ନାହିଁ ନ ଦେବା ନ କରିବା

ଏ ଦେଶବାସୀଙ୍କୁ ଭଗବାନ ରକ୍ଷାକରନ୍ତୁ ବୋଲି କହିବାର ବି ଉପାୟ ନାହିଁ

0
53
Pic courtesy : Moneycontrol

ନୀଳକଂଠ ରଥ

ପୁଣି ବ୍ୟାପକ ନିର୍ବାଚନର ବେଳ ଆସିଲାରୁ ଭ୍ରଷ୍ଟାଚାରର (କରପ୍ସନ୍) ବିଷୟ ଉଠିଲାଣି, ଉଠିବ । ସରକାରରେ ଥିବା ଦଳ ଆମେ କିପରି ସରକାରକୁ ଲାଂଚମୁକ୍ତ କଲେ ବୋଲି ବାହୁସ୍ଫୋଟ ମାରୁଥିବାବେଳେ ବିରୋଧୀମାନେ ଏବେ ଚୌକିଦାର କିପରି ଧନାଢ୍ୟଂକ କୋଠରିରେ ସରକାରୀ ଟଂକା ଭର୍ତ୍ତି କରିବାରେ ଲିପ୍ତ ତାହାର ପ୍ରଚାର ଦିନରାତି ଚଳେଇଲେଣି । ଦେଶର ସର୍ବସାଧାରଣ ଲୋକେ ମାତ୍ର ଏ ବାହୁସ୍ଫୋଟକୁ ସତ ବୋଲି ମାନିବା ତାଂକ ଦୈନିକ ଅନୁଭବର ବିପରୀତ ବୋଲି ଦେଖୁଥିବାବେଳେ ଚୌକିଦାର ଯାହା କରୁଚି ବୋଲି କୁହାଯାଉଚି ତା’ ହୋଇନଥିବ ବୋଲି କିପରି ଭାବିବେ?
ସହର ରାସ୍ତା ଛକରେ ନାଲି ଆଲୁଅ ଥିଲାବେଳେ ନିଜ ମଟରସାଇକଲରେ ପଶିଗଲାବେଳେ ଛକ ସେପଟେ ଠିଆ ପୁଲିସ ତାକୁ ଧଇଲେ ପଚାଶ ଟଂକା ତାକୁ ଧରାଇଦେଲେ ଶହେ ଟଂକା ଦଂଡରୁ ତ୍ରାହି ମିଳିବାର ଦୈନିକ ଅନୁଭବ କିଏ ଭୁଲିପାରିବ । ସରକାରୀ ଅଫିସରେ ବଡ ସାଇବଂକୁ ଦେଖାକରିବାପାଇଁ ତାଂକ ଚପରାସୀ ହାତରେ ପାଂଚ-ଦଶ ଟଂକାର ନୋଟ ଖଂଡିଏ ଗୁଂଜି ନଦେଲେ ଦେଖା ଖାଲି କଠିଣ ନୁହେଁ, ଅସଂଭବ ବୋଲି ସବୁ ଗରଜୁ ଜାଣଂତି । ବ୍ୟାଂକରୁ କରଜ ଆଣି ଘରତୋଳା ସଇଲାବେଳକୁ ବିଜୁଳି କନେକ୍ସନ୍ ଲାଗି ବାଟଚାହିଁ ବସିଲେ ଛଅ-ଛଅ ମାସ ଲାଗିଯିବ, ଫଳରେ ଋଣ ଉପରର ସୁଧ ଅସଂଭବ ବଢିଯିବ। ତେଣୁ, ପାଂଚ-ଛଅ ହଜାର ଟଂକା ହାତଗୁଂଜା ଦେଇଦେଲେ ବିଜୁଳି ସପ୍ତାହ ଭିତରେ ଲାଗି ବଡ ସୁଧ ଗଣିବାକୁ ପଡିବ ନାହିଁ । ପରୀକ୍ଷାରେ ଭଲ ନଂବର ଆସିବାପାଇଁ ମାଷ୍ଟ୍ରଂକୁ ନିଜ ଖାତାର ନଂବର ସାଂଗକୁ କେତେ ହଜାର ଟଂକା ଦେଲେ ସେ ତାହାର ବ୍ୟବସ୍ଥା କରିଦେବେ । ଉଦାହରଣ ଅସଂଖ୍ୟ । ମତେ ମୋର ଜଣେ ଅଧ୍ୟାପକ ବଂଧୁ ବହୁକାଳତଳେ କହିଥିଲେ, “ଆମ ଦେଶରେ ଲାଂଚ ନ ନେଇ ରହିପାରିବା ସଂଭବ; ମାତ୍ର, ଲାଂଚ ନଦେଇ ରହିପାରିବା ସଂଭବ ନୁହେଁ” ।
ହେଲେ ଏ ପ୍ରକାରର ବ୍ୟବସ୍ଥା କିଛି ସାଇବ ଆମ ଦେଶକୁ ଆସି କଲେ, ତା’ ନୁହେଁ । ଏହା ଆମ ସମାଜରେ ଅନ୍ୟ ଅନେକ କଥାଭଳି ପାରଂପରିକ ଅଭ୍ୟାସ, ବ୍ୟବସ୍ଥା । ଚବିଶ ଶହ ବର୍ଷତଳେ ଲେଖା କୌଟିଲ୍ୟଂକ ଅର୍ଥଶାସ୍ତ୍ରରେ ସେ କାଳର ଅଧସ୍ତନ ରାଜକର୍ମଚାରୀ କିପରି ଉତ୍କୋଚ ନିଅଂତି ତାହାର ଦି’ ପୃଷ୍ଠାର ବର୍ଣ୍ଣନା ଅଛି ଓ ସେଥିପାଇଁ ଦଂଡର ବ୍ୟବସ୍ଥା ବି । ଏହା ଖାଲି ରାଜ କର୍ମଚାରୀଂକ ପାଉଣାର କଥା ନୁହେଁ । ଆମ ସାମାଜିକ, ଧାର୍ମିକ ନିୟମରୁ ବାଟ କାଢିବାପାଇଁ ସମାଜର ଧର୍ମଧ୍ବଜାଧାରୀଂକୁ ଉପଯୁକ୍ତ ପ୍ରକାରେ ସଂତୁଷ୍ଟ କରିପାରିଲେ ସେ ତହିଁରୁ ବାଟ କାଢିପକାଉଥିଲେ । ୟେ ଖାଲି ‘ବସ୍ତ୍ରାଭାବେ ସୂତ୍ରଂ ଦଦ୍ୟାତ୍’, ‘ୱରାଭାବେ ଶିଲାପୁତ୍ରଂ ସ୍ଥାପୟିତ୍ବା’ ନୁହେଁ, ଆହୁରି ଗଭୀରର । କହିବାର କଥା, ଏହା ଆମ ଅସ୍ଥିମଜ୍ଜାରେ ବସିଯାଇଚି । ଏଥିରେ କିଛି ଦୋଷାବହ ନାହିଁ ବୋଲି ଆମର ଧାରଣା । ମୋର ମନେ ଅଛି, ଊଣେଇଶହ ଏକଚାଳିଶ ମସିହାରେ ସ୍କୁଲ୍ ରେ ପଢିଲାବେଳେ ଚିହ୍ନାପରିଚୟ ବଡମଣିଷଂକ କଥା ଶୁଣିଥିଲି: “ଆହେ ଝିଅକୁ ଜୋଇଁ ଖୋଜୁଚେ ଯେ, ସେ ଅମୁକ ଏମ୍ ଏ ପାସ କରି କଲେଜରେ ଲେକଚରର୍ ହୋଇଚି, ମାସକୁ ଦରମା ବିଶାଶେ ଟଂକା; ଆଉ ସେ ଅନ୍ୟ ଜଣକ ବି ଏ ପାସ କରି ସପ୍ଲାଇରେ ଇନ୍ସପେକ୍ଟର୍ ହୋଇଚି, ମାସକୁ ଦରମା ଶହେ ଟଂକା । ହେଲେ ସପ୍ଲାଇ ଇନ୍ସପେକ୍ଟରର ଓପରି ଅଛି, ଝିଅ ବେଶି ସୁଖରେ ରହିବ” । ୟାକୁ କରପ୍ସନ୍ ବୁଝି ମୂଳରୁ ଓପାଡିବା ମହାକଠିଣ କାମ ।
ଆଜି କ୍ଷମତାରେ ଥିବା କେଂଦ୍ର ସରକାରଂକ ଗର୍ବ, ସେ ସରକାରୀ ବ୍ୟବସ୍ଥାରୁ ଏହାର ଉଚ୍ଚାଟନ କରିଚଂତି । ବ୍ୟବସାୟ, କାରଖାନା କରିବାକୁ ହେଲେ ଆଉ ସରକାରୀ କର୍ମଚାରୀଂକ ହାତ ଚିକ୍କଣ କରିବାକୁ ପଡିବ ନାହିଁ । ଶହେ ଝରକା ଆଗରେ ଠିଆ ହେବାକୁ ପଡିବନାହିଁ । କେବଳ ଗୋଟିଏ ଝରକା – ସିଂଗ୍ଲ ୱିଂଡୋ । କିଛି କାଳ ତଳେ ଏକ ରାଜ୍ୟରେ ଛୋଟ, ମଧ୍ୟମ, ବଡ କାରଖାନାମାନ ଯେଉଁ ଜାଗାରେ ବସିଲେ ସେଠାକୁ ଆସିବାର କାରଣ ସଂବଂଧରେ ଅନୁସଂଧାନ ବେଳେ ପ୍ରତ୍ୟେକ କାରଖାନା ମାଲିକ ନିଜ ଆଡୁ କହିଲେ: ଆଗେ କାରଖାନାକୁ ଲେବର୍ ଅଫିସର୍ ଆସୁଥିଲେ ଶ୍ରମିକଂକ ସୁବିଧା ଅସୁବିଧା, ନିୟମ ଅନୁସାରେ ପ୍ରାପ୍ୟର ବ୍ୟବସ୍ଥା ଆଦି ବିଷୟ ବୁଝି ସରକାରଂକୁ ରିପୋର୍ଟ ଦେବାକୁ । ବେଳେବେଳେ ପାଳି ସଇଲାବେଳକୁ ବା ଖାଇବା ଛୁଟିବେଳେ ଆସି ଗେଟ୍ ପାଖରେ ଠିଆହୋଇ କେତେକ ଶ୍ରମିକଂକୁ ପଚାରି ଖବର ସଂଗ୍ରହ କରୁଥିଲେ; କେତେବେଳେ ଆମ ଅଫିସକୁ ଆସି, କାରଖାନାରେ ବୁଲିଦେଖି ରିପୋର୍ଟ ତିଆରି କରୁଥିଲେ। ବଡ ପର୍ବପର୍ବାଣି ବେଳେ, ତାଂକ ଘରର ସୁବିଧାଅସୁବିଧା ବେଳେ ଆସି ଠିଆହେଲେ ଆମେ ଜାଣି ତାଂକୁ ସାହାଯ୍ୟ କରୁଥିଲୁ । ନୂଆ ବ୍ୟବସାୟ, କାରଖାନା କରିବାକୁ ହେଲେ ଦଶ-ପଚାଶ ସରକାରୀ ଅଫିସକୁ ଅସଂଖ୍ୟ ଦୌଡାଧାପଡା କରିବାକୁ ପଡୁଥିଲା – ସମସ୍ତଂକ ହାତ ଚିକ୍କଣ କରିବା ବିନା, ତାଂକ ବାହାଘରବେଳେ ନିମଂତ୍ରଣ ପତ୍ରଠୋଉ ଆରଂଭକରି ଖାଇବା, ମଟର ଇତ୍ୟାଦିର ବ୍ୟବସ୍ଥା କଲା ବିନା ଉପାୟ ନଥିଲା । ମାତ୍ର ଆମ ରାଜ୍ୟ ସରକାର ସ୍ଥିରକଲେ ଏବେ ଆଉ ଶହେ ଝରକା ଆଗରେ ଠିଆ ହେବାକୁ ପଡିବନାହିଁ, ଲେବର ଅଫିସରଂକ ବେଳ ଅବେଳରେ ଭେଟ ହେବନାହିଁ। ସବୁକାମ କେବଳ ଗୋଟିଏ ଝରକାବାଟେ – ସିଂଗ୍ଲ ୱିଂଡୋ ବାଟେ ହେବ । ଏବେ ଆଉ ଲେବର ଅଫିସରଂକୁ, ଶହେ ଅଫିସର ବାବୁମାନଂକୁ ବେଳେଅବେଳେ ହାତଟେକି ଦେବାକୁ ପଡୁନି । ସବୁ କେବଳ ସିଂଗ୍ଲ ୱିଂଡୋରେ । ଏ ପାଉଣାରୁ ବାବୁମାନଂକୁ କେତେ ମିଳେ ଆମେ ଜାଣିବାର ଉପାୟନାହିଁ। ତେବେ ଏତିକି ଜାଣୁ ଯେ ମୁଖ୍ୟଭାଗ ସର୍ବୋଚ୍ଚକର୍ତ୍ତାଙ୍କ ପାଖରେ ପହଁଚେ । ନାହିଁ ନଦେବା ନକରିବାର ପ୍ରଶ୍ନ ନାହିଁ । ସର୍ବୋଚ୍ଚ କର୍ତ୍ତା ବଡଂକଠାରୁ ସିଧାସଳଖ ନିଅଂତି; ଆମେ ମାତ୍ର ସିଂଗ୍ଲ ୱିଂଡୋବାଟେ ପହଁଚାଉ । କଥାଟା ସ୍ପଷ୍ଟ – ଆମ ଦେଶରେ ସାନ, ବଡ, ବାଁ, ଡାହାଣ, ମଝି ସମସ୍ତେ ଏ ପରଂପରାର ପଥିକ । କୁହାଯାଇଚି ପରା –ଡାହାଣ ହାତ ଦେଲାବେଳେ ବାଁହାତ ନଜାଣୁ । ତେଣୁ ରାଜନୈତିକ ଦଳର ନିର୍ବାଚନ ପାଂଠିକି ନିର୍ବାଚନବଣ୍ଡ୍‌ ଆକାରରେ ଦେଲାବେଳେ କାହାର ନାଆଁ ଜଣାଇବାର ବ୍ୟବସ୍ଥା ଆଇନରେ ରଖାଗଲାନାହିଁ – ବାଁ ହାତ ବି ଜାଣିବାର ନୁହେଁ !
ଏ ଦେଶବାସୀଂକୁ ଭଗବାନ ରକ୍ଷାକରଂତୁ ବୋଲି କହିବାର ବି ଉପାୟନାହିଁ – କାରଣ ସେ ବି ପାଉଣା ନପାଇଲେ କାମ କରିବାର ନୁହେଁ – “କେ କି କଲା, ମୁଁ ନ କଲି; କେ କି ଦେବା ଅବା ମୁଁ ଅବା ନଦେବା ଘେନି ଏତେସରି ହେଲି ହେ ମହାପ୍ରଭୁ” !
ପୁଣେ ୪୧୧ ୦୦୪.
nrath66@yahoo.co.in

LEAVE A REPLY

Please enter your comment!
Please enter your name here