ରଥୀ-ସାରଥି

0

ନ୍ୟାଯ୍ୟ ଅଧିକାର ପ୍ରଦାନପୂର୍ବକ ଅଯଥା ରକ୍ତପାତ, ଲୋକକ୍ଷୟ ରୋକିବା ଲାଗି ଯଦୁପତି ଶ୍ରୀକୃଷ୍ଣଙ୍କ ସମାଧାନ ସର୍ତ୍ତ ପ୍ରତ୍ୟାଖ୍ୟାତ ହୋଇଥିଲା। ବିନାଯୁଦ୍ଧରେ ସୂଚ୍ୟଗ୍ର ପରିମିତ ମେଦିନୀ ନ ଦେବାକୁ ମହାମାନୀ ଦୁ‌େ‌ର୍ଯ୍ୟାଧନଙ୍କ ଦମ୍ଭୋକ୍ତି ଯୋଗୁ ଯୁଦ୍ଧ ଅବଶ୍ୟମ୍ଭାବୀ ହୋଇପଡ଼ିଥିଲା। ଯୁଦ୍ଧନିମିତ୍ତ ପାଣ୍ଡବ ଓ କୌରବ ପକ୍ଷ ନିଜନିଜ ସହାୟକଙ୍କୁ ସଂଗ୍ରହ କରିବାକୁ ଲାଗିପଡ଼ିଲେ।
ଏହି କ୍ରମରେ ଦୁ​‌େ​‌ର୍ଯ୍ୟାଧନ ଶ୍ରୀକୃଷ୍ଣଙ୍କ ନିକଟରେ ପହଞ୍ଚିଥିଲେ ସହାୟତା ଆଶାରେ। ଦୁ​‌େ​‌ର୍ଯ୍ୟାଧନ ପହଞ୍ଚିବା ସମୟରେ ଶ୍ରୀକୃଷ୍ଣ ବିଶ୍ରାମ ନେଉଥିଲେ। ଅହଂକାରୀ ଦୁ​‌େ​‌ର୍ଯ୍ୟାଧନ ଶ୍ରୀକୃଷ୍ଣଙ୍କ ମୁଣ୍ଡପାଖରେ ଉପବେଶନ କରି ଅପେକ୍ଷା କରିଥାନ୍ତି। ନିଜର ପ୍ରିୟ ସଖାଙ୍କ ନିକଟକୁ ଅନୁରୂପ ସହାୟତା ପାଇବା ଆଶାରେ ଯାଇଥିଲେ ମଧ୍ୟମ ପାଣ୍ଡବ ଅର୍ଜୁନ। ସଖାଙ୍କୁ ଶୋଇଥିବାର ଦେଖି ସେ ତାଙ୍କର ପାଦତଳେ ବସି ଅପେକ୍ଷା କରିଥିଲେ ନିଦ୍ରାଭଙ୍ଗ ହେବା ପର୍ଯ୍ୟନ୍ତ।
ଶ୍ରୀକୃଷ୍ଣଙ୍କ ନିଦ୍ରାଭଙ୍ଗ ହେବାରୁ ତାଙ୍କର ପାଦତଳେ ବସିଥିବା ମଧ୍ୟମ ପାଣ୍ଡବଙ୍କୁ ପ୍ରଥମେ ଦେଖିବାକୁ ପାଇଥିଲେ। ଅର୍ଜୁନଙ୍କୁ ଦେଖି ଆସିବାର କାରଣ ପଚାରନ୍ତେ ଅସୂୟାବଶତଃ ଖଳମତି ଦୁ​‌େ​‌ର୍ଯ୍ୟାଧନ ଆସନରୁ ହଠାତ ଉଠିପଡ଼ି କହିଥିଲେ- ‘ବାସୁଦେବ! ମୁଁ ଆଗରୁ ଆସିଛି, ମୋତେ ଆଗ ପଚାରନ୍ତୁ।’
ଦୁ‌େ‌ର୍ଯ୍ୟାଧନଙ୍କ କଣ୍ଠ ସ୍ବର ଶୁଣି ଶ୍ରୀକୃଷ୍ଣ ସମ୍ମୁଖଭାଗରୁ ଦୃଷ୍ଟି ପଛକୁ ଫେରାଇଥିଲେ। ଦୁ​‌େ​‌ର୍ଯ୍ୟାଧନଙ୍କୁ ଦେଖି ତାଙ୍କୁ ଆସିବାର କାରଣ ପଚାରିଥିଲେ। ପ୍ରଥମେ ଦୁ‌େ​‌ର୍ଯ୍ୟାଧନ ଓ ପରେ ଅର୍ଜୁନ ଆସିବାର କାରଣ କହିଥିଲେ।
ଏହାଶୁଣି ଶ୍ରୀକୃଷ୍ଣ କହିଲେ ଏହି ଯୁଦ୍ଧରେ ମୁଁ ଅସ୍ତ୍ର ଧାରଣ କରିବିନାହିଁ ବୋଲି ପ୍ରତିଜ୍ଞା କରିଛି। ଗୋଟିଏ ପକ୍ଷରେ ଅସ୍ତ୍ରବିହୀନ ଭାବରେ ମୁଁ ରହିବି ଓ ଅନ୍ୟ ପକ୍ଷରେ ମୋର ନାରାୟଣୀ ସେନା। ଅର୍ଜୁନ କିନ୍ତୁ ନିଃଶସ୍ତ୍ର ଶ୍ରୀକୃଷ୍ଣଙ୍କୁ ନିଜ ପକ୍ଷରେ ରଖିବାକୁ ଓ ମୂଢମତି ଦୁ‌େ‌ର୍ଯ୍ୟାଧନ ନାରାୟଣୀ ସେନା ନିଜ ସପକ୍ଷରେ ରଖିବା ନିମନ୍ତେ କହିଥିଲେ।
ଶ୍ରୀକୃଷ୍ଣ ଏହି ପ୍ରସ୍ତାବରେ ସମ୍ମତି ଦେଇଥିଲେ। ବେଶ୍‌ ପ୍ରସନ୍ନ ଚିତ୍ତରେ ଅପରିଣାମଦର୍ଶୀ, ଅଦୂରଦର୍ଶୀ, ଶ୍ରୀକୃଷ୍ଣଙ୍କ ଶକ୍ତି ବିଷୟରେ ଅଜ୍ଞ ଦୁ​‌େ​‌ର୍ଯ୍ୟାଧନ ସେଠାରୁ ପ୍ରସ୍ଥାନ କରିଥିଲେ। ମନେମନେ ବହୁତ ଖୁସି ହେଉଥାନ୍ତି ଏଥିପାଇଁ ଯେ ଅର୍ଜୁନ ସତରେ କେଡ଼େ ନିର୍ବୋଧ। ସେନା ପରିବର୍ତ୍ତେ ନିରସ୍ତ୍ର ଓ ଯୁଦ୍ଧ ନ କରିବାକୁ ପ୍ରତିଜ୍ଞାବଦ୍ଧ ଶ୍ରୀକୃଷ୍ଣଙ୍କୁ ନିଜ ସପକ୍ଷରେ ରଖିବାକୁ ଚାହିଁଲା। ଏକାକୀ ଅସ୍ତ୍ରହୀନ ଶ୍ରୀକୃଷ୍ଣ ବା କ’ଣ କରିପାରିବେ ବିଶାଳ କୌରବ ସେନାର ! ଶ୍ରୀକୃଷ୍ଣଙ୍କ ସେନା ଆମ ପକ୍ଷରେ ରହିଲେ ଆମେ ନିଶ୍ଚୟ ଦୁର୍ଜୟ ଓ ବିଜୟୀ ହେବୁ ବୋଲି ମନେମନେ ନିଶ୍ଚୟ କରିନେଇଥିଲେ ଦୁ​‌େ​‌ର୍ଯ୍ୟାଧନ।
ଦୁ‌େ‌ର୍ଯ୍ୟାଧନଙ୍କ ପ୍ରତ୍ୟାବର୍ତ୍ତନ ପରେ ସଖା ଅର୍ଜୁୁନଙ୍କୁ ଶ୍ରୀକୃଷ୍ଣ ପଚାରିଥିଲେ- ତୁମେ ନିଃଶସ୍ତ୍ର ଶ୍ରୀକୃଷ୍ଣଙ୍କୁ ନିଜ ପକ୍ଷରେ ରଖିବାକୁ ମତ ଦେଲ ଯେ? ତୁମେ ତ ପ୍ରଥମରୁ ମୋର ସେନା ନେଇପାରିଥାନ୍ତ।
‘ଅାମର ଜୟ ହେଉ ବା ପରାଜୟ ହେଉ, ଆମେ କିନ୍ତୁ ଆପଣଙ୍କୁ କଦାପି ତ୍ୟାଗ କରିବୁ ନାହିଁ’- ଅର୍ଜୁନ ଦୃଢ଼ତାର ସହ କହିଥିଲେ। ‘ମୋତେ ନେଇ କ’ଣ ବା କରିପାରିବ’- ଚକ୍ରଧାରୀ ହସିହସି କହିଥିଲେ। ଅର୍ଜୁନ ସେହିଭଳି ହସିହସି କହିଥିଲେ- ‘ଆପଣ ମୋ ରଥର ସାରଥି ହେବେ। ମୋର ରଥର ଡୋରି ଆପଣ ଧରିବା ପରେ ମୁଁ ନିଶ୍ଚିନ୍ତ ହୋଇଯିବି, ଆଉ ଶଙ୍କା ନଥିବ।’
ସତ୍ୟ ଏହା ଯେ ଯିଏ ଆପଣା ରଥର ଡୋରି ଭଗବାନଙ୍କ ହାତରେ ସମର୍ପି ଦେଇଥିଲେ ତାଙ୍କର ଲୌକିକ, ପାରମାର୍ଥିକ ବିଜୟ ତ ନିଶ୍ଚିତ ଥିଲା। ମଦମତ୍ତ, ଉଦ୍ଧତ, ଦାମ୍ଭିକ ଦୁ​‌େ​‌ର୍ଯ୍ୟାଧନ କିନ୍ତୁ ଏହା ବୁଝି ପାରି ନଥିଲେ। ମହାଧନୁର୍ଦ୍ଧର ଅର୍ଜୁନଙ୍କ ରଥର ସାରଥି ଭାବରେ ଯଦୁପତି ଶ୍ରୀକୃଷ୍ଣ ହିଁ ଏକ ନିର୍ଣ୍ଣାୟକ ଭୂମିକା ନେଇଥିଲେ ଏହି ମହାଯୁଦ୍ଧରେ ଯାହା ପାଣ୍ଡବମାନଙ୍କୁ ବିଜୟୀ କରାଇଥିଲା।

Leave A Reply