ଆଜାଦ ହିନ୍ଦ୍‌ ସରକାର ଗଠନର କାହାଣୀ

0

ଅନନ୍ତ ଚରଣ ସାହୁ

ଅ​‌େ​‌କ୍ଟାବର ୨୧, ୧୯୪୩। ଭାରତ ଇତିହାସର ଏକ ଅବିସ୍ମରଣୀୟ ଦିବସ। ଭାରତର ମହାନ ମୁକ୍ତି ସଂଗ୍ରାମୀ ନେତାଜୀ ସୁଭାଷଙ୍କ ନେତୃତ୍ବରେ ଦକ୍ଷିଣ-ପୂର୍ବ ଏସିଆର ସିଙ୍ଗାପୁରଠାରେ ଗଠିତ ହୋଇଥିଲା ସ୍ବାଧୀନ ଭାରତର ଆଜାଦହିନ୍ଦ୍‌ ସରକାର। ଏହି ଘଟଣାର ପ୍ରଚ୍ଛଦପଟରେ ଲୁଚି ରହିଛି ଏକ ରୋମାଞ୍ଚକର କାହାଣୀ।
୧୯୩୯ ସେପ୍ଟେମ୍ବର ୩ ଦ୍ବିତୀୟ ବିଶ୍ବଯୁଦ୍ଧର ଆରମ୍ଭ ଓ ଭାରତର ତତ୍କାଳୀନ ଲୋକପ୍ରତିନିଧି ସରକାରଙ୍କ ବିନା ପରାମର୍ଶରେ ଇଂରେଜ ସରକାର ଭାରତକୁ ମହାସମରରେ ଲିପ୍ତ କରିବା ଘଟଣା ପରେ ସୁଭାଷଙ୍କ ନେତୃତ୍ବରେ ଯୁବ ସଂଗ୍ରାମୀଗଣ ଏହାର ଘୋର ବିରୋଧ କରିଥିଲେ। ଜାତୀୟତାବାଦୀଙ୍କ ଚାପରେ କଂଗ୍ରେସ ନେତୃତ୍ବରେ ପରିଚାଳିତ ଅଧିକାଂଶ ପ୍ରାଦେଶିକ ସରକାରଙ୍କର ଇସ୍ତଫା, କଂଗ୍ରେସ ସଂଗଠନରୁ ସୁଭାଷଙ୍କୁ ବହିଷ୍କାର, ସୁଭାଷଙ୍କ ନେତୃତ୍ବରେ ‘ଫରୱାର୍ଡ଼ ବ୍ଲକ’ ଦଳ ଗଠନ ପ୍ରଭୃତି ଘଟଣାବଳୀ ପରିପ୍ରେକ୍ଷୀରେ ସୁଭାଷ ଇଂରେଜ ସରକାରଙ୍କ ନିକଟରେ ପୂର୍ଣ୍ଣସ୍ବରାଜ ଦାବି ସମ୍ବଳିତ ଏକ ଚରମପତ୍ର ଦାଖଲ କରିବା ଉପରେ ଗୁୁରୁତ୍ବ ଦେଇଥିଲେ। ପରିତାପର ବିଷୟ, କଂଗ୍ରେସ କାର୍ଯ୍ୟକାରୀ କମିଟି ସୁଭାଷଙ୍କର ଏହି ବୈପ୍ଳବିକ ମତକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ଲବଣ ସତ୍ୟାଗ୍ରହ ଓ ଅସହଯୋଗ ଆନ୍ଦୋଳନ ପରଠାରୁ ଗାନ୍ଧିଜୀ ତାଙ୍କର ସାବରମତୀ ଆଶ୍ରମକୁ ଆଉ ନ ଫେରି ୱାର୍ଦ୍ଧାଠାରେ ନୂତନ ଆଶ୍ରମରେ ଅବସ୍ଥାନ କରୁଥିଲେ। ଏହି ଅବସରରେ ସୁଭାଷ ତାଙ୍କୁ ସେଠାରେ ଭେଟିଥିଲେ। ଭାରତର ପୂର୍ଣ୍ଣ ସ୍ବରାଜ ଦାବି ପାଇଁ ଏହାହିଁ ପ୍ରକୃଷ୍ଟ ସମୟ ଓ ଗାନ୍ଧିଜୀଙ୍କ ନେତୃତ୍ବରେ ଏଥିପାଇଁ ଏକ ଚରମ ଦାବିପତ୍ର ଦାଖଲ କରିବାକୁ ସୁଭାଷ ଗାନ୍ଧିଜୀଙ୍କ ସହଯୋଗ ଲୋଡ଼ିଥିଲେ। ଗାନ୍ଧିଜୀ ତାଙ୍କ ପ୍ରକାଶିତ ‘ହରିଜନ’ ପତ୍ରିକାରେ ମତ ଦେଲେ ଯେ ଏଭଳି ସଙ୍କଟମୟ ପରିସ୍ଥିତିରେ ଇଂରେଜ ସରକାରଙ୍କୁ ବିରୋଧ କରିବା ପରିବର୍ତ୍ତେ ଏକ ମୀମାଂସାରେ ଉପନୀତ ହେବା ବିଧେୟ। ଗାନ୍ଧିଜୀଙ୍କ ଉପରୁ ସୁଭାଷଙ୍କର ଆସ୍ଥା ତୁଟିଯାଇଥିଲା। ୱାର୍ଦ୍ଧାଠାରେ ସୁଭାଷ ଗାନ୍ଧିଜୀଙ୍କ ସହ ସାକ୍ଷାତ କାଳରେ ଗାନ୍ଧିଜୀ ମତ ଦେଲେ: ‘ମୁଁ ମନେକରୁଛି ବର୍ତ୍ତମାନର ସଂକଟ ମୁହୂର୍ତ୍ତରେ ତରବରିଆ ଭାବରେ ଆମେ ଏକ ଆନ୍ଦୋଳନ ଆରମ୍ଭ ନ କରି ଆହୁରି ପ୍ରକୃଷ୍ଟ ସମୟ ପାଇଁ ଅପେକ୍ଷା କରିବା।’ ସୁଭାଷଙ୍କ ବିବେକର ଆହ୍ବାନ ଥିଲା ଏହା ହିଁ ପ୍ରକୃଷ୍ଟ ସମୟ। ତେଣୁ ଆନ୍ଦୋଳନକୁ ଆଗେଇ ନେବାପାଇଁ ସେ ଗାନ୍ଧିଜୀଙ୍କ ଆଶୀର୍ବାଦ ଭିକ୍ଷା କରି ବିଦାୟ ନେଇଥିଲେ। ଏହାହିଁ ଥିଲା ଉଭୟଙ୍କ ମଧ୍ୟରେ ଶେଷ ସାକ୍ଷାତ।
ଏହାପରେ ଇଂରେଜ ବିରୋଧୀ ଆନ୍ଦୋଳନରେ ନେତୃତ୍ବନେଇ ସୁଭାଷ ଗିରଫ ଓ ପରେ ଗୃହବନ୍ଦୀ ହୋଇ ରହିଲେ। ଭାରତକୁ ବ୍ରିଟିଶ ଶାସନରୁ ମୁକ୍ତିଲାଭ ଉଦ୍ଦେଶ୍ୟରେ ୧୭ ଜାନୁଆରୀ ୧୯୪୧ ମସିହାରେ ନିଜ କଲିକତା ବାସଭବନରୁ ଗୃହବନ୍ଦୀ ଅବସ୍ଥାରୁ ଗୋପନରେ ଦେଶତ୍ୟାଗ, ବ୍ରିଟିଶ ସରକାର ବିରୋଧରେ ଯୁଦ୍ଧ ପ୍ରସ୍ତୁତି ପାଇଁ ଜର୍ମାନ୍‌ ଚାନ୍‌ସେଲର ଆଡଲଫ୍‌ ହିଟଲରଙ୍କ ସହ ସାକ୍ଷାତକାର ଓ ପରେ ବର୍ଲିନସ୍ଥିତ ଫ୍ରି ଇଣ୍ଡିଆ ସେଣ୍ଟରରୁ ରେଡ଼ିଓ ମାଧ୍ୟମରେ ସୁଭାଷ ଭାରତୀୟଙ୍କ ଉଦ୍ଦେଶ୍ୟରେ ଯେଉଁ ​‌େ​‌ଘାଷଣା କରିଥିଲେ, ସେଥିରେ ସେ ସ୍ପଷ୍ଟ ଭାବରେ ସ୍ବାଧୀନଚେତା ଭାରତୀୟମାନଙ୍କୁ ଇଂରେଜ ବିରୋଧରେ ସଂଗ୍ରାମ ପାଇଁ ଦୃପ୍ତ ଆହ୍ବାନ ଦେଇଥିଲେ। ଅପରନ୍ତୁ ୧୯୪୧ ଶେଷ ଭାଗରେ ଦ୍ବିତୀୟ ବିଶ୍ବଯୁଦ୍ଧରେ ଯେଉଁ ଭାରତୀୟଗଣ ଜର୍ମାନ ବାହିନୀ ଦ୍ବାରା ଯୁଦ୍ଧବନ୍ଦୀ ରୂପେ ବିିଭିନ୍ନ ବନ୍ଦୀ ଶିବିରମାନଙ୍କରେ ରହିଥିଲେ ସେମାନଙ୍କୁ ଭାରତୀୟ ଲିଜିଅନ​‌େ​ର ଯୋଗଦେବା ପାଇଁ ପ୍ରବର୍ତ୍ତାଇଥିଲେ। ଏହି ଲିଜିଅନ୍‌ଅନ୍ତର୍ଭୁକ୍ତ ଯବାନଗଣ ‘ମୁକ୍ତଭାରତ’ ସୈନିକରୂପେ ଶପଥ ନେଇଥିଲେ।
ସୁଭାଷଙ୍କ ‘ମୁକ୍ତଭାରତ’ ବା ଜର୍ମାନ୍‌ ଲିଜିଅନ ଗଠନ ପୂର୍ବରୁ ସୁଦୂର ଏସିଆ ମହାଦେଶର ପ୍ରାଚ୍ୟଭୂଖଣ୍ଡର ଥାଇଲାଣ୍ଡ ଓ ଜାପାନରେ ଇଣ୍ଡିଆନ ଇଣ୍ଡିପେଣ୍ଡେନ୍‌ସ ଲିଗ୍‌ ନାମକ ଏକ ବ୍ରିଟିଶ ବିରୋଧୀ ସୈନିକ ସଂଗଠନ ଭାରତୀୟ ମୁକ୍ତିଯୋଦ୍ଧା ରାସବିହାରୀ ବୋଷଙ୍କ ନେତୃତ୍ବରେ ଗଠିତ ହୋଇଥିଲା। ଦକ୍ଷିଣ-ପୂର୍ବ ଏସିଆର ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌ଠାରେ ଅନୁଷ୍ଠିତ ହୋଇଥିଲା ଇଣ୍ଡିଆନ୍‌ ଇଣ୍ଡିପେଣ୍ଡେନ୍‌ସ ଲିଗର ପ୍ରତିଷ୍ଠା ଦିବସ। ଏହି ଦିବସରେ ଏହାର ପ୍ରତିଷ୍ଠାତା ରାସବିହାରୀ ବୋଷ, ଜାପାନ ସରକାରଙ୍କ ଅନୁମୋଦନ କ୍ରମେ ସୁଭାଷଙ୍କୁ ଏହି ସାମରିକ ସଂଗଠନର ନେତୃତ୍ବ ନେବାପାଇଁ ନିମନ୍ତ୍ରଣ କରିଥିଲେ। ସେତେବେଳେ କ୍ୟାପଟେନ୍‌ ମୋହନ ସିଂଙ୍କ ନେତୃତ୍ବରେ ପରିଚାଳିତ ଆଜାଦ୍‌ ଇଣ୍ଡିଆନ୍‌ ଇଣ୍ଡିପେଣ୍ଡେଣ୍ଟ ଲିଗ୍‌ ଅଧୀନରେ ସେପ୍ଟେମ୍ବର ୧୯୪୨ରୁ ପ୍ରତିଷ୍ଠିତ ହୋଇ ଜାପାନ ସରକାରଙ୍କ ସହାୟତାରେ ଏକ ବଳିଷ୍ଠ ସେନାବାହିନୀରେ ପରିଣତ ହୋଇସାରିଥିଲା। ଏହି ବାହିନୀର ମୂଳ ପ୍ରତିଷ୍ଠାତା ରାସବିହାରୀ ବୋଷଙ୍କ ପ୍ରସ୍ତାବକ୍ରମେ ସୁଭାଷ ପରବର୍ତ୍ତୀ କାଳରେ ଏହି ଆଜାଦ ହିନ୍ଦ ଫୌଜକୁ ଇଣ୍ଡିଆନ ନ୍ୟାସନାଲ ଆର୍ମି (ଆଇଏନଏ) ନାମରେ ଅଭିହିତ କଲେ।
ଆଜାଦ୍‌ ହିନ୍ଦ୍‌ ଫୌଜ୍‌ ତଥା ଭାରତୀୟ ଜାତୀୟ ବାହିନୀର ଶୀର୍ଷତମ ସେନାଧ୍ୟକ୍ଷ ରୂପେ ଅବସ୍ଥାପିତ ହେବା ପରେ ୨୧ ଅକ୍ଟୋବର ୧୯୪୩ରେ ସିଙ୍ଗାପୁରଠାରେ ସୁଭାଷ ଆଜାଦ ହିନ୍ଦ୍‌ ସରକାର ଗଠନ କରିଥିଲେ। ବିଦେଶରେ ଏହି ସରକାର ଥିଲା ସ୍ବାଧୀନତା ପୂର୍ବବର୍ତ୍ତୀ ଭାରତର ପ୍ରଥମ ସ୍ବାଧୀନ ସରକାର। ଏହିଠାରେ ସୁଭାଷ ଅସ୍ଥାୟୀ ସରକାରର ରାଷ୍ଟ୍ରନାୟକ ରୂପେ ମନୋନୀତ ହୋଇଥିଲେ​। ୧୯୪୩ ଅକ୍ଟୋବର ୨୩ରେ ଜାପାନ ସରକାର ନେତାଜୀଙ୍କ ଗଠିତ ଅସ୍ଥାୟୀ ସରକାରଙ୍କୁ ସ୍ବୀକୃତି ପ୍ରଦାନ କରିଥିଲେ। ଏହା ପରେପରେ ଜର୍ମାନୀ, ଇଟାଲୀ, ବ୍ରହ୍ମଦେଶ, ଫିଲିପାଇନ୍‌ସ, ନାନକିଂ, ଶ୍ୟାମ (ଆଧୁନିକ ଥାଇଲାଣ୍ଡ) ଇତ୍ୟାଦି ରାଷ୍ଟ୍ର ଏହି ନବଗଠିତ ସରକାରଙ୍କୁ ଅାନୁଷ୍ଠାନିକ ସ୍ବୀକୃତି ପ୍ରଦାନ କରିଥିଲେ। ଅକ୍ଟୋବର ୨୪, ୧୯୪୩ରେ ଏହି ନୂତନ ସରକାର ଯୁକ୍ତରାଷ୍ଟ୍ର ଆମେରିକା ଓ ଇଂଲଣ୍ଡ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ନଭେମ୍ବର ୫ ଓ ୬, ୧୯୪୩ରେ ଜାପାନର ରାଜଧାନୀ ଟୋକିଓଠାରେ ଅନୁଷ୍ଠିତ ଦକ୍ଷିଣ-ପୂର୍ବ ଏସିଆ ସମ୍ମିଳନୀ ଅବସରରେ ସୁଭାଷ ଏହି ସମ୍ମିଳନୀରେ ଯୋଗଦେଇ ସମ୍ମିଳିତ ରାଷ୍ଟ୍ରନାୟକମାନଙ୍କୁ ଭାରତର ମୁକ୍ତି ସଂଗ୍ରାମ ପ୍ରତି ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବାପାଇଁ ଅନୁରୋଧପୂର୍ବକ ଏକ ପ୍ରସ୍ତାବ ଆଗତ କରିଥିଲେ। ପ୍ରସ୍ତାବଟି ସର୍ବସମ୍ମତି କ୍ରମେ ଗୃହୀତ ହୋଇଯାଇଥିଲା। ସେତେବେଳେ ଭାରତର ଦୁଇ ଦ୍ବୀପପୁଞ୍ଜ ଆଣ୍ଡାମାନ ଓ ନିକୋବର ଜାପାନ ବାହିନୀ ଦ୍ବାରା ଅଧିକୃତ ହୋଇସାରିଥିଲା। ଜାପାନ ସରକାର ଏହି ଦ୍ବୀପଦ୍ବୟକୁୁ ଅସ୍ଥାୟୀ ଆଜାଦ୍‌ ହିନ୍ଦ୍‌ ସରକାରଙ୍କ ହାତରେ ଅର୍ପଣ କରିଦେଇଥିଲେ। ଉଭୟ ଦ୍ବୀପକୁ ଗ୍ରହଣ ପୂର୍ବକ ସୁଭାଷଙ୍କ ସରକାର ଆଣ୍ଡାମାନର ନାମ ‘ସହିଦ’ ଓ ନିକୋବରର ନାମ ‘ସ୍ବରାଜ’ ରୂପେ ଘୋଷଣା କରିଥିଲେ।
୧୯୪୪ ଜାନୁଆରୀ ୫ ତାରିଖ ଦିନ ଆଜାଦ୍‌ ହିନ୍ଦ୍‌ ସରକାରର ସଦର କାର୍ଯ୍ୟାଳୟକୁ ସିଙ୍ଗାପୁରଠାରୁ ସଦ୍ୟମୁକ୍ତ ସ୍ବାଧୀନ ବ୍ରହ୍ମଦେଶର (ଆଧୁନିକ ମିଆଁମାର) ରାଜଧାନୀ ରେଙ୍ଗୁନ୍‌(ଆଧୁନିକ ୟାଙ୍ଗୁନ)କୁ ଉଠାଇ ନିଆଯାଇଥିଲା। ଏହା ମଧ୍ୟରେ ଆଜାଦ୍‌ ହିନ୍ଦ୍‌ ସରକାରଙ୍କ ଦ୍ବାରା ବ୍ୟାଙ୍କ ଅଫ୍‌ ଇଣ୍ଡିପେଣ୍ଡେନ୍‌ସ ପ୍ରତିଷ୍ଠା କରାଯାଇ ନୋଟ ଓ ମୁଦ୍ରା ପ୍ରଚଳନ କରାଯାଇଥିଲା। ଆଜାଦ୍‌ ହିନ୍ଦ ସରକାରଙ୍କର ରାଷ୍ଟ୍ରୀୟ ତ୍ରିରଙ୍ଗା ଧ୍ବଜାର ମଧ୍ୟ ଭାଗରେ ଲମ୍ପ ଦେଉଥିବା ବ୍ୟାଘ୍ରର ଛବି ରହିଥିଲା।
ଆଜାଦ୍‌ ହିନ୍ଦ୍‌ ଫୌଜ ଜାପାନୀ ବାହିନୀ ସହାୟତାରେ (ଆଧୁନିକ ରାଜ୍ୟ ମଣିପୁରର ରାଜଧାନୀ) ଆସାମର ଇମ୍ପାଲ ଅଞ୍ଚଳକୁ ଅଭିଯାନ ଚଳାଇ ଏପ୍ରିଲ ୬, ୧୯୪୪ ଦିନ ଭାରତୀୟ ଅଞ୍ଚଳ କୋହିମା ଅଧିକାର କରିନେଇଥିଲେ। ଜାପାନ ପ୍ରଧାନମନ୍ତ୍ରୀ ଟୋଜୋ ସ୍ପଷ୍ଟ ରୂପେ ଘୋଷଣା କରିଥିଲେ ଯେ ସମସ୍ତ ଅଧିକୃତ ଅଞ୍ଚଳକୁ ପରେ ଅସ୍ଥାୟୀ ଆଜାଦହିନ୍ଦ୍‌ ସରକାରଙ୍କ ହସ୍ତରେ ଅର୍ପଣ କରାଯିବ। ମିଳିତ ବାହିନୀ ଏହିଠାରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।
ଜାପାନର ହିରୋସିମା ଓ ନାଗାସାକିଠାରେ ଦୁଇଟି ମାରାତ୍ମକ ଧ୍ବଂସକାରୀ ପରମାଣୁ ବୋମା ନିକ୍ଷେପ ପରେ ମହାଯୁଦ୍ଧର ଅବସାନ ଘଟିଥିଲା। ଜାପାନର ଆତ୍ମସମର୍ପଣ ପରେ ଆଜାଦ୍‌ ହିନ୍ଦ୍‌ ଫୌଜ୍‌ ଓ ଅସ୍ଥାୟୀ ସରକାରଙ୍କର ବିଲୟ ଘଟିଥିଲା। ଆଜାଦ୍‌ ହିନ୍ଦ୍‌ ସରକାର ପ୍ରତିଷ୍ଠାର ୭୫ବର୍ଷ ପରେ ଗତ ଅକ୍ଟୋବର ୨୧, ୨୦୧୮ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲକିଲା ଉପରୁ ଯେଉଁ ସ୍ମାରକୀ ଉତ୍ସବ ପାଳନ କରିଥିଲେ ତାହାର ଉଦ୍ଦେଶ୍ୟ ଥିଲା ନେତାଜୀଙ୍କ ପରିକଳ୍ପିତ ଅଖଣ୍ଡ ଭାରତରେ ସ୍ବପ୍ନକୁ ଉଜ୍ଜୀବିତ କରିବା। ଆଜିର ଏହି ବିଖଣ୍ଡିତ ଭାରତକୁ ଅବଲୋକନ କରି ଏବେ ମଧ୍ୟ ବଞ୍ଚି ରହିଥିବା ସ୍ବାଧୀନତା ସଂଗ୍ରାମୀଗଣ ମର୍ମାହତ ହୋଇ କହନ୍ତି, ଯଦି ଭାରତୀୟ ସ୍ବାଧୀନ ରାଷ୍ଟ୍ର ଗଠନରେ ନେତାଜୀଙ୍କ ଭୂମିକା ରହିଥାଆନ୍ତା, ତା’ହେଲେ ହୁଏତ ଭାରତରୁ ବିଭାଜିତ ହୋଇ ପାକିସ୍ତାନ ଓ ବାଂଲାଦେଶ ଭଳି ରାଷ୍ଟ୍ରର ସୃଷ୍ଟି ହେବା ପରିବର୍ତ୍ତେ ଏକ ଅଖଣ୍ଡ, ଅବିଭାଜିତ ଭାରତର ଗଠନ ସମ୍ଭବ ହେବାସହ ତାଙ୍କ ପରିକଳ୍ପନା ବାସ୍ତବତାରେ ପରିଣତ ହୋଇପାରିଥାଆନ୍ତା।

Leave A Reply