ସୁଶାସନ ମାଧ୍ୟମରେ ସମସ୍ତଙ୍କ ବିକାଶ

0
47

ଯୋଗେଶ ସୁରି, ଦେଶଗୌରବ ଶେଖରି

ସୁଶାସନର ସଂଜ୍ଞା କ୍ରମଶ ବିବର୍ତ୍ତିତ ହୋଇ ଏହାର ପରିସରକୁ ସଂପ୍ରସାରିତ କରିବା ସହ ନୂଆ ନୂଆ କ୍ଷେତ୍ରକୁ ଏହାର ଅନ୍ତର୍ଭୁକ୍ତ କରୁଛି। ଦଶମ ଯୋଜନା ନଥିରେ କୁଶାସନର କିଛି ଉଦାହରଣ ସ୍ଥାନିତ କରାଯାଇ ତାହାର ଅବସାନ ଘଟାଇ ସୁଶାସନ ଆଣିବାର ବାଟ ଦେଖାଇଛି। ଏଥିରେ ଅର୍ଥନୀତିର କୁପରିଚାଳନା, ଲୋକଙ୍କୁ ମୌଳିକ ସୁବିଧା ଆବଶ୍ୟକତା ଯୋଗାଇ ନ’ଦେବା, ବ୍ୟକ୍ତିଗତ ଜୀବନ ଓ ନିରାପତ୍ତା ପ୍ରତି ବିପଦ, ନାଗରିକଙ୍କୁ ସେମାନଙ୍କ ଅଧିକାର ଓ ସୁବିଧାସୁଯୋଗରୁ ବଞ୍ଚିତ କରିବା, ସରକାରୀ ଉଦାସୀନତା, ଶାସନକଳରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱର ଅଭାବ, ନ୍ୟାୟ ପ୍ରଦାନରେ ବିଳମ୍ବ, ସ୍ୱର ଉତ୍ତୋଳନ କରିପାରୁନଥିବା ଦରିଦ୍ର ଲୋକଙ୍କୁ ଶାସନ ପ୍ରକ୍ରିୟାରେ ସାମିଲ କରାନଯିବା ଏବଂ ଭୌତିକ ପରିବେଶର ଅଧୋଗତି ଆଦି କୁଶାସନର ସଂଜ୍ଞାଭୁକ୍ତ ହୋଇଛି।
ମିଳିତ ଜାତିସଂଘ ସୁଶାସନର ଏକ ଅଷ୍ଟସୂତ୍ରୀ ତାଲିକା ପ୍ରସ୍ତୁତ କରିଛି। ସେଗୁଡ଼ିକ ହେଲା – ସର୍ବସମ୍ମତ ନିଷ୍ପତ୍ତି, ଉତ୍ତରଦାୟିତ୍ୱ, ଶାସନଗତ ସ୍ୱଚ୍ଛତା ଓ ପାରଦର୍ଶିତା, ଦାୟିତ୍ୱବୋଧ, ସମାନତା ଓ ସମାବେଶୀତା, ସଫଳ ଓ ଦକ୍ଷ ଶାସନ ବ୍ୟବସ୍ଥା, ଆଇନର ଶାସନ ଏବଂ ଶାସନରେ ସମସ୍ତଙ୍କର ଅଂଶଗ୍ରହଣ। ଜାତିସଂଘର ନିରନ୍ତର ବିକାଶ ଯୋଜନାରେ ମଧ୍ୟ ଯେଉଁ ଷୋଡ଼ଶ ଲକ୍ଷ୍ୟଟି ପ୍ରସ୍ତୁତ କରାଯାଇଛି ତାହା ସୁଶାସନ ସମ୍ପର୍କିତ। ଏଥିରେ ଶାସନରେ ଉନ୍ନତି, ନାଗରିକଙ୍କୁ ଶାସନରେ ଅନ୍ତର୍ଭୁକ୍ତ ଓ ଭାଗୀଦାରୀ କରିବା, ସେମାନଙ୍କର ଅଧିକାର ଓ ନିରାପତ୍ତାକୁ ନିଶ୍ଚିତ କରିବା ସମ୍ପର୍କରେ ଉଲ୍ଲେଖ ଅଛି। ଏଥିରେ ବ୍ୟତିକ୍ରମ ହେଲେ ଶାସନ ସଫଳ ହେବ ନାହିଁ କିମ୍ବା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ ବୋଲି ଉଲ୍ଲେଖ କରାଯାଇଛି।
ନୀତି ଆୟୋଗ ଦ୍ୱାରା ନୂଆ ଭାରତ ନିର୍ମାଣର ଯେଉଁ ପୂର୍ଣ୍ଣାଙ୍ଗ ଦଲିଲ ପ୍ରସ୍ତୁତ ହୋଇଛି ତାହା ଷ୍ଟ୍ରାଟେଜି ଫର୍‍ ନ୍ୟୁ ଇଣ୍ଡିଆ @୭୫ ନାମରେ ନାମିତ। ଏଥିରେ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଯେଉଁ ବିକାଶ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ତାହା ୪୧ଟି ଅଧ୍ୟାୟରେ ବିଭକ୍ତ। ଏଥିରେ ପ୍ରାୟ ସବୁ ବିଭାଗ ଓ କ୍ଷେତ୍ର ସ୍ଥାନ ପାଇଛି। ସେସବୁ କ୍ଷେତ୍ରର ବର୍ତ୍ତମାନ ସ୍ଥିତି, ପ୍ରତିବନ୍ଧକ ଓ ନୂଆ ଲକ୍ଷ୍ୟ ହାସଲର ରାଜନୀତି ଏହି ନଥିରେ ସ୍ଥାନିତ ହୋଇଛି। ଏହାର ପ୍ରମୁଖ ଲକ୍ଷ୍ୟ ହେଲା ପ୍ରତ୍ୟେକ କ୍ଷେତ୍ରରେ ଦେଶର ଉଲ୍ଲେଖନୀୟ ବିକାଶ ଘଟାଇ ୨୦୨୨ ସୁଦ୍ଧା ଭାରତର ଅର୍ଥନୀତିକୁ ୪ ଟ୍ରିଲିୟନ ଡଲାର ବିଶିଷ୍ଟ କରିବା ଏବଂ ପରବର୍ତ୍ତୀ ତିନି ଦଶନ୍ଧି ପାଇଁ ସମନ୍ୱିତ, ସମାବେଶୀ ଓ ନିରନ୍ତର ବିକାଶର ଏକ ସ୍ୱଚ୍ଛ, ଦକ୍ଷ ଭିତ୍ତିଭୂମି ତିଆରି କରିବା। ଏହି ୪୧ଟି ଅଧ୍ୟାୟ ମଧ୍ୟରୁ ୭ଟିରେ ସୁଶାସନ ଉପରେ ଗୁରୁତ୍ୱ ଦିଆଯାଇଛି ଓ ଏଥିରେ ସମତୁଲ ଆଞ୍ଚଳିକ ବିକାଶ, ନ୍ୟାୟିକ, ଆଇନଗତ ଓ ପୁଲିସ ସଂସ୍କାର, ଆକାଙ୍‍କ୍ଷୀ ଜିଲାଗୁଡ଼ିକର ବିକାଶ, ସିଭିଲ ସେବାରେ ସଂସ୍କାର, ନଗର ଶାସନ, ଭୂସମ୍ପତ୍ତିର ସର୍ବାଧିକ ବିନିଯୋଗ ଏବଂ ଡାଟାଭିତ୍ତିକ ଶାସନ ବ୍ୟବସ୍ଥା ଅଗ୍ରାଧିକାର ପାଇଛି। ଅବଶିଷ୍ଟ ଅଧ୍ୟାୟଗୁଡ଼ିକରେ ସାମାଜିକ କ୍ଷେତ୍ର, ଶାସନଗତ ଦକ୍ଷତା ବୃଦ୍ଧି, ଉତ୍ତମ ସେବା ଯୋଗାଣ ଓ କାର୍ଯ୍ୟକାରୀ ହେଉଥିବା ଯୋଜନାର ଫଳାଫଳ ମୂଲ୍ୟାୟନ ଆଦି ସ୍ଥାନ ପାଇଛି।
ସରକାରୀ ସ୍ତରରେ ଯେଉଁ ସବୁ ପ୍ରମୁଖ କ୍ଷେତ୍ରରେ ସଂସ୍କାର ଆଣିବାକୁ ନିଷ୍ପତ୍ତି ନିଆଯାଇଛି ସେଥି ମଧ୍ୟରୁ ସିଭିଲ ସେବା, ନ୍ୟାୟିକ, ଆଇନଗତ ଓ ପୁଲିସ ସଂସ୍କାର ଅନ୍ୟତମ। ସାମାଜିକ ଓ ଆର୍ଥିକ ଢାଞ୍ଚାରେ ଦ୍ରୁତ ପରିବର୍ତ୍ତନ ଘଟୁଥିବାରୁ ସେବା ଯୋଗାଣରେ ତ୍ରୁଟି, ଆଇନ ଶୃଙ୍ଖଳା ପରିସ୍ଥିତି ଓ ବିବାଦ ବଢ଼ୁଛି। ଦେଶର ବିଭିନ୍ନ ଅଦାଲତରେ ଏବେ ୨.୭କୋଟି ମାମଲା ପଡ଼ିରହିଛି। ନୀତି ଆୟୋଗ ଏହାର ନ୍ୟୁଇଣ୍ଡିଆ @୭୫ ନଥିରେ ବିଭିନ୍ନ ସଂସ୍କାରର ସୁପାରିସ କରିଛନ୍ତି। ସେଗୁଡ଼ିକ ନିମ୍ନରେ ପ୍ରଦାନ କ ରାଗଲା।
ସିଭିଲ ସେବା ସଂସ୍କାର :
୧) ତଳରୁ ତଳିପା ପର୍ଯ୍ୟନ୍ତ ବିଭିନ୍ନ ପଦରେ ଆନୁପାତିକ ହାରରେ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ସହ ଏକ ଅଧିକାରୀ କୈନ୍ଦ୍ରିକ (ଅଫିସର ଓରିଏଣ୍ଟେଡ୍‍) ସଂସ୍କୃତି ବୃଦ୍ଧି କରିବା।
୨) ଏବେ କେନ୍ଦ୍ର ଓ ପ୍ରାଦେଶିକ ସ୍ତରରେ ଯେଉଁ ୬୦ରୁ ଅଧିକ ସ୍ୱତନ୍ତ୍ର ସିଭିଲ ସେବା ରହିଛି ତାହାକୁ ହ୍ରାସ କରି ଏହାକୁ ଯୁକ୍ତି ସଂଗତ ଓ ସମନ୍ୱୟଭିତ୍ତିକ କରିବା।
୩) ଉଚ୍ଚ ସ୍ତରରେ ବିଶେଷଜ୍ଞଙ୍କ ପାର୍ଶ୍ବ ପ୍ରବେଶ (ଲ୍ୟାଟରାଲ ଏଣ୍ଟ୍ରି) ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା।
୪) ସିଭିଲ ସେବାରେ ପ୍ରବେଶ ପାଇଁ ସର୍ବନିମ୍ନ ବୟସ ସୀମା ହ୍ରାସ।
୫) ମ୍ୟୁନିସିପାଲ କ୍ୟାଡରର ସୁଦୃଢ଼ୀକରଣ ଏବଂ ସମ୍ଭାବ୍ୟ କ୍ଷେତ୍ରରେ ସେବା ପ୍ରଦାନ ବ୍ୟବସ୍ଥାକୁ ଆଉଟସୋର୍ସ କରିବା।
୬) ସେବା ପ୍ରଦାନ, ଆପତ୍ତି ଅଭିଯୋଗର ଶୁଣାଣି ଓ ନିରାକରଣ ଓ ଜନସାଧାରଣଙ୍କୁ ସୂଚନା ପ୍ରଦାନ କ୍ଷେତ୍ରରେ ନାଗରିକ ସର୍ବସ୍ୱ ବ୍ୟବସ୍ଥା ପ୍ରସ୍ତୁତି ଏବଂ ସୂଚନା ଓ ଯୋଗାଯୋଗ ଟେକ୍‍ନୋଲୋଜିର ବ୍ୟବହାର।
୭) ଶାସନରେ ସାଧୁତାକୁ ନିଶ୍ଚିତ କରିବା ସହ ଦୁର୍ନୀତି ଦୂରୀକରଣ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ ଏବଂ ସାଧୁ ଓ ସଚ୍ଚୋଟ ସିଭିଲ ସେବା ଅଧିକାରୀଙ୍କୁ ସୁରକ୍ଷା ଯୋଗାଣ।
ଆଇନଗତ ସଂସ୍କାର :
୧) ସବୁ ପ୍ରଚଳିତ କେନ୍ଦ୍ରୀୟ ଓ ପ୍ରାଦେଶିକ ଆଇନ ଓ ନୀତିନିୟମକୁ ଏକାଠି କରି ଏକ ଆଇନକୋଷ ପ୍ରସ୍ତୁତି।
୨) ସବୁ ଅନାବଶ୍ୟକ ଆଇନ କାନୁନ୍‍ର ଉଚ୍ଛେଦ ଏବଂ ପ୍ରଚଳିତ ଆଇନରେ ଥିବା ବର୍ଜିତ ବା ନିଷିଦ୍ଧ ଧାରାର ଅବସାନ।
୩) ଫୌଜଦାରୀ ନ୍ୟାୟ ଓ କାର୍ଯ୍ୟବିଧି ସମ୍ବନ୍ଧୀୟ ଆଇନରେ ସଂସ୍କାର ଏବଂ ଆଇସିଟିର ବ୍ୟବହାର ବୃଦ୍ଧି।
୪) ଆଇନର ଉଲ୍ଲଙ୍ଘନ ଜନିତ ଅପରାଧୀକରଣକୁ ହ୍ରାସ କରିବା ଓ ଛୋଟଛୋଟ ଅପରାଧ ପାଇଁ କଠୋର ଦଫା ନ ଲଗାଇବା।
୫) ଅଦାଲତି ପ୍ରକ୍ରିୟାର ଅଟୋମେସନକୁ ଅଗ୍ରାଧିକାର ଏବଂ ଇ-କୋର୍ଟ ଓ ମାମଲା ପରିଚାଳନାରେ ଆଇସିଟିର ବ୍ୟବହାର।
୬) ବିଚାର ବ୍ୟବସ୍ଥାରେ ପ୍ରଶାସନିକ କ୍ୟାଡରର ପ୍ରବର୍ତ୍ତନ।
ପୁଲିସ ସଂସ୍କାର :
୧) ପୁଲିସ ବାହିନୀର ଆଧୁନିକୀକରଣ ଏବଂ ୨୦୧୫ର ଆଦର୍ଶ ପୁଲିସ ଆଇନର ପ୍ରବର୍ତ୍ତନ।
୨) ପୁଲିସ ବାହିନୀରେ ଅଧିକରୁ ଅଧିକ ମହିଳାଙ୍କ ପ୍ରତିନିଧିତ୍ୱ।
୩) ନୂଆ ତାଲିମ ନିୟମର କାର୍ଯ୍ୟକାରିତା, ରିଫ୍ରେଶର କୋର୍ସର ପ୍ରବର୍ତ୍ତନ ଏବଂ ପୁଲିସ କର୍ମଚାରୀଙ୍କ ପାଇଁ ନିରନ୍ତର ଶିକ୍ଷା ବ୍ୟବସ୍ଥା ଲାଗୁ କରିବା।
୪) ଏତଲା ପ୍ରଦାନ ବ୍ୟବସ୍ଥାରେ ସଂସ୍କାର ଏବଂ ଛୋଟମୋଟ ଅପରାଧ ପାଇଁ ଇ-ଏତଲା ପ୍ରଦାନ ବ୍ୟବସ୍ଥାର ପ୍ରବର୍ତ୍ତନ।
୫) ନାଗରିକଙ୍କ ପାଇଁ ଦେଶବ୍ୟାପୀ ଗୋଟିଏ ଜରୁରୀକାଳୀନ ଟେଲିଫୋନ୍‍ ନମ୍ବର ପ୍ରବର୍ତ୍ତନ।
୬) ସାଇବର ଅପରାଧ, ସାଇବର ବିପଦ ଓ ତତ୍‍ ସଂକ୍ରାନ୍ତ ଠକେଇର ମୁକାବିଲା ପାଇଁ ସ୍ୱତନ୍ତ୍ର କ୍ୟାଡର ପ୍ରବର୍ତ୍ତନ।
୨୦୨୨ ସୁଦ୍ଧା ନ୍ୟୁଇଣ୍ଡିଆ ଗଠନ ଲକ୍ଷ୍ୟ ହାସଲ ପାଇଁ କେତେକ ମୌଳିକ ନୀତିକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ପଡ଼ିବ। ସେଗୁଡ଼ିକ ମଧ୍ୟରେ ରହିଛି – ଲୋକଙ୍କୁ ଇ-ବ୍ୟବସ୍ଥାରେ ସେବା ଯୋଗାଣ। ସମସ୍ତ ଦାପ୍ତରିକ କାର୍ଯ୍ୟକୁ କାଗଜପତ୍ର ଓ ଲେଖାପଢ଼ା ମାଧ୍ୟମରେ ନ କରି ଇଲେକ୍‍ଟ୍ରୋନିକ ବ୍ୟବସ୍ଥାରେ କରିବା; ନଗଦ କାରବାରକୁ ଯଥାସମ୍ଭବ ହ୍ରାସ କରି କ୍ୟାସ୍‍ଲେସ୍‍ ବ୍ୟବସ୍ଥାକୁ ଆପଣାଇବା, ସବୁ ନାଗରିକଙ୍କୁ ଡିଜିଟାଲ ପରିଚୟ ପତ୍ର ଦେଇ ଡିଜିଟାଲ ସଂଯୋଗ ଯୋଗାଇବା ଏବଂ ସରକାରୀ ଲାଭ ପାଉଥିବା ନାଗରିକମାନଙ୍କୁ ନଗଦ ପରିବର୍ତ୍ତେ ଡିଜିଟାଲ ବ୍ୟବସ୍ଥାରେ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ଅର୍ଥ ପଠାଇବା। ଏହିସବୁ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ସବୁ ମନ୍ତ୍ରଣାଳୟ ଓ ବିଭାଗକୁ ମିଳିତ ଭାବେ ସହଯୋଗ ଭିତ୍ତିରେ କାମ କରିବାକୁ ପଡ଼ିବ। କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ରୂପାୟନ ପ୍ରକ୍ରିୟା ଉପରେ ତୀକ୍ଷ୍‍ଣ ନଜର ରଖିବା ସହ ପରିଚାଳନାଗତ ତ୍ରୁଟି ବିଚ୍ୟୁତି, ଅଯଥା ବିଳମ୍ବ ଓ ଅର୍ଥ ଅପଚୟ ଆଦିକୁ ରୋକିବାକୁ ହେବ। ସବୁ ଯୋଜନାର ଫଳାଫଳକୁ ନିୟମିତ ଭାବେ ସମୀକ୍ଷା କରି କାର୍ଯ୍ୟକାରିତାରେ ଉନ୍ନତି ଆଣିବାକୁ ପଡ଼ିବ। ଏଥିପାଇଁ ଆଇସିଟି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଦିକୁ ବ୍ୟବହାର କରାଯାଇପାରେ। ସାମଗ୍ରିକ ବିକାଶ ପ୍ରକ୍ରିୟାରେ ନାଗରିକ ସମାଜ, ଉଦ୍ୟୋଗଜଗତ ଓ ସବୁ ନାଗରିକଙ୍କୁ ସାମିଲ କରିବାକୁ ଉଦ୍ୟମ କରିବାକୁ ପଡ଼ିବ। କାର୍ଯ୍ୟକ୍ରମର ଉତ୍ତମ ରୂପାୟନ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମୟକ୍ରମେ ବିଶେଷ ଉପଯୋଗୀ ହେବ। ଏହା ସହିତ ନୂଆ ଯୁଗର ଶାସନ ପାଇଁ କେନ୍ଦ୍ରୀକୃତ ସାଧାରଣ ଅଭିଯୋଗ ସମାଧାନ ପୋର୍ଟାଲ ‘ଉମଙ୍ଗ’ ଏବଂ ‘ମାଁଏ ଗଭ୍‍ ପୋର୍ଟାଲ’କୁ ଅଧିକ ଦକ୍ଷ ଭାବେ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଲୋକଙ୍କଠାରୁ ମତାମତ ନେଇ ଏ କ୍ଷେତ୍ରରେ କାର୍ଯ୍ୟ କରିବାକୁ ହେବ।
ସଂକ୍ଷେପରେ କହିଲେ, ସୁଶାସନ ସବୁ ସରକାରୀ ପ୍ରୟାସର ପ୍ରମୁଖ ଲକ୍ଷ୍ୟ ହେବା ସହ ଏହା ଠିକଣା ଭାବେ ରୂପାୟିତ ହେବା ଆବଶ୍ୟକ। ସରକାରୀ କାର୍ଯ୍ୟକ୍ରମ ଠିକ୍‍ଠାକ୍‍ କାର୍ଯ୍ୟକାରୀ ହେଲେ ୨୦୨୨ସୁଦ୍ଧା କେବଳ ନ୍ୟୁଇଣ୍ଡିଆ ଗଠିତ ହେବ ନାହିଁ, ୨୦୩୦ର ନିରନ୍ତର ବିକାଶ ଲକ୍ଷ୍ୟ ମଧ୍ୟ ସାଧିତ ହୋଇପାରିବ।
(‘ଯୋଜନା’ରେ ପ୍ରକାଶିତ ଲେଖକଙ୍କ ଲେଖାର ସମ୍ପାଦିତ ଅଂଶ)

LEAVE A REPLY

Please enter your comment!
Please enter your name here