ରାଫେଲ ଭୂତ

0

ଫ୍ରାନ୍ସଠାରୁ ରାଫେଲ ଯୁଦ୍ଧ ବିମାନ କ୍ରୟରେ କୌଣସି ଅନିୟମିତତା ​‌େହାଇନାହିଁ ବୋଲି ଭାରତ ସରକାର ବାରମ୍ବାର ସଫେଇ ଦେଉଥିଲେ ହେଁ ସେ ବିବାଦ ଥମୁନାହିଁ। ଜାତୀୟ ସ୍ତରର ଇଂରାଜୀ ସମ୍ବାଦପତ୍ର ‘ଦି ହିନ୍ଦୁ’ରେ ଶୁକ୍ରବାର ରାଫେଲ କାରବାର ସଂକ୍ରାନ୍ତ ଯେଉଁ ସ୍ବତନ୍ତ୍ର ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇଛି ସେଥିରେ କୁହାଯାଇଛି ଯେ ଫ୍ରାନ୍ସଠାରୁ ୧୨୬ ରାଫେଲ ଯୁଦ୍ଧବିମାନ ପରିବର୍ତ୍ତେ କେନ୍ଦ୍ର ସରକାର ଯେଉଁ ୩୬ଟି ପୂର୍ଣ୍ଣାଙ୍ଗ ବିମାନ କିଣିବାକୁ ଚୁକ୍ତି କରିଥିଲେ ତାହା ଫଳରେ ପ୍ରତ୍ୟେକ ବିମାନର ମୂଲ୍ୟ ୪୧.୪୨% ବୃଦ୍ଧି ପାଇଛି। ତେଣୁ ଏହି ବିମାନ ଶସ୍ତାରେ କିଣାଯାଇଛି ଏବଂ ଏଥିରେ କିଛି ବ୍ୟତିକ୍ରମ ହୋଇନାହିଁ ବୋଲି ସରକାରଙ୍କ ପକ୍ଷରୁ ଯେଉଁ ସଫେଇ ଦିଆଯାଉଥିଲା ତାହା ଯେ ଅସତ୍ୟ ଏ ସନ୍ଦେହ ପୁଣି ସୃଷ୍ଟି ହୋଇଛି।
ପ୍ରତିରକ୍ଷାବାହିନୀ ପାଇଁ ୧୨୬ ସ୍ବୟଂସଂପୂର୍ଣ୍ଣ ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ରାଫେଲ ବିମାନ କିଣିବାର ଆବଶ୍ୟକତା ଥିଲା। ତାହା ନ’କରି ସରକାର କାହିଁକି ମାତ୍ର ୩୬ଟି କିଣିଲେ ଏବଂ ଏ ବାବଦରେ କାହିଁକି ଅଧିକ ମୂଲ୍ୟ ଦେଲେ ତାହା ଦେଶବାସୀ ଜାଣିବା ଉଚିତ। ୟୁପିଏ ସରକାର ସମୟର ଚୁକ୍ତି ଅନୁସାରେ ଭାରତ ପାଇବାକୁ ଥିବା ମୋଟ ୧୨୬ ରାଫେଲ ବିମାନର ଡିଜାଇନ ଓ ବିକାଶ ଖର୍ଚ୍ଚ ୧.୩ ବିଲିୟନ ୟୁରୋ ଧାର୍ଯ୍ୟ ହୋଇଥିଲା। ସରକାର ସେଇ ଚୁକ୍ତିକୁ ବାତିଲ କରି ମାତ୍ର ୩୬ଟି ଏ ଧରଣର ବିମାନ କ୍ରୟକରି ମୋଟ ୧.୩ ବିଲିୟନ ଅର୍ଥ ପୈଠ କରିଛନ୍ତି। ଫଳରେ କିଣାଯାଇଥିବା ପ୍ରତ୍ୟେକ ବିମାନର ଖର୍ଚ୍ଚ ୪୧ ଶତାଂଶରୁ ଅଧିକ ବଢ଼ିଯାଇଥିବା ବିିଭିନ୍ନ ସୂତ୍ରରୁ ତଥ୍ୟ ଉଦ୍ଧାର କରି ‘ଦି ହିନ୍ଦୁ’ ଖବର ପ୍ରକାଶ କରିଛି। ପ୍ରକାଶିତ ଖବରର ବିଶ୍ବସନୀୟତାକୁ ପ୍ରଶ୍ନ କରାଯାଇ ନ’ପାରେ। ସରକାର ଏ ସମ୍ପର୍କରେ ଯେତେ ସଫେଇଦେଲେ ମଧ୍ୟ ସାଧାରଣରେ ସନ୍ଦେହ ଉଠିବ।
ମୋଦୀ ସରକାର ଜାତୀୟ ସୁରକ୍ଷାକୁ ଅଗ୍ରାଧିକାର ଦେଉଥିବା କହିଆସୁଛନ୍ତି। ତେବେ କେଉଁ କାରଣରୁ ୧୨୬ ସ୍ଥାନରେ ୩୬ଟି ବିମାନ ଅଧିକ ମୂଲ୍ୟ ଦେଇ କିଣାଗଲା ଓ ଏହା ପଛର ରହସ୍ୟ କ’ଣ ତାହା ସ୍ପଷ୍ଟ ହେବା ଉଚିତ। ଏହି କାରବାର ଫଳରେ ପ୍ରତିରକ୍ଷା ବାହିନୀର ଆବଶ୍ୟକତାଠାରୁ କେବଳ କମ୍‌ ଯୁଦ୍ଧବିମାନ କିଣାଯାଇନାହିଁ; ଏଥିସହିତ ରାଜକୋଷରୁ ମଧ୍ୟ ବିପୁଳ ଅର୍ଥ ବ୍ୟୟ ହୋଇଛି। ସରକାରଙ୍କୁ ଏହାର ଜବାବ ଅବଶ୍ୟ ଦେବାକୁ ପଡ଼ିବ; କାରଣ ଏହି ପ୍ରସଙ୍ଗରୁ ଗୋଟିଏ ସନ୍ଦେଶ ଆସୁଛି ଯେ ସରକାର ନିଜର କିଛି ଖାସ ଅନୁଗତଙ୍କୁ ଅନୁଗୃହୀତ କରିବାପାଇଁ କିଛି ଲନ୍ଦଫନ୍ଦ କରିଛନ୍ତି।
ବୋଫର୍ସ ଭଳି ରାଫେଲ ଏକ ବଡ଼ ବିତର୍କିତ ପ୍ରସଙ୍ଗ ହୋଇଛି ଏବଂ ନିର୍ବାଚନ ବର୍ଷରେ ଏହା ଏକ ବଡ଼ ସରକାରୀ ଦୁର୍ନୀତି ଭାବେ ବିରୋଧୀଙ୍କ ଦ୍ବାରା ଉପସ୍ଥାପିତ ହୋଇଛି। ସର୍ବୋଚ୍ଚ ଅଦାଲତ ଜାତୀୟ ସୁରକ୍ଷାଭଳି ସ୍ପର୍ଶକାତର ବିଷୟକୁ ବିଚାରକୁ ନେଇ ରାଫେଲ ଚୁକ୍ତିର ବିଭିନ୍ନ ଦିଗ ସର୍ବସାଧାରଣରେ ପ୍ରକାଶ କରିବାକୁ ଉଚିତ ମନେ ନ’କରି ଏହି ମାମଲାରେ ସରକାରଙ୍କୁ ନିର୍ଦୋଷ କହିଥିବାରୁ ଏହା ଉପରେ ଅନ୍ୟ କୌଣସି ତଦନ୍ତର ସମ୍ଭାବନା କ୍ଷୀଣ। ଏହା ସତ୍ତ୍ବେ ଯେଉଁସବୁ ନୂଆ ତଥ୍ୟ ଏହି କାରବାର ନେଇ ପଦାକୁ ଆସୁଛି ତାହା ସୂଚାଇ ଦେଉଛି ଯେ ‘ନିଆଁ ନଥିଲେ ଧୂଆଁ ନାହିଁ।’ ସୁପ୍ରିମକୋର୍ଟଙ୍କ କ୍ଲିନ୍‌ଚିଟ୍‌ ଦ୍ବାରା ରାଫେଲ ପ୍ରସଙ୍ଗରେ ମୋଦୀ ସରକାର ଜନସାଧାରଣଙ୍କ ନିକଟରେ ନିର୍ଦୋଷ ହୋଇପାରିବେ ନାହିଁ। ମିଳିତ ସଂସଦୀୟ କମିଟି (ଜେପିସି) ଗଠନ କରି ସରକାର ସତ କ’ଣ ତାହା ଦେଶବାସୀଙ୍କୁ ଜଣାଇବାର ଆବଶ୍ୟକତା ରହିଛି। ତା’ ନହେଲେ ରାଫେଲ ଭୂତ ଏ ସରକାରକୁ ଗୋଡ଼ାଉଥିବ।

Leave A Reply