ମାଲ୍ୟାଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା

0

ପଳାତକ ଅର୍ଥନୈତିକ ଅପରାଧୀ ବିଜୟ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ ବ୍ରିଟିଶ ସ୍ବରାଷ୍ଟ୍ର ସଚିବ ଅନୁମତି ପ୍ରଦାନ କରିବାର ଅର୍ଥ ନୁହେଁ ଯେ ତାଙ୍କୁ ଭାରତ ଆଣିବା ପାଇଁ ପଥ ପରିଷ୍କାର ହୋଇଗଲା। ଏହାକୁ ଶାସକଦଳ ବିଜେପି ନିଜର ଏକ ରାଜନୈତିକ ବିଜୟ ଭାବେ ବିଚାର କରିବା ଅନୁଚିତ। ମାଲ୍ୟା ନାଟକ ଆହୁରି କିଛିକାଳ ଚାଲିବ ଏବଂ ଏଥିପାଇଁ ଆଉ କେତେକ ଆଇନଗତ ପ୍ରତିବନ୍ଧକକୁ ହଟାଇବାକୁ ହେବ। ଏହି ଚତୁର ବ୍ୟବସାୟୀ ଇତି ମଧ୍ୟରେ କହି ସାରିଲେଣି ଯେ ବ୍ରିଟିଶ ସ୍ବରାଷ୍ଟ୍ର ସଚିବଙ୍କ ନିଷ୍ପତ୍ତି ବିରୋଧରେ ସେ ଉପର ଅଦାଲତରେ ଆବେଦନ କରିବେ। ବ୍ରିଟିଶ ଆଇନ ବ୍ୟବସ୍ଥାରେ ସ୍ବରାଷ୍ଟ୍ର ସଚିବଙ୍କ ଏ ସଂକ୍ରାନ୍ତ ନିଷ୍ପତ୍ତି ଏବଂ ଭାରତ-ବ୍ରିଟେନ ପ୍ରତ୍ୟର୍ପଣ ଚୁକ୍ତିର ବିିଭିନ୍ନ ଧାରା ପରିପ୍ରେକ୍ଷୀରେ ଏହି ମାମଲାରେ ମାଲ୍ୟା ଉଚ୍ଚନ୍ୟାୟାଳୟରେ ଜାମିନ ପାଇବା ଆଶା ଅବଶ୍ୟ କ୍ଷୀଣ। ତଥାପି ବିଚାର ପ୍ରକ୍ରିୟା ଯୋଗୁଁ ମାଲ୍ୟାଙ୍କ ପ୍ରତ୍ୟର୍ପଣ ବିଳମ୍ବିତ ହେବା ପ୍ରାୟ ନିଶ୍ଚିତ।
ଏକଥା ସତ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାରଙ୍କ ନିରନ୍ତର ଚାପ ଫଳରେ ବ୍ରିଟିଶ କର୍ତ୍ତୃପକ୍ଷ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ବ୍ରିଟିଶ ଆଇନ ଓ ପ୍ରତ୍ୟର୍ପଣ ଚୁକ୍ତିର ବ୍ୟବସ୍ଥା ଅନୁସାରେ ମାଲ୍ୟାଙ୍କୁ ଏହି ନିଷ୍ପତ୍ତି ବିରୋଧରେ ଅପିଲ କୋର୍ଟକୁ ଯିବାର ସୁଯୋଗ ମିଳିବ। ସେଠି ସେ ହାରିଲେ ମାମଲାକୁ ବ୍ରିଟେନର ସୁପ୍ରିମକୋର୍ଟକୁ ନେଇପାରିବେ। ଏହା ପରେ ସୁପ୍ରିମକୋର୍ଟ ରାୟ ବିରୋଧରେ ସେ ୟୁରୋପୀୟ ମାନବାଧିକାର ସଂଗଠନକୁ ଯାଇପାରିବେ। ଏ କ୍ଷେତ୍ରରେ ବଡ଼କଥା ହେଉଛି ମାଲ୍ୟା ଯେ ପର୍ଯ୍ୟନ୍ତ ଯୋଗ୍ୟ ଓ ଟାଣୁଆ ଓକିଲ ଦେଉଥିବେ ସେ ପର୍ଯ୍ୟନ୍ତ ମାମଲାକୁ ଗଡ଼େଇଗଡ଼େଇ ନେଇପାରିବେ। ଭଲ ଓକିଲଙ୍କ ସେବା ନେବାକୁ ମାଲ୍ୟାଙ୍କ ପାଖରେ ଯେ ପଇସାର ଅଭାବ ରହିଛି ତାହା କୁହାଯାଇ ନ’ପାରେ।
ଭାରତ-ବ୍ରିଟେନ ମଧ୍ୟରେ ୧୯୯୩ରୁ ପ୍ରତ୍ୟର୍ପଣ ଚୁକ୍ତି କାର୍ଯ୍ୟକାରୀ ହୋଇଛି। ଏହି ୨୫ବର୍ଷ ମଧ୍ୟରେ କେବଳ ଜଣେ ଭାରତୀୟଙ୍କୁ ପ୍ରତ୍ୟର୍ପଣ କରିବା ସମ୍ଭବ ହୋଇଛି। ଯଦି ମାଲ୍ୟା ଆଇନ ଲଢ଼େଇରେ ହାରି ଯାଆନ୍ତି ତେବେ ସେ ଏ କ୍ଷେତ୍ରରେ ହେବେ ଦ୍ବିତୀୟ ଭାରତୀୟ। ଦେଶ ଓ ବିଦେଶରେ ମାଲ୍ୟାଙ୍କର ବିପୁଳ ସମ୍ପତ୍ତି ଓ ବ୍ୟବସାୟ ରହିଛି। ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟିଟଙ୍କା ଋଣ ନେଇ ତାହାକୁ ସେ ନ ଶୁଝି ବ୍ରିଟେନକୁ ଚମ୍ପଟ ମାରିଛନ୍ତି। ମାଲ୍ୟା ଯେଉଁସବୁ ସମ୍ପତ୍ତି ବନ୍ଧକ କିମ୍ବା ଅମାନତ ବାବଦରେ ବିଭିନ୍ନ ବ୍ୟାଙ୍କକୁ ଦେଇଥିଲେ ତାହାର ମୂଲ୍ୟାୟନ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ କରାଯାଇଛି। ଏ ପର୍ଯ୍ୟନ୍ତ ଋଣ ଦେଇଥିବା ବିଭିନ୍ନ ବ୍ୟାଙ୍କ ୬୨୦୦ କୋଟି ଟଙ୍କା ମାଲ୍ୟାଙ୍କଠାରୁ ପାଇବାକୁ ପ୍ରାଥମିକ ହିସାବ କରିଛନ୍ତି। ଏବେ ପ୍ରଶ୍ନ ହେଉଛି ମାଲ୍ୟା କେତେଶୀଘ୍ର ଆସିବେ ଓ ତାଙ୍କ ଉପରେ ଥିବା ଋଣକୁ ପରିଶୋଧ କରିବେ। ଏବେ ତାଙ୍କ ଭାରତୀୟ ସମ୍ପତ୍ତି ସବୁ ପ୍ରବର୍ତ୍ତନ ନିର୍ଦେଶାଳୟ ମାର୍ଫତରେ ରହିଛି।
ଏହା ଯେତେଶୀଘ୍ର ହେବ ସେତେ ଭଲ। ତେବେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ସେଇ କୋଳାହଳ ଓ ଗହଳି ମଧ୍ୟରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ଯେପରି ଶିଥିଳ ନ’ହୁଏ ସେଥିପ୍ରତି କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ ପଡ଼ିବ। ମାଲ୍ୟାଙ୍କ ସହିତ ଅନ୍ୟତମ ଆର୍ଥିକ ପଳାତକ ନିରବ ମୋଦୀ ଓ ମେହୁଲ ଚୋକ୍ସିଙ୍କୁ ବିଦେଶରୁ ଭାରତ ଆଣିବା ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କୁ ସଂପୃକ୍ତ ଦେଶଙ୍କ ଉପରେ ଅଧିକ କୂଟନୈତିକ ଚାପ ପ୍ରୟୋଗ କରିବାକୁ ହେବ।

Leave A Reply