କିଡ୍‌ନୀ ଚିକିତ୍ସା କ୍ଷେତ୍ରରେ ଆହ୍ବାନ

ଆସନ୍ତୁ ସୁସ୍ଥ ଜୀବନ ପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରିବା

0
82

ଡା. ଚିତ୍ତରଞ୍ଜନ କର

ବର୍ତ୍ତମାନ ସମୟରେ ବିଶ୍ବବ୍ୟାପୀ ପ୍ରାୟ ୮କୋଟି ୫୦ଲକ୍ଷ ଲୋକ କୌଣସି ନା କୌଣସି କିଡ୍‌ନୀ ରୋଗରେ ପିଡ଼ୀତ। ପ୍ରତିବର୍ଷ ପ୍ରାୟ ୨୫ଲକ୍ଷ ଲୋକ କିଡ୍‌ନୀ ଜନିତ ରୋଗରୁ ମୃତ୍ୟୁବରଣ କରନ୍ତି। ବିଗତ ଦଶ ନ୍ଧିମଧ୍ୟରେ କିଡ୍‌ନୀରୋଗ ବିଶ୍ବର ମାରକ ରୋଗମାନଙ୍କ ମଧ୍ୟରେ ୬ଷ୍ଠ ସ୍ଥାନ ଅଧିକାର କରିଛି। ଦଶବର୍ଷ ତଳେ ଏହା ୧୬ତମ ସ୍ଥାନରେ ରହିଥିଲା।
ତ୍ବରିତ କିଡ୍‌ନୀରୋଗ ବା ଆକ୍ୟୁଟରେନାଲ ଫେଲ୍ୟୁଅର ୧.୩ କୋଟି ଲୋକଙ୍କୁ ଆକ୍ରାନ୍ତ କରିଥାଏ । ଏହି ରୋଗ ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ଆୟକାରୀ ଦେଶମାନଙ୍କରେ ବହୁଳ ଭାବେ ଦେଖାଯାଏ। ଏହି ରୋଗରେ ପ୍ରାୟ ୧୭ଲକ୍ଷ ଲୋକଙ୍କର ଜୀବନହାନି ଘଟିଥାଏ। ଏହି ରୋଗର କାରଣଗୁଡ଼ିକ ହେଲା- ମଧୁମେହ, ଉଚ୍ଚରକ୍ତଚାପ, ହୃଦ୍‌ରୋଗ ଓ ସଂକ୍ରମଣ ଯଥା- ଏଡସ୍‌, ମ୍ୟାଲେରିଆ, ଯକ୍ଷ୍ମା ଓ ଲିଭର ସଂକ୍ରମଣ। ଶିଶୁମାନଙ୍କ ମଧ୍ୟରେ ଏହି ରୋଗର ଭୟାବହତା ଅତ୍ୟଧିକ ହୋଇଥାଏ।
କିଡ଼ନୀ ରୋଗ ନିରାକରଣ ଓ ଚିକିତ୍ସା ସମ୍ବନ୍ଧରେ ଆହ୍ବାନ-
ଯଦିଓ ସମଗ୍ର ପୃଥିବୀରେ ଚିକିତ୍ସା ବିଜ୍ଞାନ ଅହରହ ଅଗ୍ରଗତି କରୁଛି, ତଥାପି କିଡ଼ନୀରୋଗର ବହୁଳତା ଦେଖାଯାଏ, କାରଣ ଏହିରୋଗ ସୃଷ୍ଟିର ମୁଖ୍ୟ କାରଣ- ଦାରିଦ୍ର୍ୟ, ଓ ଅନ୍ୟାନ୍ୟ ସାମାଜିକ ତଥା ଲିଙ୍ଗଗତ ବୈଷମ୍ୟ, ଶିକ୍ଷା ଓ ସଚେତନତାର ଅଭାବ, କାର୍ଯ୍ୟକ୍ଷେତ୍ରରେ ଘଟୁଥିବା ଦୁର୍ଘଟଣା ଓ ପରିବେଶ ପ୍ରଦୂଷଣ ଓ ଏହାକୁ ଦୂର କରିବା ନିମିତ୍ତ ସମଷ୍ଟିଗତ ପ୍ରଚେଷ୍ଟାର ଅଭାବ। ଏ ପର୍ଯ୍ୟନ୍ତ ସ୍ବାସ୍ଥ୍ୟସେବାକୁ ଲୋକାଭିମୁଖୀ କରି ସମସ୍ତଙ୍କ ନିକଟରେ ପହଞ୍ଚାଇବା ସମ୍ଭବ ହୋଇପାରିନାହିଁ। ଏବେବି ଅନେକ ବ୍ୟୟବହୁଳ ଚିକିତ୍ସା ସାଧାରଣ ଗରିବ ବ୍ୟକ୍ତିର ସାମର୍ଥ୍ୟ ଓ ପହଞ୍ଚର ବାହାରେ। ତା’ମଧ୍ୟରୁ କିଡନୀ ରୋଗର ଚିକିତ୍ସା ଯଥା ଡାଇଲିସିସ୍‌ ଓ କିଡ୍‌ନୀ ପ୍ରତିରୋପଣ ଅନ୍ତର୍ଭୁକ୍ତ।
କିଡ୍‌ନୀ ପ୍ରତିରୋପଣକୁ କିଡ୍‌ନୀ ଫେଲ୍ୟୁଅର ରୋଗର ସବୁଠାରୁ ବ୍ୟୟସାପେକ୍ଷ ଚିକିତ୍ସା କୁହାଯାଏ, ମାତ୍ର ଭାରତ ପରି ଏକ ଗରିବ ବିକାଶଶୀଳ ରାଷ୍ଟ୍ରରେ ମାତ୍ର ୫%ରୁ ୧୦% କିଡ୍‌ନୀ ରୋଗୀ ଏହି ଚିକିତ୍ସା କରିବାକୁ ସମର୍ଥ ହୁଅନ୍ତି। ତା’ ମଧ୍ୟ ଅନେକାଂଶରେ ନିଜର ପୈତୃକ ସମ୍ପତ୍ତିକୁ ବିକ୍ରି କରି, କରଜରେ ବୁଡ଼ିରହି ଅଥବା କେତେକ କ୍ଷେତ୍ରରେ ସରକାରୀ ଓ ବେସରକାରୀ ସାହାଯ୍ୟ ମାଧ୍ୟମରେ ଏହା ସମ୍ଭବ ହୁଏ।
ଏଥିରେ ଅନେକ ଭିତ୍ତିଭୂମି, ଡାଇଲିସିସ୍‌, ଆଇନଗତ ଭିତ୍ତିଭୂମି, ଜଟିଳ ଯନ୍ତ୍ରପାତି ଓ ଉଚ୍ଚକୋଟୀର ବିଶେଷଜ୍ଞ ଦଳଙ୍କର ଆବଶ୍ୟକତା ରହିଛି ଯାହା ସବୁ ସ୍ଥାନରେ ସ୍ଥାପନ କରିବା ସମ୍ଭାବନା କ୍ଷୀଣ।
ବିଶ୍ବବ୍ୟାପୀ କିଡନୀ ବିଶେଷଜ୍ଞମାନଙ୍କ ମତରେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଏକମାତ୍ର ଉପାୟ ହେଲା- ରୋଗକୁ ପ୍ରାରମ୍ଭରୁ ନିରୂପଣ କରିବା। ଏହି ରୋଗସମ୍ବନ୍ଧରେର ବ୍ୟାପକ ସଚେତନତା ସୃଷ୍ଟିକରିବା ଓ ପ୍ରାଥମିକ ଅବସ୍ଥାରୁ ଏହାର ନିଦାନ ଓ ଚିକିତ୍ସା କରାଯିବା ଆବଶ୍ୟକ। ଅନେକ ଦେଶର ଚିକିତ୍ସା ସମ୍ବନ୍ଧୀୟ ନିର୍ଦେଶାବଳୀରେ ଏହି ପ୍ରକାର ମାନକ ସଂଚାଳନ ପ୍ରକ୍ରିୟାର ଅବତାରଣା କରାଯାଇଅଛି। ଏହି ରଣନୀତି ଦ୍ବାରା ଅନେକାଂଶରେ ନହେଲେ ମଧ୍ୟ କିଞ୍ଚିତ ପରିମାଣରେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଆଶା କରାଯାଏ।
ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କର ଜାତୀୟ ଡାଇଲିସିସ୍‌ ପଲିସି ଏବଂ ଓଡ଼ିଶା ସରକାରଙ୍କର ‘ସହାୟ’ ପ୍ରଣିଧାନଯୋଗ୍ୟ ଯେଉଁଥିରେ କି କିଡ଼ନୀରୋଗୀ ଡାଇଲିସିସ ପାଇଁ ୫୦ କିମିରୁ ଅଧିକ ଦୂର ଯାତ୍ରା କରିବାକୁ ପଡ଼ିବ ନାହିଁ ଓ କିଡ୍‌ନୀ ପ୍ରତିରୋପଣ ପାଇଁ ଓଡ଼ିଶା ସରକାର ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ବିଶେଷ ସହାୟତା ଦ୍ବାରା ଏହାକୁ ମାଗଣା କରିବା ପାଇଁ ବ୍ୟବସ୍ଥା କରିଛନ୍ତି।
ବିଶ୍ବକିଡ୍‌ନୀ ଦିବସରେ ଅନୁଚିନ୍ତା-
୧- ସୁସ୍ଥ ଜୀବନଯାପନ ପ୍ରଣାଳୀ ନିମନ୍ତେ ସମସ୍ତଙ୍କୁ ପ୍ରୋତ୍ସାହିତ କରିବା।
୨-କିଡ୍‌ନୀ ରୋଗର ନିରୂପଣ ପାଇଁ ଜରୁରୀ ହେଉଥିବା ପରୀକ୍ଷାନିରୀକ୍ଷାଗୁଡ଼ିକ ସାଧାରଣ ଲୋକଙ୍କ ନିକଟରେ ନିଶୁଳ୍କ ଉପଲବ୍ଧ କରାଇବା।
୩- ବିନା ଆର୍ଥିକ ବାଧାରେ କିଡ୍‌ନୀରୋଗର ମୌଳିକ ଚିକିତ୍ସା ଓ ନିଦାନ ନିଶ୍ଚିତ କରାଯିବା ଆବଶ୍ୟକ।
୪- ପାରଦର୍ଶୀ ନିୟମ ଓ କାର୍ଯ୍ୟାବଳୀ ମାଧ୍ୟମରେ ନ୍ୟାୟସଂଗତ ଓ ସ୍ଥାୟୀ ଭାବେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚ ହେଉଥିବା ଧନରାଶିର ଆବଣ୍ଟନ କରିବାରେ ସରକାରୀ ନିୟମ ଏକ ସର୍ବକାଳୀନ ଆବଶ୍ୟକତା। ଅାସନ୍ତୁ ଆଜି ବିଶ୍ବ କିଡ୍‌ନୀ ଦିବସ ୨୦୧୯ରେ ଏହାକୁ ସମ୍ଭବ କରିବା ଓ କିଡ୍‌ନୀରୋଗ ଚିକିତ୍ସାକୁ ସମସ୍ତଙ୍କ ପାଇଁ ଓ ସର୍ବତ୍ରର ସ୍ବପ୍ନକୁ ସାକାର କରିବାରେ ଯୋଗଦେବା। (ବିଶ୍ବ ବୃକ୍‌କ ଦିବସ ଉପଲକ୍ଷେ)
ପ୍ରଫେସର, ବିଭାଗୀୟ ମୁଖ୍ୟ ନେଫ୍ରୋଲଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ