ଦଳଡ଼ିଆଁ ପର୍ବ

0

ନିର୍ବାଚନ ପାଖେଇ ଆସିଲେ ଦଳବଦଳ କରିବା ଏବଂ ଅଧିକ ବିଜୟ ସମ୍ଭାବନା ଥିବା ଦଳରୁ ଟିକଟ ହାତେଇବା ପାଇଁ ନେତାମାନେ ଉଦ୍ୟମ କରିଥାନ୍ତି। ଏହା କିଛି ନୂଆକଥା ନୁହେଁ ଏବଂ ଓଡ଼ିଶା ରାଜନୀତି ମଧ୍ୟ ଏହି ପ୍ରକ୍ରିୟା ସହ ଅଭ୍ୟସ୍ତ। ତେବେ କ୍ରମାଗତଭାବେ ଦୀର୍ଘକାଳ ଧରି ନିରଙ୍କୁଶ କ୍ଷମତା ଉପଭୋଗ କରିଆସୁଥିବା ଗୋଟିଏ ଦଳ ଯଦି ଦୁର୍ବଳ ବିରୋଧୀ ପକ୍ଷରୁ ବଛାବଛା ନେତାଙ୍କୁ ନିଜ ଶିବିରକୁ ଆଣି ସେମାନଙ୍କୁ ରାଜନୈତିକ ଥଇଥାନ ଯୋଗାଏ ବା ପ୍ରାର୍ଥୀ କରେ ସେତେବେଳେ ଏହା ପ୍ରାର୍ଥୀ ଶିକାର କରିବାସହ ସମାନ ହୁଏ। ରାଜନୀତିରେ ନୈତିକତାର ସୁଯୋଗ କମ୍‌ ବୋଲି କୁହାଯାଉଥିଲେ ମଧ୍ୟ ବିରୋଧୀଙ୍କୁ ହନନ ଓ ନିଃଶେଷ କରିବା ନିଶ୍ଚିତ ଅନୈତିକ ତଥା ଗଣତନ୍ତ୍ର ବିରୋଧୀ। ପ୍ରକାରାନ୍ତରେ ଏହି ଶିକାର ପ୍ରକ୍ରିୟା ଶକ୍ତିଶାଳୀ ଦଳ ପାଇଁ ମଧ୍ୟ ନିର୍ବାଚନମଣ୍ଡଳୀ ସ୍ତରରେ ଆଭ୍ୟନ୍ତରୀଣ ବିଦ୍ରୋହର କାରଣ ହୋଇପାରେ। ନିଜ ଦଳର ଟିକଟ ଆଶାୟୀ ଏହାଦ୍ବାରା କ୍ଷୁବ୍ଧ ହୁଅନ୍ତି।
ଗତ ୨୦୧୪ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିରୋଧୀଦଳ ନେତାଙ୍କ ସମେତ ଜଣେ ବିଧାୟକ କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଥିଲେ। ଏବେ କଂଗ୍ରେସର ରାଜ୍ୟ ଶାଖା କାର୍ଯ୍ୟକାରୀ ସଭାପତି ଦଳଛାଡ଼ି ବିଜେଡ଼ିରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିବାବେଳେ ଆଉ କେଇଜଣ ବିଧାୟକ ବିଜେଡ଼ିରେ ମିଶିବା ମସୁଧାରେ ଅଛନ୍ତି। ଏହା ଫଳରେ ରାଜ୍ୟରେ ପୁନରୁତ୍ଥିତ କଂଗ୍ରେସଦଳ ନିଶ୍ଚିତ ଶକ୍ତ ଧକ୍କା ପାଇବ ଓ ଏହାର ନିର୍ବାଚନ ପ୍ରସ୍ତୁୁତି ଓ ଶିବିର ପରିଚାଳନା ବ୍ୟାହତ ହେବ। କଂଗ୍ରେସ ପାଇଁ ଏହା ମଧ୍ୟ ପରୋକ୍ଷରେ ଲାଭଦାୟକ ହୋଇପାରେ। ଏହା ଦଳର ପୁନର୍ଗଠନ ଓ ପରିଷ୍କରଣ ପାଇଁ ଭବିଷ୍ୟତରେ ସହାୟକ ହେବ। ଦଳ ମଧ୍ୟରେ ଆଭ୍ୟନ୍ତରୀଣ କନ୍ଦଳ, ନେତୃତ୍ବ ଉପରେ ଆସ୍ଥାହାନି ଓ ବ୍ୟକ୍ତିଗତ ଲାଭକ୍ଷତିର ହିସାବ ଏହି ଦଳଡିଆଁ ପ୍ରୟାସର ପ୍ରମୁଖ କାରଣ। ​‌େ​ତବେ ଦେଖାଯାଉଛି ଯେ ପ୍ରଭାବଶାଳୀ ନେତାମାନେ ନିଜର ରାଜନୈତିକ ସ୍ବାର୍ଥ ଅପେକ୍ଷା ବ୍ୟାବସାୟିକ ସ୍ବାର୍ଥ ଓ ପ୍ରଭାବ ପ୍ରତିଷ୍ଠା ପାଇଁ ଯେ କୌଣସି ଉପାୟରେ ବିଜୟୀ ହୋଇ ବିଧାନସଭା ବା ସଂସଦକୁ ଫେରିବାକୁ ଆଗ୍ରହୀ। ସେଥିପାଇଁ ସେମାନେ ବିପୁଳ ଅର୍ଥ ମଧ୍ୟ ଖର୍ଚ୍ଚ କରିଥାନ୍ତି। ଯେଉଁମାନେ କହୁଛନ୍ତି ସମର୍ଥକ ଓ ଲୋକଙ୍କ ଇଚ୍ଛାରେ ଆମେ ଦଳବଦଳ କରୁଛୁ ସେମାନେ ପ୍ରକୃତରେ କେତେ ସେବକ ଓ ଜନତାର ପ୍ରତିନିଧି ତାହା ଜନସାଧାରଣ ବିଚାର କରିବାର ସମୟ ଆସିଛି। ଗଣତନ୍ତ୍ରରେ ଶକ୍ତ ବିରୋଧୀଦଳର ଆବଶ୍ୟକତା ରହିଛି। ତେଣୁ ଭୋଟରମାନେ ଏଭଳି ସୁବିଧାବାଦୀ ନେତାଙ୍କ ପ୍ରତି ସତର୍କ ରହିବା ଆବଶ୍ୟକ।

Leave A Reply