ଗୋଟିଏ ଚେର, ଅନେକ ସଂସ୍କୃତି

0

ଶୈଳେନ୍ଦ୍ର ଦ୍ବିବେଦୀ

ନିକଟରେ ଜଣେ ସ୍ତମ୍ଭକାର ଲେଖିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନରେ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ‘ପରିଚୟ’କୁ (ଭାରତୀୟ ହିସାବରେ ଆମର ଖାସ୍‌ ପରିଚୟ/ଅସ୍ତିତ୍ବ) ମଧ୍ୟ ନିର୍ବାଚନ ମଇଦାନ ଭିତରକୁ ଅଣାଯାଇପାରେ, କିନ୍ତୁ ଡିଏନ୍‌ଏକୁ ନେଇ ନୂତନ ଗବେଷଣା ଆପାତତଃ ସ୍ପଷ୍ଟ କରିସାରିଲାଣି- ଯେଉଁ ‘ଚେର’କୁ ଧରି ହଜାରହଜାର ବର୍ଷ ଧରି ଆମେ ମୂଳତଃ ‘ଭାରତୀୟ’ ବୋଲି ଗର୍ବ କରୁଛୁ, ସେଇ ବିଶ୍ବାସ ବା ଆସ୍ଥାର ବୈଜ୍ଞାନିକ ଆଧାର ହିଁ ଉପସ୍ଥିତ ନାହିଁ। ଅବଶ୍ୟ, ଏମିତି କେବଳ ଭାରତରେ ଘଟିନାହିଁ। ସାମାଜିକ, ସାଂସ୍କୃତିକ ଜୀବନଧାରାରେ ବିକାଶ ଓ ପ୍ରଯୁକ୍ତିବିଦ୍ୟାର ଉତ୍କର୍ଷ ସତ୍ତ୍ବେ ବି ପୃଥିବୀର ବିଭିନ୍ନ ଅଞ୍ଚଳରେ ଧରି ନିଆଯାଇଛି- ଏକ ନିର୍ଦିଷ୍ଟ ଜାତି (ଯେମିତି ନାଜି ଭାବୁଥିଲେ) ହିଁ ଶ୍ରେଷ୍ଠ। ଖାସ୍‌ ସେଇମାନେ ହିଁ ଶାସକ ହେବାପାଇଁ ଉଦ୍ଦିଷ୍ଟ। ସେଇମାନେ ବିକଶିତ। ସଭ୍ୟ, ସାମ୍ରାଜ୍ୟ ବିସ୍ତାର ପାଇଁ ସ୍ବୟଂ ପରମେଶ୍ବରଙ୍କ ଦ୍ବାରା ଆଶୀର୍ବାଦ ପ୍ରାପ୍ତ। ଅନ୍ୟ ଅର୍ଥରେ ସେମାନେ ସର୍ବୋତ୍ତମ। ହଜାରହଜାର ବର୍ଷ ଅନ୍ୟ ସକଳ ସତ୍ତା, ଉପସ୍ଥିତିଠୁ ନିଜକୁ ଶ୍ରେଷ୍ଠ ପ୍ରମାଣ କରିବାର ନିଶା ଆମ ମୁଣ୍ଡରୁ ଓହ୍ଲେଇ ନାହିଁ, ତେଣୁ ନିକଟରେ ପ୍ରକାଶିତ ଏକ ଗବେଷଣାତ୍ମକ ପୁସ୍ତକ ଭିନ୍ନ କଥା କହିଛି। ଅଲଗା ବାଗରେ ବି କୁହାଯାଇଛି। ବହିଟି ଲେଖିଛନ୍ତି ଟୋନି ଯୋଶେଫ୍‌। ମଜାକଥା ହେଉଛି, ଯୋଶେଫ୍‌ ବୃତ୍ତିରେ ସାମ୍ବାଦିକ, ଐତିହାସିକ ନୁହନ୍ତି। ପ୍ରତ୍ନତତ୍ତ୍ବ ବାଦ୍‌ ଡିଏନ୍‌ଏ ଏବଂ ଜେନେଟିକ୍ସ ଉପରେ ଆଧାରିତ ଟୋନିଙ୍କ ‘ଅର୍ଲି ଇଣ୍ଡିଆନ୍ସ’ ବେଶ୍‌ କିଛି ଧାରଣାକୁ ନୂଆମୋଡ଼ ଦେଇଛି। (ପ୍ରକାଶକ: ଜଗରନଟ୍‌)
ଲେଖକ ଯାହା ଉପରେ ଆଲୋକପାତ କରିଛନ୍ତି, ତାହା ଆମେ ବୁଝୁଥିବା ଅର୍ଥରେ ଇତିହାସ ନୁହେଁ, ବରଂ ପ୍ରାକ୍‌-ଇତିହାସ। ସେଥିପାଇଁ ପରସ୍ତପରସ୍ତ ଧୂଳି ତଳୁ, ମିଟରମିଟର ମାଟି ତଳୁ, ଏକଦା ସବୁଜ ଥିବା କେଉଁ ଉପତ୍ୟକାର ପ୍ରତ୍ନତାତ୍ତ୍ବିକ ଖନନରୁ ଉପଲବ୍ଧ ଜୀବାଶ୍ମର ବିଶ୍ଳେଷଣ ଆବଶ୍ୟକ, ଅନୁଶୀଳନ ଆବଶ୍ୟକ, କାରଣ ଲିଖିତ ଭାବରେ ଇତିହାସ ନିର୍ମାଣ ହେବା ଆଗରୁ ସେମାନେ ଅପସରି ଯାଇଛନ୍ତି। ଅତ୍ୟନ୍ତ ଆଗ୍ରହର ସହିତ ଟୋନି ଇତିହାସର ପୂର୍ବକାଳ ସହିତ ମିତ୍ରତା କରିଛନ୍ତି। କାରଣ ଇତିହାସକୁ ପରିଚୟ ଦେବା ଆଗରୁ ହିଁ ଇତିହାସର ବିନ୍ୟାସ ଆରମ୍ଭ ହୋଇ ସରିଥାଏ। ହଁ, ଘଟଣା ଓ ଚରିତ୍ରମାନଙ୍କର ଅନୁକ୍ରମିକତା ଲିପିବଦ୍ଧ ହୋଇନଥାଏ। ଘଟଣା ପ୍ରବାହର ରେକର୍ଡ଼ ନଥାଏ। ଗବେଷକ କିନ୍ତୁ ପ୍ରାକ୍‌ ଇତିହାସକୁ ଉପେକ୍ଷା କରିନଥାଏ। ଟୋନିଙ୍କ ମତ ହେଉଛି, ଅପ୍ରମାଣିତ/ଅଲିଖିତ ଇତିହାସକୁ ନେଇ କୌଣସି ସମୟରେ ଭାଷଣ ବନ୍ଦ ହୋଇନଥାଏ। ବାଚନିକ ପରମ୍ପରା, ଲୋକକଥା, କିମ୍ବଦନ୍ତୀ, ମିଥ୍‌ ପ୍ରାକ୍‌-ଇତିହାସକୁ କିଛି କମ୍‌ ଭବ୍ୟ କରି ରଖିନଥାଏ। ଭାରତରେ ମଧ୍ୟ ତାହାହିଁ ଘଟିଛି। ଆମର ବିଶ୍ବାସ ଯେ ଆମ ପୂର୍ବପୁରୁଷମାନେ କେଉଁ ଅନାଦି କାଳରୁ ଭାରତରେ ରହି ଆସୁଛନ୍ତି। ଆମେ ତାଙ୍କରି ବଂଶଜ। ମୂଳତଃ ଭାରତୀୟ। ଏଣେ ଗବେଷଣା ନୂଆ କଥା କହିଲାଣି। ଆମେ- ଆଧୁନିକ ମଣିଷ, ଯେଉଁ ପରିବାରର ପ୍ରଜାତି, ସେଇ ହୋମୋ ସାପିଏନ୍ସ ଖୁବ୍‌ବେଶୀରେ ୩ଲକ୍ଷ ବର୍ଷ ପ୍ରାଚୀନ ଏବଂ ଏମାନେ ଭାରତୀୟ ଉପମହାଦେଶକୁ ଆସିଥିଲେ ମାତ୍ର ୬୫,୦୦୦ବର୍ଷ ଆଗରୁ ଆଫ୍ରିକାରୁ। ଆଉ ଆଫ୍ରିକାହିଁ ମୂଳାଧାର। ତେବେ ଏଇ ସ୍ଥାନାନ୍ତରଣ ଆକସ୍ମିକ ନଥିଲା ବା ଏମିତି ନୁହେଁ ଯେ ​‌େ​‌ହାମୋ ସାପିଏନ୍ସ’ ଭାରତରେ ପ୍ରବେଶ ଆଗରୁ ଏଠି ଆଉ କେହି ନଥିଲେ।
ପାଠକେ ଜାଣନ୍ତି ଯେ ହୋମୋ ସାପିଏନ୍ସ ‘ହୋମୋ’ ପରିବାରର ଏକମାତ୍ର ସଦସ୍ୟ ଯିଏ ଏବେ ସାରା ପୃଥିବୀରେ ଅଛନ୍ତି ଏବଂ ଆଧୁନିକ ମନୁଷ୍ୟ ବୋଲାଉଛନ୍ତି। ସାପିଏନ୍ସଙ୍କ ଆଗରୁ ବା କିଛି କ୍ଷେତ୍ରରେ ସମକାଳୀନ ହୋଇ ରହିଥିବା ଅନ୍ୟାନ୍ୟ ପ୍ରଜାତି, ଯଥା ‘ହୋମୋ ଇରେକ୍‌ଟସ’ ଏବଂ ‘ନିଅନ୍‌ଡର୍ଥାଲ’ ‘ବିଲୁପ୍ତ ହୋଇ ସାରିଛନ୍ତି। କୁହାଯାଇପାରିବ, ବିବର୍ତ୍ତନ କ୍ରମରେ ଏବେ ହୋମୋ ସାପିଏନ୍ସ ହିଁ ଅଛନ୍ତି। ଭାରତ ସମେତ ପୃଥିବୀର ଅନ୍ୟାନ୍ୟ ଅଞ୍ଚଳରେ ଥିବା ସବୁ ମଣିଷର ଚେର ଯେ ଆଫ୍ରିକା ସହିତ ସଂପୃକ୍ତ, ୬/୭ ବର୍ଷ ଆଗରୁ ଏକଥା ଖୁବ୍‌ ବେଶୀରେ ଏକ ଅନୁମାନ ଯାହା ଥିଲା, କାରଣ ପ୍ରମାଣସିଦ୍ଧ ନିର୍ଯାସ ଆମ ପାଖରେ ନଥିଲା। ଏବେ ସର୍ବାଧୁନିକ ଡିଏନ୍‌ଏ ଗବେଷଣା ଆମକୁ ବେଶ୍‌ କିଛି କଥା ଆଉଥରେ ବୁଝିବାପାଇଁ ସୂଚେଇ ସାରିଛି। ସେଇ ଅନୁସାରେ, ହୋମୋ ସାପିଏନ୍ସମାନେ ଆଫ୍ରିକୀୟ ବଂଶୋଦ୍ଭବ। ତେବେ ସ୍ଥାନାନ୍ତରଣ କ୍ରମରେ ଏହି ‘ଆଉଟ୍‌ ଅଫ୍‌ ଆଫ୍ରିକା ମାଇଗ୍ରାଣ୍ଟସ୍‌’ମାନଙ୍କ ଯାତ୍ରା ଆଦୌ ସହଜ ନଥିଲା। ପ୍ରତିକୂଳ ପରିସ୍ଥିତିସହ ଯୁଝି, ପାଣିପାଗ ସହିତ ଲଢ଼ି ହଜାରହଜାର କିଲୋମିଟର ଅତିକ୍ରମି ଏକାବେଳକେ ନୂଆ ଇଲାକାରେ ସ୍ଥାପିତ ହେବା କିଛି କମ୍‌ ଉପଲବ୍ଧି ନଥିଲା। ସାପିଏନ୍ସଙ୍କ ପୂର୍ବରୁ ସ୍ଥାନାନ୍ତରଣ ଅବ୍ୟାହତ ଥିଲା ନା ନାହିଁ, ସେ ବାବଦରେ ପର୍ଯ୍ୟାପ୍ତ ତଥ୍ୟ ହୁଏତ ନାହିଁ, ତେବେ ଭାରତ ମୁହାଁ ହେବା ଆଗରୁ ୧,୮୦,୦୦୦ ବର୍ଷ ପୂର୍ବେ ସାପିଏନ୍ସ ସ୍ଥାନାନ୍ତରଣ ହୋଇଥିଲା ଲେଭାଣ୍ଟକୁ। (ଲେଭାଣ୍ଟ ଏକ ଐତିହାସିକ-ଭୌଗୋଳିକ ଶବ୍ଦ ଯାହା ପଶ୍ଚିମ ଏସିଆର ଏକ ବିସ୍ତୃତ ଅଞ୍ଚଳକୁ ଚିହ୍ନିତ କରିଥାଏ। ସଂକୀର୍ଣ୍ଣ ଅର୍ଥରେ ସିରିଆ ଓ ସଂଲଗ୍ନ ଅଞ୍ଚଳ। ୮୮,୦୦୦ବର୍ଷ ତଳେ ସାପିଏନ୍ସ ସ୍ଥାନାନ୍ତରିତ ହୋଇଥିଲେ ଆରବକୁ (କୁଏତ୍‌ କ୍ବାତାର୍‌, ଓମାନ୍‌, ସାଉଦିଆରବ, ସଂଯୁକ୍ତ ଆରବ ଏମିରେଟସ୍‌। ତେବେ ଭାରତକୁ ଏମାନଙ୍କ ସ୍ଥାନାନ୍ତରଣ ହୋଇଥିଲା ପ୍ରାୟ ୬୫,୦୦୦ବର୍ଷ ଆଗରୁ। ଗବେଷକଙ୍କ ମତ, ପ୍ରାୟ ସବୁଠି ସାପିଏନ୍ସମାନେ ସାମ୍‌ନାସାମ୍‌ନି ହୋଇଥିଲେ ହୋମୋ ପରିବାରର ପ୍ରାଚୀନ ସଦସ୍ୟଙ୍କ ସହିତ। ୭୦,୦୦୦ ବର୍ଷ ତଳେ ପୃଥିବୀରେ ଜଳବାୟୁୁର ଚରିତ୍ର ନିଆରା ଥିଲା। ଏସିଆ ମହାଦେଶକୁ ଯାତ୍ରା ମୂଳରେ ଥିଲା ୟାର ଅପୂର୍ବ, ଅନୁକୂଳ ପ୍ରାକୃତିକ ପରିବେଶ, ବିସ୍ତୀର୍ଣ୍ଣ ଚାରଣ ଭୂମି, ନଦୀ, ଅବବାହିକା ଏବଂ ଖାଦ୍ୟର ପ୍ରାଚୁର୍ଯ୍ୟ। ଟୋନି ଦର୍ଶାଇଛନ୍ତି, ୫୦,୦୦୦ରୁ ୪୫,୦୦୦ ବର୍ଷ ଆଗରୁ ଆରବ/ଦକ୍ଷିଣ ଏସିଆରୁ ହୋମୋ ସାପିଏନ୍ସର ସ୍ଥାନାନ୍ତରଣ ହୋଇଥିଲା ୟୁରୋପକୁ। ୬୩,୦୦୦ବର୍ଷ ତଳେ ଏମାନେ ସୁମାତ୍ରାରେ ପହଞ୍ଚିଥିଲେ। ଭାରତକୁ ଆସିବା ପାଇଁ ଏମାନଙ୍କ ଗତିପଥ ଥିଲା ଦୁଇଟି। (କ) ହିମାଳୟ ପର୍ବତମାଳାର ପାଦଦେଶ ଦେଇ (ଖ) ତଟୀୟ ବା ଉପକୂଳ ମାର୍ଗ। ପୂର୍ବରୁ ଉପମହାଦେଶରେ ରହିଥିବା ଅଧିବାସୀଙ୍କ ସହିତ ମୁକାବିଲା ଯେମିତି କମ୍‌ ହେବ, ସେଇ ଅନୁସାରେ ଗତିପଥ ସ୍ଥିର ହୋଇଥିଲା। ସେ ସମୟରେ ସମୁଦ୍ରପତ୍ତନ ବର୍ତ୍ତମାନଠୁ କମ୍ ଥିଲା।
ଏକ ଉପକୂଳର ଭୂଗୋଳ ଭିନ୍ନ ଥିଲା। ହାତ ହତିଆର, ଯୁଦ୍ଧାସ୍ତ୍ର ସେତେବେଳେ ନାମକୁ ମାତ୍ର ଯାହା ଥିଲା। ତେବେ ଆମ ପୂର୍ବଜମାନେ ଯଥାସମ୍ଭବ ସଂଘର୍ଷ ଏଡ଼ାଇବା ପାଇଁ ଚେଷ୍ଟିତ ଥିଲେ। ଯୋଶେଫ୍‌ ଲେଖିଛନ୍ତି, ଯଦିଓ ସଂଗଠିତ ଜୀବନଧାରା,୬୫,୦୦୦ ବର୍ଷ ଆଗରୁ ଭାରତରେ ଥିଲା ଏ ନେଇ ଯଥେଷ୍ଟ ପ୍ରମାଣ ଆମ ପାଖରେ ନାହିଁ। ନର୍ମଦା ନଦୀର ଉପତ୍ୟକା ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଉପଲବ୍ଧ ଜୀବାଶ୍ମ ତଥା ଅନ୍ୟାନ୍ୟ ସାମଗ୍ରୀରୁ ଜଣାପଡ଼ୁଛି ଯେ ଆଫ୍ରିକାରୁ ଆସିଥିବା ହୋମୋ ସାପିଏନ୍ସକୁ ବାଧା ଦେବାପାଇଁ ଆମ ପାଖରେ ପ୍ରାୟ କିଛି ନଥିଲା। ଅର୍ଥାତ୍‌ ଏମାନଙ୍କ ପ୍ରବେଶ ଆପାତତଃ ଅବାଧ ଥିଲା। ତେବେ ଏକ ସୀମିତ ସମୟ ଖଣ୍ଡରେ ଭିନ୍ନଭିନ୍ନ ଦିଗରୁ ​‌େ​‌ସମାନେ ଭାରତରେ ପ୍ରବେଶ କରିଥିଲେ ଏବଂ ନିଜର ସାଂଖ୍ୟ ସାମର୍ଥ୍ୟ ବଢ଼େଇଥିଲେ।
ଟୋନି କହିଛନ୍ତି, ଏହା କିନ୍ତୁ ଭାରତକୁ ଶେଷ ସ୍ଥାନାନ୍ତରଣ ନଥିଲା। ପରବର୍ତ୍ତୀ ସମୟରେ ଭାରତକୁ ଆସିଥିଲେ ଇରାନ୍‌ରୁ ଦଳେ, ଯେଉଁମାନଙ୍କର ବୃତ୍ତି କୃଷି ଥିଲା। ୯,୦୦୦ରୁ ୫୦୦୦ ବର୍ଷ ତଳେ ଏମାନେ ଆସିଥିଲେ। ଏମାନେ ଭାରତର ଉତ୍ତର ପଶ୍ଚିମକୁ ଗଲେ ଏବଂ ହରପ୍ପା ସଭ୍ୟତା ନିର୍ମାଣର ସୂତ୍ରଧର ହେଲେ। ପରବର୍ତ୍ତୀ ସ୍ଥାନାନ୍ତରଣ ଭାରତକୁ ହୋଇଥିଲା ପ୍ରାୟ ୨୨୦୦/୨୩୦୦ ବର୍ଷ ତଳେ, ଯେତେବେଳେ ଚୀନ୍‌ର କେନ୍ଦ୍ରାଞ୍ଚଳରୁ ଅଧିବାସୀମାନେ ଭାରତରେ ପହଞ୍ଚିଲେ। ପୂର୍ବ ଓ କେନ୍ଦ୍ରୀୟ ଭାରତରେ ପ୍ରଚଳିତ ମୁଣ୍ଡାରି ଓ ଖାସି ଭାଷା ଏମାନଙ୍କ ଭାଷାର ଅଂଶ ଥିଲା। ଚତୁର୍ଥ ସ୍ଥାନାନ୍ତରଣ ଘଟିଥିଲା ଖ୍ରୀପୂ. ୨୦୦୦ରୁ ୧୦୦୦ଭିତରେ। ସେତେବେଳେ ହରପ୍ପା ସଭ୍ୟତା ନିଶ୍ଚିହ୍ନ ହୋଇସାରିଥିଲା। ଭାରତକୁ ଆସିଥିଲେ କାଜାଖ୍‌ସ୍ଥାନର ବାସିନ୍ଦା। ସେମାନଙ୍କ ଭାଷା ବି ଭିନ୍ନ ଥିଲା।
ପ୍ରାୟ ଦେଢ଼ହଜାର ବର୍ଷ ତଳୁ ସ୍ଥାନାନ୍ତରଣ ଓ ସେଇ ଧାରାରେ ସଂଗମର ଧାରା ଭାରତରେ ଅନ୍ତତଃ ବନ୍ଦ ହୋଇସାରିଛି। ତେବେ ଆଲୋଚିତ ସ୍ଥାନାନ୍ତରଣମାନଙ୍କ କାରଣରୁ ଜଣେ ଆଧୁନିକ ଭାରତୀୟର ଡିଏନ୍‌ଏର ୫୦ରୁ ୬୦ ପ୍ରତିଶତରେ ‘ଆଫ୍ରିକୀୟ ପରିଚୟ’ ସୁସ୍ପଷ୍ଟ। ଅବଶିଷ୍ଟ ହୋଇପାରେ ହରପ୍ପା, ଆର୍ଯ୍ୟ ଓ ଦ୍ରାବିଡ଼ଙ୍କ ଅଂଶ। ମହାସଙ୍ଗମର ଆପାତତଃ ଅନ୍ତ ଘଟିଛି। ସମାଜତତ୍ତ୍ବବିତ୍‌ମାନେ କହନ୍ତି, ସ୍ଥାନାନ୍ତରଣ ବନ୍ଦ ହେବାର କେତେ ବର୍ଷ ପରେ ଏକ ପ୍ରକାର ସ୍ଥାଣୁତା ଆସିିଥିଲା ଭାରତରେ। ଜାତିପ୍ରଥା ତେଣିକି ଅଧିକ କଠୋର ହେଲା। ଜାତି,ଧର୍ମ ଓ ବୃତ୍ତି ଭିତ୍ତିରେ ବିଭାଜନ ଅଧିକ ନିର୍ମମ ହେଲା। ଅନ୍ୟ ପକ୍ଷରେ, ଚୀନରେ ସେମିତି ହୋଇନଥିଲା। ପାଠକେ, ଆଗକୁ ଗବେଷଣା ସୌଜନ୍ୟରୁ ଆମକୁ ଅଧିକ ତଥ୍ୟ ଅବଶ୍ୟ ମିଳିବ; ତେବେ ଯାହା ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଉଛି ଅନେକ ଇତିହାସ, ସଂସ୍କୃତି, ପରମ୍ପରା, ଭାଷା ଓ ଚଳଣିର ବାଡ଼ଡେଇଁ ଆମେ ମହାସଂସ୍କୃତିର ଏକ ଅନନ୍ୟ ଇନ୍ଦ୍ରଧନୁକୁ ସାମ୍‌ନା କରୁଛୁ। ସାଉଁଟି ଧରିଛୁ- ସରାଗରେ। ଭାରତର ତାହାହିଁ ସୁରଭି।

Leave A Reply