଟ, ପବିତ୍ର ଯଜ୍ଞ’। ଏଇ ଯଜ୍ଞ‌େ‌ର ଆହୁତି ଦବାର ଗୌରବ ଯେଉଁମାନଙ୍କର ଅଛି ସେହିମାନେ ଧର୍ମ, ଜାତି, ଗୋତ୍ର, ନିର୍ବିଶେଷରେ ସମ୍ବିଧାନ ଓ ସାର୍ବଭୌମତ୍ବର ସୁରକ୍ଷା ପାଇଁ ସଂକଳ୍ପ ନିଅନ୍ତୁୁ।

Comments are closed.